Odisha news

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ : ତାତିଲେ ଲୋକେ , ପୋଲ କରୁ ନାହାନ୍ତି ହେଲେ ତାର ଖୋଲିନେଲେ

0

ବାଲିଗୁଡା : ବର୍ଷ ବର୍ଷ ଧରି ଭରା ନଦୀ ପାର ହେବାକୁ ୫ ଖଣ୍ଡ ଗାଁ ଲୋକଙ୍କ ଏକମାତ୍ର ସାହା ଥିଲା ବିଦ୍ୟୁତ୍‌ ତାର। ସେହି ବିଦ୍ୟୁତ୍‌ ତାର ଉପରେ ବିପଦଜନକ ଭାବେ ପିଲାଠୁ ବୁଢ଼ାଯାଏ ନଦୀ ପାର ହେଉଥିଲେ। ଏନେଇ ଖବର ପ୍ରସାରଣ ପରେ ପ୍ରଶାସନ ସମସ୍ୟା ସମାଧାନ କରିବା ପରିବର୍ତ୍ତେ ଲୋକଙ୍କୁ ଅଧିକ ସମସ୍ୟାରେ ପକାଇ ଦେଇଛି।ପ୍ରଶାସନିକ ଅଧିକାରୀ ପହଞ୍ଚି ବିଦ୍ୟୁତ୍‌ ତାର ଖୋଲି ନେବା ପରେ ଲୋକେ ଏବେ ବାଧ୍ୟ ହୋଇ ଉଛୁଳା ନଦୀରେ ପଶି ପାର୍‌ ହେଉଛନ୍ତି।

ଏପରି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁର ବିନ୍ଦାପଡ଼ା ଗାଁରେ।  ଲୋକେ ତାରରେ ନଦୀ ପାର ହେଉଥିବା ଖବର ପ୍ରକାଶ ପରେ ନଦୀରେ ପୋଲ ବ୍ୟବସ୍ଥା ନ କରି ତାର ଖୋଲି ନେଲା ପ୍ରଶାସନ। ବାଲିଗୁଡ଼ା ଉପଜିଲ୍ଲାପାଳ ଓ ପୁଲିସ୍‌ ପହଞ୍ଚି ନଦୀ ଉପରୁ ତାର ବାହାର କରିନେଲେ। ବଦଳରେ ଦୂରରେ ଥିବା ଏକ ପୋଲ ବ୍ୟବହାର କରିବାକୁ ପରାମର୍ଶ ଦେଇଗଲେ। ପ୍ରଶାସନ ତାର ଖୋଲିନେବାରୁ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଯୋଗ୍ୟ, ଗୁଞ୍ଜବାଡି ପଞ୍ଚାୟତ ବ୍ରିନ୍ଦାବାଡ଼ି ନଦୀ ଉପରେ ପୋଲ ନଥିଲା।

ଭରା ନଦୀକୁ ପାର ହେବା ପାଇଁ ୫ ଖଣ୍ଡ ଗାଁ ଲୋକଙ୍କର  ବିଦ୍ୟୁତ ତାର ହିଁ ଏକମାତ୍ର ଭରସା ଥିଲା। ନଦୀରେ ପୋଲ ନଥିବାରୁ ଲୋକେ ବିଦ୍ୟୁତ୍‌ ତାରକୁ ଅସ୍ଥାୟୀ ପୋଲ୍‌ ଭାବେ ବ୍ୟବହାର କରୁଥିଲେ।ବିପଦଜନକ ରାସ୍ତା ଉପରେ ଯିବା ଆସିବା ସମ୍ପର୍କରେ ଗାଁ ଲୋକେ ଜିଲ୍ଲା ପ୍ରଶାସନକୁ ବହୁ ପୂର୍ବରୁ ଜଣାଇଥିଲେ। ହେଲେ କିଛି ସୁଫଳ ମିଳିନଥିଲା। ଏ ନେଇ ଖବର ପ୍ରସାରଣ  ପରେ ପ୍ରଶାସନର ପଦକ୍ଷେପ  କିନ୍ତୁ ଲୋକଙ୍କୁ ଅଧିକ କଷ୍ଟ ଦେଇଛି।ବର୍ଷ ବର୍ଷ ଧରି ନୀରବଦ୍ରଷ୍ଟା ସାଜିଥିବା ପ୍ରଶାସନ ହଠାତ୍‌ ଚଳଚଞ୍ଚଳ ହୋଇଉଠି ତାର ବାହାର କରି ନେଲା। ଶେଷ ବିକଳ୍ପ ପନ୍ଥାକୁ ବି ବନ୍ଦ କରିଦିଆଯିବା ପରେ ମୁଣ୍ଡରେ ହାତ ଦେଲେଣି ଲୋକେ। ରାତି ପାହିଲେ କିପରି ପିଲା ଛୁଆ ଧରି ନଦୀ ପାର ହେବେ ତାକୁ ନେଇ ସେମାନଙ୍କ ଚିନ୍ତା ଘାରିଲାଣି।

Leave A Reply