Odisha news

2025 ମାର୍ଚ୍ଚ ମାସ ସୁଦ୍ଧା ଦେଶରେ ଜନଔଷଧି କେନ୍ଦ୍ର ସଂଖ୍ୟାକୁ 10,500କୁ ବୃଦ୍ଧି କରିବା ସରକାରଙ୍କ ଲକ୍ଷ୍ୟ

0
  • ଏହା ଦେଶର ସମସ୍ତ ଜିଲ୍ଲାରେ ପହଞ୍ଚିବ
  • ଏଥିରେ ସକ୍ରିୟ ଆଇଟିସକ୍ଷମ ଲଜିଷ୍ଟିକ୍ସ ଏବଂ ଯୋଗାଣ ଚେନ୍ ବ୍ୟବସ୍ଥା ଲାଗୁ କରାଯିବ

କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଡି ଭି ସଦାନନ୍ଦ ଗୌଡ଼ା କହିଛନ୍ତି ଯେ ସାଧାରଣ ଜନତା ଏବଂ ବିଶେଷ କରି ଗରିବ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ଔଷଧ ଯୋଗାଇ ଦେବା ନିମନ୍ତେ ଭାରତ ସରକାର ଦେଶରେ 2025 ମସିହା ମାର୍ଚ୍ଚ ମାସ ଶେଷ ସୁଦ୍ଧା ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ର (ପିଏମବିଜେକେ) ସଂଖ୍ୟାକୁ 10,500ରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ।

ଏହି ସଂଖ୍ୟକ ଜନଔଷଧି କେନ୍ଦ୍ର ସ୍ଥାପିତ ହେବା ଦ୍ୱାରା ଦେଶର ସମସ୍ତ ଜିଲ୍ଲାରେ ଜନଔଷଧି କେନ୍ଦ୍ର ଉପଲବ୍ଧ ହୋଇପାରିବ । ଏହାଦ୍ୱାରା ଦେଶର କୋଣ ଅନୁକୋଣରେ ସମସ୍ତଙ୍କ ନିକଟରେ ସୁଲଭ ମୂଲ୍ୟରେ ଗୁଣାତ୍ମକ ଔଷଧ ଉପଲବ୍ଧ ହୋଇପାରିବ । 2020 ଅଗଷ୍ଟ 15 ତାରିଖ ସୁଦ୍ଧା ଦେଶରେ ମୋଟ 6603ଟି ଜନଔଷଧି କେନ୍ଦ୍ର ଥିଲା ।

2020 ମାର୍ଚ୍ଚ ଠାରୁ ଜୁନ ମାସ ମଧ୍ୟରେ କୋଭିଡ଼ ମହାମାରୀ ଯୋଗୁ ଲକ୍ ଡାଉନ ପରିସ୍ଥିତି ଦୃଷ୍ଟିରୁ ଏବଂ ଏହା ପରେ ପିଏମବିଜେକେ ଅନେକ ଚାଲେଞ୍ଜର ସାମ୍ନା କରିଛି । ସେଥି ମଧ୍ୟରେ ଏପିଆଇର ଅଭାବ ଏବଂ ଫାର୍ମାସିଉଟିକାଲ୍ସ ପାଇଁ ଆବଶ୍ୟକ ଅନ୍ୟାନ୍ୟ କଞ୍ଚାମାଲର ଅଭାବ ତଥା ପରିବହନ ସମସ୍ୟା ଇତ୍ୟଦି ଯୋଗୁ କେନ୍ଦ୍ରୀୟ ଭଣ୍ଡାର କିମ୍ବା କ୍ଷେତ୍ରୀୟ ୱେରହାଉସରୁ  ରିଟେଲ ଷ୍ଟୋର ପର୍ଯ୍ୟନ୍ତ ଔଷଧପତ୍ର ଯୋଗାଣ କ୍ଷେତ୍ରରେ ଉତ୍ପନ୍ନ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା । ଏହିସବୁ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଏବଂ ସଂପ୍ରସାରଣ ଯୋଜନାକୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଏକ ଆଇଟି ସକ୍ଷମ ସକ୍ରିୟ ଲଜିଷ୍ଟିକ୍ସ ଓ ଯୋଗାଣ ଚେନ୍ ବ୍ୟବସ୍ଥା ପ୍ରବର୍ତ୍ତନ କରିବା ନିମନ୍ତେ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଏହାଦ୍ୱାରା ରିଅଲ୍ ଟାଇମ୍ ଆଧାରରେ ସମସ୍ତ ଆଉଟଲେଟକୁ ଔଷଧ ଯୋଗାଣ ସୁନିଶ୍ଚିତ କରାଯିବାର ଯୋଜନା ପ୍ରସ୍ତୁତ କରାଯାଇଛି ।

ବର୍ତ୍ତମାନ ଦେଶର ଚାରିଟି ସ୍ଥାନରେ ଜନଔଷଧି କେନ୍ଦ୍ରର କ୍ଷେତ୍ରୀୟ ୱେରହାଉସ୍ ରହିଛି । ସେଗୁଡ଼ିକ ହେଲା ଗୁରୁଗ୍ରାମ, ଚେନ୍ନାଇ, ବେଙ୍ଗାଲୁରୁ ଏବଂ ଗୌହାଟୀ । ଅଧିକନ୍ତୁ ଏବେ କେନ୍ଦ୍ରୀୟ ଭାରତରେ ଆଉ ଦୁଇଟି ୱେର ହାଉସ୍ ସ୍ଥାପନ ସକାଶେ ଯୋଜନା ପ୍ରସ୍ତୁତ କରାଯାଉଛି । ଏହାତିରିକ୍ତ ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରରେ ବିତରକମାନଙ୍କୁ ନିଯୁକ୍ତ କରିବା ଦ୍ୱାରା ଯୋଗାଣ ଚେନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଇପାରିବ ବୋଲି ମଧ୍ୟ ଚିନ୍ତା କରାଯାଉଛି ।

2020-21 ଠାରୁ 2024-25 ପର୍ଯ୍ୟନ୍ତ ଏଥିପାଇଁ 490 କୋଟି ଟଙ୍କାର ବଜେଟକୁ ମଞ୍ଜୁରି ପ୍ରଦାନ କରାଯିବା ପରେ ପିଏମବିଜେପି ଯୋଜନା ମାଧ୍ୟମରେ ଗୁଣାତ୍ମକ ଔଷଧମାନଙ୍କର ମୂଲ୍ୟକୁ ଯଥେଷ୍ଟ ମାତ୍ରାରେ କାଟ କରାଯାଇପାରିଛି ଏବଂ ସେସବୁକୁ ଦେଶର ଜନସାଧାରଣମାନଙ୍କ ପାଇଁ, ଏବଂ ବିଶେଷ କରି ଗରିବ ଲୋକଙ୍କ ନିମନ୍ତେ ଉପଲବ୍ଧ କରାଯାଉଛି ବୋଲି ଶ୍ରୀ ଗୌଡ଼ା କହିଛନ୍ତି ।

Nalco
Leave A Reply