ତିହିଡି(ଯଦୁମଣି ପାଣିଗ୍ରାହୀ ) ୧୦/୦୮: ସିଆଇଟିୟୁ(ସିଟୁ) ତିହିଡି ବ୍ଳକ କମିଟି ନେତୃତ୍ୱରେ ଆଶା କର୍ମୀଙ୍କ ପକ୍ଷରୁ ଭାରତର ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ୧୧ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ଆଜି ସିଆଇଟିୟୁ ନେତାଙ୍କ ଉପସ୍ଥିତିରେ ଓ ତିହିଡି ମେଡିକାଲ ଇନଚାର୍ଜଙ୍କ ଜରିୟାରେ ଏହି ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାଯାଇଛି । ଦାବିଗୁଡିକ ମଧ୍ୟରେ ସ୍ୱାସ୍ଥ୍ୟସେବା ସମେତ କୋଭିଡ-୧୯ରେ ଆଗଧାଡିରେ କାମ କରୁଥିବା ଆଶା କର୍ମୀଙ୍କୁ ସମସ୍ତ ଆବଶ୍ୟକୀୟ ସରଞ୍ଜାମ ଯୋଗାଇବା ସହ ନିୟମିତ ବ୍ୟବଧାନରେ ସ୍ୱାସ୍ଥୃ୍ୟ ପରୀକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରାଯିବା, ସେମାନଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ବୀମା ସୁବିଧା ଯୋଗାଇ ଦେବା, ସ୍ୱାସ୍ଥ୍ୟସେବା ପାଇଁ ଉଭୟ ରାଜ୍ୟ ଓ କେନ୍ଦୀୟ ବଜେଟରେ ଶତକଡା ୬ ଭାଗ ବ୍ୟୟ ବରାଦ କରିବା ସହଆଇସିଡିଏସ୍, ଏନଏଚଏମ, ଏମଡିଏମଏସ ଆଦିକୁ ନିରନ୍ତର ବଜାୟ ରଖିବା, ୪୫ ଓ ୪୬ତମ ଆନ୍ତର୍ଜାତୀୟ ଶ୍ରମ ସମ୍ମିଳନୀର ସୁପାରିଶ ଅନୁସାରେ ସମସ୍ତ ସ୍କିମ ଶ୍ରମିକ ମାନଙ୍କୁ ମାସିକ ମଜୁରୀ ୨୫ ହଜାର ଟଙ୍କା, ପେନସନ ୧୦ ହଜାର ଟଙ୍କା, ପିଏଫ ଓ ଇଏସଆଇ ଅନ୍ତର୍ଭୁକ୍ତ କରି ସ୍ଥାୟୀ ନିଯୁକ୍ତି ଦିଆଯିବା, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଓ ଆଶା କର୍ମୀ ବୀମା ଯୋଜନା ଆଦିକୁ ସଂପ୍ରସାରଣ କରି ସମସ୍ତ ସ୍କିଲ ଶ୍ରମିକ ମାନଙ୍କୁ ସାମିଲ କରିବା, କୋଭିଡ-୧୯ କାର୍ଯ୍ୟ କରି ସଂକ୍ରମିତ ହୋଇ ମୃତୁ୍ୟବରଣ କରୁଥିବା ସ୍କିମ ଶ୍ରମିକ ମାନଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଯୋଗାଇ ଦେବା ଓ ଆଘାତକାଳୀନ କ୍ଷତିପୂରଣ ବାବଦକୁ ୧୦ ହଜାର ଟଙ୍କା ଅତିରିକ୍ତ ଭାବେ ଯୋଗାଇ ଦେବା, ସମସ୍ତ ଆଶା କର୍ମୀଙ୍କୁ ସରକାରୀ ମାନ୍ୟତା ଦିଆଯିବା ଓ ମାସିକ ୨୧ ହଜାର ଟଙ୍କା, ପ୍ରୋଭିଡେଣ୍ଡ ଫଣ୍ଡ, ପେନସନ ଓ ବୀମା ଲାଗୁ କରିବା, ସମସ୍ତ ମେଡିକାଲରେ ଆଶା ଗୃହର ବ୍ୟବସ୍ଥା କରିବା, ଭିଏଚଏନଡି ଓ ସେକ୍ଟର ମିଟିଂ ଆଲାଉନ୍ସ ବୃଦ୍ଧି କରିବା, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟରେ ଆଶା କର୍ମୀଙ୍କୁ ନିୟୋଜିତ କରାଯିବା ଓ ସମସ୍ତ ଆଶା କର୍ମୀଙ୍କୁ ସାମାଜିକ ନିରାପତ୍ତା ଯୋଗାଇ ଦେବା ଆଦି ଅନ୍ତର୍ଭୁକ୍ତ ଅଟେ । ସିଆଇଟିୟୁର ବ୍ଲକ ସଭାପତି ବିଷ୍ଣୁ ଦାସଙ୍କ ନେତୃତ୍ୱରେ ଶତାଧିକ ଆଶା କର୍ମୀ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ ।