ଶେଖ୍ ଫରିଦ୍ଉଦ୍ଦିନ : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଇରମ ମେଳନ ପଡ଼ିଆର ସହିଦ ତୀର୍ଥ କ୍ଷେତ୍ର ଇରମ । ୧୯୪୨ ମସିହା ସେପ୍ଟେମ୍ବର ମାସ ୨୮ ତାରିଖ ସଂଧ୍ୟା । ଗାନ୍ଧିଜୀଙ୍କ କର ବା ମର ନୀତିର ଆହ୍ୱାନ କ୍ରମେ ପରାଧୀନ ଭାରତର ମୁକ୍ତି କାମନା କରି ଏଠାରେ ସମବେତ ହୋଇଥିଲେ ହଜାର ହଜାର ସଂଗ୍ରାମୀ । ସେହିଦିନ ୨୯ଜଣ ସଂଗ୍ରାମୀ ଟଳି ପଡ଼ିଥିଲେ ଇଂରେଜମାନଙ୍କ ଗୁଳିରେ । ଦେଶର ସ୍ୱାଧୀନତା ପାଇଁ ଜୀବନକୁ ବଳି ଦେଇଥିଲେ । ପଞ୍ଜାବର ଜାଲିଆନାୱାଲାବାଗ୍ ହତ୍ୟାକାଣ୍ଡର ଇତିହାସ ପରି ଏଠି ବି ସମାନ ଘଟଣା ଘଟିଥିଲା । ଇତିହାସକାରମାନେ ତାକୁ ଚିତ୍ରଣ କରିପାରିଲେ, ଆଉ ଜନମାନସରେ ପ୍ରଚାର ଓ ପ୍ରସାର କରିପାରିଲେ । କିନ୍ତୁ ଇରମ ପ୍ରତି ସେମିତି ଦରଦୀ ଇତିହାସକାରଙ୍କର ଆଖି ପଡ଼ି ପାରିନଥିଲା । ନ ହେଲେ ପଞ୍ଜାବରେ ବୈଶାଖୀ ପାଇଁ ଏକତ୍ରିତ ହୋଇଥିବା ଜନତାଙ୍କ ଉପରେ ଗୁଳି ଚଳାଇଲା ପରେ ସଂଗ୍ରାମୀ ଭୂଇଁର ମାନ୍ୟତା ପାଇଥିଲା ଜାଲିଆନାୱାଲାବାଗ । ହେଲେ ଏଠି କୌଣସି ମେଳା କି ସଭା ସମିତି ଚାଲିନଥିଲା । ଏଠି ସିଧାସଳଖ ଇଂରେଜମାନଙ୍କୁ ବିରୋଧ କରିବା ପାଇଁ ସଂଗ୍ରାମୀମାନେ ମେଳି କରୁଥିଲେ ।
ସେ ସଂଗ୍ରାମୀ ଜାଣି ନଥିଲେ ସେଦିନର ସନ୍ଧ୍ୟା ସେମାନଙ୍କ ପାଇଁ ଶେଷ ସନ୍ଧ୍ୟା ହେବ ବୋଲି । ସଂଗ୍ରାମୀମାନେ ମେଳନ ପଡ଼ିଆରେ ରୁଣ୍ଡ ହୋଇଥିବା ବେଳେ ଚୁଡ଼ାମଣି ଗମେଇ ନଈ ପାର ହୋଇ ଆସୁଥିଲେ ବ୍ରିଟିଶମାନଙ୍କର କେତେକ କର୍ମଚାରୀ । ଏଇ ମେଳନ ପଡ଼ିଆ ସଭାରେ ସମବେତ ଥିବା ସଂଗ୍ରାମୀମାନଙ୍କ ମଧ୍ୟରୁ ମଣିବେଳ ନାମକ ଦେଶପ୍ରେମୀ ବ୍ରିଟିଶ କର୍ମଚାରୀଙ୍କ ହାତରୁ ପୋଷାକ ଛଡ଼ାଇ ଆଣି ତଳେ ପକାଇ ପାଦରେ ଦଳି ଦେଇଥିଲେ । ଏଇ ଖବର ନିମିଷକ ମଧ୍ୟରେ ପହଞ୍ଚô ଯାଇଥିଲା ପାଢ଼ି ଉଆସରେ ରହୁଥିବା ବ୍ରିଟିଶ ଫଉଜଙ୍କ ପାଖରେ । ସେଦିନ ପାଢ଼ୀ ଉଆସରେ ଉପସ୍ଥିତ ଥିବା ଡିଏସ୍ପି କୁଞ୍ଜବିହାରୀ ଘୋଷଣା କରିଥିଲେ “ଟୁଡ଼େ ଇଜ୍ ସିୟର୍ ଫାୟାର’ । ଏହି ଆଦେଶ ପାଇବା ପରେ ଝପଟି ଆସିଥିଲା ବ୍ରିଟିଶ ଫଉଜ ମେଲଣ ପଡ଼ିଆକୁ । ହଠାତ୍ ଗର୍ଜି ଉଠିଥିଲା ଅତ୍ୟାଚାରୀ ବ୍ରିଟିଶର ରକ୍ତମୁଖା ବନ୍ଧୁକ । ପ୍ରାଣ ବିକଳରେ ଯିଏ ଯୁଆଡ଼େ ଜୀବନ ବଞ୍ଚାଇ ପଳାଇ ଯାଇଥିଲେ । ଆଉ ବନ୍ଧୁକ ମୂନରେ ସେହି ମେଲଣ ପଡ଼ିଆରେ ସହିଦ ହୋଇଗଲେ ୨୮ ଜଣ । ଆଉ ଜଣେ ଶେଷ ନିଶ୍ୱାସ ତ୍ୟାଗ କରିଥିଲା ଡାକ୍ତରଖାନାରେ ।
ସେମାନଙ୍କ ମଧ୍ୟରେ ଜଣେ ନାରୀ ସ୍ୱାଧିନତା ସଂଗ୍ରାମରେ ଅଂଶ ଗ୍ରହଣ କରି ଶହୀଦ ହୋଇଥିଲେ । ତାଙ୍କର ନାମ ଥିଲା ପରି ବେୱା । ସେ ଇରମର ଅଧିବାସୀ ଥିଲେ । ଅନ୍ୟ ଅମର ଶହୀଦମାନେ ହେଲେ ଗୋପାଳ ଚନ୍ଦ୍ର ଦାସ (ପଢ଼ୁଆଁ), ବିଶ୍ୱନାଥ ଦାସ (ପଢ଼ୁଆଁ), ବିଜୁଳି ଦାସ (ପଢ଼ୁଆଁ), ହୃଷୀକେଶ ବେହେରା (ପଢ଼ୁଆଁ), ମଦନ ପଲାଇ (ପଢ଼ୁଆଁ), ବଲ୍ଲଭ ବେହେରା (ପଢ଼ୁଆଁ), ମାଘ ମହାଳିକ (ପଢ଼ୁଆଁ), ଭୁଆ ମାଝି (ପଢ଼ୁଆଁ), କାଳିମାଝି (ପଢ଼ୁଆଁ କୁମାରପୁର), ରାଧୁ ମହାଳିକ (ପଢ଼ୁଆଁ), ଧ୍ରୁବଚରଣ ଦେ (ପଢ଼ୁଆଁ), ବାସୁଦେବ ସାହୁ (ପଢ଼ୁଆଁ), ହରି ବେହେରା (ପଢ଼ୁଆଁ), ଦିବାକର ପାଣିଗ୍ରାହୀ (କେଶଗଡ଼ିଆ), କୃଷ୍ଣ ଚନ୍ଦ୍ର ସ୍ୱାଇଁ (କୁମାରପୁର), ଭାବନ ରାଉତ (ଅଢ଼ୁଆଁ, ନନ୍ଦପୁର), ନିଧି ମଳିକ (ଅଢ଼ୁଅାଁ), ବୃନ୍ଦାବନ ପଣ୍ଡା (ଅଢ଼ୁଆଁ), ଉପ ମଳିକ (ନୂଆଗାଁ), କୃପାସିନ୍ଧୁ ବେହେରା (ଶଙ୍ଖାରୁ), ରାମ ମାଝି (ପଢ଼ୁଆଁ, କୁମାରପୁର), ମଣି ବେହେରା (ପଢ଼ୁଆଁ), କଟି ସାହୁ (ଈଶ୍ୱରପୁର), ରତ୍ନାକର ପାଣି (ସୁଦର୍ଶନପୁର), ମଣି ପ୍ରଧାନ (ସୁଆଁ, ସୁଦର୍ଶନପୁର), ପରି ଦାସ (ସୁଆଁ), ଶଙ୍କର ମଳିକ (ଅଢ଼ୁଆଁ) ଓ ଗୋବିନ୍ଦ ରାଉତ (ଆର୍ତ୍ତୁଂ) । ଖଣ୍ଡିଆ ଖାବରା ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିଲେ ୫୬ ଜଣ ସଂଗ୍ରାମୀ ।
ଆଜିବି ସେଇ ରକ୍ତରଂଜିତ ସଂଗ୍ରାମର ମୂକସାକ୍ଷୀ ପାଲଟିଥିବା ଇରମର ମେଲଣ ପଡ଼ିଆ ଅବହେଳିତ ହୋଇ ପଡ଼ିରହିଛି । ନା ଦୃଷ୍ଟି ପଡ଼ୁଛି ପ୍ରଶାସନର ନା ସରକାରଙ୍କର । ଏହି ଲୋମହର୍ଷଣ କାହାଣୀର ମୂକସାକ୍ଷୀ ପାଲଟିଥିବା ପାଢ଼ୀ ଉଆସ ଏବେ ଭୂତକୋଠୀ ପାଲଟିଛି । ଭଗ୍ନ ଅବସ୍ଥାରେ ଛିଡ଼ା ହୋଇ ରହିଛି ବ୍ରିଟିଶ ମାନଙ୍କର ଅଫିସ ଗୃହ । ଏମିତି କିଛି ସ୍ମୃତି ଓ ଅନୁଭୂତିର ଐତିହ୍ୟ ବହନ କରୁଥିବା ଇରମ ମାଟି ଏବେ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇପାରି ନାହିଁ । ଏ ମାଟିର ଦାବି ରହିଛି ଇରମକୁ ସହିଦ ତୀର୍ଥକ୍ଷେତ୍ରରେ ମାନ୍ୟତା ମିଳୁ । ୨୯ଜଣ ସଂଗ୍ରାମୀଙ୍କର ପ୍ରତିମୂର୍ତ୍ତି ଏହି ଠାରେ ସ୍ଥାପନ କରାଯାଉ । ଏଠାରେ ପାର୍କ ହେଉ । ଯାହାଦ୍ୱାରା ଏହି ସଂଗ୍ରାମୀମାନଙ୍କ ସମ୍ପର୍କରେ ଶିଶୁଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଜାଣିପାରିବେ । ହେଲେ ଏଥିପ୍ରତି ଯେମିତି କାହାରି ନଜର ନାହିଁ ଦୀର୍ଘ ୭୩ ବର୍ଷ ହେଲା । ଲାଗୁଛି ଯେମିତି ସବୁଦିନ ପାଇଁ ସରକାରଙ୍କର ଦୃଷ୍ଟି ଆଢ଼ୁଆଳରେ ରହିଯିବ ଦ୍ୱିତୀୟ ଜାଲିଆନାୱାଲାବାଗ ରୂପେ ପରିଚିତ ରକ୍ତତୀର୍ଥ ଇରମ ମାଟି ।
ଭାରତର ଦ୍ୱିତୀୟ ଜାଲିଆନ୍ବାଗ୍ କୁହାଯାଉଥିବା ସ୍ୱାଧୀନତା ସଂଗ୍ରାମୀର ସ୍ମୃତି ବିଜଡ଼ିତ ମୁଖସାକ୍ଷୀ ମୁକ୍ତିତୀର୍ଥ ଇରମ୍ ଆଜି ନିଶ୍ଚିନ୍ତ ଭାବେ ଏକ ସ୍ମୃତିକେନ୍ଦ୍ର ହୋଇଛି । ଆଜିପରି ସ୍ମରଣୀୟ ପବିତ୍ର ଦିନରେ ସେହି ଅମର ବୀରଯୋଦ୍ଧା ସ୍ୱାଧୀନତା ସଂଗ୍ରାମୀଙ୍କ ଅମର ଆତ୍ମା ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।
ମଧୁପୁର, କୁଅାଁପାଳ, କଟକ, ଦୂରଭାଷ : ୯୪୩୭୦୦୪୮୮୮