Odisha news

ଲାଞ୍ଚ-ମିଛର ଦୁନିଆ ଓ ସାଧାରଣ ମଣିଷ

0

ଯଦୁମଣି ପାଣିଗ୍ରାହୀ : ଚାକିରୀ ଚୋରି, ବଣିଜ ମିଛ ବୋଲି ଲୋକ ମୁଖରେ କଥାଟିଏ ଅଛି । ଚାକିରୀ କରି ଯଦି ଉପୁରି ଦି’ ପଇସା ରୋଜଗାର ନହେଲା ତେବେ ସେଇଟା କେଉଁ ଚାକିରୀରେ ଗଣା ଯେ । ସେହିପରି ବେପାର ବଣିଜରେ ଗରାଖଙ୍କୁ ମିଛ ନକହିଲେ ମନ ବୁଝେନି କି ଭଲ ଦି’ପଇସା ଲାଭ କରିହୁଏନି । ମୋଟ ଉପରେ ଚାକିରୀ କରି ଲୋକଙ୍କ ଠାରୁ ଲାଞ୍ଚ ଉକ୍ରୋଚ ନେଇ ନପାରିଲେ ଓ ବଣିଜ କରି ଗରାଖଙ୍କୁ ମିଛ କହି ଠକି ନପାରିଲେ ସେ ଚାକିରୀ କିମ୍ବା ବଣିଜରେ ମଜା ନଥାଏ କି ଆକର୍ଷଣ ମଧ୍ୟ ନଥାଏ । ତେବେ ଲାଞ୍ଚ ଓ ମିଛ ଉଭୟ ଆଜି ଚାକିରୀ ଓ ବଣିଜରେ କେବଳ ସୀମିତ ନ ରହି ସମାଜର ବିଭିନ୍ନ କ୍ଷେତ୍ରକୁ ପରିବ୍ୟାପ୍ତ ହେବାରେ ଲାଗିଛି ।

ଯାହାଫଳରେ ଆଜିକାଲି ଦୁନିଆରେ ଲାଞ୍ଚ ନ ଦେଲେ କୌଣସି କାମ ହେଉନି କି ମିଛ ନ କହିଲେ ମନ କିଣି ହେଉନି । ସେଥିପାଇଁ ତ ପଞ୍ଚାୟତ ଅଫିସ ଠାରୁ ଆରମ୍ଭ କରି ବ୍ଲକ, ତହସିଲ, ଥାନା ଆଉ ଡାକ୍ତରଖାନା ସବୁଠି କାମ ପାଇଁ ଖର୍ଚ୍ଚପାଣିର ଆବଶ୍ୟକତା ପଡୁଛି । ଜିଲାର ବିଭିନ୍ନ ସରକାରୀ ଦପ୍ତର ଠାରୁ ଆରମ୍ଭ କରି ରାଜଧାନୀରେ ଅବସ୍ଥାପିତ ବିଭିନ୍ନ ସରକାରୀ ମୁଖ୍ୟ ଦପ୍ତର ଯାଏଁ ବିନା ଲାଞ୍ଚ ଉକ୍ରୋଚରେ ଫାଇଲ ଆଗକୁ ଘୁଞ୍ଚିବା ସମ୍ଭବ ହୁଏନାହିଁ । ଗାଁ ଗହଳିରେ ବାର୍ଦ୍ଧକ୍ୟ କିମ୍ବା ବିଧବା ଭତ୍ତାଟିଏ ଲାଗି ୱାର୍ଡମେମ୍ବର ଠାରୁ ପୁଣି ବ୍ଲକର ବାବୁ ମାନଙ୍କୁ ଶହେ ପଚାଶ ହାତଗୁଞ୍ଜା ନଦେଲେ ଚଳୁନି । ରାସନକାର୍ଡ କିମ୍ବା ଇନ୍ଦିରା ଆବାସ ଘର ଖଣ୍ଡେ ପାଇବାକୁ ହେଲେ ଆଗେ କିଛି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ଗାଁର କୁଜି ନେତାଙ୍କୁ କିଛି ଖର୍ଚ୍ଚପାଣି ଦେବାକୁ ପଡିବ । ନହେଲେ ଆବେଦନ ଫର୍ମ ପଞ୍ଚାୟତ ଅଫିସ କି ବ୍ଲକ ଅଫିସ ଯାଏଁ ପହଞ୍ଚି ପାରିବ ନାହିଁ । ଆଉ ବାକି ରହିଲା ମିଛ । ଆଜିକାଲି ଯିଏ ମିଛ କହିପାରିଲା ଅର୍ଥାତ ମିଛକୁ ବନେଇ ଚୁନେଇ ଅନ୍ୟ ଆଗରେ ଠିକ୍ ଢଙ୍ଗରେ ଉପସ୍ଥାପନ କରିପାରିଲା ସିଏ ଗଡ ଜୟ କଲା ବୋଲି ଜାଣ । ସେଥିପାଇଁ ପରିବାରରେ ପୁଅ/ଝିଅ ବାପମାଆକୁ, ପତ୍ନୀ ପତିକୁ, ଭାଇ ଭାଇକୁ ମିଛ କହିବାକୁ ପଛାଉନାହିଁ । ସ୍କୁଲରେ ପିଲାଏ ନିରୋଳା ମିଛ କହି ଶିକ୍ଷକଙ୍କୁ ବୋକା ବନେଇବାକୁ ସକ୍ଷମ ହେଉଥିବା ବେଳେ ଶିକ୍ଷକ ଉପରିସ୍ଥ ଅଧିକାରୀଙ୍କୁ ବେଶ କୌଶଳରେ ମିଛ କହି ଖସିଯିବାକୁ ସମର୍ଥ ହେଉଛି । ଆଉ ନେତାଏଁ ଲୋକଙ୍କୁ ଡାହା ମିଛ କହି ସେମାନଙ୍କୁ ଭକୁଆ ବନାଉଛନ୍ତି । ସରକାରୀ ଦପ୍ତର ଗୁଡିକରେ କାର୍ଯ୍ୟ କରୁଥିବା ଅଫିସର ଓ କର୍ମଚାରୀଙ୍କ ଅବସ୍ଥା ବି ତଦ୍ରୁପ । ଲୋକଙ୍କୁ ମିଛ କହିବା, ବିଭିନ୍ନ ବାହାନା ଦେଖାଇ ସେମାନଙ୍କ କାମ ନ କରିବା ଆଉ କାମ ପାଇଁ ହାତଗୁଞ୍ଜା ମାଗିବା ସେମାନଙ୍କ ଅଭ୍ୟାସରେ ପଡିଗଲେଣି ଯେମିତି ।

ସମାଜରେ ଲାଞ୍ଚ କାରବାର ରୋକିବାକୁ ଦୁର୍ନୀତି ନିବାରଣ ବିଭାଗ ରହିଛି । ଲାଞ୍ଚ ମାମଲାରେ ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ ବିଭିନ୍ନ ସମୟରେ ଗିରଫ କରାଯାଉଛି । ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପ୍ରତିବର୍ଷ ସରକାରଙ୍କ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଛି । ସରକାରୀ ଓ ବେସରକାରୀ ସ୍ତରରେ ଲାଞ୍ଚ କାରବାର ପ୍ରଶମିତ କରିବା ଲାଗି ପ୍ରୟାସ କରାଯାଉଛି । ସଭା ସମିତିରେ ଏହା ବିରୋଧରେ ଭାଷଣବାଜି ଚାଲିଛି । ତେବେ ଏ ସବୁ ଗୋଟେ ବାଟରେ ଚାଲିଥିବା ବେଳେ ଲାଞ୍ଚ-ମିଛ ତା’ବାଟରେ ଚାଲଛି । ସାଂପ୍ରତିକ ସମୟରେ ବର୍ଦ୍ଧିତ ଦୁର୍ନୀତି ଓ ଦୁର୍ନୀତିଖୋରଙ୍କ ସଂଖ୍ୟାକୁ ଦେଖିଲେ ଏହା ଯେ ଏକ ମହାମାରୀରେ ପରିଣତ ହୋଇଛି ତାହା ନିଃସନେ୍ଦହ । ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ ଭଳି ଦୁର୍ନୀତି ଆଜି ତଳ ଠାରୁ ଉପର ଯାଏଁ କାୟା ବିସ୍ତାର କରିଚାଲିଛି । ଦୈନିକ ଖବର କାଗଜର ପୃଷ୍ଠା ଲେଉଟାଇଲେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପିଅନ, କିରାଣୀଙ୍କ ଠାରୁ ଆରମ୍ଭ କରି ଅଫିସର ଯାଏଁ କିଭଳି ଲାଞ୍ଚ ନେବା କିମ୍ବା ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ହାତରେ ବନ୍ଧା ହେଉଛନ୍ତି ତାହା ନଜରକୁ ଆସୁଛି ।

ଶିକ୍ଷକ, ଅଧ୍ୟାପକ ମାନେ ବି ଏଥିରୁ ବାଦ ଯାଉନାହାନ୍ତି । ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଏମିତି କିଛି ଅଧିକାରୀ ଓ କର୍ମଚାରୀ ଅଛନ୍ତି, ଯେଉଁମାନେ ସରକାରଙ୍କ ଠାରୁ ବେଶ ମୋଟା ଅଙ୍କରେ ମାସିକିଆ ପାରିଶ୍ରମିକ ପାଉଛନ୍ତି ଅଥଚ ଦପ୍ତରରେ ସାଧାରଣ ଲୋକଟେ ଠାରୁ ପଚାଶ ଶହେ ଲାଞ୍ଚ ଖାଇବାକୁ ଯେମିତି ଦାନ୍ତ ନିକୁଟୁଛନ୍ତି ତାହା ଭାବିଲେ ସତରେ ଆଶ୍ଚର୍ଯ୍ୟ ଲାଗୁଛି । ବଡ ବଡ କାମକୁ ବାଦ୍ ଦେଲେ ଛୋଟକାଟର କାମ ହାସଲ ଲାଗି ଯଦି ପଚାଶ ଶହେ ଲାଞ୍ଚ ଦେବାକୁ ହେଲା ତେବେ କାମ କରିନେବା ବୁଦ୍ଧିମାନର କାର୍ଯ୍ୟ ବୋଲି ଭାବନ୍ତି ଅଧିକାଂଶ ଲୋକ । ଏଭଳି ମାନସିକତାର ଲୋକେ ଯଦି କୌଣସି କାମରେ କୌଣସି ଦପ୍ତରକୁ ସକାଳୁ ସକାଳୁ ବାହାରନ୍ତି ତେବେ ସ୍ୱାଭାବିକ ଭାବେ ଶହେ ଦି’ଶହ ପକେଟରେ ନେବାକୁ ଭୁଲନ୍ତି ନାହିଁ । ଗାଁ ଗହଳର ସାଧାରଣ ଲୋକଟିଏ ଯଦି କେବେ କାହା ଠାରୁ ମାଡ ଗାଳି ଖାଇ କିମ୍ବା କୌଣସି ସମସ୍ୟା ନେଇ ଥାନାକୁ ଗଲା ଓ ସେଠାରେ ଯଦି କୌଣସି ଲାଞ୍ଚୁଆ ଥାନାବାବୁଙ୍କ ହାବୁଡରେ ପଡିଗଲା ତେବେ କଥା ସରିକଲା । ମାଡ ଗାଳି ଠାରୁ ଜାଣ ବଳିପଡିବ ପୋଲିସକୁ ହାତଗୁଞ୍ଜା । ସେଥିରେ ବି ନ୍ୟାୟ ମିଳିବାରେ ଗ୍ୟାରେଣ୍ଟି ନାହିଁ ।

ଆଜିକାଲି ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନ ଗୁଡିକରୁ ବି ଦୁର୍ନୀତିର ଗନ୍ଧ ବାରି ହୋଇ ପଡୁଛି । ନୂତନ ଗୃହ ନିର୍ମାଣ, ମଧ୍ୟାହ୍ନ ଭୋଜନ ଓ ପୋଷାକ ଯୋଗାଣ ଆଦିରେ ବି ଅନିୟମିତତା ଓ କମିଶନ କାରବାର ଚାଲଛି । ଏସବୁବାଦ୍ ସରକାରୀ ଅନୁଦାନରେ ହେଉଥିବା ରାସ୍ତାଘାଟ, ପୋଲ ଠାରୁ ଆରମ୍ଭ କରି ଗୃହ ଓ ପାଚେରୀ ନିର୍ମାଣ ଯାଏଁ କେଉଁଠି ଯେ ଅର୍ଥ ବାଟମାରଣା ହେଉନି ସେକଥା କେହି କହି ପାରିବେନି । ପାଠପଢା ଲାଗି ଛାତ୍ରଛାତ୍ରୀଙ୍କୁ ମିଳୁଥିବା ସରକାରୀ ପ୍ରୋତ୍ସାହନ ରାଶି ହେଉ କି ଦାରିଦ୍ର୍ୟ ଦୂରୀକରଣ ଲାଗି ଆସୁଥିବା ବିଭିନ୍ନ ଯୋଜନାର ଅର୍ଥରାଶି ହେଉ କିମ୍ବା କୌଣସି ଉନ୍ନୟନ ଯୋଜନାରେ ହେଉଥିବା କାର୍ଯ୍ୟ, ସବୁଥିରେ ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣ ହେଉଛି । ଗାଁ ଠୁଁ ସହର ଉନ୍ନୟନ କାର୍ଯ୍ୟ ସହ ସଂପୃକ୍ତ ବିଭାଗୀୟ ଦପ୍ତର ଗୁଡିକରେ ବିନା ପିସିରେ କାମ ଚଳୁନି । ଫଳରେ କାମ କରିବାକୁ ଟେଣ୍ଡର ନେଇଥିବା ଠିକାଦାର ସ୍ଥାନୀୟ ନେତା ଓ ବିଭାଗୀୟ ଅଧିକାରୀଙ୍କୁ ସନ୍ତୁଷ୍ଟ କରିବା ପରେ ନିଜର ଲାଭ କଥା ଚିନ୍ତା କରୁଛି ।

ତେଣୁ ସେ ରାସ୍ତା ନିର୍ମାଣ ଲାଗି ମଞ୍ଜୁର ହୋଇଥିବା ଲକ୍ଷେ ଟଙ୍କାର ଅନୁଦାନକୁ ଷାଠିଏ ହଜାରରେ ସୀମିତ ରଖିବା ସ୍ୱାଭାବିକ ନୁହେଁ କି । ଏପରିସ୍ଥିତିରେ ବିଭିନ୍ନ ଉନ୍ନୟନ କାମ ଲାଗି ଆସୁଥିବା ସରକାରୀ ଅନୁଦାନର ସୁବିନିଯୋଗ ହୋଇପାରୁନି ଓ ଅତ୍ୟନ୍ତ ନିମ୍ନମାନର କାମ ବି ହେଉଛି । ଅଧିକାଂଶ ଅଫିସର ଓ କର୍ମଚାରୀ ମାନେ ନିଜ ଆୟ ଠାରୁ ଅଧିକ ବ୍ୟୟ କରିବା ତଥା ଏକ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିବାକୁ ମନରେ ଲାଳସା ରଖୁଛନ୍ତି । ଆଉ ଏହି ଆଶାକୁ ଚରିତାର୍ଥ କରିବାକୁ ଯାଇ ଲୋକଙ୍କୁ ମିଛସତ କହି ଆର୍ଥିକ ଶୋଷଣ କରିବାକୁ ବାଧ୍ୟ ହେଉଛନ୍ତି । ଯାହାର ପରିଣାମ ସାଧାରଣ ମଣିଷକୁ ଭୋଗ କରିବାକୁ ପଡୁଛି । ଆଜିର ଏହି ଲାଞ୍ଚ-ମିଛର ଦୁନିଆରେ ସେ ଯେମିତି ଅଣନିଶ୍ୱାସୀ ହୋଇପଡୁଛି । ତେଣୁ ମାନସିକତାର ପରିବର୍ତ୍ତନ ଲାଗି ସମୟ ଉପନୀତ ହୋଇଛି । କେବଳ ଆଇନ ବାଟରେ ନୁହେଁ ବରଂ ସବୁ ବର୍ଗର ଓ ସବୁ ସ୍ତରର ଲୋକେ ନିଜର ମନୋଭାବର ପରିବର୍ତ୍ତନ କରନ୍ତୁ । ଲାଞ୍ଚ-ମିଛରୁ ନିଜକୁ ଦୂରେଇ ରଖିବା ସହ ଅନ୍ୟକୁ ଏହା ପାଳନ କରିବାର ଶିକ୍ଷା ଦିଅନ୍ତୁ । ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ ଜୀବନକୁ ସରସ ସୁନ୍ଦର କରି ଗଢିବାକୁ ସରଳ, ସଂଯମୀ ଓ ନୀତିବାନ ହେବାକୁ ମନରେ ସଙ୍କଳ୍ପ ନିଅନ୍ତୁ ।

Nalco
Leave A Reply