ଔପଦା : ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ବଡପୋଖରୀ ପଞ୍ଚାୟତ ବଧି ଗ୍ରାମର ଦେଶ ପାଇଁ ସହୀଦ ହୋଇଥିବା ରଘୁ ବେହେରାଙ୍କ ପ୍ରତିମୂର୍ତ୍ତି ସ୍ଥାନୀୟ ସ୍କୁଲ ସମ୍ମୁଖରେ ସ୍ଥାପନା କରାଯାଇଛି । ସହୀଦ ସ୍ମୃତି ପରିଷଦର ସଭାପତି ଲକ୍ଷ୍ମୀକାନ୍ତ ପାଢୀଙ୍କ ସଭାପତିତ୍ୱରେ ରୁପାଥାଳିଆର ସଂପାଦକ ନିରଂଜନ ପ୍ରସାଦ ବାରିକ ପ୍ରତିମୂର୍ତ୍ତିକୁ ସ୍ଥାପନା କରି ପୂଜ୍ୟ ପୂଜାର ପରମ୍ପରା ଉଜ୍ଜୀବିତ ରଖିବା ପାଇଁ ନିବେଦନ କରିଥିଲେ । ଏଥିରେ ପଣ୍ଡିତ ବିଷ୍ଣୁପଦ ପଣ୍ଡା,ଶିକ୍ଷକ ଲକ୍ଷ୍ମୀଧର ପାତ୍ର,ଅବସରପ୍ରାପ୍ତ ଶିକ୍ଷକ ଗୟାଧର ପାଢୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।
ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା । ସହୀଦ ହୋଇଥିବା ବୀର ସନ୍ତାନ ବଧି ଗ୍ରାମର ରଘୁ ବେହେରା ବଡପୋଖରୀର ମକର ଲେଙ୍କା, ଡାଲଗଂ ଗ୍ରାମର କେଳୁ ସାହୁ ୧୯୪୨ ମସିହା ସେପ୍ଟେମ୍ବର ୨୮ ତାରିଖରେ ବ୍ରିଟିଶଙ୍କ ଗୁଳିରେ ସହୀଦ ହୋଇଥିବା ବେଳେ ତାଙ୍କର ସ୍ମୃତି ଉଦେ୍ଦଶ୍ୟରେ ବଡପୋଖରୀ ସହୀଦ ସ୍ମୃତି ପରିଷଦ ପକ୍ଷରୁ ପ୍ରତିବର୍ଷ ସହୀଦ ଦିବସ ପାଳନ କରାଯାଉଥିଲେ ମଧ୍ୟ ସେହି ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ପାଇଁ ପ୍ରତିଶୃତି ଆଜି ପ୍ରତିଶୃତିରେ ରହି ଯାଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ଜଣାଯାଇଛି ।
