ଇଂ ଶୁଭାଶିଷ ସୈାଭାଗ୍ୟ ଶେଖର ସ୍ୱାଇଁ : ଫକିରମୋହନ ସେନାପତି ଲେଖିଛନ୍ତି, ‘ଚିରଦିନ କା’ର ନଯାଏ ସମାନ, ନିୟତିର ଚକ୍ର ନିତ୍ୟ ଭ୍ରାମ୍ୟମାଣ ।’ ସବୁଦିନ ସମାନ ଯାଏ ନାହିଁ । ସଂସାର ସର୍ବଦା ପରିବର୍ତ୍ତନଶୀଳ । ପ୍ରତ୍ୟେକ ମୂହୁର୍ତ୍ତରେ ଘଟୁଥିବା ଘଟଣା ବଳୀରେ ଆମେ ଏକ କ୍ଷୁଦ୍ର ଅଂଶ ମାତ୍ର । ଏହି ନିୟତିର ଚକ୍ରରୁ କେହି ବାଦ ନୁହଁନ୍ତି । ତେଣୁ ଜୀବନ ଚକ୍ରରେ ମୃତ୍ୟୁ ଦ୍ୱାରା ପୂର୍ଣ୍ଣଚ୍ଛେଦ ପଡିବା ଏକ ନିତ୍ୟ ଘଟଣା । ଏହା ଦୁଃଖଦିଏ ଓ ଶୋକାକୁଳ କରାଏ, ଏହା ଜାଣି ବି ଯେ ମୃତ୍ୟୁ ର ବିକଳ୍ପ ନାହିଁ । ଦେବତା ମାନବ ରୂପରେ ଜନ୍ମ ନେଇ ବି ମୃତ୍ୟୁକୁ ଆଦରିଛନ୍ତି । ମନେହୁଏ ମୃତ୍ୟୁ ର ଅର୍ଥ ବୁଝିବାରେ ଆମେ ଅବୁଝା ହେଉଛନ୍ତି ।
ମୃତ୍ୟୁର ସମୟ ଅନିଶ୍ଚିତ, କିନ୍ତୁ ଜନ୍ମ ପରେ ମୃତ୍ୟୁ ନିଶ୍ଚିତ । ମୃତ୍ୟୁ କୁ ଲୋକେ ଦୋଷ ଦେବାର ଦେଖାଯାଏ ନାହିଁ । ଦୋଷ ହୁଏ, ରୋଗ-ବ୍ୟାଧି ଓ ଦୁର୍ଘଟଣା ଆଦିର । ଯେପରି କୁହାଯାଏ- କ୍ୟାନସର ଯୋଗୁ ତାଙ୍କର ମୃତୁ୍ୟ ହୋଇଥିଲା । ସେ ହୃଦ୍ଘାତ ହେଉ ବା କିଡିନ୍ ଫେଲ, ପ୍ରତ୍ୟେକ ଗୋଟିଏ ଗୋଟିଏ ମୃତ୍ୟୁ ର ରୂପ । ଜୀବନରେ ମୃତୁ୍ୟ ଅନିବାର୍ଯ୍ୟ ଜାଣି ମଧ୍ୟ ପ୍ରଶ୍ନ ଉଠାଯାଏ ବେଳ ଅବେଳକୁ ନେଇ । ଆଜିର ବିଜ୍ଞାନ ଯୁଗରେ ଅହରହ ପ୍ରୟାସ ମୃତ୍ୟୁ କୁ ବିଳମ୍ବରେ ପ୍ରାପ୍ତ କରିବାକୁ । ବୁଝାପଡେ ନାହିଁ ମୃତ୍ୟୁ ପରେ ଯଦି ସ୍ୱର୍ଗଲୋକ ଯାତ୍ରା ହୁଏ ତାହେଲେ ମର୍ତ୍ତ୍ୟଲୋକ ଛାଡିବାର ମୋହ ତୁଟେ ନାହିଁ କାହିଁକି ? ଅସମୟରେ ଶରୀର ତ୍ୟାଗ ପରିବାର, ସମାଜ, ବନ୍ଧୁପରିଜନଙ୍କୁ ଶୋକାକୁଳ କରେ ନିଶ୍ଚିତ । କହିପାରିବା କି ଏକ ସମୟ ଯେତେବେଳେ ମୃତ୍ୟୁ କୁ କୋଳାଇ ନେବାରେ ପ୍ରସ୍ତୁତ ହୋଇଥିବା ଓ ଶୁନ୍ୟ ଶୋକାତୁର ପରିବେଶ ସହିତ ଅଶ୍ରୁହୀନ ଲୋତକ ଦେଖିବାକୁ ପାଇବା ?
ସୃଷ୍ଟିରେ ଜନ୍ମ ମୃତ୍ୟୁ ପ୍ରକୃତିର ନିୟମ । ଆଜିର କରୋନା ସଙ୍ଗେ ଲଢେଇ ମୃତୁ୍ୟର ଅନେକ କାରଣ ମଧ୍ୟରୁ ଗୋଟିଏ । କରୋନା ବିନା ବି ଅସଂଖ୍ୟ ମୃତୁ୍ୟ ପ୍ରତି ମୂହୁର୍ତ୍ତରେ ଘଟି ଚାଲିଛି । କରୋନା ଖବର ଶିରୋନାମାରେ ରହିଛି ସତ; କିନ୍ତୁ ପ୍ରତ୍ୟେକ ମୃତ୍ୟୁ ରେ କରୋନାର ହାତ ନାହିଁ । ମୃତ୍ୟୁ ଅବଶ୍ୟମ୍ଭାବୀ ଜାଣି ମୃତୁ୍ୟକୁ ନେଇ ମନୁଷ୍ୟ ଯେତିକି ଦୁଃଖୀ ହୋଇନଥାଏ । ଦୁଃଖୀ ହୁଏ ସେ ଲୋକର ସ୍ଥାନ, ଆବଶ୍ୟକତା ଓ ତା ଉପରେ ନିର୍ଭର କରୁଥିବା ଲୋକଙ୍କୁ ନେଇ । ସ୍ଥଳ ବିଶେଷରେ ଯୋଗ୍ୟ ଲୋକଙ୍କୁ ଉଚିତ ସମ୍ମାନ ମିଳିନଥିଲେ । ଏହା ସହିତ ଜଣଙ୍କର ଅନୁପସ୍ଥିତି ଅନୁଭବ ହେଲେ ହିଁ ସ୍ମରଣ ଯୋଗ୍ୟ ହୁଏ ଉପସ୍ଥିତି ସମୟରେ ଅବହେଳାକୁ ନେଇ । ଯେପରି ସ୍ୁସ୍ଥ ପରିବେଶ, ବିଶୁଦ୍ଧ ଜଳ ଓ ବାୟୁର ଅନୁପସ୍ଥିତିରେ ଅନୁଭବ କରୁ । ପ୍ରତ୍ୟେକ ଆବଶ୍ୟକତା ଓ ନିର୍ଭରତାର ଅଭାବରେ ଶୂନ୍ୟ ସ୍ଥାନ ସୃଷ୍ଟି ହେବା ପରେ ସଚେତନ ହେଉ ।
ପ୍ରତ୍ୟେକ ଭୁଲରୁ ଶିକ୍ଷା ନେବା ଓ ସମାନ ଭୁଲ ବାରମ୍ଭାର ନକରିବାର ଶପଥକୁ ଭଙ୍ଗ ନକରିବାର ବିଶ୍ୱାସ ମନୁଷ୍ୟଙ୍କଠାରେ ଦେଖିବାକୁ ମିଳେ । ମୃତ୍ୟୁ ଚିରନ୍ତନ ସତ୍ୟ । ଏକଥାକୁ ଜୀବଜଗତରେ ମନୁଷ୍ୟ ହିଁ କେବଳ ବୋଧେ ଜାଣେ ! ଆଜି ମୃତ୍ୟୁ ର ଅନେକ କାରଣ ମଧ୍ୟରୁ ମନୁଷ୍ୟ ହିଁ ଜଣେ ନୁହେଁ କି ? ପ୍ରତ୍ୟେକ ଘଟଣା ଓ ଦୁର୍ଘଟଣା ପଛରେ ମନୁଷ୍ୟର ହାତ ଥିବାର ସନେ୍ଦହ କରି ଦୋଷ ଲଦାଯାଏ କାହିଁକି ? ସେ ପରିବେଶ ନଷ୍ଟ ହେଉ କି ମନୁଷ୍ୟ-ମନୁଷ୍ୟକୁ ଓ ଜୀବଜନ୍ତୁକୁ ପ୍ରତ୍ୟେକ୍ଷ ବା ପରୋକ୍ଷରେ ହତ୍ୟା କରିବାର ସୂକ୍ଷ୍ମ ଯୋଜନା ମନୁଷ୍ୟର ଉନ୍ନତ ମସ୍ତିଷ୍କରେ କିପରି ଅଙ୍କୁରିତ ହୁଏ ? ଖରାପ କାର୍ଯ୍ୟ କଲେ ଯେଉଁ ପଶ୍ଚାତ୍ତାପ ମନରେ ସୃଷ୍ଟି ହୁଏ, ଯଦି ସେହି ବୁଦ୍ଧି ପୂର୍ବୋକ୍ତ କାର୍ଯ୍ୟ କରିବା ପୂର୍ବରୁ ସୃଷ୍ଟି ହୋଇଥାନ୍ତା; ତାହା ହେଲେ ମନୁଷ୍ୟ ବହୁତ ଉନ୍ନତି କରି ପାରନ୍ତା ।
ତେଣୁ ଶ୍ଲୋକରେ କୁହାଯାଇଛି- “ଉତ୍ପନ୍ନପଶ୍ଚାତ୍ତାପସ୍ୟ ବୁଦ୍ଧିର୍ଭବତି ଯାଦୃଶୀ । ତାଦୃଶୀ ଯଦି ପୂର୍ବଂ ସ୍ୟାତ୍ ତସ୍ୟ ସ୍ୟାତ୍ତୁ ମହୋଦୟଃ ।” ପୁଣି ଆତ୍ମହତ୍ୟା ହେଉ କି ହତ୍ୟା । ମଣିଷପଣିଆର ଛଦ୍ମ ଅଭିନୟ ଏଠି କରାଯାଇ ପାରେନା! ଅସମ୍ଭବକୁ ସମ୍ଭବ କରିପାରେ ମନୁଷ୍ୟ । ସେଥିପାଇଁ ଲୋଡା ଦୃଢ ଇଚ୍ଛାଶକ୍ତି । କଥାରେ ଅଛି, ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ସହଜ ଓ ସୁଲଭରେ ମିଳୁଥିବା ସଫଳତା ଆନନ୍ଦଦାୟକ ହୋଇ ନଥାଏ । ସଂଘର୍ଷ, ଦୁଃଖ ଓ କଷ୍ଟ ରହିତ ଜୀବନ ମୃତୁ୍ୟ ସଙ୍ଗେ ସମାନ ନୁହେଁ କି ? ଦୀର୍ଘ ଦିନର ଲମ୍ବା ଆୟୁଷ ଜୀଇଁ ପରିବେଶ, ସମାଜ ଓ ଜୀବଜଗତର ଉପକାରରେ ନ ଆସିଲେ ଆମେ ସ୍ୱାର୍ଥପର ହୋଇଯିବା । ବସ୍ତୁବାଦୀ ନହୋଇ ପ୍ରକୃତି ସଙ୍ଗେ ଯୋଡି ହୋଇ ରହିବା ସହ ଜଗତକଲ୍ୟାଣରେ ନିଜର କିଛି ଯୋଗଦାନ ରଖିବାରେ ଚେଷ୍ଟା କରିବା । ଆଉ ଧର୍ମ ଓ ଅଧର୍ମର ବିଚାର ତ ପରେ ହୁଏ; କିନ୍ତୁ କୈାଣସି ଭୁଲ କାମ ବଞ୍ଚି ଥାଉ ଥାଉ ମାରିଦିଏ । ଆଉ ଛୋଟ ଛୋଟ ଭୁଲକୁ ଅବହେଳା କଲେ କେତେବେଳେ ଅଧର୍ମ ରାସ୍ତାରେ ଚାଲି ଯିବାରୁ ଜୀବନର ଭେଳା ବୁଡିଯାଏ । ତେଣୁ କବି ଗଙ୍ଗାଧର ମେହେର ଲେଖିଛନ୍ତି, ‘ଅଙ୍ଗୁଳି ପ୍ରବେଶୁଁ ବାହୁ ପ୍ରବେଶିବ କରୁ ଯେବେ ଅବହେଳା, କ୍ଷୁଦ୍ର ଛିଦ୍ର ପଥେ ଜଳ ପଶି ପଶି ବୁଡାଇ ଦିଏଟି ଭେଳା ।’
ଆମେ ଜାଣନ୍ତି ପ୍ରତ୍ୟେକ ମୃତୁ୍ୟ ପୀଡାଦାୟକ । ତାଠାରୁ ବେଶୀ ଯନ୍ତ୍ରଣାଦାୟକ କୈାଣସି ମୃତୁ୍ୟ ପଛର କାରଣ ମନୁଷ୍ୟ ସ୍ୱୟଂ ହୋଇଥିଲେ । ପୁଣି କେତେବେଳେ ମୃତୁ୍ୟକୁ ନେଇ ଗର୍ବ କରନ୍ତି ତ କେତେବେଳେ ଲଜ୍ୟା ଅନୁଭବ କରନ୍ତି । ସମୟେ ସମୟେ ପଶ୍ଚ୍ୟାତାପ ଓ ଅନୁତାପରେ ଘାଣ୍ଟି ଗୋଳେଇ ହୁଅନ୍ତି । ସୀମାରେ ସହିଦ ଯବାନ ଦେଶକୁ ଗୈାରାବାନ୍ୱିତ କରନ୍ତି । ଗର୍ବ କରନ୍ତି ସାହି ପଡିଶା, ପରିବାର ଓ ଦେଶବାସୀ । ଆଉ ରାସ୍ତାରେ ଗାଡି ଧକ୍କାରେ ପଶୁପକ୍ଷୀଙ୍କ ରକ୍ତାକ୍ତ ଶରୀରର ଦୃଶ୍ୟ ହୃଦୟବିଦାରକ କରାଏ । ଅନୁତପ୍ତ ହୁଏ ମନ ଗାଡିର ବେଗକୁ ନେଇ । ପୁଣି ନୃଶଂଶତା ଓ ମାନବିକତାହୀନ ସମାଜରେ ନିଜକୁ ମନୁଷ୍ୟ କହିବାକୁ ବେଳକେ ଲଜ୍ୟା ଅନୁଭବ ହୁଏ । ରକ୍ତ ମାଂସରେ ଗଢା ଶରୀର ଦିନେ ପଞ୍ଚଭୂତରେ ବିଲୀନ ହୋଇଯାଏ ସତ କିନ୍ତୁ କର୍ମର ମୃତ୍ୟୁ ହୋଇ ନଥାଏ ।
ତେଣୁ ମୃତ୍ୟୁ ର ସ୍ଥାନ, କାଳ, ପାତ୍ର ବାଟବଣା ହେବା ପୂର୍ବରୁ ମନୁଷ୍ୟ ଜୀବନ ପାଇବାର ସାର୍ଥକତା ହାସଲ କରିବା । ତାହେଲେ ଶେଷ ଠିକଣାଟି ବାଟବଣା ହେବାର ଆରୋପ କାହିଁକି ? ମିଛ ମାୟା ସଂସାରେ ଗାଡି-ଘୋଡା, କୋଠା-ବାଡି, ଘର-ଦ୍ୱାର ସବୁ ମୋର ମୋର କହିଥାଉ । ଦିନେ ଏ ସବୁକୁ ଛାଡି ଚାଲି ଯିବାକୁ ହୁଏ । ଏସବୁକୁ ସଚ୍ଚି ରାଉତରାୟ କବିତା ମାଧ୍ୟମରେ ଲେଖିଲେ- ‘କାହିଁକି ବୁଲୁଛୁ କହରେ କୁମର କେଉଁଠାରେ ତୋ’ର ଘର, ଘର ବୋଲି ଯାକୁ କହୁଛୁ ଆମେରେ ସେ ତ ଅଟେ ସାତପର ।’ କାରଣ ମୃତ୍ୟୁ କେତେବେଳେ ବି କେଉଁ ରୂପରେ ଆସିପାରେ ।