ଖଇରା : ରେସନକାର୍ଡ ପ୍ରଦାନରେ ପାତର ଅନ୍ତର କରାଯିବା ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧୀନ ଗଡପୋଖରୀ ପଞ୍ଚାୟତର ବିଭିନ୍ନ ଗ୍ରାମର ବାସିନ୍ଦାମାନେ ମଙ୍ଗଳବାର ଦିନ ଖଇରା ବ୍ଲକ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧ଘଣ୍ଟା ଧରି ଧାରଣାରେ ବସିରହିଥିଲେ । ପରେ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ଧାରଣାକାରୀଙ୍କ ସହ ଆଲୋଚନା କରି ଯୋଗ୍ୟ ବିବେଚିତ ବ୍ୟକ୍ତିଙ୍କୁ ରେସନକାର୍ଡ ଦେବା ପାଇଁ ପ୍ରତିଶୃତି ଦେବା ପରେ ଶତାଧିକ ଗ୍ରାମବାସୀ ଧାରଣାସ୍ଥଳରୁ ଉଠିଥିଲେ ।
ଧାରଣାର ନେତୃତ୍ୱ ନେଉଥିବା ଜିଲା ପରିଷଦ ସଭ୍ୟା କଳ୍ପନା ନାଇକଙ୍କ ଅଭିଯୋଗ ଅନୁଯାୟୀ ନିକଟରେ ଉକ୍ତ ପଞ୍ଚାୟତର ପାଖାପାଖି ୫୦ଜଣଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଥିବା ବେଳେ ସମସ୍ତେ ଧନୀ ଶ୍ରେଣୀର ବ୍ୟକ୍ତି ଅଟନ୍ତିି । ଗରୀବ ଆଦିବାସୀ ମାନଙ୍କୁ ଏଥିରୁ ବଞ୍ଚିତ କରାଯାଇଛି । ଏ ସମ୍ପର୍କରେ ବାଲେଶ୍ୱର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ,ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ଲିଖିତ ଭାବେ ଜଣାଇ ସାରିଛନ୍ତି । ଏ ପର୍ଯ୍ୟନ୍ତ ଅଭାବୀ ପରିବାର ଗୁଡିକ ପ୍ରତି ନ୍ୟାୟ ନମିଳିବା ପ୍ରତିବାଦରେ ଲୋକମାନଙ୍କ ସହ ସେ ଧାରଣାରେ ବସିବାକୁ ବାଧ୍ୟ ହୋଇଥିଲେ ବୋଲି କହିଛନ୍ତି । ବିଜୟ ବାରିକଙ୍କ ସମେତ ଭୁଦେଇଶୁଳ,ଗଗୁଆ,ଗଡପୋଖରୀ,ଗୁଆପାଳ,ଶରତ ଇତ୍ୟାଦି ଗ୍ରାମର ଶତାଧିକ ଗ୍ରାମବାସୀ ଏହି ଧାରଣାରେ ସାମିଲ ହୋଇଥିଲେ