ଚଣ୍ଡିଖୋଲ : ବଡଚଣା ବ୍ଲକ ସିହା ପଂଚାୟତ ମଙ୍ଗରାଜପୁର ଗ୍ରାମର ଅର୍ଜୁନ ବେହେରା ଓ ନଳିନୀ ବେହେରାଙ୍କ ଏକ ମାତ୍ର ଝିଅ ଯଶୋଦା ପ୍ରଭାତଙ୍କୁ ବିବାହ କରି ଘରଜ୍ୱାଇଁ ଭାବେ ରହି ଆସୁଛନ୍ତି । ମୂଲ ଲାଗି ପରିବାର ଚଳାଉଥିବା ପ୍ରଭାତଙ୍କ ଉପରେ ଶାଶୂ,ଶଶୁରଙ୍କ ସମେତ ୪ଟି ସନ୍ତାନ ନିର୍ଭର କରିଥାନ୍ତି । ଏ ସବୁ ସମସ୍ୟାକୁ ମୁକାବିଲା କରିବା ତାଙ୍କ ପକ୍ଷେ କଷ୍ଟକର ହେଉଥିବା ବେଳେ ଏବେ ପାଖ ପଡୋଶୀଙ୍କ ଜମି ବିବାଦ ତାଙ୍କ ସମସ୍ୟା ଅଧିକ ବଢାଇଛି । ଯଶୋଦାଙ୍କ ପିତା ଅର୍ଜୁନ ନାମରେ ମଙ୍ଗରାଜପୁର ଗ୍ରାମରେ କିଛି ମୂଲ୍ୟବାନ ସମ୍ପତି ରହିଛି ଯେଉଁଠାରେ ଯଶୋଦା ଗୃହ ନିର୍ମାଣ କରି ରହିଆସୁଛନ୍ତି ।
ଏବେ କିଛି ପଡୋଶୀ ଏହି ମୂଲ୍ୟବାନ ଜମିକୁ କବଜ୍ଜା କରିବା ପାଇଁ ଉଦ୍ୟମ କରୁଛନ୍ତି । ଯଶୋଦାଙ୍କ ସ୍ୱାମୀ ସରଳ ପ୍ରକୃତିର ବ୍ୟକ୍ତି ହୋଇଥିବାରୁ ସ୍ଥାନୀୟ ଲୋକେ ତାଙ୍କ ପରିବାରକୁ ଧମକଚମକ ଦେଇ ଜମି ଦଖଲ କରିବାକୁ ବସିଛନ୍ତି । ଏ ନେଇ ଯଶୋଦାଙ୍କ ପକ୍ଷରୁ ବଡଚଣା ଥାନା ଧାନମଣ୍ଡଳ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୋଗକୁ ଭିତିକରି ଏକ ମାମଲା ରୁଜୁକରି ତଦନ୍ତ ଜାରୀ ରଖିଛି । ଏବେ ଯଶୋଦାଙ୍କ ମୁଖ୍ୟ ଦ୍ୱାର ଆଗରେ କିଛି ବ୍ୟକ୍ତି ବାଡପକାଇ ରାସ୍ତା ବନ୍ଦ କରିଦେଇଛନ୍ତି । ଯାହା ଫଳରେ ଏହି ପରିବାର ଚଳପ୍ରଚଳ କରିବା କଷ୍ଟକର ହୋଇପଡୁଛି । ଏହି ସମସ୍ୟାର ସମାଧାନ ପାଇଁ ଯଶୋଦା ଯାଜପୁର ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଗଣମାଧ୍ୟମ ଜରିଆରେ ଦୃଷ୍ଟି ଆକର୍ଷଣ କରିବା ସହ ନ୍ୟାୟ ପାଇଁ ଆକୁଳ ନିବେଦନ କରିଛନ୍ତି ।