ତିହିଡି (Jadumani Panigrahi) : ତିହିଡି ଥାନା ଅନ୍ତର୍ଗତ ସାହାପୁର ପଞ୍ଚାୟତ ନୂଆ ଗାଁ ଗାଁର ଜଣେ କଲେଜ ପଢୁଆ ଛାତ୍ରୀଙ୍କୁ ଜଣେ ଯୁବକ ଅପହରଣ କରି ନେଇଥିବା ନେଇ ଛାତ୍ରୀଙ୍କ ବାପା ତିହିଡି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏଥିନେଇ ଏକ ମାମଲା ନଂ-୩୯୪/୨୦ ରୁଜୁ କରି ଘଟଣାର ତଦନ୍ତ କରୁଥିଲା । ତେବେ ଗତକାଲି ଉଭୟ ଛାତ୍ରୀ ଓ ଯୁବକ ଘରକୁ ଆସୁଥିବାର ଖବର ପାଇ ପୋଲିସ ସେମାନଙ୍କୁ ଭଦ୍ରକରୁ ଉଦ୍ଧାର କରି ଥାନାକୁ ଆଣିଥିଲା । ପ୍ରକାଶ ଯେ, ଗତ ୪ ତାରିଖ ଦିନ ସଂପୃକ୍ତା ଛାତ୍ରୀ କଲେଜ ଯାଉଛି କହି ଘରୁ ଆସିଥିଲା ।
ମାତ୍ର ସନ୍ଧ୍ୟା ଯାଏଁ ଘରକୁ ନ ଫେରିବାରୁ ଛାତ୍ରୀଙ୍କ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ନାୟକାଣୀଡିହ ଥାନା ଅନ୍ତର୍ଗତ ଖାଣ୍ଟଖୁଆଡ ର୍ଗାର ବ୍ରଜକିଶୋର ମଲ୍ଲିକଙ୍କ ପୁଅ କାହ୍ନୁଚରଣ ତାଙ୍କ ଝିଅକୁ ଅପହରଣ କରିଥିବା ଜାଣିବାକୁ ପାଇଥିଲେ । ପରେ ସେ ଥାନାରେ ଅଭିଯୋଗ କରିଥିଲେ । ଆଜି ପୋଲିସ ସଂପୃକ୍ତ ଛାତ୍ରୀଙ୍କର ଡାକ୍ତରୀ ମାଇନା କରାଇବା ପରେ ତାଙ୍କୁ ଭଦ୍ରକସ୍ଥିତ ଆସିଆନାକୁ ପଠାଇ ଦେଇଥିବା ବେଳେ କାହ୍ନୁଚରଣଙ୍କ ଥାନାରେ ଅଟକ ରଖିଛନ୍ତି । ଆସନ୍ତାକାଲି ଉଭୟଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଜଣାଯାଇଛି ।