ଜଳେଶ୍ୱର, ୨୭/୮ : ଗତ ୨ ଦିନ ଧରି ସୁବର୍ଣ୍ଣରେଖାର ଜଳପତ୍ତନ ବଢିଚାଲିଥିଲେ ମଧ୍ୟ ଜୁନ୍ ଜୁଲାଇରେ ବର୍ଷର ନ ଥିବାରୁ ଏବେ ବିପଦ ସଂକେତର ବହୁ ତଳେ ଜଳସ୍ରୋତ ପ୍ରବାହିତ ହେଉଥିଲା । ଆଜି ସଂଧ୍ୟା ୬ଟାରେ ରାଜଘାଟ ରେଳବାଇ ଗେଜ୍ଠାରେ ଜଳପତ୍ତନ ୯.୬୩ ମିଟରରେ ପ୍ରବାହିତ ହେଉଥିବା ବେଳେ ରାତି ୨ଟାରେ ବିପଦ ସଂକେତ ୧୦.୩୬ ମିଟର ଛୁଇଁବ । ସକାଳ ୬ଟାରେ ଏହା ୧୧ମିଟରରେ ପ୍ରବାହିତ ହେବ ବୋଲି ଆଜି ସିଡବ୍ଲୁସି ଓ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ ଆଜି ମଧ୍ୟ ସୁ ବର୍ଣ୍ଣରେଖା ଉପର ମୁଣ୍ଡରେ ଜାମଶୋଳାଘାଟ ଠାରେ ୪୯.୪ ମିମି, ଜାମସେଦପୁରରେ ୧୧.୨ ମିମି, ଆଦିତ୍ୟପୁରରେ ୮.୬, ମୋରୀରେ ୪.୨ ମିମି, ଚାନ୍ଦିଲିରେ ୧୧.୮ ମିମି, ଘାଟଶୀଳାରେ ୨୨.୦ ମିମି, ଫେକଘାଟରେ ୧୯.୮ ମିମି, ଗୋପିବଲ୍ଲଭପୁରରେ ୧୯.୪ ମିମି ଓ ରାଜଘାଟରେ ୫୬.୨ ମିମି ବର୍ଷା ହୋଇଥିବା ରେକଡ ହୋଇଛି । ଉପର ମୁଣ୍ଡର ଏହି ବର୍ଷାପାଣି ରାଜଘାଟଠାରେ ପହଞ୍ଚିବାପାଇଁ ୨୪ରୁ ୩୦ ଘଣ୍ଟା ସମୟ ଲାଗିଥାଏ । ଚାନ୍ଦିଲି ନିକଟରେ ଥିବା ବାଲୁଡିହଠାରେ ଆଜି ଦିନ ତମାମ ୧୨ଟି ଗେଟ୍ ଖୋଲା ରହିଥିବାରୁ ଏବଂ ପ୍ରତି ସେକେଣ୍ଡରେ ୭ହଜାର କ୍ୟୁମିକ ପାଣି ନିଷ୍କାସିତ ହେଉଥିବାରୁ ଏହା ପରିସ୍ଥିତିକୁ ଅଣାୟତ୍ତର କରିବ ବୋଲି ସୂଚନା ମିଳିଛି ।
ସୁବର୍ଣ୍ଣରେଖା ନଦୀ କୁଳେ କୁଳେ ଥିବା ବହୁ ଗାଁ ପ୍ରତି ବିପଦ ସୃଷ୍ଟି କରିଛି । କେତେକ ସ୍ଥାନରେ ନଦୀରେ ଘଳିଆ ପଡୁଥିବାର ଲକ୍ଷ କରାଯାଉଛି । ସତର୍କସ୍ତରରେ ସୁବର୍ଣ୍ଣରେଖା ବନ୍ୟାଜଳ ଆଜି ପୂର୍ବାହ୍ନଠାରୁ ଗତି କରୁଥିବାରୁ ନଦୀକୁ ଲାଗିଥିବା ଖାଳ ଗୁଡିକ ଦ୍ୱାରା ବନ୍ୟାପାଣି ସମତଳ ଅଂଚଳକୁ ପ୍ରବାହିତ ହେଉଛି । ଫଳରେ ଧୋୟାଞ୍ଚଳ କୁହାଯାଉଥିବା ଜଳେଶ୍ୱର ଓ ଭୋଗରାଇର ୩୬ଟି ପଂଚାୟତ ବନ୍ୟାପାଣିରେ ବୁଡିବାର ଆଶଙ୍କା ରହିଛି । ବର୍ଷାପାଣି ଧୋୟା ଅଂଚଳରୁ ନିଷ୍କାସନ ହୋଇନଥିବାରୁ ଏହି ବନ୍ୟା ପରିସ୍ଥତିକୁ ବିଗାଡିବ ବୋଲି ନେତୃସ୍ଥାନୀୟ ବ୍ୟକ୍ତି, ଅଭିଜ୍ଞ କୃଷକମାନେ ମତପ୍ରକାଶ କରିଛନ୍ତି ।