‘କରୋନା’ ବିଗତ ଛଅ ମାସ ଧରି ସମଗ୍ର ବିଶ୍ଵକୁ ଆଚ୍ଛାଦିତ କରି ରଖିଥିବା ଏହି ମହାମାରୀର ତାଣ୍ଡବ ରୂପର ଭୟଙ୍କର କରୁଣ ପରିଣତି ପ୍ରାୟ ସବୁକ୍ଷେତ୍ରରେ ପରିଲକ୍ଷିତ।
ଶିକ୍ଷା,ସ୍ଵାସ୍ଥ୍ୟ,ପର୍ଯ୍ୟଟନ,କ୍ରୀଡା,ଧର୍ମାନୁଷ୍ଠାନ,ବ୍ୟବସାୟ,ଗମନାଗମନ,ମନୋରଞ୍ଜନ ଦୁନିଆ ଇତ୍ୟାଦି ସବୁ କିଛି କରୋନା ମାଡ଼ରେ ଖୁବ୍ ବିପର୍ଯ୍ୟସ୍ତ ଓ ପ୍ରଭାବିତ। ସତେ ଯେପରି କରୋନାର କରାଳ ଛାୟା ଦ୍ଵାରା ଏହା ସମ୍ପୂର୍ଣ୍ଣ ଆଚ୍ଛାଦିତ। ତେବେ ଏହି ମହାମାରୀ ସମୟରେ ଆମର ଶିକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଏହା କେତେ ପ୍ରଭାବିତ ଓ କେତେ ବିପର୍ଯ୍ୟସ୍ତ ।
ଦୀର୍ଘ ଦିନ ଧରି ସମସ୍ତ ଶିକ୍ଷାନୁଷ୍ଠାନ,ଗବେଷଣାଗାର,ପ୍ରୟୋଗଶାଳା ଏବଂ ପାଠାଗାର ଇତ୍ୟାଦି ବନ୍ଦ ହେତୁ ପ୍ରାୟ ଅଧିକାଂଶ ବିଦ୍ୟାର୍ଥୀ ଏସବୁ ସୁବିଧା ସୁଯୋଗକୁ ପ୍ରତ୍ୟେକ୍ଷ ଭାବରେ ଉପଯୋଗ କରିବାରୁ ବଞ୍ଚିତ ହେଉଛନ୍ତି ।
ତେବେ ଏହି ସମସ୍ୟାର ଅଳ୍ପକେ ସମାଧାନ ପାଇଁ ସରକାର ଶିକ୍ଷାର୍ଥୀ ମାନଙ୍କ ଶିକ୍ଷାଦାନ ଲାଗି ଅନଲାଇନ୍ ଶିକ୍ଷାଦାନ ଭଳି ଏକ ବିକଳ୍ପ ମାଧ୍ୟମ ପ୍ରଚଳିତ କରିଛନ୍ତି ।
ଯାହାଦ୍ଵାରା ଶିକ୍ଷାର୍ଥୀମାନେ ଗୃହ ପରିସରରେ ସୁରକ୍ଷିତ ରହି ମୋବାଇଲ,ଲାପଟପ୍,ଟିଭି,ରେଡିଓ ଦ୍ଵାରା ପ୍ରସାରିତ ଓ ପ୍ରେରିତ ଶିକ୍ଷାଦାନର ସୁଫଳ ପ୍ରାପ୍ତ କରିପାରିବେ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହି ପ୍ରଚଳିତ ବିକଳ୍ପ ଅନଲାଇନ୍ ଶିକ୍ଷାଦାନ ବାସ୍ତବରେ କେତେ ସଫଳ ? ଏବଂ କେତେ ପ୍ରତିଶତ ବିଦ୍ୟାର୍ଥୀ ଏହାର ଉପଯୋଗୀ ଓ ଉପଯୋଗରୁ ବଞ୍ଚିତ ?
ଏହି ପରିପେକ୍ଷୀରେ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ଓ ପ୍ରସାରିତ ଅନଲାଇନ୍ ଶିକ୍ଷାର କେତେକ ହୃଦୟ ବିଦାରକ ଦୃଶ୍ୟ ପ୍ରୟୋଜନୀୟ । ସାଧାରଣତଃ ଘରୋଇ ଶିକ୍ଷାନୁଷ୍ଠାନକୁ ବାଦ୍ ଦେଲେ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଧ୍ୟୟନରତ ଅଧିକାଂଶ ଶିକ୍ଷାର୍ଥୀଙ୍କ ପାରିବାରିକ ଆର୍ଥିକ ସ୍ଥିତି ସେତେଟା ସ୍ୱଚ୍ଛଳ ହୋଇନଥାଏ। ଆର୍ଥିକ ଅଭାବ ଅନଟନରେ ଜର୍ଜରିତ ଗରିବ ଜନସଧାରଣଙ୍କ ପିଲାମାନଙ୍କୁ ଶିକ୍ଷାଦାନ ପାଇଁ ସରକାରୀ ଶିକ୍ଷାନୁଷ୍ଠାନ ହିଁ ଏକ ମାତ୍ର ମାଧ୍ୟମ।
ତେବେ ଏହି ମହାମାରୀ ସମୟରେ ଉଭୟ ଧନୀ,ଗରିବ,ମଧ୍ୟବିତ୍ତ ସମସ୍ତେ ପ୍ରଭାବିତ। ଦୈନିକ ମୁଲ ମଜୁରୀ ଲାଗି ଅବା ଛୋଟ ବ୍ୟବସାୟ କରି ମୁଣ୍ଡ ଝାଳକୁ ତୁଣ୍ଡରେ ମାରି ପେଟ ପୋଷୁଥିବା ଅନେକ ଜନସାଧାରଣ ବର୍ତ୍ତମାନ ନିଜର ଦୈନିକ ରୋଜଗାରରୁ ବଞ୍ଚିତ। ଶିଳ୍ପ,ବାଣିଜ୍ୟ ଏବଂ ଘରୋଇ କାର୍ଯ୍ୟାଳୟ ଇତ୍ୟାଦିର ବୃତ୍ତିରୁ ଛଟେଇ ହେତୁ ଅନେକ ବର୍ତ୍ତମାନ ବେକାର ସମପ୍ରାୟ ନିଜ ଘର ପରିବାର ପ୍ରତିପୋଷଣ କରିବା ସେମାନଙ୍କ ପାଇଁ ଏକ ସବୁଠୁ ବଡ କଷ୍ଟକର ବ୍ୟାପାର ହୋଇଥିବା ବେଳେ ଏହି ଅନଲାଇନ୍ ଶିକ୍ଷାଦାନ ଭଳି ବ୍ୟୟବହୁଳ ଶିକ୍ଷା ପଦ୍ଧତିକୁ ଆପଣାଇବା ସେମାନଙ୍କ ପାଇଁ “ବୋଝ ଉପରେ ନଳିତା ବିଡା” ସଦୃଶ।
ତଥାପି ଅଧିକାଂଶ କ୍ଷେତ୍ରରେ ଅନେକ ଅଭିଭାବକ ପିଲାମାନଙ୍କ ଶିକ୍ଷାକୁ ଗୁରୁତ୍ୱ ଦେବାକୁ ଯାଇ ଧାର କରଜ କରି ଅବା ଛେଳି,ମେଣ୍ଢା ବିକ୍ରି କରି ସ୍ମାର୍ଟଫୋନ୍ କିଣିବା ଭଳି ଦୁଃଖଦ ଘଟଣା ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି ।
ଏପରିକି ଅନେକ ଦୁର୍ଗମ ଅଞ୍ଚଳରେ ସ୍ମାର୍ଟଫୋନ୍ ସ୍ୱପ୍ନ ହୋଇଥିବା ବେଳେ ଡାକବାଜି ଯନ୍ତ୍ର ସାହାଯ୍ୟରେ ପିଲାମାନଙ୍କୁ ଶିକ୍ଷାଦାନର ବିରଳ ଦୃଶ୍ୟ ଓଡ଼ିଶାରେ ଶିକ୍ଷାର ବିକାଶକୁ ପରିହାସ କରୁଛି। ପରନ୍ତୁ ଶିକ୍ଷା ଜନିତ ସମସ୍ୟା କେବଳ ସ୍ମାର୍ଟଫୋନ୍ କିଣିବାରେ ସମାଧାନ ହୋଇ ନାହିଁ। ଅନେକ ଦୁର୍ଗମ ଅଞ୍ଚଳରେ ଇଣ୍ଟରର୍ନେଟ୍ ସଂଯୋଗରେ ବିଫଳ ହେବା,ନେଟୱର୍କ ଠିକ୍ ଭାବେ କାର୍ଯ୍ୟ ନ କରିବା ଏବଂ ଅନିୟମିତ ଭାବେ ବିଦ୍ୟୁତ୍ କାଟ୍ ହେବା ଫଳରେ ବିଦ୍ୟାର୍ଥୀ ମାନେ ଉଭୟ ଅନଲାଇନ୍ ଶିକ୍ଷା,ଟେଲିଭିଜନ,ବେତାର ମାଧ୍ୟମରେ ପ୍ରସାରିତ ଶିକ୍ଷାର ଉପଯୋଗରୁ ବଞ୍ଚିତ ହେବାକୁ ବାଧ୍ୟ ହେଉଛନ୍ତି। ଅନଲାଇନ୍ ଶିକ୍ଷା ମାଧ୍ୟମକୁ ଉପଯୋଗ କରିବାକୁ ଯାଇ ଅନେକ
ଶିକ୍ଷାର୍ଥୀ ବିପଦପୂର୍ଣ୍ଣ ଭାବରେ ଗଛରେ ଚଢିବା,ମଞ୍ଚାରେ ଚଢିବା,ପାଣି ଟାଙ୍କି ଉପରେ ଚଢିବା,ପାହାଡ ଚଢିବା,ଛାତ ଉପରେ ପାଠ ପଢ଼ିବା ଏବଂ ଦୂରଦୂରାନ୍ତକୁ ଚାଲି ଚାଲି ଯିବା ଇତ୍ୟାଦି ଗଣମଧ୍ୟାମରେ ପ୍ରକାଶିତ ଓ ପ୍ରସାରିତ ବହୁ ହୃଦୟ ବିଦାରକ ଦୃଶ୍ୟ ଅନେକ ଶିକ୍ଷାପ୍ରେମୀ ଓ ଶିକ୍ଷାବିତ୍ ମାନଙ୍କ ମାନସିକତାକୁ କଠୋରାଘାତ କରିବା ସହିତ ବ୍ୟଥିତ କରୁଛି ।
ଏତଦ୍ ବାଦ୍ ପ୍ରୟୋଗଶାଳା ଏବଂ ପାଠାଗାର ସହିତ ଜଡ଼ିତ ଶିକ୍ଷା ପାଠ୍ୟକ୍ରମର ରୂପରେଖ କଣ ହେବ ଏହାର ଚିନ୍ତା ବିଦ୍ୟାର୍ଥୀ ମାନକୁ ଅଧିକ ବ୍ୟତିବ୍ୟସ୍ତ କରୁଅଛି। ଅଧିକ ମୂଲ୍ୟଯୁକ୍ତ ପାଠ୍ୟପୁସ୍ତକ କ୍ରୟ କରିବା ବିଦ୍ୟାର୍ଥୀଙ୍କ ସାମର୍ଥ୍ୟ ବାହାରେ ହୋଇଥିବା ବେଳେ ପାଠ୍ୟ ଜନିତ