Odisha news

ଗୋପୀନାଥପୁର-ଶିଙ୍ଗାଖୁଣ୍ଟା ରାସ୍ତା ଅବସ୍ଥା ଖରାପ, ଯାତାୟତ ବାଧାପ୍ରାପ୍ତ

0

ସୋର : ଗୋପୀନାଥପୁର ରାସ୍ତାରୁ ମଙ୍ଗଳପୁରଠାରୁ ସିନ୍ଧୁଆକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିବା ଫଳରେ ଯାତାୟତ ବାଧାପ୍ରାପ୍ତ ହେବା ସହିତ ଦୁର୍ଘଟଣା ଘଟୁଥିବା ଜଣାଯାଇଛି । ସୋର ବ୍ଲକ ଶିଙ୍ଗାଖୁଣ୍ଟା ପଞ୍ଚାୟତ ସିନ୍ଧୁଆ  ପର୍ଯ୍ୟଟନ ସ୍ଥଳୀକୁ ସଂଯୋଗ କରୁଥିବା ଏହି ରାସ୍ତାରେ ଆମ୍ବୁଲାନ୍ସ, ଫାୟାର ଗାଡ଼ି ଏବଂ ସ୍କୁଲ ଗାଡ଼ି  ଯିବା କଷ୍ଟକର ହୋଇପଡ଼ୁଛି ।

ଗତ ବନ୍ୟା ପ୍ରଭାବରେ ଏହି ରାସ୍ତାର ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯାଇଥିବା ବେଳେ ଏବେ ଲୋକମାନଙ୍କ ପାଇଁ ମରଣଯନ୍ତା ପାଲଟିଛି । ଶଙ୍କରଦା ପାଖରେ କେନାଲ ରାସ୍ତା ବୁଡ଼ି ପାଣି ସୁଅ ଚାଲିବା ଫଳରେ ରାସ୍ତା ଅବସ୍ଥା ଅଧିକ ଖରାପହୋଇ ପଡ଼ିଛି । ସେହିପରି ସିନ୍ଧୁଆ ପୋଲପାଖରେ ଏବଂ  ଶିଙ୍ଗାଖୁଣ୍ଟା ପାଖରେ ପାଣିବୁଡ଼ି ରାସ୍ତା ଉପରେ ପାଣି ସୁଅ ଚାଲିବା ଫଳରେ ସିମିଳିଖୋଲ ପର୍ଯ୍ୟନ୍ତ ରାସ୍ତା ସମ୍ପୂର୍ଣ୍ଣ ଭାବେ ଖରାପ ହୋଇପଡ଼ିଛି ।

୭ କିଲୋମିଟର ବିଶିଷ୍ଟ ଏହି ମୁଖ୍ୟରାସ୍ତା ଉପରେ ତିନିଟି ପଞ୍ଚାୟତ- ଗୋପୀନାଥପୁର, ଶିଙ୍ଗାଖୁଣ୍ଟା ଓ ଶ୍ୟାମସୁନ୍ଦରପୁରର ପାଖାପାଖି ୫୦ଖଣ୍ଡ ଗାଁର ହଜାର ହଜାର ଲୋକ ଯାତାୟତ କରିଥାନ୍ତି । କୁମ୍ଭୀ, ଜୋକା, ସିମୁଳିପାଟଣା,ସିମିଳିଖୋଲ, ସିନ୍ଧୁଆ, ନୂଆଗାଁ, ନୂଆଶାସନ, ମୁଣ୍ଡମରେଇ, ଗୁଜଢିହା, ସରଳିଆ, ମଢ଼ିଆ, ହାତୀଖୋଲିଆ ପ୍ରଭୃତି ଗ୍ରାମର ଲୋକମାନେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ଦୀର୍ଘଦିନ ପୂର୍ବରୁ ନିର୍ମାଣ ହୋଇଥିବା ଏହି ରାସ୍ତା ମରାମତି ଅଭାବରୁ ରାସ୍ତା ମଝିରେ ଆଣ୍ଠୁଏ ଲେଖାଁଏ ଗାତ ହୋଇ ବର୍ଷା ଯୋଗୁଁ ଆହୁରି ଖରାପ ହେବାରେ ଲାଗିଛି ।

ବନ୍ୟା ଯୋଗୁଁ ରାସ୍ତା ଉପରେ ପାଣି ସୁଅ ଚାଲିବା ଫଳରେ ରାସ୍ତା ଅବସ୍ଥା ଅଧିକ ଶୋଚନୀୟ ହୋଇପଡ଼ିଥିବାରୁ ଏହାକୁ ତୁରନ୍ତ ନିର୍ମାଣ ପାଇଁ ସ୍ଥାନୀୟ ସମାଜସେବୀ ସୁନୀଲ ବିଶ୍ୱାଳ, କମଳବନ୍ଧୁ ବିଶ୍ୱାଳ, ଜ୍ୟୋତିରଂଜନ ଜେନା, ରମାକାନ୍ତ ପାତ୍ର, ସଂଜୟ କୁମାର ବିଶ୍ୱାଳ, ମନୋଜ କୁମାର ସେନାପତି, ଅରୁଣ କୁମାର ଦାସ, ସଂଜୟ କୁମାର ସିଂ, ନରେନ୍ଦ୍ର କୁମାର ସାମନ୍ତରାୟ, ମୁରଲୀଧର ପାଢ଼ୀ, ପ୍ରଫୁଲ୍ଲ ସିଂ, ବଳରାମ ବାରିକ, ଉଦୟଭାନୁ ପରିଡ଼ା ଓ ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଦାବି କରିଛନ୍ତି ।

Leave A Reply