ବାଲିପାଟଣା, ୨୨/୦୯ : ଚଳିତ ବନ୍ୟାରେ ବାଲିପାଟଣା ବ୍ଲକର ଅନେକ ବନ୍ୟାକ୍ଷତିଗ୍ରସ୍ତ ଅଂଚଳ ସରକାରୀ ସହାୟତାରୁ ବଂଚିତ ହୋଇଥିବା ଜଣା ପଡିଛି । ବ୍ଲକ ପ୍ରଶାସନ, ତହିସଲ, ସ୍ୱାସ୍ଥ୍ୟବିଭାଗ ଓ ପଶୁ ସମ୍ପକଦ ବିଭାଗ ଅଧିକାରୀମାନେ ୧୦ ଦିନ ପର୍ଯ୍ୟନ୍ତ ବନ୍ୟାରେ ବୁଡିରହିଥିବା ସହି ଗ୍ରାମଗୁଡିକୁ କିପରି ଅଣଦେଖା କରିଛନ୍ତି ତାହା ବାଲିପାଟଣା ବାସୀଙ୍କୁ ଚକିତ କରିଛି ।
ବାଲିପାଟଣା ବ୍ଲକର ରାଜସ ଗ୍ରାମପଚାଂୟତ ଅନ୍ତର୍ଗତ ଗରିଅ ଗାଁରେ ୧୫୦ ପରିବାର ଅଛନ୍ତି । ଏହି ଗ୍ରାମରେ ସାମାନ୍ୟ ବର୍ଷା ହେଲେ ଜଳବନ୍ଧି ହୋଇଥାଏ । ବ୍ଲକର ସବୁଠାରୁ ଖାଲୁଆ ଗାଁ ବେଲମରା ଓ ଗରିଆ, ଏହାର ଭୈଗୋଳିକ ସ୍ଥିତି କୁହେ ଗାଁର ପୂର୍ବ ପାଶ୍ୱରେ ମାତ୍ର ୫୦ ମିଟର ଦୂରରେ ବହି ଯାଇଛି ବନ୍ଧବାଡ ନଥିବା ଧନୁଆଁ ନଦୀ । ଭାର୍ଗଭୀ ନଦୀର ବନ୍ୟାଜଳ ଅଚ୍ୟୁତପୁର କାଜଦେଇ ପ୍ରବାହିତ ହେବାପରେ ବେଲମରା ଓ ଗରିଆ ଗାଁ ପ୍ରଥମେ ଜଳବନ୍ଧି ହୋଇଥାଏ । କିନ୍ତୁ ଧନୁଅାଁ ନଦୀଠାରୁ ୩ କିଲୋମିଟର ଦୂର ଗାଁକୁ ବନ୍ୟାଂଚଳ ଘୋଷଣା କରିଯିବା ସହ ସେଠାରେ ରିଲିଫ୍ ପ୍ରଦାନ କରାଯାଇଥିବା ବେଳେ ଗରିଆ ଗାଁକୁ ବଂଚିତ କରିବା ଏକ ନିନ୍ଦନୀୟ ଘଟଣା ।
ବନ୍ୟା ସମୟରେ ମଣ୍ଡଳ ଉନ୍ନୟନ ଅଧିକାରୀ ବନ୍ୟାଚଂଳ ପରିଦର୍ଶନ ନକରି ବନ୍ୟାଚଂଳ ଘୋଷଣା କରିଛନ୍ତି । ଭୈଗୋଳି ସ୍ତିତି ସମ୍ବନ୍ଧରେ ସମ୍ପୃର୍ଣ୍ଣ ଅଜ୍ଞ ଥିବା ଜଣେ ପ୍ରଶାସନିକ ଅଧିକାରୀ ୧୦ ଦିନ ବୁଡି ରହିଥିବା ଗରିଆ ଗାଁକୁ ବଂଚିତ କଲେ କିପରି ? ଏ ସମ୍ବନ୍ଧରେ ଗ୍ରାମବାସୀ ଚଳିତ ମାସ ୮ ତାରିଖରେ ମଣ୍ଡଳ ଉନ୍ନୟନ ଅଧିକାରୀ ମିତାଞ୍ଜଳୀ ଦାସଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସମ୍ପୃକ୍ତ ଅଧିକାରୀ ଗ୍ରାମବାସୀଙ୍କୁ ଆସ୍ୱସନା ଦେଇ କହିଥିଲେ ଉକ୍ତ ଗ୍ରାମକୁ ବନ୍ୟାଂଚଳ ଘୋଷଣା କରାଯିବ ।
କିନ୍ତୁ ଅଦ୍ୟାବଧି ଉକ୍ତ ଗ୍ରାମକୁ ବନ୍ୟାଂଚଳ ଘୋଷଣା କରାନଯିବା ପ୍ରତିବାଦରେ ଗ୍ରାମବାସୀ ମୁଖ୍ୟମନ୍ତ୍ରୀ, ରିଲିଫ୍ କମିଶନର, ଜିଲ୍ଲାପାଳ, ବିଧାୟକ, ତହସିଲଦାର, ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି ଆସନ୍ତା ୨୪ ତାରିଖ ସୁଦ୍ଧା ଉକ୍ତ ଅଚଂଳକୁ ବନ୍ୟାଚଂଳ ଘୋଷଣା କରା ନଯାଏ ଆସନ୍ତା ୨୫ ତାରିଖ ଦିନ ବ୍ଲକ ସମ୍ମୁଖରେ ଗ୍ରାମବାସୀମାନେ ଧାରଣା ଦେବେ ବୋଲି ଗ୍ରାମର ସୁଜାତା ସାହୁ, ପ୍ରଦୀପ ସାହୁ, ସୁଶାନ୍ତ କୁମାର ସାହୁ, ଯୁଦ୍ଧିଷ୍ଟିର ସ୍ୱାଇଁ, ବିଂରଚି ବାରିକ ଓ ପବିତ୍ର ସାହୁ ପ୍ରମୁଖ ପ୍ରକାଶ କରିଛନ୍ତି ।