ହିନ୍ଦୁ କ୍ୟାଲେଣ୍ଡରରେ ପ୍ରତି ୩ ବର୍ଷରେ ମଳମାସ ଆସିଥାଏ। ଯାହାକୁ ଅଧିମାସ ଓ ପୁରୁଷୋତ୍ତମ ମାସ ବୋଲି ମଧ୍ୟ କୁହାଯାଏ। ଏବର୍ଷ ଆଜିଠାରୁ ମଳମାସ ଆରମ୍ଭ ହେଉଛି।ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଏହି ଦିନଟି ପ୍ରତିପଦ ତିଥିରେ ପଡୁଥିବା ବେଳେ ଚନ୍ଦ୍ର ଓ ସୂର୍ଯ୍ୟ ଉଭୟ କନ୍ୟାରାଶିରେ ବିରାଜମାନ କରୁଛନ୍ତି। ହିନ୍ଦୁଙ୍କ ଲାଗି ଏହି ମାସଟି ଧାର୍ମିକ ମହତ୍ୱର ମାସ। ପୂଜାପାଠ, ଭାଗବତ ଭକ୍ତି, ବ୍ରତ ଉପବାସ, ଜପ ଓ ଯୋଗ ଭଳି ଧାର୍ମିକ କାର୍ଯ୍ୟ ଲାଗି ମାସଟି ପ୍ରକୃଷ୍ଠ। ମାନ୍ୟତା ଅନୁସାରେ ଏହି ମାସରେ କରାଯାଉଥିବା ଧର୍ମକର୍ମର ଫଳ ଅନ୍ୟମାସ ତୁଳନାରେ ୧୦ଗୁଣା ଅଧିକ ମିଳିଥାଏ।
ତେବେ ଧାର୍ମିକ ମାନ୍ୟତା ଅନୁସାରେ ଏହି ମାସରେ ସମସ୍ତ ଶୁଭ କାର୍ଯ୍ୟ ବର୍ଜିତ ହୋଇଥାଏ। ଏପରି ସମୟରେ ନାମକରଣ, ବ୍ରତୋପନୟନ, ବିବାହ ଓ ସାଧାରଣ ଧାର୍ମିକ କାର୍ଯ୍ୟ ଯେପରି ନୂତନ ଗୃହପ୍ରବେଶ, ନୂଆ ମୂଲ୍ୟବାନ ସାମଗ୍ରୀ କ୍ରୟ କରାଯାଇ ନଥାଏ। ଅତିରିକ୍ତ ହୋଇଥିବା କାରଣରୁ ଏହି ମାସ ମଳିନ ବୋଲି କୁହାଯାଏ। ଏଣୁ ମାସ ନାମ ମଳ ମାସ କୁହାଯାଏ। ଏହି ଅଧିକ ମାସର ସ୍ୱାମୀ ଭଗବାନ ବିଷ୍ଣୁ ସ୍ୱୟଂ। ପୁରୁଷୋତ୍ତମ ଭଗବାନ ବିଷ୍ଣୁଙ୍କ ଆଉ ଏକ ନାମ । ଏଣୁ ଏହାକୁ ତାଙ୍କ ନାମରେ ଉତ୍ସର୍ଗ କରାଯାଇଛି।
ତେବେ ଜ୍ୟୋତିଷୀୟ କାଳଗଣନାରେ ପ୍ରତ୍ୟେକ ବର୍ଷ ୩୬୫ ଦିନ ଓ ୬ ଘଣ୍ଟା ହୋଇଥାଏ। ସେହିପରି ଚନ୍ଦ୍ର ବର୍ଷ ୩୫୪ ଦିନର। ଉଭୟ ମାସ ମଧ୍ୟରେ ପ୍ରାୟ ୧୧ ଦିନର ଅନ୍ତର ରହିଥାଏ। ଯାହା ପ୍ରତି ୩ ବର୍ଷରେ ଗୋଟିଏ ଅତିରିକ୍ତ ମାସ ଭାବେ ଗଣନା କରାଯାଏ। ଯେହେତୁ ଅତିରିକ୍ତ ମାସ ଓ ଶୁଭାଶୁଭ କାର୍ଯ୍ୟ ବର୍ଜିତ ଏଣୁ ମହାଳୟା ଅମାବାସ୍ୟା ପରଦିନଠାରୁ ଶକ୍ତି ଉପାସନା ଅର୍ଥାତ ଶାରଦୀୟ ଦୁର୍ଗାପୂଜା ବିଳମ୍ବିତ ହୋଇଛି। ଆସନ୍ତା ମାସ ୧୭ ତାରିଖରୁ ପୁଣି ଶୁଦ୍ଧକାଳ ଆରମ୍ଭ ସହ ଦୂର୍ଗା ଉପାସନା ଆରମ୍ଭ ହେବ।