ଡ଼ଃ ପି.ଏନ୍. ଜଗଦେ୍ଦବ : କେବେ ଦିନେ ଭାବି ନଥିଲି ଯେ, ଆମ ନାଟୁଭାଇ (ପ୍ରଦୀପ ମହାରଥୀ) ଙ୍କ ସ୍ମରଣେ ଏତେ ଶୀଘ୍ର ଏମିତି କିଛି ମୋତେ ଲେଖିବାକୁ ପଡ଼ିବ ବୋଲି! କିନ୍ତୁ ତାଙ୍କର ଏମିତି ଅକସ୍ମାତ ବିୟୋଗରେ ଏକ ବିଷାଦଭରା ଭାବୁକତାର ମନ ନେଇ କିଛି ନଲେଖି ବି ରହି ପାରୁନି । ଦୀର୍ଘ ଚାରି ଦଶନ୍ଧି ଧରି ଓଡ଼ିଶା ରାଜନୀତିକୁ ଆଛାଦିତ କରି ରଖିଥିବା ଏମିତି ବ୍ୟକ୍ତିଙ୍କୁ ସାରା ରାଜ୍ୟ ଜଣେ ଅଦମ୍ୟ, ସାହସୀ, ସ୍ପଷ୍ଟବାଦୀ, ଦୃଢମନା ଓ ନିର୍ଭିୀକ ଜନନେତା ଭାବେ ଜାଣନ୍ତି, ହେଲେ ମୁଁ ତାଙ୍କୁ ତାଙ୍କର ରାଜନୈତିକ ଜୀବନର ମୂଳରୁ ଖୁବ୍ ନିକଟରୁ ହିଁ ଦେଖି ଆସିଛି । ସବୁବେଳେ ତାଙ୍କର ନିଷ୍କପଟ, ଖୋଲା ହୃଦୟ ଓ ଖୁସ୍ ମିଞ୍ଜାସ୍ ସଂଳାପରେ ବିଭୋର ହୋଇଛି ।
ଆଜି ବି ମନେ ଅଛି, ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ କଟିଥିବା ମୋ ଆଦ୍ୟ କଲେଜ ଜୀବନ; ଆଉ ୧୯୭୭ର ଛାତ୍ର ସଂସଦ ନିର୍ବାଚନରେ ସଭାପତି ପ୍ରାର୍ଥୀଥିବା ଆମ ନାଟୁଭାଇଙ୍କୁ । ସେତେବେଳେ ବି ସେ ସେମିତି ଦାଢି ରଖିଥାନ୍ତି, ଆଉ ଗୁରୁ ଗମ୍ଭୀର ସ୍ୱରରେ ଓଜସ୍ୱୀ ଭାଷଣ ସହ ସଂଳାପ ବି ଦେଉଥାନ୍ତି । ଆମେମାନେ ତାଙ୍କଠାରୁ ଜରୁରୀ ପରିସ୍ଥିତି ବନ୍ଦୀ ଜୀବନର ଲୋମହର୍ଷକ କାହାଣୀ ସବୁ ଶୁଣି ରୋମାଞ୍ଚôତ ହେଉଥାଉ । ତାପରେ ସେ ବିପୁଳ ଭୋଟରେ ବିଜୟୀ ହୁଅନ୍ତି ଏବଂ ଆମେ ସମସ୍ତେ ତାଙ୍କ ବ୍ୟକ୍ତିତ୍ୱରେ ପ୍ରଭାବିତ ହୋଇଥାଉ । ସେଇଥିପାଇଁ ତ ଏତେ ବର୍ଷପରେ ଆଜି ବି ସେ ଆମ ସାମ୍ନାରେ ଜଣେ ଛାତ୍ରନେତାର ପ୍ରତୀକଭାବେ ଉଭା ହୁଅନ୍ତି ।
ତାଙ୍କର ବ୍ୟକ୍ତିଗତ ଉଦ୍ୟମରେ ବାର୍ଷିକୋତ୍ସବକୁ ସେତେବେଳେର କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରବାଦ ପୁରୁଷ ସ୍ୱର୍ଗତଃ ବିଜୁପଟନାୟକଙ୍କୁ ମୁଖ୍ୟ ଅତିଥି କରି ଆଣି ଥିବାରୁ ଆମେ ତାଙ୍କ ପ୍ରଶଂସାରେ ଶତମୁଖ ହୋଇଥିଲୁ । ଆଉ ସେଇ ଉତ୍ସବରେ ବିଜୁବାବୁ କହିଥିଲେ, ‘ପ୍ରଦୀପ କେବଳ ନାମରେ ମହାରଥୀ ନୁହେଁ, କାମରେ ମଧ୍ୟ’, ଯାହାକି ଆଜି ତାଙ୍କ ତିରୋଧାନପରେ ସବୁ ସାଧାରଣ ଜନତା ତଥା ରାଜନେତା ମାନଙ୍କ ମୁଖରେ ପ୍ରମାଣିତ ତଥା ପ୍ରତିପାଦିତ ହୋଇଛି ।
ନାଟୁଭାଇଙ୍କ ପାଇଁ ଜନତା ଥିଲେ ସର୍ବୋପରି, ଆଉ କିଛିର ମହତ୍ତ୍ୱ ନଥିଲା । ପିପିଲି-ଡ଼େଲାଙ୍ଗ ନିର୍ବାଚନ ମଣ୍ଡଳୀ ଥିଲା ତାଙ୍କ ଜୀବନ । ସେଥିପାଇଁତ ଏ କରୋନା କାଳରେ ଜୀବନକୁ ବାଜି ଲଗାଇ ସମସ୍ତଙ୍କ ବାରଣ ସତ୍ତ୍ୱେ ସବୁଦିନ ନିର୍ବାଚନ ମଣ୍ଡଳୀକୁ ଯାଉଥିଲେ ଲୋକଙ୍କ ସୁଖଦୁଃଖ ବୁଝିବା ପାଇଁ । ଆଉ ସଦ୍ୟ ସମାପ୍ତ ବନ୍ୟା ବେଳେ ଡ଼ଙ୍ଗାରେ ଜାଗାକୁ ଜାଗା ଯାଇ ରିଲି‘୍ ବଣ୍ଟନ କରି େ‘ରିବା ପରେ ଗତମାସ ୧୪ ତାରିଖରେ କରୋନା ଦ୍ୱାରା ଆକ୍ରାନ୍ତ ହେଲେ । ତେବେ କରୋନାକୁ ମାତ୍ ଦେଇ ୧୨ ଦିନ ପରେ ଘରକୁ େ‘ରିଥିଲେ । କିନ୍ତୁ ନିୟତି ଆଗରେ ସମସ୍ତେ ନିଃଷ୍ପ୍ରଭ, ଆଉ ବିଧିର ବିଧାନ ବିଚିତ୍ର ।
ଘରକୁ ଆସିବାର ଗୋଟେ ଦିନ ପରେ କଷ୍ଟ ଅନୁଭବ କରିବାରୁ ପୁଣି ଡ଼ାକ୍ତରଖାନାରେ ଭର୍ତ୍ତି ହେଲେ । ବିଶ୍ୱାସ ଥିଲା, ଶୀଘ୍ର ଆରୋଗ୍ୟ ହୋଇ େ‘ରି ଆସିବେ ବୋଲି । କିନ୍ତୁ ଗତ ୩ ତାରିଖ ରାତି ୨ଟା ୩୬ ମିନିଟରେ ଆମ ସମସ୍ତଙ୍କୁ ହତାଶାରେ ଛାଡ଼ି ଆରପାରିକୁ ଚାଲିଗଲେ । ମୁଁ ହତବାକ୍ ହୋଇଗଲି ଏବଂ ସାରା ଓଡ଼ିଶା ସ୍ତମ୍ଭୀଭୂତ ହୋଇଗଲା ତାଙ୍କର ଅକାଳ ନିଧନରେ । ଅ‘ୁରନ୍ତ ଜୀବନୀ ଶକ୍ତିରେ ଭରପୁର ଏକ ବିଶାଳ ବ୍ୟକ୍ତିତ୍ୱ ଏମିତି ଏତେ ଶୀଘ୍ର ଚାଲିଯିବାଟା ମୋପାଇଁ ସବୁଠାରୁ ବଡ଼ ଦୁଃଖଦ ସମ୍ବାଦ ତଥା ବ୍ୟକ୍ତିଗତ କ୍ଷତି ଥିଲା ।
ସେ ସବୁବେଳେ କହୁଥିଲେ “ଜନ୍ମର ଏନ୍ତୁଡ଼ିଶାଳ ଓ ସ୍ୱର୍ଗଦ୍ୱାରର ଦୁଇ ନିଅାଁର ଦୁନିଆ ଭିତରେ ବଞ୍ଚôବାକୁ ଚାହେଁ ମଣିଷ ଭଳି” । ତାଙ୍କ ଇଛାନୁସାରେ ସେ ବଞ୍ଚୁଥିଲେ । ସମୟ ଅନୁସାରେ ବା ଉଚ୍ଚ ପଦ ପଦବୀ ପାଇବାପରେ ବି ତାଙ୍କର ବ୍ୟବହାର ବଦଳୁ ନଥିଲା । ଅହମିକା ବୋଲି କିଛି ନଥିଲା । ଅହଂ ଭାବ ତ କେବେ ସ୍ପର୍ଶ କରିନଥିଲା । ପଦ ପଦବୀ ଲାଳସାର ବହୁ ଉଦ୍ଧ୍ୱର୍ରେ ଥିଲେ ସେ । ସେଥିପାଇଁ ତ ନିର୍ବାଚନରେ ୭ ଥର ଜିତି ବିଧାୟକ ହୋଇ ବାରମ୍ବାର ମନ୍ତ୍ରୀ ହେଉଥିଲେ ଏବଂ ପୁଣି ଛାଡ଼ୁଥିଲେ, କିନ୍ତୁ ଗ୍ଲାନୀ ନଥିଲା । ମୁଣ୍ଡକୁ ଯାହା ଆସୁଥିଲା, ତୁଣ୍ଡ ତାହା ବିନା ଦ୍ୱିଧାରେ କହୁଥିଲା । ଛନ୍ଦ କପଟଠାରୁ ବହୁ ଦୂରରେ ଥିଲେ ସେ ।
ନହେଲେ ମୋଭଳି ରାଜନୀତିର ଧାର ଧାରି ନଥିବା ଜଣେ ବ୍ୟକ୍ତି ଗତ ଚାରି ଦଶନ୍ଧିରୁ ଉଦ୍ଧ୍ୱର୍ ସମୟ ଧରି ତାଙ୍କ ସଂପର୍କରେ ନ ଥାନ୍ତା! ଦଳ ତଥା ସର୍ବୋଚ୍ଚ ନେତାଙ୍କ ପ୍ରତି ତାଙ୍କର ସବୁବେଳେ ଆନୁଗତ୍ୟ ଥିଲା, ସେ ବିଜୁ ବାବୁ ହୁଅନ୍ତୁ କି ନବୀନ ବାବୁ!
ସେ ନିଜକୁ ଚଷାପୁଅ ବୋଲି କହି ଗର୍ବ ଅନୁଭବ କରୁଥିଲେ । ଆଗ ମାଟି, ତାପରେ ପାର୍ଟି ବୋଲି ସବୁବେଳେ କହୁଥିଲେ । ଚାଷୀ ପୁଅର ସମସ୍ୟା ସବୁବେଳେ ଉତ୍ଥାପନ କରୁଥିଲେ । ସେଥିପାଇଁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ତାଙ୍କୁ ବାରମ୍ବାର କୃଷି ମନ୍ତ୍ରୀ କରୁଥିଲେ ଏବଂ ତାଙ୍କ ମନ୍ତ୍ରୀତ୍ୱ କାଳରେ ରାଜ୍ୟ କ୍ରମାଗତଭାବେ ଚାରିଥର କୃଷି କର୍ମଣ ପୁରସ୍କାର ପାଇଥିଲା । ସେଇ ପୁରସ୍କୃତ ରାଶି ଓ ତାଙ୍କ ଚେଷ୍ଟା ତଥା ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରେ ରାଜଧାନୀ ଛାତି ଉପରେ ଆଜି ଦେଶର ଶ୍ରେଷ୍ଟ ସୌଧ କୃଷି ଭବନ ଦଣ୍ଡାୟମାନ ।
ରାଜ୍ୟରେ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ପାଇଁ ସେ ପ୍ରୟାସ କରିଥିଲେ । ସେ ଚାଷୀମାନଙ୍କ ସହ ବୈଜ୍ଞାନିକମାନଙ୍କୁ ଉଚ୍ଚ ପ୍ରଶଂସା କରୁଥିଲେ; ଯେଉଁଥିପାଇଁ କି ମୁଁ ଗବେଷଣା ତଥା ସଂପ୍ରସାରଣ ଶିକ୍ଷା ଅଧ୍ୟକ୍ଷ ଥିବା ବେଳେ, ସେ ଓ.ୟୁ.ଏ.ଟି. ପାଇଁ ୨୦ ଟିରୁ ଉଦ୍ଧ୍ୱର୍ ପ୍ରକଳ୍ପ ପାଇଁ ୩୩ କୋଟିରୁ ଉଦ୍ଧ୍ୱର୍, ଗବେଷଣା ଭବନ ପାଇଁ ୧୫ କୋଟି ୬୦ ଲକ୍ଷ ଅର୍ଥ ମଂଜୁର କରିଥିଲେ । ଆମ ଟିସୁ କଲଚର କେନ୍ଦ୍ର ଦେଖି ଏତେ ଅଭିଭୂତ ହୋଇଥିଲେ ଯେ ତାର ଉନ୍ନତି ପାଇଁ ୩ କୋଟି ୩୩ ଲକ୍ଷ ଟଙ୍କା ମଂଜୁର କରିଥିଲେ । ଚାଷର ଉନ୍ନତି ପାଇଁ ବିଭିନ୍ନ ଆନ୍ତର୍ଜାତିକ ସଂସ୍ଥାକୁ ନିମନ୍ତ୍ରଣ କରୁଥିଲେ । ଏସବୁ ଥିଲା ତାଙ୍କର ମହାନୁଭବତା ।
କର୍ମମୁଖର ଜୀବନ ମଧ୍ୟରେ ସେ କେବେ ହାରିବାକୁ ପସନ୍ଦ କରୁନଥିଲେ । ସେଥିପାଇଁ ‘ହାରିନାହିଁ ମହାରଥୀ, ସରିନାହିଁ ରାଜନୀତି’ ଓ ‘ଶହେ ଘୋଡ଼ାକୁ ଶହେ ହାତୀ, ଏକା ଲଢିବ ମହାରଥୀ’ ଭଳି ନାଟକ ତିଆରି କରୁଥିଲେ, ଯାହାକି ଆଜି ବି ଲୋକ ମୁଖରେ ଚର୍ଚ୍ଚିତ । ତାଙ୍କ ଜୀବନରେ ଅନେକ ବାଦବିବାଦ, ଉତ୍ଥାନ-ପତନ ଆସିଥିଲେ ବି ତାହା ତାଙ୍କ ବିପୁଳ କର୍ମ ପ୍ରେରଣାକୁ ରୋକି ପାରିନି । ନିଜର ଦୁଃଖ ତଥା ବେଦନାକୁ ସହ୍ୟକରି ନିଜ ଭିତରେ ଲୁଚାଇ ରଖିବାର କ୍ଷମତା ତାଙ୍କ ପାଖରେ ଥିଲା ।
ମୃତୁ୍ୟପରେ କିଛି ବ୍ୟକ୍ତି ଆହୁରି ବଡ଼ ହୋଇଯାଆନ୍ତି, ଯେମିତି କି ବିଜୁବାବୁ! ବିଜୁବାବୁଙ୍କ ବିୟୋଗରେ ଶବ ଶୋଭାଯାତ୍ରାର ଦୀର୍ଘ ୨୩ ବର୍ଷପରେ ଠିକ୍ ସେମିତି ଏକ ଶୋକାକୁଳ ଜନ ସମୁଦ୍ର ଭୁବନେଶ୍ୱରରୁ ପୁରୀ ସ୍ୱର୍ଗଦ୍ୱାର ଯାଏ ଦେଖିବାକୁ ମିଳଲା, ପୁଣି ଏ କରୋନା କାଳରେ! ତେଣୁ ସେ ବାସ୍ତବରେ ଥିଲେ ମୃତୁ୍ୟ ବିଜୟୀ ମହାରଥୀ । ଜଣେ ମନ୍ତ୍ରୀ ବା ବିଧାୟକ ହିସାବରେ ନୁହେଁ, ବରଂ ଜଣେ ଚଷାପୁଅ ତଥା ଲଢୁଆ ନେତାଭାବେ ଓଡ଼ିଶା ନାଟୁଭାଇଙ୍କୁ ସବୁବେଳ ପାଇଁ ମନେ ରଖିବ । ଏହି ବୀର ସନ୍ତାନଙ୍କ ପ୍ରତି ଏହାହିଁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ।