ଧର୍ମଶାଳା : ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଧର୍ମଶାଳା ବ୍ଲକରେ ଧାନ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଜୁଲାଇ ମାସ ଶେଷ ହେବାକୁ ବସିଥିବା ବେଳେ ବର୍ଷା ଅଭାବରୁ ଚାଷକାମ ଅଗେଇପାରୁ ନାହିଁ । ଏବେ ଧାନ ରୁଆ ପୋତା ଓ ଖେଳୁଆ ବିଡୁଆ କରିବା ସମୟ ହୋଇଥିବା ବେଳେ ବର୍ଷା ଅଭାବରୁ ଚାଷକାମ ଅଗେଇ ପାରୁ ନାହିଁ । ଫଳରେ ଚଳିତଥର ଅମଳ ହ୍ରାସ ପାଇବା ନେଇ ଆଶଙ୍କା ଉପୁଜିଛି । ଯାହାକୁ ନେଇ ଚାଷୀମାନେ ଚିନ୍ତାରେ ପଡିଯାଇଛନ୍ତି ।
ଗତ ବର୍ଷ ଜୁନ ମାସରେ ୩୮୨ମିଲି ମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଥିବା ବେଳେ ଚଳିତ ବର୍ଷ ଜୁନ ମାସରେ ମାତ୍ର ୨୩୯ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ସେହିପରି ଗତ ବର୍ଷ ଜୁଲାଇ ମାସରେ ୧୩୪ ମିଲି ମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଥିବା ବେଳେ ଚଳିତ ବର୍ଷ ଅଦ୍ୟାବଧି ୨୩୮ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ତେବେ ଆବଶ୍ୟକ ଠାରୁ କମ ପରିମାଣରେ ବର୍ଷା ହୋଇଥିବାରୁ ଚାଷ କାର୍ଯ୍ୟ ଅଧାଣିଆ ହୋଇପଡିରହିଛି । ତେବେ ଚଳିତଥର କମ ପରିମାଣରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୁର୍ବାନୁମାନ କରାଯାଇଛି ।
ଚଳିତ ବର୍ଷ ଧର୍ମଶାଳା ବ୍ଲକରେ ୧୧ହଜାରରୁ ଉର୍ଦ୍ଧ ହେକ୍ଟର ଜମିରେ ଧାନ ଫସଲ କରାଯିବା ପାଇଁ କୃଷି ବିଭାଗ ପକ୍ଷରୁ ଲକ୍ଷଧାର୍ଯ୍ୟ କରାଯାଇଛି । ଏଥି ମଧ୍ୟରୁ ୯ ହଜାର ହେକ୍ଟର ଜମି ଜଳସେଚିତ ହେଉଥିବା ବେଳେ ବାକି ଚାଷ ଜମି ବର୍ଷା ଉପରେ ନିର୍ଭର କରି ଚାଷ କରାଯାଇଥାଏ । ଅନ୍ୟପଟେ ଏବେ ସୁଦ୍ଧା କେନାଲଗୁଡିକରେ ଅବଶ୍ୟକ ପରିମାଣର ପାଣି ଆସୁ ନଥିବାରୁ ଜମି ଜଳସେଚିତ ହୋଇପରୁ ନାହିଁ । ଯାହା ଦ୍ୱାରା ଚାଷ କାର୍ଯ୍ୟ ଅଗେଇ ପାରୁନାହିଁ । କେନାଲ ଗୁଡିକରେ ଅବଶ୍ୟକ ପରିମାଣର ଜଳ ଛାଡିବାକୁ ଚାଷିମାନେ ଦାବି କରିଛନ୍ତି । ଯଥାଶିଘ୍ର କେନାଲ ଗୁଡିକରେ ପାଣି ଛଡା ନଗଲେ ଶହ ଶହ ହେକ୍ଟର ଚାଷ ଜମି ପଡିଆ ପଡିବ ଏଥିରେ ସନେ୍ଦହ ନାହିଁ ।