Odisha news

ଅନୁଗୁଳ : ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ପର୍ଯ୍ୟାଲୋଚନା (ଦିଶା) କମିଟି ବୈଠକ ଅନୁଷ୍ଠିତ , ନିର୍ଦ୍ଧାରିତ ସମୟ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରକଳ୍ପ କାର୍ଯ୍ୟ ସମ୍ପନ୍ନ ଉପରେ ଗୁରୁତ୍ୱ

0

ଅନୁଗୁଳ: ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ସଠିକ୍ କାର୍ଯ୍ୟକାରିତାକୁ ନେଇ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ପର୍ଯ୍ୟାଲୋଚନା (ଦିଶା) କମିଟିର ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଢ଼େଙ୍କାନାଳ ସାଂସଦ ମହେଶ ସାହୁ ଅଧ୍ୟକ୍ଷତା କରି ସରକାରଙ୍କ ‘୫ଟି’ କାର୍ଯ୍ୟକ୍ରମ ଆଧାରରେ ବିଭିନ୍ନ ସରକାରୀ ଯୋଜନାର ପ୍ରକଳ୍ପ କାର୍ଯ୍ୟକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ବୈଠକରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବାସନ୍ତୀ କିଷାନ, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଅଗସ୍ତି ବେହେରା, ଅନୁଗୁଳ ବିଧାୟକ ତଥା ଓଡ଼ିଶା ବିଧାନସଭାର ଉପ-ବାଚସ୍ପତିଙ୍କ ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକ ଓ ପାଲଲହଡା ବିଧାୟକଙ୍କ ପ୍ରତିନିଧି କୈଳାଶ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

ପ୍ରାରମ୍ଭରେ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ‘ଦିଶା’ ଅନ୍ତର୍ଗତ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ଦିଲ୍ଲିପ କୁମାର ସାହୁ ଜଳ ଜୀବନ ମିଶନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ), ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଭୋ÷ତିକ ଲକ୍ଷ ଓ ଏହାର ସଫଳତା ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ । ଜଳ ଜୀବନ ମିଶନରେ ୨୯ ଗୋଟି ପ୍ରକଳ୍ପ ମଧ୍ୟରୁ ୫ଟି ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇଥିବା ବେଳେ ୨୪ଟିର କାର୍ଯ୍ୟ ଚାଲୁରହିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ରେ ବର୍ତମାନ ସୁଦ୍ଧା ୨୦ ହଜାର ୯୧ଟି ଘର ମଧ୍ୟରୁ ୧୯୬ଟି ଘରର କାର୍ଯ୍ୟ ଶେଷ ହୋଇଥିବା ବେଳେ ଅବଶିଷ୍ଟ ଘରର କାର୍ଯ୍ୟ ଚାଲୁ ରହିଛି । ସେହିପରି ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୧୪ ଲକ୍ଷ ୧୨ ହଜାର ୧୦୨ ଶ୍ରମ ଦିବସ ସୃଷ୍ଟି କରାଯିବାର ଧାର୍ଯ୍ୟ ଲକ୍ଷ୍ୟ ଥିବା ବେଳେ ବର୍ତମାନସୁଦ୍ଧା ୧୪ ଲକ୍ଷ ୬୬ ହଜାର ୨୪୮ଟି ଶ୍ରମ ଦିବସ ସୃଷ୍ଟି ହୋଇ ସଫଳତାର ହାର ୧୦୪ ପ୍ରତିଶତରେ ପହଁଚିଛି ।

ସାମ୍ପ୍ରତିକ ପରିସ୍ଥିତିରେ ସରକାର କରୋନା ମହାମାରୀର ସଠିକ୍ ମୁକାବିଲା କରୁଥିବାରୁ ପ୍ରବାସୀ ଶ୍ରମିକ ମାନଙ୍କୁ ଏହି ଯୋଜନାରେ ଅଧିକ କାର୍ଯ୍ୟ ଯୋଗାଇ ଦେଇ ସେମାନଙ୍କର ଜୀବିକା ନିର୍ବାହରେ ସହାୟକ ହେବା ଉପରେ ବିଧାୟକ ମାନେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ଅଭୟ କୁମାର ଦାଶ ଏହି ବୈଠକରେ ଯୋଗ ଦେଇ ଜାତୀୟ ସ୍ୱାସ୍ଥ୍ୟ ମିାନର ବିଭିନ୍ନ ସ୍ୱାସ୍ଥ୍ୟ ଭିତିକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଡାକ୍ତର ମାନଙ୍କର ରେସିଓନାଲାଜେସନ କରି ଯେଉଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନାହାଁନ୍ତି ସେଠାରେ ଡାକ୍ତର ନିୟୋଜିତ କରିବାକୁ ସାଂସଦ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାକୁ ତ୍ୱରାନ୍ୱିତ ଭାବେ କରିବା ନିମନ୍ତେ ଅବସରପ୍ରାପ୍ତ ଫାର୍ମାସିଷ୍ଟ ମାନଙ୍କୁ ଜିଲ୍ଲା ଖଣିଜ ପାଣ୍ଠି ସହାୟତାରେ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ କରିବାକୁ ସାଂସଦ ପରାମର୍ଶ ଦେଇଛନ୍ତି । କୋଭିଡ୍ ନିୟମକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ବଜାୟ ରଖିବା ନିମନ୍ତେ ଏହି ବୈଠକରେ ୪ଟି ବିଭାଗର କର୍ମକର୍ତାଙ୍କୁ ଡକାଯାଇଥିଲା ।ପର୍ଯ୍ୟାୟକ୍ରମେ ପୁନର୍ବାର ବୈଠକ ଡାକି ଅନ୍ୟ ବିଭାଗର ପ୍ରକଳ୍ପ କାର୍ଯ୍ୟକାରିତାକୁ ସମୀକ୍ଷା ଓ ପର୍ଯ୍ୟାଲୋଚନା କରାଯିବ ବୋଲି ସାଂସଦ ପ୍ରକାଶ କରିଥିଲେ ।

Nalco
Leave A Reply