ସ୍ୱାଧୀନତାର ୭ ଦଶନ୍ଧି ପରେ ବି ମୌଳିକ ବ୍ୟବସ୍ଥାରେ ସମ୍ମନ୍ୱୟ ଆସି ନାହିଁ କେମିତି ପୂରଣ ହେବ ଗାନ୍ଧିଜୀଙ୍କ ସ୍ୱପ୍ନ : ବେତନଟୀ ବ୍ଲକ ସାମ୍ବାଦିକ ସଂଘ ଦ୍ୱାରା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ
ବେତନଟୀ, ୨/୧୦ : ଆଜି ବେତନଟୀ ଜାତୀୟ ରାଜପଥ ଡାକ ବଙ୍ଗଳା ସମ୍ମୁଖରେ ବେତନଟୀ ବ୍ଲକ ସାମ୍ବାଦିକ ସଂଘ ତରଫରୁ ଜାତିର ଜନକ ମୋହନଦାସ କରମଚାନ୍ଦ ଗାନ୍ଧୀ ଓ ଭାରତ ବର୍ଷର ପ୍ରାକ୍ତନ ପ୍ରଧାନ ମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଛି । ଏହି ଅବସରରେ ମହାତ୍ମାଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଫଟୋ ଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରା ଯାଇ ଥିଲା । କରୋନା ପ୍ରତିବନ୍ଧକ ହେତୁ ସମସ୍ତେ ମାସ୍କ ପିନ୍ଧିବା ସହିତ ସାମାଜିକ ବ୍ୟବଧାନ ରଖି ଏହି ଜୟନ୍ତୀ ପାଳନ କରି ଥିଲେ । ବେତନଟୀ ବ୍ଲକ ସାମ୍ବାଦିକ ସଂଘର ସଭାପତି ରଞ୍ଜନ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଥମେ କରୋନାରେ ଆକ୍ରାନ୍ତ ଦେଶର ସମସ୍ତ ଭାଈଭଉଣୀ ମାନଙ୍କର ଦ୍ରୁତ ଆରୋଗ୍ୟ କାମନା କରା ଯାଇ ଥିଲା । ଗାନ୍ଧୀଜୀଙ୍କ ସ୍ୱପ୍ନ ସେହି ଦିନ ସାକାର ଯେଉଁ ଦିନ ସମସ୍ତ ବର୍ଗର ଲୋକଙ୍କ ପିଲାଙ୍କ ପାଇଁ ଗୋଟିଏ ଶିକ୍ଷା ବ୍ୟବସ୍ଥା ଓ ସମସ୍ତ ବର୍ଗର ଲୋକଙ୍କ ପାଇଁ ଗୋଟିଏ ସ୍ୱାସ୍ଥ୍ୟ ବ୍ୟବସ୍ଥା ଦେଶରେ ପ୍ରଚଳନ ହେବ ବୋଲି ସାମ୍ବାଦିକ ସୁନ୍ଦର ମୋହନ ମହାନ୍ତ ମତ ଦେଇ ଥିଲେ ।
ସ୍ୱାଧୀନତାର ୭ ଦଶନ୍ଧି ପରେ ମଧ୍ୟ ମୌଳିକ ବ୍ୟବସ୍ଥାରେ ସମ୍ମନ୍ୱୟ ନାହିଁ ତେଣୁ ଏହା ପରୋକ୍ଷରେ ଧନିକ ଗୋଷ୍ଠୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ଭେଦ ଭାବ ସୃଷ୍ଟି କରୁଛି ଯାହା ଗାନ୍ଧୀଜୀଙ୍କ ସ୍ୱପ୍ନକୁ ସାକାର କରିବାରେ ମୁଖ୍ୟ ବାଧକ ହେଉଛି ବୋଲି ମତ ପ୍ରକାଶ ପାଇଛି । ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ଆଦିବାସୀ ମାନଙ୍କ ପାଇଁ ବହୁ କାର୍ଯ୍ୟକ୍ରମ ହାତକୁ ନିଆ ଯାଉଛି । ଏପରିକି ଅଣୁ ଯୋଜନା, ଆଶ୍ରମ ଆବାସିକ ବିଦ୍ୟାଳୟ ଜରିଆରେ ଶିକ୍ଷା ପ୍ରଦାନ, ସ୍ୱତନ୍ତ୍ର ଉନ୍ନୟନ କମିଶନ ଜରିଆରେ ଆଦିବାସୀଙ୍କ ଉନ୍ନତି ଭଳି ବହୁ କାର୍ଯ୍ୟ ସରକାର ହାତକୁ ନେଉଛନ୍ତି । କିନ୍ତୁ ଏଥିରେ ଦାୟୀତ୍ୱ ଦିଆ ଯାଇ ଥିବା ନେତା, ଅଧିକାରୀ ମାନେ ନିଜର ମୌଳିକ କର୍ତ୍ତବ୍ୟକୁ କେତେ ସମ୍ମାନ ଦେଉଛନ୍ତି ତାହା ବୁଝିବାର ଆବଶ୍ୟକତା ରହିଛି । ଅନୁସୁଚିତ ଜାତି, ଜନଜାତି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ହଷ୍ଟେଲ ଗୁଡିକରେ ଛାତ୍ରଛାତ୍ରୀ ମାନେ କେମିତି ପାଠ ପଢ଼ୁଛନ୍ତି, କେମିତି ଖାଉଛନ୍ତି, କେମିତି ରହୁଛନ୍ତି, କଣ ପିନ୍ଧୁଛନ୍ତି, ତେଲ ସାବୁନ ଯାହା ମିଳୁଛି ତାର ବ୍ୟବହାର କିପରି କରୁଛନ୍ତି କେହି ହେଲେ ଏହା ଅନୁଧ୍ୟାନ କରିବାକୁ ନାହିଁ । ଆମ ଜିଲ୍ଲାର ସମସ୍ତ ୪୦୪ ସରପଞ୍ଚ ଅନୁସୂଚିତ ଜନଜାତି ବର୍ଗର ଓ ସେଥି ମଧ୍ୟରୁ ୫୦ ପ୍ରତିଶତ ମହିଳା, ସମସ୍ତ ବ୍ଲକ ଅଧ୍ୟକ୍ଷ ଅଧ୍ୟକ୍ଷା ଅନୁସୂଚିତ ଜନଜାତି ବର୍ଗର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମଧ୍ୟ ଅନୁସୂଚିତ ଜନଜାତି ବର୍ଗର ।
ସ୍ୱତନ୍ତ୍ର ଉନ୍ନୟନ କମିଶନର ଅଧ୍ୟକ୍ଷ ଭାବେ ଆମ ଜିଲ୍ଲାର ଡାକ୍ତର ଦେବାଶିଷ ମାରାଣ୍ଡିଙ୍କୁ ଦାୟୀତ୍ୱ ମିଳି ଥିଲା । ଏହି ଜିଲ୍ଲାରୁ ମନ୍ତ୍ରୀ ଭାବେ ସୁଦାମ ମାରାଣ୍ଡି ଦାୟୀତ୍ୱରେ ଅଛନ୍ତି । ଏମାନଙ୍କ ମଧ୍ୟରୁ କେହି ହେଲେ ଦିନେ କୌଣସି ହଷ୍ଟେଲରେ ରହୁ ଥିବା ଜଣେ ଛାତ୍ରଛାତ୍ରୀଙ୍କ ଗୋଟିଏ ଦିନର ଜୀବନ ଶୈଳି ଉପରେ ଅନୁଧ୍ୟାନ କରିବା ନିଜର ଉତ୍ତର ଦାୟୀତ୍ୱ ବୋଲି ହୃଦବୋଧ କରି ନାହାଁନ୍ତି । ଏହା ଦ୍ୱାରା ଦୁିର୍ନିତୀଗ୍ରସ୍ତ ସରକାରୀ କର୍ମଚାରୀ ମାନଙ୍କୁ ଦୁର୍ନିତୀ କରିବାର ବାଟ ଫିଟୁଛି ବୋଲି ମତ ପ୍ରକାଶ ପାଇଛି । ସଂଘର କାର୍ଯ୍ୟକାରୀ ସଭାପତି କାର୍ତ୍ତିକ ବିଶ୍ୱାଳ ବଡସାହି ବିଧାୟକ ଅସୁସ୍ଥ ଥିବା ପ୍ରସଙ୍ଗ ଆଗତ କରିବା ପରେ ସମସ୍ତେ ବିଧାୟକଙ୍କ ଦୃତ ଆରୋଗ୍ୟ ପାଇଁ ପ୍ରାର୍ଥନା କରି ଥିଲେ । ଉପସଭାପତି ସର୍ବେଶ୍ୱର ମହାନ୍ତ ଓଡିଶାରେ ଏକ ଓଡିଆ ଭାଷା ଭିତ୍ତିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ଆବଶ୍ୟକତା ରହିଛି । ଦୀର୍ଘ ଦିନ ଧରି ଆମ୍ଭେ ସରକାରୀ କାର୍ଯ୍ୟାଳୟରେ ଓଡିଆ ଭାଷାର ପ୍ରଚଳନ ପାଇଁ ଦାବି କରୁଛୁ କିନ୍ତୁ ତାହା ସମ୍ଭବ ହୋଇ ପାରୁ ନାହିଁ ବୋଲି କ୍ଷୋଭ ପ୍ରକାଶ କରି ଥିଲେ ।
ସାଧାରଣ ସମ୍ପାଦକ ପ୍ରଦୀପ କୁମାର ମହାପାତ୍ର ସୂଚନା ଦେଇ କହିଲେ ଓଡିଆ ପାଇକ ମାନେ ବୀର ଓ ଲଢ଼ୁଆ ଥିଲେ ଏକଥା କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱୀକାର କରିଛନ୍ତି । ତେଣୁ ଭାରତୀୟ ସେନାରେ ପାଇକ ରେଜିମେଣ୍ଟ ଗଠନ ହେବାର ଆବଶ୍ୟକତା ରହିଛି । ଅନ୍ୟ ଜାତି ଭଳି ଓଡିଆ ଜାତିକୁ ସମ୍ମାନ ମିଳିବ । ବେତନଟୀର ସହୀଦ କଙ୍କା ମାଝୀ ଓ କାଳିଆ ମହାନ୍ତଙ୍କୁ ଫାଶି ଦେବାର ଶହେ ବର୍ଷ ପୂର୍ତ୍ତି ହୋଇ ଯାଇ ସାରିଲାଣି । ଏହି ଦୁଇ ସହୀଦଙ୍କ ସହିତ ମୟୂରଭଞ୍ଜର ନୟନ ସିଂ ମୁଣ୍ଡା, ଋତକୋଲ କାମାର ଇଂରେଜଙ୍କ ବିରୁଦ୍ଧରେ ଲଢ଼ି ଫାଶି ପାଇ ଥିଲେ । ତେଣୁ ଏମାନଙ୍କୁ ସହୀଦର ମାନ୍ୟତା ପ୍ରଦାନ କରି ମୟୂରଭଞ୍ଜକୁ ସମ୍ମାନୀତ କରା ଯାଉ ବୋଲି ସମ୍ପାଦକ ଗତିକୃଷ୍ଣ ମହାନ୍ତ ପ୍ରକାଶ କରି ଥିଲେ । ଶେଷରେ କୋଷାଧ୍ୟକ୍ଷ ହରିଶ୍ଚନ୍ଦ୍ର ସାମଲ ସମସ୍ତ କରୋନା ସଚେତନତା ବାର୍ତ୍ତା ଦେବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଥିଲେ ।
