Odisha news

ଯାଜପୁର କେଲୁଅ ନଦୀରେ କୃତ୍ରିମ ଘାଇ ସୃଷ୍ଟି କରିବା ପ୍ରସଙ୍ଗ ଡିନାମାଇଟ ଲଗାଇ ଘାଇ ସୃଷ୍ଟି କରିବା ଦେଶଦ୍ରୋହୀ କାର୍ଯ୍ୟ : ଲେଖାଶ୍ରୀ ସାମନ୍ତସିଂହାର

0

 କୃତ୍ରିମ ଘାଇର ତଦନ୍ତ ନ୍ୟାୟପାଳିକାର ଜଣେ ଉଚ୍ଚପଦସ୍ତ ଜଜ୍ ଙ୍କ ଅଧୀନରେ କରାଯାଉ
 ମାମୁଁ ଭଣଜା ଯୋଡି ଡିନାମାଇଟ ଲଗାଇ ନଦୀ ବନ୍ଧ ଭାଙ୍ଗି ଲକ୍ଷାଧିକ ଜୀବନକୁ ବିପଦ ମୁହଁକୁ ଠେଲିଦେଇଛନ୍ତି
 ମାମୁଁ -ଭଣଜା ଯୋଡିଙ୍କୁ ସୁରକ୍ଷା ଦେବା ପାଇଁ ଚାଲିଛି ବିରାଟ ଷଡଯନ୍ତ୍ର
 କେଲୁଅ ନଦୀ ବନ୍ଧରେ ୩୦୦ ଫୁଟର କୃତ୍ରିମ ଘାଇ କରିବାରେ ମାମୁଁ ଭଣଜାଙ୍କ ହାତ ରହିଛି
 କୃତ୍ରିମ ଘାଇ ଫଳରେ ୬୭ଟି ଗାଁ ଜଳମଗ୍ନ ହୋଇଛି ଏବଂ ୫ ହଜାରରୁ ଉଦ୍ଧ୍ୱର୍ ପରିବାର ଭୋକ ଉପାସରେ ଦିନ କାଟୁଛନ୍ତି
 ରାଜସ୍ୱ ଅର୍ଥ ହଡପ ଆଶାରେ ରାତିଅଧିଆ ଡିନାମାଇଟ ଲଗାଇ ବନ୍ଧ ଭଙ୍ଗାଯାଇଛି
 ନଦୀର ସ୍ରୋତ କମ୍ ଥିବାବେଳେ ଘାଇ କିପରି ସୃଷ୍ଟି ହେଲା ?
 ଏଭଳି ଜଘନ୍ୟ ଅପରାଧ ପଛରେ କାହାର ହାତ ରହିଛି?
 ଡିନାମାଇଟ ଆସିଲା କେଉଁଠୁ ?
 କାହା ନିଦେ୍ର୍ଦଶରେ ଡିନାମାଇଟ ପକାଇ ଘାଇ କରାଯାଇଛି?
 ମୁଖ୍ୟ ଶାସନ ସଚିବ ୨ ଜଣ ଗିରଫ ହୋଇଥିବା କହୁଥିବାବେଳେ ଏପର୍ଯ୍ୟନ୍ତ ଥାନା ଅଧିକାରୀ କେହି ଗିରଫ ହୋଇନଥିବା କଥା ସ୍ପଷ୍ଟ କରିଛନ୍ତି
 କରଦାତାଙ୍କ ଟିକସ ପଇସାରେ ଶାସକ ଦଳ ବେଆଇନ କାର୍ଯ୍ୟ କରିବାରେ ମାତିଛି
 ସାଧାରଣ ଲୋକଙ୍କ ସଂପତି ଧ୍ୱସଂ କରିବା ୧୯୮୪, ଏକ୍ସପ୍ଲୋସିଭ ଆକ୍ଟ ୧୮୮୪, ସାଧାରଣ ଲୋକଙ୍କ ଜୀବନ ଜୀବିକାକୁ ବାଧା ପହଂଚାଇବା ସେଡିସନ ଆକ୍ଟ ୧୮୭୦ ଏବଂ ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଂଟ ଆକ୍ଟ ଅନୁଯାୟୀ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ରାଜ୍ୟସରକାର

ଭୁବନେଶ୍ୱର,ତା.୩୧/୮: ଦ୍ୱାପର ଯୁଗରେ ମାମୁଁ ଭଣଜା ଯୋଡି ଯେପରି ମହାଭାରତ ଯୁଦ୍ଧର ରଚନା କରିଥିଲେ । ଠିକ୍ ସେହିପରି ଯାଜପୁର ଜିଲ୍ଲାରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଏବଂ ତାଙ୍କ ମାମୁଁ ନରେନ ଜେନା ଓରଫ ବାଦଲ ଜେନା ଷଡଯନ୍ତ୍ର କରି ରାଜସ୍ୱ ଅର୍ଥକୁ ହରିଲୁଟ୍ କରିବା ପାଇଁ ବିଧିବନ୍ଧ ଯୋଜନା ଆପଣାଇଛନ୍ତି ।

ବିଜେଡି ଶାସନରେ ଏହି ମାମୁଁ ଭଣଜା ଯୋଡି ଡିନାମାଇଟ ଲଗାଇ କେଲୁଅ ନଦୀ ବନ୍ଧ ଭାଙ୍ଗି ଲକ୍ଷାଧିକ ଜୀବନକୁ ବିପଦ ମୁହଁକୁ ଠେଲିଦେଇଛନ୍ତି । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କୋତପୁର ପଂଚାୟତର କେଲୁଅ ନଦୀ ବନ୍ଧରେ ଡିନାମାଇଟ ଲାଗଇ ୩୦୦ ଫୁଟର କୃତ୍ରିମ ଘାଇ କରିବାରେ ମାମୁଁ ଭଣଜାଙ୍କ ହାତ ରହିଛି । ଡିନାମାଇଟ ଲଗାଇ ଘାଇ ସୃଷ୍ଟି କରିବା ଦେଶଦ୍ରୋହୀ କାର୍ଯ୍ୟ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।

ଡ.ସାମନ୍ତସିଂହାର କହିଛନ୍ତି ଯେ, ପୂର୍ବରୁ ଧର୍ମଶାଳାରେ ଡିନାମାଇଟ ଲଗାଇ ଡଙ୍କାରି ପାହାଡରୁ ବେଆଇନ ଭାବେ ଖଣି ଖନନ କରାଯାଇ କୋଟି କୋଟି ଟଙ୍କା ଲୁଟ୍ କରାଯାଇଛି । ସେହି ଧର୍ମଶାଳାରେ ବିଜେଡି ନେତା ମାନେ ପିଇଓ ସ୍ମିତାରାଣୀଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିଲେ । ଆଉ ଏବେ ଧର୍ମଶାଳା ବ୍ଲକରେ କୋତପୁର ପଂଚାୟତର କେଲୁଅ ନଦୀ ବନ୍ଧରେ ଡିନାମାଇଟ ଲଗାଇ କୃତ୍ରିମ ଘାଇ ସୃଷ୍ଟି କରିଛନ୍ତି । ଏବେ ଘାଇ ସୃଷ୍ଟି ହେବାଫଳରେ ୬୭ଟି ଗାଁ ଜଳମଗ୍ନ ହୋଇଛି ।

୫ ହଜାରରୁ ଉଦ୍ଧ୍ୱର୍ ପରିବାର ଭୋକ ଉପାସରେ ଦିନ କାଟୁଛନ୍ତି । ଏହି ଘାଇ ମନୁଷ୍ୟକୃତ ବୋଲି ଯାଜପୁର ଜିଲ୍ଲାପାଳ ଏବଂ ମୁଖ୍ୟ ଶାସନ ସଚିବ ମଧ୍ୟ ସ୍ୱୀକାର କରିଛନ୍ତି । କୃତ୍ରିମ ଘାଇ କରାଯାଇଥିବା ରାସ୍ତା ୫ଟି ପଂଚାୟତକୁ ସଂଯୋଗ କରୁଥିଲା । ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗତ ବର୍ଷ ଏହି ରାସ୍ତାକୁ ୨୪.୪୨ କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତାର ଉନ୍ନତିକରଣ କରାଯାଇଥିଲା । ଏବେ ପୁଣିଥରେ ରାଜସ୍ୱ ଅର୍ଥ ହଡପ ଆଶାରେ ରାତିଅଧିଆ ଡିନାମାଇଟ ଲଗାଇ ବନ୍ଧ ଭଙ୍ଗାଯାଇଛି । ନଦୀର ସ୍ରୋତ କମ୍ ଥିବାବେଳେ ଘାଇ କିପରି ସୃଷ୍ଟି ହେଲା ? ଏଭଳି ଜଘନ୍ୟ ଅପରାଧ ପଛରେ କାହାର ହାତ ରହିଛି? ଡିନାମାଇଟ ଆସିଲା କେଉଁଠୁ ? କାହା ନିଦେ୍ର୍ଦଶରେ ଏହି ଡିନାମାଇଟ ପକାଇ ଘାଇ କରାଯାଇଛି ତାହାର ବିଧିବନ୍ଧ ତଦନ୍ତ କରାଯାଉ ।

କୃତ୍ରିମ ଘାଇ ହୋଇଥିବା ରମାପୁର ଓ ବୃଦ୍ଧଲିଙ୍ଗ ରାସ୍ତା ଆର ଏଣ୍ଡ ବି ଡିଭିଜନ ଅଧୀନରେ ଆସୁଛି, ଯାହାର ଜେ.ଇ ହେଉଛନ୍ତି ଧର୍ମଶାଳା ବିଧାୟକଙ୍କ ନିଜ ମାମୁଁ ନରେନ ଜେନା । ସେ ଜେ.ଇ ୨୦ ବର୍ଷ ଧରି ସେହି ଡିଭିଜନରେ ଥିବା ସତ୍ୱେ ତାଙ୍କର ବଦଳି କିମ୍ବା ପଦୋନ୍ନତି ହେଉନାହିଁ । ବିଧାୟକ ଭଣଜାଙ୍କ ଛତ୍ରଛାୟା ତଳେ ମାମୁଁ ଖୁଲମଖୁଲା ବେଆଇନ କାର୍ଯ୍ୟ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ବୋଲି ଡ.ସାମନ୍ତସିଂହାର କହିଛନ୍ତି ।
୨୦ ବର୍ଷରେ ଶାସନରେ ବିଜେଡି ଦଳ କୁଜି ନେତା, ପେଟି କଂଟ୍ରାକ୍ଟର ଏବଂ ଅପରାଧିକ ତତ୍ୱମାନଙ୍କୁ ସୃଷ୍ଟି କରିଛି । ବିଜେଡି ଦଳର ନେତାମାନେ ସରକାରୀ ଅର୍ଥକୁ ଆତ୍ମସାତ କରିବା, କେନ୍ଦ୍ର ଅର୍ଥକୁ ଆତ୍ମସାତ କରି ଲୋକଙ୍କ ପଇସାକୁ ହେରଫେର କରିବା ଆଦି ବେଆଇନ କାର୍ଯ୍ୟକୁ ବ୍ୟାପକ କରାଇଛନ୍ତି ।

କରଦାତାଙ୍କ ଟିକସ ପଇସାରେ ଶାସକ ଦଳ ବେଆଇନ କାର୍ଯ୍ୟ କରିବାରେ ମାତିଛି । ଅନ୍ୟପଟେ କୃତ୍ରିମ ଘାଇ ସୃଷ୍ଟି ହେବା ପରେ ମୁଖ୍ୟ ଶାସନ ସଚିବ ୨ ଜଣ ଗିରଫ ହୋଇଥିବା କହୁଥିବାବେଳେ ଏପର୍ଯ୍ୟନ୍ତ ଥାନା ଅଧିକାରୀ କେହି ଗିରଫ ହୋଇନଥିବା କଥା ସ୍ପଷ୍ଟ କରିଛନ୍ତି । ରାଜ୍ୟସରକାର, ଜିଲ୍ଲା ପ୍ରଶାସନ ଏବଂ ପୋଲିସ କାହିଁକି ଏ ଘଟଣାରେ ଚୁପ୍ ରହିଛି? ମାମୁଁ -ଭଣଜା ଯୋଡିଙ୍କୁ ସୁରକ୍ଷା ଦେବା ପାଇଁ ବିରାଟ ଷଡଯନ୍ତ୍ର ଚାଲିଛି ବୋଲି ଡ.ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।

ଏହି ଜଘନ୍ୟ ଷଡଯନ୍ତ୍ର ପଛରେ ବିଧାୟକ ଏବଂ ତାଙ୍କ ମାମୁଁଙ୍କର ସଂପୃକ୍ତି ରହିଛି । ସାଧାରଣ ଲୋକଙ୍କ ସଂପତି ଧ୍ୱସଂ କରିବା ୧୯୮୪, ଏକ୍ସପ୍ଲୋସିଭ ଆକ୍ଟ ୧୮୮୪, ସାଧାରଣ ଲୋକଙ୍କ ଜୀବନ ଜୀବିକାକୁ ବାଧା ପହଂଚାଇବା ସେଡିସନ ଆକ୍ଟ ୧୮୭୦ ଏବଂ ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଂଟ ଆକ୍ଟ ଅନୁଯାୟୀ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ରାଜ୍ୟସରକାର । ଏହି ଘଟଣାର ତଦନ୍ତ ନ୍ୟାୟପାଳିକାର ଜଣେ ଉଚ୍ଚପଦସ୍ତ ଜଜ୍ ଙ୍କ ଅଧୀନରେ କରାଯାଉ । ବନ୍ୟା ପ୍ରପୀଡିତ ମାନଙ୍କୁ ସ୍ଥାନୀୟ ପ୍ରଶାସନ ସମସ୍ତ ପ୍ରକାରର ସୁବିଧା ଯୋଇଦେବା ପାଇଁ ଡ.ସାମନ୍ତସିଂହାର ଦାବୀ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ ଉପସ୍ଥିତ ଥିଲେ ।

Leave A Reply