Odisha news

ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେଯୁଗେ …..

0

ଭଗବତ୍ଗୀତାରେ ବର୍ଣ୍ଣିତ ଅଛି –
ଯଦା ଯଦା ହି ଧର୍ମସ୍ୟ ଗ୍ଳାନିର୍ଭବତି ଭାରତ-
ମଭୁ୍ୟତ୍ଥାନମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ୍
ପରିତ୍ରାଣାୟ ସାଧୁନାଂ ବିନାଶାୟଶ୍ଚ ଦୁଷ୍କୃତମ୍
ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ ।
ଡ଼ ପ୍ରତିଭା ମହାରଥୀ : ଅର୍ଥାତ୍ ଯୁଗେ ଯୁଗେ ଭଗବାନ, ଧର୍ମର ପ୍ରତିଷ୍ଠା ପାଇଁ, ସାଧୁମାନଙ୍କର ପରିତ୍ରାଣ ପାଇଁ ଏବଂ ଅସାଧୁମାନଙ୍କର ବିନାଶ ପାଇଁ ଧରାପୃଷ୍ଠରେ ଅବତରଣ କରିଥାଆନ୍ତି । ବର୍ତ୍ତମାନ କଳିଯୁଗର ଶେଷ ହେଉଛି ଏବଂ ଗୁପ୍ତରେ ସତ୍ୟ ଯୁଗର ପ୍ରତିଷ୍ଠା ଚାଲିଛି । ଦୁଇ ଯୁଗର (କଳି ଓ ସତ୍ୟ) ଏହି ସନ୍ଧି ଅବସ୍ଥାକୁ କଲ୍ୟାଣକାରୀ ପୁରୁଷୋତ୍ତମ ସଙ୍ଗମଯୁଗ କୁହାଯାଏ । ପରମାତ୍ମା ଶିବଙ୍କର ଅନ୍ୟ ନାମ ଗଡ୍ (ଏଙଊ). ‘ଏ’ ର ଅର୍ଥ ଏରଦ୍ଭରକ୍ସବଗ୍ଧସକ୍ଟଦ୍ଭ, ‘ଙ’ ର ଅର୍ଥ ଙକ୍ଟ୍ରରକ୍ସବଗ୍ଧସକ୍ଟଦ୍ଭ ଏବଂ ‘ଊ’ ର ଅର୍ଥ ଊରଗ୍ଦଗ୍ଧକ୍ସଙ୍କମଗ୍ଧସକ୍ଟଦ୍ଭ. ପରମାତ୍ମା ଶିବ ବ୍ରହ୍ମା, ବିଷ୍ଣୁ ଓ ଶଙ୍କରଙ୍କ ଦ୍ୱାରା ତାଙ୍କ ରଚିତ ସୃଷ୍ଟିର ସ୍ଥାପନା, ପାଳନା ଓ ବିନାଶର କାର୍ଯ୍ୟ କରିଥାଆନ୍ତି । ମହାବିନାଶ ଆଡ଼କୁ ଦ୍ରୁତ ଗତିରେ ଆଗେଇ ଚାଲୁଥିବା ଏ ସୃଷ୍ଟି ଧ୍ୱଂସ ହେଲାପରେ ୫୦୦୦ ବର୍ଷ ଧରି ଚାଲିଥିବା ସତ୍ୟ, ତ୍ରେତୟା, ଦ୍ୱାପର, କଳିର ଅର୍ଥାତ୍ ଗୋଟିଏ କଳ୍ପର ଶେଷ ହେବ । ପୁନଶ୍ଚ ଅନ୍ୟ ଏକ କଳ୍ପର ଆଦ୍ୟଯୁଗ ସତ୍ୟ ଯୁଗର ଆରମ୍ଭ ହେବ ।

ଏହାକୁ ନୂଆ ଦୁନିଆ, ନିର୍ବିକାରୀ ଦୁନିଆ, ସ୍ୱର୍ଗ, ବିଷ୍ଣୁପୁରୀ, ସୁଖଧାମ, ବହିଃସ୍ଥ, ଶିବାଳୟ ଆଦି ନାମରେ ମଧ୍ୟ ନାମିତ କରାଯାଇଛି । ପ୍ରତ୍ୟେକ ଯୁଗର ଅବଧି ୧୨୫୦ ବର୍ଷ ଲେଖାଏଁ ହୋଇଥିବାରୁ ସତ୍ୟ ଯୁଗର ଅବଧି ମଧ୍ୟ ସେହି ୧୨୫୦ ବର୍ଷ । ଏହି ସତ୍ୟଯୁଗୀ ଆତ୍ମାମାନେ ଆଠଟି ଜନ୍ମ ମୃତୁ୍ୟ ଚକ୍ରରେ ଆସିଥାଆନ୍ତି । ଏହି ଆତ୍ମାମାନେ ଷୋଳକଳା ସମ୍ପନ୍ନ, ଏମାନେ ଦୁଃଖ ଶୋକ, ରୋଗ, ବ୍ୟାଧି, ବିକାରର ଶିକାର ହୁଅନ୍ତି ନାହିଁ । ଏହି ଦୁନିଆରେ କେବଳ ସୁଖ ହିଁ ସୁଖ ପରିଲକ୍ଷିତ ହୁଏ । ରାଜା, ପ୍ରଜା ସମସ୍ତେ ସମାନ ଲାଗନ୍ତି । କୌଣସି ଜିନିଷର ଅଭାବ ନଥାଏ କେବଳ ଗୋଟିଏ ବ୍ୟତୀତ, ତାହା ହେଲା ପରମାତ୍ମା ଜ୍ଞାନ । କିନ୍ତୁ ଏହି ଯୁଗରେ ଆତ୍ମଜ୍ଞାନ ଥାଏ ।

ତେବେ ବର୍ତ୍ତମାନ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ କେଉଁମାନେ ଏହି ସତ୍ୟଯୁଗର ପବିତ୍ର ଦୁନିଆରେ ଜନ୍ମଗ୍ରହଣ କରିବାର ସୌଭାଗ୍ୟ ଲାଭ କରିବେ?? ଉତ୍ତର ଅତି ସହଜ, ବର୍ତ୍ତମାନର ଏହି ସଙ୍ଗମ ଯୁଗରେ ପରମାତ୍ମା ଶିବବାବା, ପରମଧାମ, ଶାନ୍ତିଧାମ ବା ନିର୍ବାଣଧାମରୁ ଆସି ପ୍ରଜାପିତା ବ୍ରହ୍ମାଙ୍କ ଶରୀର ମଧ୍ୟରେ ପ୍ରବେଶ କରି ଯେଉଁ ଜ୍ଞାନ ମୂରଲୀ ଆଧାରରେ ଦେଉଛନ୍ତି ତାକୁ ଯେଉଁମାନେ ଶୁଣି, ବୁଝି, କର୍ମରେ ଲଗାଇ ପାରୁଛନ୍ତି, ସେହିମାନଙ୍କର ହିଁ ସତ୍ୟ ଯୁଗର ନୂଆ ଦୁନିଆକୁ ଯିବାର ଅଧିକାର ଅଛି ।

ଏହି ସତ୍ୟଯୁଗର ଶ୍ରେଷ୍ଠ ଆତ୍ମା ହେଲେ ଶ୍ରୀକୃଷ୍ଣ । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଗାୟନ ଅଛି କି ଏହି ମହାନ୍ ଆତ୍ମାଙ୍କର ପ୍ରକଟ ହୋଇଥିଲା । ଅନ୍ୟ ଏକ ମତ ଅନୁଯାୟୀ, ସତ୍ୟ ଯୁଗର ୧୨୫୦ ବର୍ଷର ଅବଧି ଭିତରେ ଶ୍ରୀକୃଷ୍ଣ ଆଠଥର ଜନ୍ମଗ୍ରହଣ କରିଥିଲେ ବୋଲି ଜନ୍ମାଷ୍ଟମୀର ଗାୟନ ରହି ଆସିଛି । ଶ୍ରୀକୃଷ୍ଣ ଶବ୍ଦର ଅର୍ଥ ହେଲା ଯିଏ ଆକର୍ଷଣ କରନ୍ତି ସମସ୍ତଙ୍କୁ, ଅର୍ଥାତ୍ ଶ୍ରୀକୃଷ୍ଣଙ୍କର ମନଲୋଭା ଚେହେରାରେ ସମସ୍ତେ ଟାଣି ହୋଇ ଆସନ୍ତି । ଶ୍ରୀକୃଷ୍ଣ ଅନ୍ଧକାର ରାତ୍ରୀରେ ପ୍ରକଟ ହେବାର ଅର୍ଥ ଅଜ୍ଞାନର ଅନ୍ଧକାର ଅପସରିଯାଏ ଶ୍ରୀକୃଷ୍ଣଙ୍କ ଆଗମନରେ । ପୁଣି ବନ୍ଦୀଶାଳାରେ ଆବିର୍ଭୂତ ହେବାର ଉଦେ୍ଦଶ୍ୟ ହେଲା ସୃଷ୍ଟିର ଏହି ଘୋର ସନ୍ଧିକ୍ଷଣରେ ଆତ୍ମାରୂପୀ ଜୀବମାନେ ମାୟାରୂପୀ କଂସର ବନ୍ଦୀଶାଳାରେ ଅଟକ ଅଛନ୍ତି । ଯେଉଁଠାରେ ଶ୍ରୀକୃଷ୍ଣ ରହିବେ, ସେଠାରେ କଂସ ରହିପାରିବେନି, ଯେଉଁଠାରେ ଶ୍ରୀରାମ ରହିବେ ସେଠାରେ ରାବଣ ରହି ପାରିବ ନାହିଁ । ତେଣୁ ବନ୍ଦୀଶାଳାରେ ଅର୍ଥାତ୍ ଅଜ୍ଞାନ ଅନ୍ଧାରରେ ଆତ୍ମ ପରିଚୟ ହଜାଇ ବନ୍ଦୀପ୍ରାୟ ଜୀବନ କାଟୁଥିବା ଆତ୍ମାମାନଙ୍କୁ ଉଦ୍ଧାର କରି ଆସୁରୀ ଶକ୍ତିର ବିନାଶ କରିବା ପାଇଁ ନିଜେ ଶିବ ପିତା ଆସି ବ୍ରହ୍ମାବାବାଙ୍କ ଶରୀରରେ ପ୍ରକଟ ହୋଇ ମୁରଲୀ ଆଧାରରେ ଦିବ୍ୟଜ୍ଞାନ ଦେଇଥାଆନ୍ତି ।

ସେହି ବ୍ରହ୍ମାବାବା ହିଁ ପରବର୍ତ୍ତୀ କାଳରେ ସତ୍ୟ ଯୁଗର ପ୍ରଥମ ଆତ୍ମା ଶ୍ରୀକୃଷ୍ଣ ଓ ପରେ ବଡ଼ ହୋଇ ଶ୍ରୀନାରାୟଣ ଏବଂ ମମ୍ମା, ଜଗଦମ୍ବା, ସରସ୍ୱତୀ, ଶ୍ରୀଲକ୍ଷ୍ମୀ ହୋଇଥାଆନ୍ତିି । ପୁନଶ୍ଚ ପ୍ରଜାପିତା ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଭାଇ ଭଉଣୀମାନଙ୍କ ମତରେ ଶ୍ରୀକୃଷ୍ଣ ସତ୍ୟଯୁଗରେ ନିର୍ବିକାର ଭାବରେ ଗର୍ଭ ମହଲରୁ ଜନ୍ମ ନିଅନ୍ତି । ଶ୍ରୀକୃଷ୍ଣ ହେଲେ ସର୍ବଗୁଣସମ୍ପନ୍ନ, ଷୋଳକଳା ସମ୍ପୂର୍ଣ୍ଣ, ସମ୍ପୂର୍ଣ୍ଣ ନିର୍ବିକାରୀ, ମର୍ଯ୍ୟାଦା ପୁରୁଷୋତ୍ତମ, ସମ୍ପୂର୍ଣ୍ଣ ଅହିଂସକ । ମନକୁ ଦମନ କରି ପାରିଥିବାରୁ ତାଙ୍କ ନାମ ମଦନ । ସେହିପରି ମୋହକୁ ବିନଷ୍ଟ କରିପାରିଥିବାରୁ ସିଏ ମୋହନ । ବସୁଦେବଙ୍କର ପୁତ୍ର ତେଣୁ ନାମ ବାସୁଦେବ । ଅର୍ଥାତ୍ ସନ୍ତାନମାନେ ସତ୍ୟଯୁଗରେ ପିତାମାତାଙ୍କ ଗୁଣରେ ବିମଣ୍ଡିତ ହେବେ । ମସ୍ତକରେ ମୟୂରପୁଚ୍ଛ ରହିବାର ଉଦେ୍ଦଶ୍ୟ ମୟୂର ସମ୍ପୂର୍ଣ୍ଣ ପବିତ୍ର ।

ସନ୍ତାନ ସୃଷ୍ଟି ପାଇଁ ମୟୂର ବିକାର ରାସ୍ତାରେ ଯାଏନାହିଁ । କଳାମେଘ ଦେଖି ନୃତ୍ୟ କଲାବେଳେ ତା’ର ଆଖିରୁ କିଛି ମୋତି, ଲୁହ ଆକାରରେ ଝରିପଡ଼େ । ଏହାକୁ ଥଣ୍ଟ ମାଧ୍ୟମରେ ସ୍ତ୍ରୀ ମୟୁରୀଟି ଗର୍ଭସ୍ଥ କରିନିଏ ଏବଂ ଅନ୍ତଃସତ୍ତ୍ୱା ହୋଇଥାଏ । ଅଧରରେ ମୁରଲୀ ଶୋଭା ପାଇବାର ଅର୍ଥ ମୁରଲୀ ସବୁଠୁ ଶ୍ରେଷ୍ଠ । ଏହା ସ୍ଥୂଳରେ ବାଉଁଶରେ ତିଆରି ହୋଇଥାଏ ମାତ୍ର ଏହା ନିଜକୁ ସମ୍ପୂର୍ଣ୍ଣ ଶୂନ୍ୟ କରି ଦେଇଥାଏ । ଏହାର ଦୁଇପାଶ୍ୱର୍ ଖୋଲା, ଦେହସାରା ମଧ୍ୟ କଣା । ତେଣୁ ମୁରଲୀ ଶ୍ରୀକୃଷ୍ଣଙ୍କର ଅଧରାମୃତରେ ଶୋଭା ପାଉଥାଏ । ପୁଣି ଶ୍ରୀକୃଷ୍ଣ ମୁରଲୀ ବଜାଇ ଯେଉଁ ମଧୁର ମୂର୍ଚ୍ଛନା ତୋଳନ୍ତି, ତାକୁ ଧରି ରଖିବାକୁ କୌଣସି ପାତ୍ରର ଆବଶ୍ୟକତା ନଥାଏ । ତେଣୁ ତାହା ଅଧରାମୃତ । ପୁଣି ଅନ୍ୟ ଏକ ସୂକ୍ଷ୍ମ ଅର୍ଥରେ ସ୍ୱୟଂ ପରମାତ୍ମା ବ୍ରହ୍ମାବାବାଙ୍କ ମାଧ୍ୟମରେ ମୁରଲୀ ଆଧାରରେ କଳିଯୁଗର ଶେଷରେ, ସଙ୍ଗମଯୁଗର ବ୍ରାହ୍ମଣମାନଙ୍କୁ ଚୟନ କରୁଛନ୍ତି, ଯେଉଁମାନେ କି ପରବର୍ତ୍ତୀ ପର୍ଯ୍ୟାୟରେ ସତ୍ୟଯୁଗର ଦେବୀଦେବତା ହେବେ । ଏହି ମୁରଲୀ ସୂକ୍ଷ୍ମରେ ଆତ୍ମଜ୍ଞାନର କଥା, ସୃଷ୍ଟିର ଆଦି, ମଧ୍ୟ, ଅନ୍ତର କଥା ଓ ପରମାତ୍ମା ଶିବବାବାଙ୍କର ପରିଚୟ ପ୍ରଦାନ କରିଥାଏ । ବ୍ୟଭିଚାରୀ ଭକ୍ତିରେ ଏହି ମୁରଲୀକୁ ଶ୍ରୀକୃଷ୍ଣଙ୍କ ଅଧରରେ ଧରାଇ ଦିଆଯାଇଛି ।

ଶ୍ରୀକୃଷ୍ଣଙ୍କୁ କେହି କେହି “ମାଖନ୍ଚୋର୍’ ବୋଲି କହିଥାନ୍ତି । “ମଖନ’ ହେଲା ଦୁଗ୍ଧ, ଦହି, ଲହୁଣୀର ସାରଅଂଶ । ଅର୍ଥାତ୍ ପରୋକ୍ଷ ଭାବରେ ଏହା ବାର୍ତ୍ତା ଦେଉଅଛି କି ଆମେ ଜୀବାତ୍ମାମାନେ ସମସ୍ତଙ୍କଠାରୁ ଶ୍ରେଷ୍ଠ ଗୁଣଗୁଡ଼ିକୁ ଚୋରିକରି ଆଣିବା ଅର୍ଥାତ୍ ନିଜ ଜୀବନରେ ଧାରଣ କରିପାରିଲେ ଶ୍ରୀକୃଷ୍ଣଙ୍କ ପରି ହୋଇପାରିବା । ପୁଣି ଅସୁରମାନଙ୍କୁ ବିନାଶ କରିଥିବା ଯେଉଁ କଥା କୁହାଯାଉଛି ତାହାର ଅର୍ଥ ହେଲା ଏହି ଘୋର କଳିକାଳରେ ଆମ୍ଭେମାନେ ପ୍ରତ୍ୟେକ ଆମ ଭିତରେ ଥିବା ଆସୁରୀ ଗୁଣକୁ ଚିହ୍ନଟ କରି ସ୍ୱଦର୍ଶନ ଚକ୍ର (ଆତ୍ମଜ୍ଞାନ) ମାଧ୍ୟମରେ ବିନାଶ କରି କୌମୋଦିକୀ ଗଦା ମାଧ୍ୟମରେ ଗର୍ବ, ମଦ, ମୋହକୁ ଭାଙ୍ଗି, କିମ୍ଜ୍ୱଳିନୀ ପଦ୍ମଫୁଲ ପରି ପଙ୍କରୁ ବାହାରି ମଧ୍ୟ ସଦା ପବିତ୍ର, ଢଳଢଳ ରହିପାରିଲେ ସତ୍ୟ ଯୁଗକୁ ଯାତ୍ରା କରି ଦେବୀଦେବତା ହେବାର ସୌଭାଗ୍ୟ ଲାଭ କରିପାରିବା ।

ଷୋଳ ସହସ୍ର ଗୋପନାରୀ ଶ୍ରୀକୃଷ୍ଣଙ୍କର ପି୍ରୟ ଥିଲେ । ଅର୍ଥାତ୍ ଶ୍ରୀକୃଷ୍ଣ ସମସ୍ତଙ୍କୁ ଭଲ ପାଉଥିଲେ । ଭଲ ପାଇବାର ଅମୋଘ ଅସ୍ତ୍ରରେ ହିଂସା, ଦ୍ୱେଷ, ଘୃଣାକୁ ପରାସ୍ତ କରି ସୁଖ, ଶାନ୍ତି, ପ୍ରେମ, ଆନନ୍ଦ ପ୍ରତିଷ୍ଠା କରିବାର ସଂକଳ୍ପ ସମସ୍ତେ କଳି ଯୁଗର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ନେବା ଉଚିତ । ବ୍ୟଭିଚାରୀ ଭକ୍ତିରେ ସେହି ତତ୍ତ୍ୱକୁ କୃଷ୍ଣଙ୍କର ୧୬୧୦୮ ରାଣୀ ଥିଲେ ବୋଲି କୁହାଯାଇଛି । ପ୍ରେମ ଓ ଭଲପାଇବା ଦ୍ୱାରା ସାରା ବସୁଧା ଏକ ପରିବାର ହୋଇପାରିବ । ସେଥିପାଇଁ ସଂସ୍କୃତରେ କୁହାଯାଇଛି –
“ଅୟଂ ନିଜ ପରୋବେତି ଗଣନା ଲଘୁଚେତସାମ୍
ଉଦାରଚରିତାନାଂତୁ ବସୁଧୈବକୁଟୁମ୍ବକମ୍ ।”

ବସ୍ତ୍ରଚୋରୀ ନାମକ ଯେଉଁ ଉପାଖ୍ୟାନଟି ଅଛି, ତାହାକୁ ବିଶ୍ଳେଷଣ କଲେ ଜଣାଯାଏ ଯେ ପରମାତ୍ମା ଭଗବାନ ବସ୍ତ୍ରରୂପୀ ଦେହ ଅଭିମାନକୁ ତ୍ୟାଗ କରି ଆତ୍ମ ଅଭିମାନୀ ହେବାକୁ ଶିକ୍ଷା ଦେଇଛନ୍ତି । ତେଣୁ ଯେଉଁ ଗୋପୀମାନେ ଏହି ଦେହ ଅଭିମାନକୁ ସମ୍ପୂର୍ଣ୍ଣ ତ୍ୟାଗ କରିପାରିଛନ୍ତି ସେମାନେ ନଦୀ ବକ୍ଷରୁ ନିର୍ବସ୍ତ୍ର ହୋଇ ଉଠି ଆସିବାକୁ ସମର୍ଥ ହୋଇପାରିଛନ୍ତି, ଯାହା ଭକ୍ତି ମାର୍ଗରେ “କୃଷ୍ଣଚରିତ’ରେ ଆମ୍ଭେମାନେ ଜାଣିବାକୁ ପାଇଥାଉ ।
ଏସବୁ ବିଷୟ ଆଲୋଚନା ପରେ ମନରେ ଆଉ ଗୋଟିଏ ପ୍ରଶ୍ନବାଚୀ ସୃଷ୍ଟିହୁଏ । ଭକ୍ତି ମାର୍ଗରେ ଗାୟନ ଅନୁଯାୟୀ ଶ୍ରୀକୃଷ୍ଣ ଯଦି ଦ୍ୱାପର ଯୁଗରେ ଅବତାର ନେଇଥିଲେ ତେବେ ତାଙ୍କ ଆଗମନ ପରେ ସୃଷ୍ଟିରେ ସୁଖ, ଶାନ୍ତି, ପ୍ରେମ, ପବିତ୍ରତା ଭରିଯିବା କଥା । କିନ୍ତୁ ଘୋର କଳିଯୁଗରେ ସୃଷ୍ଟି ଏପରି ଅଶାନ୍ତମୟ ହେବ କିପରି? ତେଣୁ ଏ ସବୁ ବ୍ୟଭିଚାରୀ ଭକ୍ତିର ହିଁ ଗାୟନ! ପ୍ରକୃତ ସତ୍ୟଟି ହେଲା ଭଗବାନ ଶିବ ପରମାତ୍ମା ସୃଷ୍ଟି ନାଟକର ପାଞ୍ଚହଜାର ବର୍ଷର ସମାପ୍ତି ହେବାକୁ ଥିବା ସମୟରେ ଅର୍ଥାତ୍ କଳିର ଶେଷ ଏବଂ ସତ୍ୟର ଆରମ୍ଭରୂପୀ ସନ୍ଧିକ୍ଷଣରେ ପରମ କଲ୍ୟାଣକାରୀ ସଙ୍ଗମଯୁଗରେ ବ୍ରହ୍ମାବାବାଙ୍କ ଶରୀର ମାଧ୍ୟମରେ ପ୍ରକଟ ହୋଇ ଆମ୍ଭମାନଙ୍କୁ ମୂରଲୀ ଆଧାରରେ ଦିବ୍ୟଜ୍ଞାନ ଦେଇ ସତ୍ୟଯୁଗ ପାଇଁ ଦେବୀଦେବତା ଚୟନ କରୁଛନ୍ତି ।

ସେହି ସତ୍ୟଯୁଗର ଶ୍ରେଷ୍ଠ ଆତ୍ମାଟି ହେଲେ ଶ୍ରୀକୃଷ୍ଣ । କଥାରେ ଅଛି – ଯେଉଁଠି ଦିନ ଅଛି ସେଠି ରାତି୍ର ନାହିଁ, ଯେଉଁଠି ଭୋଗ ଅଛି ସେଠି ଯୋଗ ନାହିଁ । ଏଥିରୁ ସୁସ୍ପଷ୍ଟ ହୁଏ କି ସତ୍ୟଯୁଗର ଶ୍ରେଷ୍ଠ ଆତ୍ମା ସମ୍ପୂର୍ଣ୍ଣ ଅହିଂସକ, ନିର୍ବିକାରୀ, ଯୋଗେଶ୍ୱର ଶ୍ରୀକୃଷ୍ଣଙ୍କ ସମେତ ଷୋଳହଜାର ଶହେଆଠ ଜଣ ଆତ୍ମା ଦେବୀ, ଦେବତା ଆସନ ଅଳଙ୍କୃତ କରିବେ । ସେମାନଙ୍କୁ ଗୋପ ଗୋପୀ ବୋଲି ପ୍ରକାରାନ୍ତରେେ କୁହାଯାଇଛି ଏବଂ ଶ୍ରୀକୃଷ୍ଣଙ୍କ ସହ ସେମାନଙ୍କର ମଙ୍ଗଳ ମିଳନକୁ ରାସ ଆଖ୍ୟା ଦିଆଯାଉଛି ।

ଯେତେବେଳେ ବନ୍ଦୀଶାଳାରୁ ବସୁଦେବ ଶ୍ରୀକୃଷ୍ଣଙ୍କୁ ମଥା ଉପରେ ରଖି ଗୋପପୁର ଯିବାକୁ ବାହାରିଲେ ସେତେବେଳେ ଗାୟନ ଅଛି କି ଲୁହାର ଶିକୁଳି ସବୁ ଆପେ ଆପେ ଫିଟିଗଲେ ଆଉ ପ୍ରହରୀମାନେ ନିଦ୍ରାଗଲେ । ଏହାର ଗୁଢ଼ ରହସ୍ୟଟି ହେଲା ପରମାତ୍ମାଙ୍କର ଏ କଳିକାଳରେ ପ୍ରକଟ ହେବା ଦ୍ୱାରା ଜ୍ଞାନ ପୀପାସୁ ସତ୍ଆତ୍ମାମାନଙ୍କର ବିଷୟ ବନ୍ଧନର ଶିକୁଳି ଆପେ ଆପେ ଅନାୟାସରେ ଖୋଲିଯାଉଛି ଏବଂ ପ୍ରତିବନ୍ଧକରୂପୀ ପ୍ରହରୀମାନେ ଜଡ଼ତାକୁ ଧାରଣ କରୁଛନ୍ତି । ଠିକ୍ ସେହିପରି ଯମୁନା ନଦୀ ଦୁଇ ଭାଗ ହେବାର ଅର୍ଥ ଜୀବ ଯେତେବେଳେ ଶିବଙ୍କୁ ଆଶ୍ରୟ କରିବ, ସେତେବେଳେ ସମସ୍ତ ସମସ୍ୟା ଗୁଡ଼ିକ ଆପେ ଆପେ ବାଟଭାଙ୍ଗି ତୁମ ସମ୍ମୁଖରୁ ଆଡ଼େଇଯିବେ । ପୁନଶ୍ଚ ସମସ୍ତଙ୍କ ସମ୍ମୁଖରେ ପରମାତ୍ମା ଆତଯାତ ହେଉଥିଲେ ମଧ୍ୟ ଆଜୀବନ ସତ୍ରେ ରହି ପ୍ରଭୁଙ୍କୁ ପ୍ରତୀକ୍ଷା କରିଥିବା ଉଗ୍ରସେନମାନେ ତାଙ୍କୁ କେବଳ ଦର୍ଶନ କରିପାରନ୍ତି ।
ଏହିପରି ପବିତ୍ର ଜନ୍ମାଷ୍ଟମୀ ପର୍ବର ଅନ୍ତରାଳରେ ଥିବା ସମସ୍ତ ରହସ୍ୟକୁ ହୃଦୟଙ୍ଗମ କରି ପ୍ରଭୁ ପଦରେ ଶରଣ ପଶିଲେ ଜୀବନର ଉତ୍ତରଣ ଘଟେ, ଅର୍ଥାତ୍ ଜୀବନ ଆନନ୍ଦମୟ ହୋଇଉଠେ ।

 

Leave A Reply