ଅଧ୍ୟାପକ ଶରତ କୁମାର ଦାସ : ସାରା ଭାରତ ବର୍ଷରେ ଜୀବନ ଜୀବିକା ନେଇ ଯେତିକି ଚର୍ଚ୍ଚା ଚାଲିଛି ,ସମପରିମାଣରେ ଚର୍ଚ୍ଚା ଜୋର୍ ଧରିଛି ଆମ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ । ଅନେକଙ୍କ ମତରେ ୨୦୨୦-୨୧ ର ଶିକ୍ଷା ବର୍ଷ ଏକ ପ୍ରକାର ନଷ୍ଟ ହୋଇଗଲାଣି ଓ ଏହା ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଉପରେ ଗଭୀର ପ୍ରଭାବ ପାକାଇଛି ।
କେବଳ ଆଲୋଚନା ଓ ପର୍ଯ୍ୟାଲୋଚନା ସହିତ ଆ..ହା..ଚୁ..ଚୁ ରେ କଥା ଅଟକି ରହୁଛି । କାହାର କିଛି କରିବାରେ ନାହିଁ । କରୋନା ଆତଙ୍କ ନିକଟରେ ସମସ୍ତେ ଯେମିତି ଆତ୍ମସମର୍ପଣ କରିସାରିଛନ୍ତି । ସମସ୍ତେ ଯେମିତି ପଙ୍ଗୁ ବା ଅଥର୍ବ ପାଲଟିଯାଇଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ । ଅନ୍ୟ ପକ୍ଷରେ କରୋନା ର ତାଣ୍ଡବଲୀଳା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି ।
ପାଖାପାଖି ୨୦୨୦ ମାର୍ଚ୍ଚ ମାସ ଅଧା ଠାରୁ କୋଭିଡ-୧୯ ର ବ୍ୟାପକତା କାରଣରୁ ଆମ ରାଜ୍ୟ ଓଡିଶାରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଛାତ୍ରଛାତ୍ରୀମାନଙ୍କର ଭାଗ୍ୟ ଭବିଷ୍ୟତ ଶୂନ୍ୟରେ ଝୁଲୁଛି । ପ୍ରତ୍ୟେକ ଅଭିଭାବକ ନିଜ ପିଲାର ଭବିଷ୍ୟତକୁ ନେଇ ଗଭୀର ଚିନ୍ତା ପ୍ରକଟ କରିବା ସହିତ ଦ୍ବନ୍ଦରେ ଅଛନ୍ତି । ଦ୍ବନ୍ଦରେ ରହିବା ବି ସ୍ବାଭାବିକ । କେବେ ଶିକ୍ଷାନୁଷ୍ଠାନ ଖୋଲିବ ଓ ସେମାନଙ୍କ ପିଲାମାନେ ବିଦ୍ୟାଳୟକୁ ଯିବେ ଏହା ଏକ ଦୀର୍ଘ ପ୍ରଶ୍ନବାଚୀ ।
କାରଣ ପ୍ରତ୍ୟେକ ଅଭିଭାବକ ଚାହାଁନ୍ତି ଯେ ସେମାନଙ୍କର ପିଲା ସ୍ବାଭାବିକ ଭାବରେ ବିଦ୍ୟାଳଦୟ ଯାଉ ,ପାଠ ପଢୁ ଓ ଠିକ୍ ଢଙ୍ଗରେ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେଉ । ମାତ୍ର ଏହା ଚଳିତ ଶିକ୍ଷା ବର୍ଷରେ ସମ୍ବବ ହୋଇପାରୁନାହିଁ ।
ବିକଳ୍ପ ବ୍ୟବସ୍ଥା ସ୍ବରୂପ ଅନ୍ ଲାଇନ୍ ପାଠପଢ଼ା ଉପରେ ଆମ ସରକାର ଗୁରୁତ୍ୱ ଦେଇଛନ୍ତି । ଏହା ଏକ ସ୍ବାଗତଯୋଗ୍ଯ ପଦକ୍ଷେପ ନିଶ୍ଚୟ । ଏହାର ଆଦର୍ଶ ସୁଦୂରପ୍ରସାରୀ ,ମାତ୍ର ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ । ପରିସଂଖ୍ୟାନ ଅନୁଯାୟୀ ଶତକଡା ୩୦ ରୁ ୪୦ ଭାଗ ଛାତ୍ରଛାତ୍ରୀ ଏହାଦ୍ବାରା ଉପୋକୃତ ହେଉଛନ୍ତି ।ଏକ ସର୍ଭେରୁ ଜଣାପଡିଛି ଯେ ଓଡିଶାରେ ୩୧.୯୫ ଶତକଡା ସ୍କୁଲ୍ ଛାତ୍ରଛାତ୍ରୀ ଓ ଶତକଡା ୩୩ ଭାଗ କଲେଜ ଛାତ୍ରଛାତ୍ରୀ ଅନ୍ ଲାଇନ୍ ରେ ପାଠ ପଢନ୍ତି ।
ମାତ୍ର ବାସ୍ତବତା ଅନ୍ୟ କିଛି ଭିନ୍ନ ହୋଇପାରେ । ସର୍ବପ୍ରଥମେ ଆମକୁ ବୁଝିବାକୁ ପଡିବ ଯେ ଅନ୍ ଲାଇନ୍ ପାଠ ପଢା ଶ୍ରେଣୀଗୃହର ପାଠ ପଢା ସହିତ କେବେବି ସମକକ୍ଷ ନୁହେଁ ବା ଏହାର ଆଦୌ ବିକଳ୍ପ ବି ନୁହେଁ । କାରଣ ଅନ୍ ଲାଇନ୍ ପାଠ ପଢାରେ ଛାତ୍ରଛାତ୍ରୀମାନଙ୍କ ସହିତ ଶିକ୍ଷକଶିକ୍ଷୟିତ୍ରୀମାନଙ୍କର କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନଥାଏ । ପାଠ ପଢା ସମ୍ପର୍କିତ କିଛି ସନ୍ଦେହ ସହଜରେ ଦୂର ହୋଇପାରେ ନାହିଁ । ସର୍ବୋପରି ଜଣେ ବିଦ୍ୟାର୍ଥିର ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି ହୋଇଥାଏ । ତେଣୁ ସତ କହିବାକୁ ଗଲେ “ନାହିଁ ମାମୁ ଠାରୁ କଣା ମାମୁ ଭଲ” ନ୍ୟାୟ ରେ ଏ ବ୍ୟବସ୍ଥା ଚାଲିଛି ।
ପୁନଶ୍ଚ, ଏହାର ବାସ୍ତବତା ସହିତ ଆମେ ସମସ୍ତେ ଓତଃପ୍ରୋତ ଭାବେ ପ୍ରତିଦିନ ଜଡିତ । କେଉଁ ଅଂଚଳରେ ନେଟ୍ୱାର୍କ୍ ନାହିଁ ତ ଆଉ କେଉଁଠି ବିଦ୍ୟୁତ ଯୋଗାଣରେ ସମସ୍ୟା । ବିଶେଷକରି ଗ୍ରାମାଞ୍ଚଳରେ ଏହାର ବାସ୍ତବ ଚିତ୍ର ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କାହା ପାଖରେ ଭଲ ମୋବାଇଲ୍ କିମ୍ବା ଲାପଟପ୍ ଅଛି ତ ଆଉ କାହା ପାଇଁ ଏଗୁଡିକ ଅପହଂଚ । ଆମ ରାଜ୍ୟରେ ଅନେକ ଆର୍ଥିକ ଦୁର୍ବଳ ଶ୍ରେଣୀର ଅଭିଭାବକ ଅଛନ୍ତି, ଯେଉଁମାନେକି ନିଜ ପିଲାମାନଙ୍କୁ ବହି ଖଣ୍ଡେ କିଣିଦେବାର ସାମର୍ଥ୍ୟ ନାହିଁ । ଦୁଇ ବେଳା ଦୁଇମୁଠା ପେଟକୁ ଦାନା ଦେବାରେ ଅସମର୍ଥ । ଏଭଳି ଆର୍ଥିକ ଅନାଟନରେ ଥାଇ ନିଜ ପିଲାମାନଙ୍କୁ ଅନ୍ ଲାଇନ୍ ପାଠପଢ଼ାର ସାଧନ ଯଥା ଆଣ୍ଡ୍ରୋଏଡ୍ ମୋବାଇଲ ସେଟ୍ ହେଉ ବା କମ୍ପ୍ୟୁଟର ପ୍ରଭୃତି କିଣିଦେବା “ଆକାଶ କଇଁଆ ଚିଲିକା ମାଛ” ସହିତ ସମାନ ।
ଏମିତି ଦୃଶ୍ୟ ନଜରକୁ ଆସୁଛି ଯେ ପିଲାମାନଙ୍କୁ ଅନ୍ ଲାଇନ୍ ରେ ପାଠ ପଢିବା ପାଇଁ କେଉଁ ଗହିରୀ ବିଲ ତ କେଉଁ ପାହାଡର ଶୀର୍ଷକୁ ଯିବାକୁ ପଡୁଛି । କିଛି କିଛି ପିଲା ଗଛ ଉପର କିମ୍ବା ସୁଉଚ୍ଚ ପାଣିଟାଙ୍କି ଉପରେ ଚଢି ନିଜ ନିଜ ଜୀବନକୁ ବାଜି ଲଗାଇ ନେଟ୍ୱାର୍କ୍ ଖୋଜୁଛନ୍ତି ଅନ୍ ଲାଇନ୍ ପାଠ ପଢିବା ପାଇଁ । ଅନ୍ ଲାଇନ୍ ପାଠପଢ଼ାର ଏହା ନିଶ୍ଚୟ ଏକ ରୋଚକ ଚିତ୍ର । ଏହାଦ୍ବାରା ଗୋଟିଏ ସ୍ଥାନରେ ଏକାଧିକ ଛାତ୍ରଛାତ୍ରୀ ଏକାଠି ହେଉଛନ୍ତି ଓ ପୁଣି ବିନା ମାସ୍କରେ ।
ସାମାଜିକ ଦୂରତା ଥୁ କରି ଉଡିଯାଉଛି । ଅଭିଭାବକମାନେ କିଂକର୍ତ୍ତବ୍ୟ ମୁଢ। ନିଜ ଆଖି ସାମନା ରେ ଏହି ସବୁ ହୃଦୟ ବିଦାରକ ଦୃଶ୍ୟ ଦେଖି କେଉଁ ଅଭିଭାବକଙ୍କ ଦେହ ସହିବ ! ତଥାପି ଏ ବ୍ୟବସ୍ଥା ଚାଲିଛି । କାରଣ ଏହାର ଅନ୍ୟ କୌଣସି ବିକଳ୍ପ ଏପର୍ଯ୍ୟନ୍ତ ଖୋଜିମିଳିନାହିଁ । ସରକାର ବି ଉପାୟ ଶୂନ୍ୟ । ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ପାଇଁ ସରକାର ସଂପୂର୍ଣ୍ଣ ରୂପେ ସଚେତନ ଅଛନ୍ତି । ସମୟୋଚିତ ଅନେକ ପଦକ୍ଷେପ ବି ହାତକୁ ନେଉଛନ୍ତି । ମାତ୍ର ମହାମାରୀ ଯେ ସବୁ ପଦକ୍ଷେପର ଉପରେ ଆମ ସମସ୍ତଙ୍କୁ ଏ ଅପ୍ରିୟ ସତ୍ୟ ସ୍ବୀକାର କରିବାକୁ ପଡିବ ।
ସକଳ ଦୁଃସ୍ଥିତି ମଧ୍ୟରେ ଏଇ ସେପ୍ଟେମ୍ବର ମାସ ଠାରୁ ଆମ ଦେଶରେ ଅନ୍ ଲକା-୦୪ ଆରମ୍ଭ ହୋଇ ଜୀବନଯାତ୍ରା ସହଜ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଗତ ଅଗଷ୍ଟ ୨୯ ତାରିଖରେ ଅନ୍ ଲକ୍-୦୪ ନିମନ୍ତେ ନିର୍ଦ୍ଦେଶାବଳୀ ଘୋଷଣା କରି ସେପ୍ଟେମ୍ବର ୨୧ ତାରିଖ ଠାରୁ ସ୍କୁଲ୍ ଗୁଡିକ ଆଂଶିକ ଖୋଲିବା ପାଇଁ ଅନୁମତି ଦେଇଛନ୍ତି । ଶିକ୍ଷକମାନଙ୍କ ତତ୍ତ୍ବାବଧାନ ତଥା ଅଭିଭାବକମାନଙ୍କ ଲିଖିତ ଅନୁମତି କ୍ରମେ କଣ୍ଟେନମେଣ୍ଟ ଅଂଚଳ ବାହାରେ କେବଳ ନବମରୁ ଦ୍ବାଦଶ ଶ୍ରେଣୀ ଯାଏ ପିଲାମାନେ ସ୍ବଇଚ୍ଛାରେ ସ୍କୁଲକୁ ଯାଇପାରିବେ ବୋଲି ନିର୍ଦ୍ଦେଶାବଳୀରେ କୁହାଯାଇଛି ।
ଦେଖାଯାଇଛିଯେ ଦେଶର ୮ ଟି ରାଜ୍ୟ ଯଥା-ମଧ୍ୟପ୍ରଦେଶ,ଆନ୍ଧ୍ରପ୍ରଦେଶ, ଆସାମ, ନାଗାଲାଣ୍ଡ,ମେଘାଳୟ,ହରିଆଣା,ଜାମ୍ମୁ କାଶ୍ମୀର ଓ ହିମାଚଳପ୍ରଦେଶ ରେ ସ୍କୁଲ୍ ଖୋଲିଛି । ମାତ୍ର ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଅତି ନଗଣ୍ୟ ରହିଛି । ଅଭିଭାବକମାନେ ମହାମାରୀର ସାଂପ୍ରତିକ ପରିସ୍ଥିତିକୁ ଲକ୍ଷ୍ୟ ରଖି ନିଜ ପିଲାମାନଙ୍କୁ ସ୍କୁଲ୍ କୁ ଛାଡିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ଏଭଳି ପରିସ୍ଥିତିରେ ସେପ୍ଟେମ୍ବର ୨୮ ତାରିଖରୁ ବିହାରରେ ସ୍କୁଲ୍ ଖୋଲିବାକୁ ବିହାର ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସପ୍ତାହକୁ ଦୁଇଦିନ ଛାତ୍ରଛାତ୍ରୀ ସ୍କୁଲକୁ ଆସିବାକୁ କୁହାଯାଇଛି । ମାତ୍ର କେନ୍ଦ୍ର ହୁଅନ୍ତୁ ବା ରାଜ୍ୟ କୌଣସି ସରକାରଙ୍କର କରୋନା ସତର୍କତା ନିୟମାବଳୀ ଉପରେ ସତେ ଯେପରି ଅଭିଭାବକମାନେ କେଉଁଠି ନା କେଉଁଠି ବିଶ୍ବାସ କରିପାରୁନାହାଁନ୍ତି କି ଆପଣେଇ ନେଇପାରୁନାହାଁନ୍ତି।
ଆମ ରାଜ୍ୟ ସରକାର ବର୍ତ୍ତମାନର ପରିସ୍ଥିତିକୁ ଗୁରତ୍ବର ସହ ବିଚାରକୁ ନେଇ ଆସନ୍ତା ଦୁର୍ଗାପୂଜା ପରେ ସ୍କୁଲ୍ ଖୋଜିବାପାଇଁ ଏକ ସମୟୋଚିତ ପଦକ୍ଷେପ ଗ୍ରହଣ କରିଛନ୍ତି । ସରକାରଙ୍କର ଏତାଦୃଶ ନିଷ୍ପତ୍ତିକୁ ବୁଦ୍ଧିଜୀବୀ,ଛାତ୍ରଛାତ୍ରୀ, ଅଭିଭାବକ ଓ ସାଧାରଣ ଜନତା ଇତ୍ୟାଦି ସବୁ ମହଲରୁ ସ୍ବାଗତ କରାଯାଇଛି । ବର୍ତ୍ତମାନ ଦେଖିଲେ ଆମ ରାଜ୍ୟ ସମେତ ସମଗ୍ର ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧିପାଉଛି । ଏପରିକି ସ୍ଥିତି ନିୟନ୍ତ୍ରଣରେ ଆଉ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ । ଓଡିଶାରେ କୋଭିଡ-୧୯ ର ସଂକ୍ରମଣ ହାର ଆଶାତୀତ ଭାବେ ବୃଦ୍ଧିପଉଛି । ସଂପ୍ରତି ପ୍ରତିଦିନ ୪ ହଜାରରୁ ଅଧିକ ସଂକ୍ରମଣ ହେବାର ଦେଖିବାକୁ ମିଳୁଛି । ଏ ସଂଖ୍ୟା ଭିବିଷ୍ୟତରେ କେତେ ଯେ ଛୁଇଁବ ତାହା କେହି କହିପାରିବେ ନାହିଁ । ଏଭଳି ଏକ ଦୁର୍ବିସହ ଓ ଦୁର୍ଭାଗ୍ୟଜନକ ପରିସ୍ଥିତିରେ କୌଣସି ଅଭିଭାବକ ନିଜ ପିଲାର ଜୀବନକୁ ବିପନ୍ନ କରି ସ୍କୁଲକୁ ଛାଡିବା ପାଇଁ ନ ଚାହିଁବା ସ୍ବାଭାବିକ । ହୁଏତ ଅଭିଭାବକମାନେ ଚାହୁଁଥିବେ ନିଶ୍ଚୟ ଯେ କୋଭିଡ ଟୀକା ଯେପର୍ଯ୍ଯନ୍ତ ଉପଲବ୍ଧ ନ ହୋଇଛି କିମ୍ବା ଓଡିଶା ସଂପୂର୍ଣ୍ଣ ରୂପେ କରୋନା ମୁକ୍ତ ନ ହୋଇଛି, ସେପର୍ଯ୍ଯନ୍ତ ସେମାନଙ୍କ ପିଲାମାନେ ସ୍କୁଲକୁ ନଯିବା ଉଚିତ୍ ।କାରଣ କୋମଳମତି ଛାତ୍ରଛାତ୍ରୀମାନଙ୍କର ଜୀବନ ନିଶ୍ଚୟ ବଡ ।
ଏତଦବ୍ୟତୀତ ପିଲାମାନେ ସ୍କୁଲକୁ ଗଲେ ସଂକ୍ରମଣ ବୃଦ୍ଧିପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଯେଉଁଠି ମଧ୍ୟବୟସ୍କ ଓ ବୟସ୍କମାନେ କୋଭିଡ କଟକଣା ପାଳନ କରି ଚଳିପାରୁନାହାଁନ୍ତି, ସେଭଳି ପରିସ୍ଥିତିରେ ସ୍କୁଲ୍ ର ଛାତ୍ରଛାତ୍ରୀମାନେ କିଭଳି ସରକାରଙ୍କର କୋଭିଡ୍ ନିୟମାବଳୀ ମାନି ଚାପମୁକ୍ତ ଭାବରେ ପାଠ ପଢିପାରିବେ ତାହା ବିଚାରଯୋଗ୍ୟ ନିଶ୍ଚୟ । ସାମାଜିକ ଦୂରତ୍ବ ରହିବ ନାହିଁ । ମାସ୍କ ଠିକ୍ ଭାବେ ପିନ୍ଧିବେ ନାହିଁ । ସବୁ ସମୟରେ ପ୍ରତ୍ୟେକ ଅନ୍ୟ ଜଣକର ସଂସ୍ପର୍ଶରେ ଆସିବେ । ଏକାଠି ଯିବା ଆସିବା, ଖେଳ ,ପ୍ରାର୍ଥନା ଇତ୍ୟାଦି ସମୟରେ ରୋଗ ସଂକ୍ରମଣର ସର୍ବାଧିକ ଭୟ ରହିଛି । ଅନ୍ୟ ପକ୍ଷରେ ଛାତ୍ରଛାତ୍ରୀମାନଙ୍କଦ୍ବାରା ସ୍କୁଲ କର୍ମଚାରୀ ଓ ସ୍କୁଲ୍ କର୍ମଚାରୀମାନଙ୍କ ଦ୍ବାରା ଛାତ୍ରଛାତ୍ରୀମାନେ ମଧ୍ୟ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ଏ ସମସ୍ତ ଘଟଣା ପ୍ରତି ଅଭିଭାବକମାନେ ସଚେତନ ଅଛନ୍ତି ଯାହାଫଳରେ ସେମାନେ
ନିଜ ପିଲାମାନଙ୍କ ପାଇଁ ସର୍ବଦା ମାନସିକ ଚିନ୍ତା ଓ ଚାପରେ ରହୁଛିନ୍ତି ।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଙ୍କ ଅପରିଣାମଦର୍ଶୀ ନିଷ୍ପତ୍ତି କ୍ରମେ ସେଠାରେ ସ୍କୁଲ୍ ଖୋଲିଦିଆଗଲା , ମାତ୍ର ତାହାର କୁଫଳ ଭୋଗିଲେ ଛାତ୍ରଛାତ୍ରୀମାନେ । ଏକ ସର୍ଭେ ଅନୁଯାୟୀ ପ୍ରାୟ ୯୪ ହଜାର ଛାତ୍ରଛାତ୍ରୀ ଏକସମୟରେ କରୋନାରେ ଆକ୍ରାନ୍ତ ହେଲେ ଓ ଅନେକ ଛାତ୍ରଛାତ୍ରୀ ମୃତ୍ୟୁ ବରଣ କଲେ ମଧ୍ୟ ।ତେଣୁ ସେଠାକାର ଜନମତ ଏବେ ସ୍କୁଲ୍ ଖୋଲିବା ସପକ୍ଷରେ ନାହିଁ । ଅଧିକାଂଶ ଶିକ୍ଷକଶିକ୍ଷୟିତ୍ରୀ ସ୍କୁଲ୍ ଖୋଲିବାକୁ ବିରୋଧ କରୁଛନ୍ତି । ଇଂଲଣ୍ଡର ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୨୨ ରେ ଆସନ୍ତା ଛଅ ମାସ ଘରେ ରହି କାର୍ଯ୍ୟ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।
ଯଦି ବର୍ତ୍ତମାନ ଆମ ଦେଶରେ ସ୍କୁଲ୍ ଖୋଲିଦିଯାଏ ତେବେ ସଂକ୍ରମଣ ହାର ନିଶ୍ଚୟ ବୃଦ୍ଧିପାଇବ । ବର୍ତ୍ତମାନ ସମଗ୍ର ବିଶ୍ବରେ କରୋନା ତା’ର ସ୍ଥିତି ସୁଦୃଢ଼ କରିବାରେ ଲାଗିଛି । ଭୟର ବିଭୀଷିକା ସୃଷ୍ଟିକରିଚାଲିଛି । କରୋନା ଭିତରେ ଆମକୁ ବଂଚିବାକୁ ପଡିବ ବୋଲି ବିଶେଷଙ୍ଗମାନେ ମତପୋଷଣ କରୁଛନ୍ତି । ଏଭଳି ପରିସ୍ଥିତିରେ ଆମକୁ ଅଧିକ ଯତ୍ନବାନ ହେବାକୁ ପଡିବ। ଆମେରିକାର ପରିସ୍ଥିତି ଆମ ଦେଶରେ ପୁନରାବୃତ୍ତି ନହେଉ । ସରକାର ଏ ବିଷୟରେ ଗଭୀର ଭାବେ ଚିନ୍ତା କରିବାର ଆବଶ୍ୟକତା ରହିଛି । ଅଭିଭାବକମାନଙ୍କ ଭାବନାକୁ ଯଥାର୍ଥ ଭାବେ ବିଚାର କରି ଏକାନ୍ତ ଭାବେ ଦୂରଦର୍ଶୀ ନିଷ୍ପତ୍ତି ନେବାର ସମୟ ଆସିଛି । ଉପଯୁକ୍ତ ପଦକ୍ଷେପ ବଳରେ ଅଭିଭାବକମାନଙ୍କୁ ମାନସିକ ଚାପ ଓ ଚିନ୍ତାରୁ ମୁକ୍ତ କରିବାପାଇଁ ଯଥୋଚୀତ ବୁଦ୍ଧିମତାର ପ୍ରୟୋଗ କରିବାର ଆବଶ୍ୟକତା ଅଛି ।
ଇତିମଧ୍ୟରେ ସରକାର ୩୦ ପ୍ରତିଶତ ପାଠ୍ୟକ୍ରମ ହ୍ରାସ କରିଛନ୍ତି ।ମାତ୍ର ଏହା ଯଥେଷ୍ଟ ପଦକ୍ଷେପ ନୁହେଁ । ଏ ଦିଗରେ ଯଥାର୍ଥ ଓ ସ୍ପଷ୍ଟ ନୀତି ପ୍ରଣୟନ କରିବା ଅପରିହାର୍ଯ୍ୟ । ପାଠ୍ୟକ୍ରମର ହ୍ରାସ ତଥା ଶିକ୍ଷା ବ୍ୟବସ୍ଥାରେ ଘଟିଥିବା ଅନିଚ୍ଛାକୃତ ପରିବର୍ତ୍ତନ ନିଶ୍ଚିତ ରୂପେ ଭାରତୀୟ ଶିକ୍ଷା ବ୍ୟବସ୍ଥା ଉପରେ ନକରାତ୍ମକ ପ୍ରଭାବ ପକାଇବ । ଏହା ନିଃସନ୍ଦେହ । ଏ ସକଳ ସମସ୍ୟାର ସମାଧାନ ନିମନ୍ତେ ସରକାର ଯେତେ ପଦକ୍ଷେପ ଗ୍ରହଣ କଲେ ବି ବିଦ୍ୟାଳୟ ଖୋଲିବା ସଂକ୍ରାନ୍ତରେ
ସ୍ପଷ୍ଟ ଦୃଷ୍ଟିଭଙ୍ଗୀ ରହିବା ବିଧେୟ ।ଏହା ଦ୍ୱାରା ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ସୁରକ୍ଷିତ ହୋଇପାରିବା ସହିତ ଅଭିଭାବକମାନେ ଚିନ୍ତା ଶୂନ୍ୟ ହୋଇପାରିବେ । ଶିକ୍ଷା ବ୍ୟବସ୍ଥା ମଧ୍ୟ ଶୃଙ୍ଖଳିତ ହୋଇପାରିବ ।ନଚେତ୍ ”ନେଡିଗୁଡ କହୁଣିକୁ ବୋହିଯିବା” ଭଳି ପରିସ୍ଥିତି ସୃଷ୍ଟିହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।