ଡେରାବିଶ, ୨୪ା୮ – ଗତ ଦୁଇସପ୍ତାହ ହେବ ଲଘୁଚାପ ଜନିତ ଲାଗାଣ ବର୍ଷାରେ ଡେରାବିଶ ବ୍ଲକ ଅଂଚଳର ହଜାର ହଜାର ହେକ୍ଟର ଚାଷ ଜମି ଜଳପ୍ଳାବିତ ହୋଇଛି । ଚାଷଜମିରେ ରୁଆ ହୋଇଥିବା ଧାନ ଫସଲ ଓ ପନିପରିବା ଫସଲ ଉପରେ ଦୁଇରୁ ତିନିଫୁଟ ପାଣି ଜମି ରହିବା ଫଳରେ ସେଗୁଡ଼ିକ ପଚି ଯିବାରେ ଲାଗିଲାଣି । ଜଳ ନିଷ୍କାସନ ଦାୟିତ୍ୱରେ ଥିବା ବିଭାଗୀୟ କତୃପକ୍ଷ ନିଦାବିଷ୍ଣୁ ପାଲଟିଥିବାରୁ ଚାଷୀମାନଙ୍କ ଅସନ୍ତୋଷ ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି ।
ଡେରାବିଶ ବ୍ଲକ ଅଂଚଳର ଶତାଧିକ ଚାଷୀ ବ୍ୟାପକ ଧାନ ଓ ଅନ୍ୟାନ୍ୟ ଫସଲ ନଷ୍ଟ ଆଶଙ୍କା କରି ଆଜି ତହସିଲ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ । ଧାରଣାରେ ବସିଥିବା ବାଲିଆ, ଗୋଲରାହାଟ, ରଘୁଦେଇପୁର, ଚାଟରାଚକଡ଼ା ପଂଚାୟତର ଶହଶହ ଚାଷୀଙ୍କୁ ତହସିଲଦାର ସମ୍ବିତ କୁମାର ଶତପଥି ଚାଷିମାନଙ୍କୁ ଭେଟି ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ଶୁଣି ସେମାନଙ୍କ ଦାବିପତ୍ର ଗ୍ରହଣ କରିଥିଲେ । ତହସିଲଦାର ଶ୍ରୀ ଶତପଥି ଚାଷୀମାନଙ୍କ ସହ ଆଲୋଚନା କରି ସେମାନଙ୍କ ଦାବୀ ପୁରଣ ପାଇଁ ପଦକ୍ଷପ ନିଆଯିବାର ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ବିକ୍ଷୋଭରୁ ଓହରି ଯାଇଥିଲେ