Odisha news

ଯୁବା ଲେଖିକା ସୁଶ୍ରୀ ସୌଭାଗ୍ୟବତୀଙ୍କୁ ଆନ୍ତର୍ଜାତିକସ୍ତରୀୟ ସମ୍ମାନ

0

କେନ୍ଦ୍ରାପଡାର ସାରସ୍ୱତ ଆକାଶରେ ଏକ ଉଦୀୟମାନ ତାରକା ତଥା ଯୁବା ଲେଖିକା ସୁଶ୍ରୀ ସୌଭାଗ୍ୟବତୀ ଗିରିଙ୍କୁ ଆନ୍ତର୍ଜାତିକ ଏକ୍ସେଲେନ୍ସୀ ଆୱାର୍ଡ ସମ୍ମାନରେ ସମ୍ମାନିତ କରାଯାଇଛି। ଶତାଧିକ ରାଷ୍ଟ୍ରକୁ ନେଇ କାର୍ଯ୍ୟରତ ଏକ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ୍ ତରଫରୁ ଏହି ଆୱାର୍ଡ ଥାଇଲାଣ୍ଡ୍,ମାଲେସିଆ,ସ୍ପେନ୍,ମାସିଡୋନିଆ,କାନାଡା,ଚୀନ୍,ଜର୍ମାନୀ,ଫିଲିପାଇନ୍ସ୍ ପରି ୨୫ ଟି ଦେଶର ୧୦୦ ଜଣ ପ୍ରତିଭାଙ୍କୁ ପ୍ରଦାନ କରାଯାଇବେଳେ ଭାରତରୁ ସୌଭାଗ୍ୟବତୀ ଏହି ଆୱାର୍ଡ ପାଇଁ ମନୋନୀତ ହୋଇଥିଲେ। ଓଡିଆ,ଇଂରାଜୀ ଓ ହିନ୍ଦି ଭାଷାରେ ଅନେକ ଗଳ୍ପ,କବିତା ଓ ପ୍ରବନ୍ଧ ରଚନା କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସାରିଛନ୍ତି ଏହି ଯୁବ ପ୍ରତିଭା। ତାଙ୍କର ପ୍ରତୈକଟି ଲେଖାରେ ସମାଜ ସଚେତନତା ସ୍ପଷ୍ଟ ବାରି ହୋଇପଡେ।

ସାମ୍ପ୍ରତିକ ସମାଜରୁ ଯୌତୁକପ୍ରଥା,ପୁଅଝିଅ ଭେଦଭାବ,ବର୍ଣ୍ଣବୈଷମ୍ୟତା ପରି କୁପ୍ରଥା ଗୁଡିକ ଦୂର କରି ସମାଜରେ ସୁଧାର ଆଣିବା ପାଇଁ ସେ ତାଙ୍କ ଲେଖନୀ ମାଧ୍ୟମରେ ଶାଣିତ ସ୍ୱର ଉତ୍ତୋଳନ କରନ୍ତି । ନବେ ପ୍ରତିଶତ ସ୍ଥାନରେ ନାରୀ ହିଁ ନାରୀର ଶତ୍ରୁ ସାଜି ଠିଆ ହୋଇଥାଏ ଏବଂ ତା’ର ସ୍ୱପ୍ନକୁ ଭାଙ୍ଗି ଚୁରମାର୍ କରିଥାଏ ବୋଲି ସେ ମତ ଦିଅନ୍ତି । ତାଙ୍କ ଲେଖାଗୁଡିକ ମଧ୍ୟରେ ସଚେତନ ହୁଅନ୍ତୁ ଅଭିଭାବକ,ଦଶଲକ୍ଷ ଟଙ୍କାରେ ବର ନିଲାମ,ନାରୀ ସଶକ୍ତିକରଣ,ଜହର କବଳରେ ଯୁବଶକ୍ତି, ଯୌତୁକ ଜାଲରେ ଜାହ୍ନବୀ ଓ ବଫେ କ’ଣ ପ୍ରୀତିଭୋଜନ ଇତ୍ୟାଦି ଲେଖାଗୁଡିକ ପାଠକଙ୍କ ମନରେ ଗଭୀର ରେଖାପାତ କରେ। ଇଂରାଜୀ ଲେଖା ଗୁଡିକ ମଧ୍ୟରେ Girl childs-not brides,Bride burning,Don’t push me back,Freedom of a woman,Don’t beg for dowry ଇତ୍ୟାଦି ଲେଖାଗୁଡିକ ବେଶ୍ ଶିକ୍ଷଣିୟ ।

ତାଙ୍କର ଲେଖାଗୁଡିକ ଦେଶବିଦେଶରେ ବେଶ୍ ପାଠକୀୟ ଆଦୃତି ପାଇ ସାରିଛି ଏବଂ ଅନେକ ଆନ୍ତର୍ଜାତିକ ସଙ୍କଳନରେ ତାଙ୍କ କବିତା ପ୍ରକାଶ ପାଇ ସାରିଛି। ବିଦେଶୀ ଲେଖକ ମାନଙ୍କ ସହିତ ଡୁଏଟ୍ ଲେଖିବାରେ ମଧ୍ୟ ସେ ସିଦ୍ଧହସ୍ତ। ସୌଭାଗ୍ୟବତୀଙ୍କର ଏପରି ସଫଳତା କେନ୍ଦ୍ରାପଡା ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣି ଦେଇଥିବା ବେଳେ ଏବେ ତାଙ୍କୁ ଦେଶବିଦେଶରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଈଶ୍ୱରଙ୍କ ଉପରେ ପୂର୍ଣ୍ଣ ଆସ୍ଥା ରଖି ବାଟ ଚାଲୁଥିବା ଏହି ଯୁବପ୍ରତିଭା ତାଙ୍କ ସଫଳତାର ଶ୍ରେୟ ଭଗବାନ୍,ପିତାମାତା ଓ ଶୁଭେଚ୍ଛୁମାନଙ୍କୁ ଦେଇଛନ୍ତି ।

ପ୍ରତି ବାଧାବିଘ୍ନକୁ ସାହସର ସହିତ ସାମ୍ନା କରିବା ପାଇଁ ବାପା ହିଁ ଶକ୍ତି ଯୋଗାଇଥା’ନ୍ତି  ବୋଲି କହନ୍ତି ଏହି ଲେଖିକା। ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଥିବାରୁ ସେ ସୂର୍ଯ୍ଯୋଦୟ ଲିଟେରାରୀ ଫାଉଣ୍ଡେସନ୍ ର ପ୍ରତିଷ୍ଠାତା ଶ୍ରୀମାନ୍ ମନୋଜ କୁମାର ପଣ୍ଡା,ସଭାପତି ଶ୍ରୀଯୁକ୍ତ ଭରତ ଚନ୍ଦ୍ର ଦାଶ,ମୂଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ରୋହିଣୀ କୁମାର ବେହେରା ଓ ସୌଜନ୍ୟ ସମ୍ପାଦକ ଶ୍ରୀମାନ୍ ଦିପକ୍ କୁମାର ସ୍ୱାଇଁଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସୁଶ୍ରୀ ସୌଭାଗ୍ୟବତୀ  ରୌପ୍ୟପଦକପ୍ରାପ୍ତ ବନବିଭାଗ କର୍ମଚାରୀ ସ୍ୱର୍ଗତ ଦୁର୍ଯ୍ୟୋଧନ ଗିରିଙ୍କ ପୌତ୍ରୀ ଏବଂ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ର ଗିରିଙ୍କ ସୁପୁତ୍ରୀ ଅଟନ୍ତି।

Leave A Reply