ବିପିନ ବିହାରୀ ରାଉତ : କେନ୍ଦ୍ର ୟୁପିଏସସି ଦ୍ୱାରା ପରିଚାଳିତ ସିିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି । ଜାତୀୟ ସ୍ତରରେ ପୁଣିଥରେ ଓଡ଼ିଆଙ୍କ ଚମକ ଦେଖିବାକୁ ମିଳିଛି । ଓଡ଼ିଶାର ଯୁବକ ଯୁବତୀ ବାଜିମାତ କରି ର୍ୟାଙ୍କ ପାଇଥିବା ଦେଶର ମୋଟ ୮୨୯ଜଣଙ୍କ ମଧ୍ୟରେ ୨୨ଜଣ ଓଡ଼ିଆ ରହିଛନ୍ତି । ଓଡ଼ିଶା ସଂଜିତା ମହାପାତ୍ର ସର୍ବଭାରତୀୟ ସ୍ତରରେ ୧୦ମ ତଥା ଓଡ଼ିଶାରେ ଟପ୍ପର ହୋଇଛନ୍ତି । ବିଗତ ବର୍ଷ ତୁଳନାରେ ଚଳିତ ଥର ଓଡ଼ିଶାର ଛାତ୍ରଛାତ୍ରୀ ଭଲ ପରିଦର୍ଶନ କରିଛନ୍ତି । ୟୁପିଏସସିର ଚଳିତ ବର୍ଷର ତାଲିକାର ଅଷ୍ଟମ ସ୍ଥାନର ଅଭିଶେକ୍ ସରାତ୍ ଥିବାବେଳେ ସଂଜିତା ମହାପାତ୍ର ୧୦ତମ ସ୍ଥାନରେ ରହିଛନ୍ତି । ସେହିପରି ୨୩ଜଣ ଓଡ଼ିଆ ୟୁପିଏସ୍ସି ର୍ୟାଙ୍କ ହାସଲ କରିପାରିଛନ୍ତି । ଅଂଶୁମାନ ରାଜ, ଅନୁପ ଦାସ, ନବଲ କୁମାର ଜୈନ, ରାହୁଲ ଗୋହେଲ, କୁମାର ବିଶ୍ୱରଞ୍ଜନ, ଶୈଳଜା ଦାସ, ରାହୁଲ ମିଶ୍ର, ହେମା ନାୟକ, ଆୟୁଶ ମିଶ୍ର, ଆଶିସ ଦାସ, ଅଙ୍କିତ ଶଙ୍କରମିଶ୍ର, ସୋନାଲୀ ମିଶ୍ର, ଦିବ୍ୟା ମିଶ୍ର, ଅର୍ଘ୍ୟ ପଟ୍ଟନାୟକ, କୁବିନ ମହାପାତ୍ର, ସମୀର କୁମାର ଜେନା, ମାନସ ରଞ୍ଜନ ସାହୁ, ଶିବମ୍ ମିଶ୍ର, ଓମ୍ପ୍ରକାଶ ମହାନ୍ତି, ବିଭୁତିଭୂଷଣ ନାୟକ ହାସଲ କରିଛନ୍ତି ।
ଏକ ପରିସଂଖ୍ୟାନର ତଥ୍ୟ ଅନୁଯାୟୀ ପ୍ରତିବର୍ଷ ଓଡ଼ିଶାରୁ ପ୍ରାୟ ୩୦ହଜାର ଛାତ୍ରଛାତ୍ରୀ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ପାଦ ଥାପି ନିଜ ସ୍ୱପ୍ନକୁ ସଫଳ କରିବା ପାଇଁ ଇଛା ରଖିଥାନ୍ତି କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ମାତ୍ର ୨୦ରୁ ୩୦ଜଣ ହିଁ ଏହି ସଫଳତା ପାଇ ଥାଆନ୍ତି । ଗତ ନଅ ବର୍ଷ ଭିତରେ ଓଡ଼ିଶାରୁ ମୋଟ ୧୫୧ଜଣ ପ୍ରାର୍ଥୀ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ପାଇଛନ୍ତି । ନୈରାଶ୍ୟଜନକ ତଥ୍ୟ ହେଉଛି ଯେ ତାଙ୍କ ଭିତରୁ ଆଇଏଏସ୍ ର୍ୟାଙ୍କରେ ମାତ୍ର ୧୦ ପ୍ରତିଶତ ହିଁ ସଫଳତା ପାଇଥାନ୍ତି । ଅନ୍ୟମାନେ ସର୍ବଭାରତୀୟ ଅନ୍ୟ କ୍ୟାଡ଼ର ସେବାରେ ଉଚ୍ଚପଦବୀରେ ଚାକିରୀ ପାଇଥାନ୍ତି । ତେବେ ସର୍ବଭାରତୀୟ ଏହି ବିଚକ୍ଷଣ ମେଧାବୀ ପରୀକ୍ଷାର ସଫଳତା ହାରରେ ଓଡ଼ିଶା, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର, କର୍ଣ୍ଣାଟକ, ତାମିଲନାଡୁ ଓ ଦିଲ୍ଲୀ ଠାରୁ ମଧ୍ୟ ପଛରେ ରହିଯାଉଛି । ଅବଶ୍ୟ ଏହି ଆଲୋଚନା ଅନେକ ଦିଗର ଘଟଣାକୁ ସୂଚୀତ କରୁଛି ମଧ୍ୟ । ଯଦିଓ ପ୍ରତିବର୍ଷ ମାତ୍ର ୨୦ରୁ ୩୦ଜଣ ଛାତ୍ରଛାତ୍ରୀ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ପାଉଛନ୍ତି ତଥାପି ସେମାନଙ୍କ ଭିତରୁ ଆଇଏଏସ୍ ପାଇବାର ସୌଭାଗ୍ୟ କ୍ୱଚିତ ଯୁବ ଓଡ଼ିଆ ମାନଙ୍କର କିପରି ପ୍ରାପ୍ତି ହେଉଛି । ଶିକ୍ଷା ବ୍ୟବସ୍ଥାରେ ସଂସ୍କାର, ସଂଗଠିତ ଯୋଜନା, ତୀକ୍ଷଣ ମେଧାବୀ ଜ୍ଞାନ, ସର୍ବୋପରି ଆଇଏଏସ୍ ତିଆରି କରିବାର ଉଚ୍ଚ ଓ ସୂଚନା ପ୍ରଯୁକ୍ତିର ଜ୍ଞାନ ନେଇ ବ୍ୟବସ୍ଥା ଦିଗରେ ମେଧାବୀମାନେ ଚିନ୍ତାକଲେ ସଫଳତା ବଢ଼ିବ ନିଶ୍ଚୟ । ଏ ନେଇ ରାଜ୍ୟର ଶିକ୍ଷାବିତ୍, ବୁଦ୍ଧିଜୀବୀ ଓ ପ୍ରାକ୍ତନ ଆଇଏଏସ୍ ମାନଙ୍କ ମତ ମଧ୍ୟ ପ୍ରକାଶ ପାଉଛି ।
ଓଡ଼ିଶାରେ ପାଖାପାଖି ଉଚ୍ଚ ଆଇଏଏସ୍ କ୍ୱଚିଂ ନେଉଥିବା ଦଶଟି ଶିକ୍ଷା ପ୍ରତିଷ୍ଠାନର ତଥ୍ୟକୁ ଦେଖିଲେ ଜଣାପଡ଼େ ଓଡ଼ିଶାରୁ ପ୍ରତିବର୍ଷ ପାଖାପାଖି ୩୦ ହଜାର ଛାତ୍ରଛାତ୍ରୀ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରାର୍ଥୀ ପତ୍ରରେ ଆବେଦନ କରିଥାନ୍ତି । ଶେଷ ପର୍ଯ୍ୟାୟରେ ପ୍ରାୟ ପାଖାପାଖି ୨୦୦ଜଣ ଉଭୟ ପ୍ରିଲିମ୍ନାରୀ ଓ ପରେ ମୁଖ୍ୟ ଲିଖିତ ପରୀକ୍ଷାରେ ସଫଳତା ପାଇ ସାକ୍ଷାତକାର ପର୍ଯ୍ୟାୟକୁ ଯାଆନ୍ତି । ସାକ୍ଷାତକାର ପର୍ଯ୍ୟାୟର ଶେଷ ବେଳକୁ ଓଡ଼ିଶାରୁ ପାଖାପାଖି ୨୦ଜଣ ମାତ୍ର ସଫଳତା ପାଇଥାନ୍ତି । ତେବେ ଦୁଃଖର ପ୍ରସଙ୍ଗ ହେଉଛି ଶ୍ରେଷ୍ଠ ଦଶଜଣଙ୍କ ଭିତରେ ପ୍ରାୟତଃ ଓଡ଼ିଆ ପିଲାଙ୍କୁ ଦେଖିବାକୁ ମିଳିନଥାଏ । ତେବେ ଚଳିତ ବର୍ଷ ଶ୍ରେଷ୍ଠ ଦଶ ଜଣଙ୍କ ଭିତରେ ଦୁଇଜଣ ଓଡ଼ିଆ ରହିଥିବାବେଳେ ଅନ୍ୟମାନଙ୍କ ର୍ୟାଙ୍କ ତାଲିକା ୧୦୦ ତଳେ ରହିଛି । ସୂଚନାରୁ ଜଣାଯାଇଛି ପ୍ରଥମରୁ ୧୦୦ଜଣଙ୍କ ଭିତରେ ଆଉକେହି ଓଡ଼ିଆ ପିଲାଙ୍କ କୃତିତ୍ୱ ଦେଖିବାକୁ ନଥିବାବେଳେ ତାଲିକାରେ ପ୍ରଭାବୀ ସ୍ଥାନ ନେଇଛନ୍ତି ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଉତ୍ତରପ୍ରଦେଶ, ଦିଲ୍ଲୀ ଓ ବିହାରର ପିଲାମାନେ । ତେବେ ଗତ ଦଶନ୍ଧି ଭିତରେ ଓଡ଼ିଶାର ଏହା ଶ୍ରେଷ୍ଠ ପ୍ରଦର୍ଶନ କହିଲେ ଅତୁ୍ୟକ୍ତି ହେବନାହିଁ । ଆଜି ବି ଓଡ଼ିଆମାନେ ତାଙ୍କ ମେଧା ଓ କୃତବିଦ୍ୟ ସଫଳ ଆଇଏଏସ୍ ଟପ୍ପର ଓଡ଼ିଆ ପୁଅଙ୍କୁ ନେଇ ଖୁସି ଜାହିର କରୁଛନ୍ତି । କାରଣ ଆଇଏଏସ୍ ଟପ୍ପରରେ ହୃଶିକେଷ ପଣ୍ଡା ଓ ପି.କେ. ମିଶ୍ରଙ୍କ ଭଳି ସର୍ବଭାରତୀୟ ଟପ୍ପର ଏହାର ଶ୍ରେଷ୍ଠ ଉଦାହରଣ ରହିଥିଲେ ।
୨୦୦୩ରେ ରୂପା ମିଶ୍ର ମହିଳା ବର୍ଗରେ ଟପ୍ପର ହୋଇ ଯେଉଁ ଗୌରବର ଇତିହାସ ରଖିଛନ୍ତି ତାହା ସ୍ମରଣୀୟ । ଓଡ଼ିଶାରେ ଉଚ୍ଚଶିକ୍ଷାରେ ଭିତ୍ତିଭୂମି ଆହୁରି ସୁଦୃଢ଼ ଆବଶ୍ୟକ । ଇଣ୍ଟରନେଟ ଓ ମୋବାଇଲର ସୂଚନା ପ୍ରଯୁକ୍ତି ଜ୍ଞାନ ବହୁଗୁଣରେ ମେଧାବୀ ମାନଙ୍କୁ ଜ୍ଞାନ ପ୍ରଦାନ କରୁଛି । ତଥାପି ଗୁଣାତ୍ମକ ମାନ ଶିକ୍ଷା ପ୍ରାପ୍ତି କ୍ଷେତ୍ରରେ ପିଲାମାନେ ଅନେକ ସୁବିଧାସୁଯୋଗରୁ ବଞ୍ଚôତ ହେଉଛନ୍ତି । ବିଶ୍ୱବିଦ୍ୟାଳୟ ସ୍ତରରେ ମେଧାବୀ ମାନଙ୍କୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର କୋଚିଂ ଦରକାର । ଓଡ଼ିଶାର ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଆଇଏଏସ୍ କୋଚିଂ ସେଣ୍ଟର ରହିଛି । ପିଲାମାନଙ୍କ ଜ୍ଞାନ ପାଇଁ ମୁକ୍ତ ପାଠାଗାର ଦରକାର । ବଣମଲ୍ଲୀ ପରି ଅନେକ ପ୍ରତିଭାସମ୍ପନ୍ନ ନିଷ୍ଠାପର ମେଧାବୀ ସାହାଯ୍ୟ ଓ ସହଯୋଗ ପାଇଲେ ଓ ପ୍ରସ୍ତୁତିର ମାର୍ଗଦର୍ଶନ ସହାୟକ ହେଲେ ସେମାନେ ଆହୁରି ସଫଳତା ପାଇପାରିବେ । ଓଡ଼ିଶାର ମେଧାବୀ ପିଲାମାନଙ୍କ ଭିତରେ ଭାରତୀୟ ପ୍ରଶାସନିକ ସେବା ସମ୍ପର୍କରେ ଚିନ୍ତାଧାରା ସ୍ପଷ୍ଟ ହେବା ଜରୁରୀ । ପିଲାମାନେ ପାଠପଢ଼ା ପ୍ରଥମରୁ ଆଇଏ, ବିଏ, ବିଜ୍ଞାନ ବା କମର୍ସ ପାଠ ପଢ଼ିବାକୁ ପ୍ରାଥମିକତା ଦେଉଥିବାବେଳେ ଆଇଏଏସ୍ ପାଇଁ ଉତ୍ସାହ ଓ ମନୋଭାବ ରହୁନାହିଁ । ପିଲାମାନଙ୍କ ଭିତରେ ଡାକ୍ତର ଓ ଇଞ୍ଜିନିୟର ପାଇଁ ଯେପରି ନିଷ୍ଠା ରହୁଛି ପ୍ରଶାସନିକ ସେବା କ୍ଷେତ୍ରରେ ସଫଳତା ପାଇଁ ସେତେଟା ନିଷ୍ଠାପର ଉଦ୍ୟମ ରହୁନାହିଁ । ରାଜ୍ୟରେ ଭଲ ପାଠାଗାର ମଧ୍ୟ ନାହିଁ । ଏବଂ ମେଧାବୀ ମାନଙ୍କୁ ପ୍ରୋତ୍ସାହନ ଦେବା କେବଳ ସରକାର ବା ପ୍ରଶାସନର ଦାୟିତ୍ୱ ନୁହେଁ ଏହା ପ୍ରତିଟି ଓଡ଼ିଆଙ୍କ ଦାୟିତ୍ୱ ବୋଲି ବିଚାର କଲେ ଓଡ଼ିଆମାନେ ସର୍ବଭାରତୀୟ ସ୍ତରରେ ପ୍ରଶାସନିକ ପଦପଦବୀରେ ନିଜ ମେଧାଜ୍ଞାନକୁ ଆହୁରି ପ୍ରତିଭା କରିବାର ସୁଯୋଗ ପାଇବେ ।