ଶ୍ରୀମଦ୍ ଭାଗବତ ଗୀତା ଚତୁର୍ଥ ଅଧ୍ୟାୟର ଶ୍ଳୋକ ନଂ ୭-୮ରେ ଲେଖାଅଛି, ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତଃ, ଅଭୁ୍ୟଥାନ: ଅଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହଂ, ପରିତ୍ରାଣାୟଃ ସାଧୁନାଂ ବିନାଶାୟଃଚ ଦୁଷ୍କୃତାଂ ଧର୍ମ ସଂସ୍ଥାପନାର୍ଥାୟଃ ସମ୍ଭବାମି ଯୁଗେ ଯୁଗେ ।ା ଅର୍ଥାତ୍ ଯେତେ ବେଳେ ଧର୍ମର କ୍ଷୟ ଓ ଅଧର୍ମର ବୃଦ୍ଧି ହୁଏ ସେତେ ବେଳେ ଧର୍ମର ପ୍ରତିଷ୍ଠା ପାଇଁ ମୋର ଆବିର୍ଭାବ ହୁଏ ।
ପବିତ୍ର କୋରାନ କୁହେ ପ୍ରତ୍ୟେକ ଯୁଗରେ ଓ ପ୍ରତ୍ୟେକ ଜାତି ଏବଂ ପ୍ରତ୍ୟେକ ଗୋଷ୍ଠୀରେ ନବୀ, ରସୁଲ ବା ଅବତାରମାନେ ସଚେତକ ବା ପଥପ୍ରଦର୍ଶକ ଭାବେ ଆବିର୍ଭାବ ହୋଇଥାନ୍ତି । ଇସଲାମ କୁହେ କୌଣସି ଅବତାରଙ୍କ ମଧ୍ୟରେ ପାର୍ଥକ୍ୟ ନକରି ସେମାନଙ୍କୁ ସମ୍ମାନ ପ୍ରକଟ କରିବା ଉଚିତ୍ । ସତ୍ୟ ଯୁଗରେ ନୃସିଂହ ଅବତାର ଆସିଥିଲେ । ପାପି ହିରଣ୍ୟକଷପକୁ ବଧ କରି ଅବତାରତ୍ୱର ସମ୍ମାନ ଓ ମର୍ଯ୍ୟାଦା ସ୍ଥାପିତ କରିଥିଲେ । ତ୍ରେତୟା ଯୁଗରେ ରାମଚନ୍ଦ୍ର ଅବତାରତ୍ୱର ବେଷରେ ଆସିଥିଲେ । ପାପି ରାବଣର ଲଙ୍କାକୁ ଧ୍ୱଂସକରି ରାବଣକୁ ନିପାତ କଲେ । ଏବଂ ଅଧର୍ମକୁ ବିନାଶ କରି ଧର୍ମକୁ ପ୍ରତିଷ୍ଠା କଲେ । ସେହିଭଳି ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଅବତାର ରୂପରେ ଆସି ପାପି କଂସର ଅନ୍ୟାୟ ଓ ଅତ୍ୟାଚାରକୁ ଦମନ କରି “ବିନାଶୟ ଚ ଦୁଷ୍କୃତାମ୍’’ର ନିଦର୍ଶନ ଦେଖାଇଲେ । ନବୀଶ୍ରେଷ୍ଠ ପୈଗମ୍ବର ହଜରତ ମୁହମ୍ମଦ ସଲ୍ଲମ କୁହନ୍ତି ଭାରତ ବର୍ଷରେ କହ୍ନେଆ ନାମକ ଜଣେ ଅବତାର ଆସିଛନ୍ତି, ଯାହାଙ୍କ ରଙ୍ଗ ସ୍ୟାମଳ ।
ପବିତ୍ର ଜନ୍ମାଷ୍ଟମୀ ଦିବସ ଶ୍ରୀକୃଷ୍ଣଙ୍କ ଜନ୍ମ ଦିନ । ଜନ୍ମ ଦିନର ସ୍ମୃତିରକ୍ଷା ଉସôବ ପାଳନ ସ୍ୱରୂପ ପୂଜାର୍ଚନା ଓ ପିଠାପଣା ଆଦି ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ । କିନ୍ତୁ ଏହି ବାହ୍ୟ ଉପଚାର ସହିତ ମନରେ ପ୍ରକୃତ କୃଷ୍ଣ ପ୍ରେମ ଜାଗ୍ରତ କରିବା ତଥା ତାଙ୍କର ଆଧ୍ୟାତ୍ମିକ ଜୀବନ ଚରିତ ଏବଂ ସାଙ୍କେତିକ ଭାଷାକୁ ବୁଝିବା ଆବଶ୍ୟକ । ଶ୍ରୀକୃଷ୍ଣ ଥିଲେ ଗୋପ ଓ ଗୋପୀମାନଙ୍କ ପାଳକ । ଯାହାଙ୍କୁ ଅନ୍ୟ ଅର୍ଥରେ ଗୋପାଳ କୁହାଯାଏ । ଶ୍ରୀକୃଷ୍ଣ ବିଷୟରେ କୁହାଯାଏ କି ସେ ଗୋପୀମାନଙ୍କର ବସ୍ତ୍ର ହରଣ କରି ତାଙ୍କ ସହ ଜଳକେଳୀ କରୁଥିଲେ । ଅର୍ଥାତ୍ ସେ ତାଙ୍କ ମାନ୍ୟକାରୀ ମାନଙ୍କ ଠାରୁ ସେମାନଙ୍କ ଧର୍ମ ଭୀରୁତାର ଜୀର୍ଣ୍ଣନ ଓ ମଳିନ ପୋଷାକକୁ ହଟାଇ ଐଶ୍ୱରୀୟ ବାଣୀ ଦ୍ୱାରା ଧର୍ମପିପାସୁଙ୍କ ତୃଷା ନିବାରଣ କରୁଥିଲେ । କୁହାଯାଏ ଶ୍ରୀକୃଷ୍ଣ ବଂଶୀ ବଜାଇ ଗୋପୀମାନଙ୍କୁ ନିଜର କରିନେଉଥିଲେ । ଜାଣିବା ଉଚିତ୍ ଯେ ବଂଶୀର ନିଜସ୍ୱ କୌଣସି ଧ୍ୱନୀ ନାହିଁ । ଯେକେହି ତାକୁ ବଜାଇଥାଏ ତାର ଧ୍ୱନୀ ବଂଶୀ ଦ୍ୱାରା ଧ୍ୱନିତ ହୋଇଥାଏ ।
ଅର୍ଥାତ୍ କୃଷ୍ଣ ଥିଲେ ପରମେଶ୍ୱରଙ୍କ ହସ୍ତର ଦିବ୍ୟବଂଶୀ । ଐଶ୍ୱରୀକ ବାଣୀ ତାଙ୍କ ମାଧ୍ୟମରେ ଧ୍ୱନିତ ହେଉଥିଲା । ସେ ଈଶ୍ୱରଙ୍କ ବାଣୀକୁ ଗୋପୀମାନଙ୍କୁ ଶୁଣାଉ ଥିଲେ । ସେହି ଈଶ୍ୱର ପ୍ରେମୀମାନେ ଐଶୀବାଣୀ ଧ୍ୱନୀରେ ପାଗଳ ହୋଇ ଘର,ଦ୍ୱାର,କୁଳ ଓ ମାନ ମର୍ଯ୍ୟାଦାକୁ ତେଜି ତାଙ୍କରି ଆଡ଼କୁ ଧାଇଁ ଆସୁଥିଲେ । ଶ୍ରୀକୃଷ୍ଣଙ୍କ ସହ ରାଧା ନାମ ବେଶ ପରିଚିତ । ଯିଏ ଧ୍ୟାନ କରେ ନିଜ ଆରାଧ୍ୟ ଦେବତାଙ୍କୁ, ସେ ହେଉଛନ୍ତି ରାଧା । ଏହି ଶବ୍ଦଟି ଆରାଧନା ଶବ୍ଦରୁ ଉଦୃତ । କୃଷ୍ଣ ନାମ ଜପ କରିବା ଓ ଧ୍ୟାନରତ ହେବାରେ ଉପାସନାକାରୀର ଜୀବନ ଉଦ୍ଭାସିତ ହୋଇଥାଏ । ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି, ‘‘ ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ।
ଅହଂ ତ୍ୱାଂ ସର୍ବପାପେଭ୍ୟୋ ମୋକ୍ଷୟିସ୍ୟାମି ମା ଶୁଚଃ । ’’ଅର୍ଥାତ୍ ହେ ଅର୍ଜୁନ ! ତୁମେ ସବୁ ମନ ଗଢା ଧର୍ମ ତ୍ୟାଗ କରି ମୋର ଶରଣ ନିଅ । ମୁଁ ତୁମକୁ ସବୁ ପାପରୁ ମୁକ୍ତି ଦେବି । ଶୋଚନା କରନାହିଁ । ଏହି ଦେହଧାରୀ ମାନବାବତାର ହିଁ ସକଳ ଚିନ୍ତନ ଓ ଶକ୍ତିର ମୂଳଉସô । ସେମାନେ ଈଶ୍ୱରଙ୍କୁ ପାଇବାର ମୂଳ ଆଧାର ହୋଇ ଆସିଥାନ୍ତି । ଏଯୁଗର ପଥପ୍ରଦର୍ଶକ ଅହମଦୀୟା ମୁସଲିମ ସମ୍ପ୍ରଦାୟର ପ୍ରତିଷ୍ଠାତା ହଜରତ ମିର୍ଜା ଗୁଲାମ ଅହମଦ କୁହନ୍ତି, ସର୍ବଶକ୍ତିମାନ ଅଲ୍ଲାଃ ମୋତେ ଶ୍ରୀକୃଷ୍ଣଙ୍କ ସଂବନ୍ଧରେ ଦୈବୀବାଣୀ ମାଧ୍ୟମରେ କହିଛନ୍ତି କି ‘‘ ହେ କୃଷ୍ଣ ରିଦ୍ର ଗୋପାଲ୍ ତେରି ମହିମା ଗୀତା ମେଁ ଲିଖିଗଇ ହୈ ।’’ଅର୍ଥାତ୍ ହେ କୃଷ୍ଣ ରୁଦ୍ର ଗୋପାଳ ତୁମ ମହିମା ଗୀତାରେ ଲେଖାହୋଇଛି ।
ପୁସ୍ତକ ଶାନ୍ତିର ବାର୍ତାରେ ଲେଖିଛନ୍ତି; …ଜଣେ ମହାନ ଯଶସ୍ୱୀ ସନ୍ଥ ଆମ ଦେଶ ଭାରତ ଓ ବଙ୍ଗରେ ‘ଶ୍ରୀକୃଷ୍ଣ’ନାମରେ ପରିଚିତ । ସେ ଜଣେ ଐଶିବାଣୀ ଗ୍ରହୀତା ହୋଇଥିବାରୁ ନିଜକୁ ଈଶ୍ୱରଙ୍କ ଦିବ୍ୟ ସ୍ୱରୂପ ଭାବରେ ପ୍ରତିପାଦିତ କରିଛନ୍ତି । ତାଙ୍କର ଅନୁଗାମୀମାନେ ଈଶ୍ୱର ପ୍ରେରିତ ବାର୍ତାବହ ରୂପେ ତାଙ୍କୁ ଯେ କେବଳ ସ୍ୱୀକାର କରନ୍ତି ସେତିକି ନୁହେଁ, ବରଂ ତାଙ୍କୁ ସ୍ୱୟଂ ଈଶ୍ୱର ରୂପେ ମାନ୍ୟତା ଦେଇଥାନ୍ତି । ତେବେ ଏହା କହିବା ବାହୁଲ୍ୟ ଯେ ଶ୍ରୀକୃଷ୍ଣ ନିଜ ସମୟର ଈଶ୍ୱରଙ୍କ ପ୍ରତିନିଧିତ୍ୱ କରୁଥିବା ଅବତାରୀ ପୁରୁଷ ଥିଲେ । ସେ ଈଶ୍ୱରଙ୍କ ସହିତ ବାର୍ତାଳାପ ମଧ୍ୟ କରୁଥିଲେ । ଥରେ ମୁଁ କୃଷ୍ଣଙ୍କୁ ସ୍ୱପ୍ନରେ ଦେଖିଲି । ସେ କଳା ବର୍ଣ୍ଣର ଥିଲେ, ତାଙ୍କର ନାକ ପତଳା ଚଉଡ଼ା ମଥା ଥିଲା । ସେ ଉଠି ପଡ଼ି ନିଜ ନାକ ମୋ ନାକ ସହିତ ଓ ନିଜ ମଥା ମୋ ମଥା ସହିତ ଘଷି ଜଡ଼ିତ କରିଦେଲେ ।
ପୁଣି ସଂସ୍ଥାପକ ଅହମଦୀୟା ମୁସଲିମ ସଂଗଠନ ହଜରତ ମିର୍ଜା ଗୁଲାମ ଅହମଦ କୁହନ୍ତି ମୁଁ କୃଷ୍ଣଙ୍କୁ ଗଭୀର ପ୍ରେମ କରେ । କାରଣ ମୁଁ ତାହାଙ୍କ ସ୍ୱରୂପରେ ରୂପାୟିତ ହୋଇଛି ।… ରାଜା ଶ୍ରୀକୃଷ୍ଣଙ୍କୁ ଯେଉଁ ପ୍ରକାରରେ ମୋ ଠାରେ ପ୍ରକାଶିତ କରାଯାଇଛି, ବାସ୍ତବରେ ସେ ଜଣେ ପରିପୂର୍ଣ୍ଣ ବ୍ୟକ୍ତିତ୍ୱଧାରୀ ଉତମ ପୁରୁଷ ଥିଲେ, ଯାହାର ଦୃଷ୍ଟାନ୍ତ ହିନ୍ଦୁମାନଙ୍କର କୌଣସି ମୁନି ୠଷି ଅବା ଅବତାରମାନଙ୍କ ଠାରେ ଦେଖାଯାଏ ନାହିଁ । ନିଜ ସମୟରେ ସେ ଅବତାର ଥିଲେ, ଯାହାଙ୍କ ଠାରେ ପ୍ରଭୁଙ୍କ ଆଡ଼ୁ ପବିତ୍ର ଆତ୍ମା ଅବତୀର୍ଣ୍ଣ ହେଉଥିଲା । ସେ ପ୍ରଭୁଙ୍କ ତରଫରୁ ବିଜୟର ସୌଭାଗ୍ୟ ପ୍ରାପ୍ତ କରିଥିଲେ, ଯିଏ କି ଆର୍ଯ୍ୟାବର୍ତର ଭୁମିକୁ ପାପ ମୁକ୍ତ କରିଥିଲେ । … ସେ ପ୍ରଭୁଙ୍କ ପ୍ରେମରେ ପରିପୂର୍ଣ୍ଣ ଥିଲେ ଓ ସାଧୁମାନଙ୍କ ସହିତ ମିତ୍ରତା ତଥା ଅସାଧୁମାନଙ୍କ ସହିତ ଶତ୍ରୁତା କରୁଥିଲେ ।
ହଜରତ ମିର୍ଜା ଗୁଲାମ ଅହମଦ କୁହନ୍ତି; ମୁଁ ସବୁ ମୁସଲମାନ, ଖ୍ରୀଷ୍ଟିୟାନ, ହିନ୍ଦୁ ଓ ଆର୍ଯ୍ୟମାନଙ୍କ ନିକଟରେ ଘୋଷଣା କରୁଛି ଯେ ଏହି ସଂସାରରେ ମୋର କେହି ଶତ୍ରୁ ନାହାନ୍ତି । ମୁଁ ମାନବ ସମାଜକୁ ଏପରି ପ୍ରେମ କରେ, ଯେପରି ଜଣେ କରୁଣାମୟୀ ମାତା ତା’ ସନ୍ତାନକୁ ପ୍ରେମ କରେ, ବରଂ ତା’ ଠାରୁ ମଧ୍ୟ ଅଧିକ । ମଣିଷ ପ୍ରତି ସହାନୁଭୂତି ପ୍ରଦର୍ଶନ କରିବା ମୋର କର୍ତବ୍ୟ ।
କଳିର ଅଧର୍ମ କାଳରେ ଧର୍ମ ଓ ସତ୍ୟର ଜୟ ହେଉ । ପାପ ଓ ଅସତ୍ୟର ବିନାଶ ହେଉ । ଶ୍ରୀକୃଷ୍ଣଙ୍କ ‘‘ ସମ୍ଭବାମି ଯୁଗେ ଯୁଗେ’’ର ଯୁଗନ୍ତକାରୀ ବାର୍ତା ଅଶାନ୍ତ ଜଗତକୁ ଶାନ୍ତି,ପ୍ରେମ ଓ ମୈତ୍ରୀର ନୂତନ ଦିଗ୍ଦର୍ଶନ ଦେଉ । ଏହା ହିଁ ପବିତ୍ର ଜନ୍ମାଷ୍ଟମୀରେ ଆମର କାମନା ।
‘‘ ମେଁ ମୁସଲିମ୍ ହୁଁ ତୁ ହିନ୍ଦୁ ହୈ ଦୋନୋ ହି ଇନ୍ସାନ୍ ।
ଲା’ ମେଁ ତେରି ଗୀତା ପଢଲୁଁ ତୁ ପଢଲେ କୋରାନ୍ ।ା
ଅପନେ ତୋ ଦିଲ୍ ମେଁ ହୈ ଦୋସ୍ତ ବସ୍ ଏକ୍ ହି ଅରମାନ୍ ।
ଏକ୍ ଥାଲି ମେଁ ଖାନା ଖାଏ ସାରା ହିନ୍ଦୁସ୍ତାନ୍