Odisha news

ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ବନ୍ଦ ରହିବ

0

ଭୁବନେଶ୍ୱର, ୦୧ ଅକ୍ଟୋବର  : ଦୀର୍ଘ ସମୟ ଧରି କୋଭିଡ଼-୧୯ ବିଶ୍ୱ ମହାମାରୀ କଠିନ ପରିସ୍ଥିତି ଅବ୍ୟାହତ ରହିଥିଲେ ମଧ୍ୟ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗର ଆଗଧାଡ଼ିର କାର୍ଯ୍ୟକର୍ତାମାନେ ସେମାନଙ୍କ କର୍ତବ୍ୟ ନିରନ୍ତର ସମ୍ପାଦନ କରିଚାଲିଛନ୍ତି । ଆଜି ମାସର ୧ ତାରିଖ ହୋଇଥିବାରୁ ରାଜ୍ୟର ସମସ୍ତ ଆଇସିଡ଼ିଏସ୍ ପ୍ରକଳ୍ପରେ ପରିପୂରକ ପୁଷ୍ଟି ସାଧନ କାର୍ଯ୍ୟକ୍ରମରେ ଶୁଖିଲା ରାସନ (ଟିଏଚଆର) ବଂଟନ କରାଯାଇଛି । କୋଭିଡ଼ ସ୍ଥିତିରେ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଚଳିତ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବା ନିମନ୍ତେ ନିଷ୍ପତି ନିଆଯାଇଛି । ଏଭଳି ସ୍ଥିତିରେ ଅଙ୍ଗନବାଡ଼ଇ କର୍ମୀମାନେ ହିତାଧିକାରୀମାନଙ୍କ ଘରକୁ ଯାଇ ଶୁଖିଲା ରାସନ ବଂଟନ କରିଛନ୍ତି । ୩ରୁ ୬ ବର୍ଷ ବୟସର ପ୍ରାକ୍‌-ବିଦ୍ୟାଳୟ ଶିଶୁମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରରେ ଦିଆଯାଉଥିବା ରନ୍ଧା ଖାଦ୍ୟ ବଦଳରେ ଶୁଖିଲା ରାସନ ସାମଗ୍ରୀ ଯୋଗାଇ ଦିଆଯାଇଛି । ଶୁଖିଲା ରାସନ ବାବଦକୁ ଛତୁଆ, ବାଦାମ ଲଡ଼ୁ, ଚିକି, ଅଣ୍ଡା ଏବଂ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ହିତାଧିକାରୀମାନଙ୍କୁ ମାଣ୍ଡିଆ ଚୁନାର ପ୍ୟାକେଟ୍ ବଂଟନ କରାଯାଇଛି । ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ଏହି ଯୋଜନା ଦ୍ୱାରା ରାଜ୍ୟର ୪୧ ଲକ୍ଷ ୨୭ ହଜାର ୫୦ ଜଣ ହିତାଧିକାରୀ ଉପକୃତ ହେଉଛନ୍ତି । ଯେଉଁମାନଙ୍କ ମଧ୍ୟରେ ୬ ମାସରୁ ୩ ବର୍ଷ ବୟସର ୧୭,୯୩,୮୯୬ ଶିଶୁ, ୩ରୁ ୬ ବର୍ଷ ବୟସର ୧୬,୧୩,୭୭୫ ଜଣ ଶିଶୁ ଏବଂ ୭,୧୯,୩୭୯ ଜଣ ଗର୍ଭବତୀ ଓ ପ୍ରସୂତି ମହିଳା ଉପକୃତ ହେଉଛନ୍ତି । ଏତଦ୍‌ବ୍ୟତୀତ ଲକ୍‌ଡାଉନ୍ ପରିପ୍ରେକ୍ଷୀରେ ଓଡ଼ିଶାକୁ ଫେରିଥବବା ପ୍ରବାସୀ ଯୋଗ୍ୟ ହିତାଧିକାରୀ ମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯାଇ ଯୋଗ୍ୟତା ଅନୁସାରେ ଶୁଖିଲା ରାସନ ବଂଟନ କରାଯାଇଛି ।
ପ୍ରକାଶ ଥାଉ କି, ବିକେନ୍ଦ୍ରୀକରଣ ପ୍ରକ୍ରିୟାରେ ଓଡ଼ିଶାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନିୟୋଜିତ କରି ନିର୍ଦ୍ଦିଷ୍ଟ ଦିନରେ ଛତୁଆ ମିଶ୍ରଣ ଓ ବଂଟନ ମଡ଼େଲକୁ ନିକଟରେ ନିତି ଆୟୋଗ ଉଚ୍ଚ ପ୍ରଶଂସା କରିଛନ୍ତି । ଏହାଦ୍ୱାରା ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ଅଧିକ ସ୍ୱଚ୍ଛତା ଆସିପାରିଛି ବୋଲି ନିତି ଆୟୋଗ ପ୍ରକାଶ କରିଛନ୍ତି ।
ଛତୁଆ ପ୍ରସ୍ତୁତିଠାରୁ ବଂଟନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ତଦାରଖ କରିବା ନିମନ୍ତେ ମୋ ଛତୁଆ ଆପ୍‌ର ବିକାଶ କରାଯାଇଛି । ଏହି ଆପ୍ ର ଉପଯୋଗ ସମ୍ପର୍କରେ ଅଙ୍ଗନବାଡ଼ି କର୍ମୀ ତଥା ସମସ୍ତ ଆଇସିଡିଏସ୍ କାର୍ଯ୍ୟକର୍ତାଙ୍କୁ ନିୟମିତ ତାଲିମ ପ୍ରଦାନ କରାଯାଉଛି । ହିତାଧିକାରୀମାନେ ଏହି ଯୋଜନାରୁ ଠିକ୍ ଭାବେ ଉପକୃତ ହେଉଛନ୍ତି କି ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ବିଭାଗ ତରଫରୁ ଟେଲି ମନିଟରିଂ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି । ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଅଙ୍ଗନବାଡ଼ି କର୍ମୀମାନେ ଏହି ବଂଟନ ସମୟରେ କୋଭିଡ଼ ନିୟମାବଳୀର କଡ଼ାକଡ଼ି ଅନୁପାଳନ କରିବା ସହ ହିତାଧିକାରୀମାନଙ୍କୁ ମଧ୍ୟ ଏହି ସମ୍ପର୍କରେ ବ୍ୟାପକ ଭାବେ ସଚେତନ କରିଛନ୍ତି ।

Leave A Reply