ଦଶରଥପୁର, : ଦିନେ ନୁହେଁ କି ଦୁଇ ଦିନ ନୁହଁ । ବର୍ଷ ବର୍ଷ ଧରି ଚାଲିଛି ଅବାଧରେ ଜୁଆ ଖେଳ । ହେଲେ ପୁଲିସ ପାଖରେ କୌଣସି ଖବର ନାହିଁ । ଏଦୃଶ୍ୟ ହେଉଛି ମଂଗଳପୁର ଥାନା ଏବଂ ବିଂଝାରପୁର ଥାନର ମଧ୍ୟ ଭାଗରେ । ଚଷାଖଣ୍ଡ ଏବଂ ଉତ୍ତରକୂଳ ପଂଚାୟତ ମଧ୍ୟଭାଗ ପାରିପଦା ଅଣ୍ଟା ପଡିଆ ଠାରେ ଅବାଧରେ ଚାଲିଛି ଜୁଆ ଖେଳ । ଏକ ବରଗଛ ତଳେ ପ୍ରତ୍ୟେହ ସକାଳ ୮ଟାରୁ ସଂଧ୍ୟା ପର୍ଯ୍ୟନ୍ତ ଚାଲୁଥିବାବେଳେ ଶହଶହ ଲୋକେ ସେଠାରେ ଜୁଆ ଖେଳୁଛନ୍ତି । ସେଠାରେ ମଦର ଆଶର ମଧ୍ୟ ଚାଲିଛି । ଏଥିନେଇ ପୂର୍ବର୍ରୁ ସମ୍ବାଦରେ ଖବର ପ୍ରକାଶ ହୋଇଥିଲେ ମଧ୍ୟ ମାତ୍ର ଗୋଟିଏ ଦିନ ପାଇଁ ଖେଳକୁ ସ୍ଥଗିତ କରାଯାଇଥିଲା ।
ପୁଣି ପୂର୍ବଭଳି ସେଠାରେ ମଧ୍ୟ ଖେଳ ଚାଲୁଥିବା ଦେଖିବାକୁ ମିଳୁଛି । ନିକଟରେ ଥିବା ବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀ ଏବଂ ମନ୍ଦିରକୁ ଯାଉଥିବା ମହିଳାମାନେ ସୁରକ୍ଷିତ ମଣୁନାହାନ୍ତି । ପ୍ରତିବାଦ କରିବା ଲୋକଙ୍କୁ ମାଡର ଧମକ ମିଳୁଛି । ଛୋଟଛୋଟ ଛାତ୍ରଙ୍କ ମଧ୍ୟରେ ମଧ୍ୟ ଏହାର କୁ ପ୍ରଭାବ ପଡୁଛି । ବହୁ ସମୟରେ ପିଲାମାନେ ଖେଳୁଥିବା ମଧ୍ୟ ଦେଖଯାଇଛି । ଅନ୍ୟପକ୍ଷରେ ଜୁଆଡିମାନେ ବିଭିନ୍ନସ୍ଥାନରେ ଚୋରି କରୁଥିବା ଅଭିଯୋଗ ମଧ୍ୟ ଆସୁଛି । ମଂଗଳପୁରଥାନା ଅଂଚଳରେ ୨ ବର୍ଷ ମଧ୍ୟରେ ୧୦୦ରୁ ଅଧିକସ୍ଥାନରେ ଚୋରି ହୋଇଥିବାବେଳେ କୌଣସି ଘଟଣାରେ କାହାକୁ ଗିରଫ କରାଯାଇନାହିଁ ।
ହେଲେ ଏହି ୧୦୦ ଚୋରି ମଧ୍ୟରୁ ଅଧିକାଂଶ ଚୋରି ଜୁଆଡିମାନେ କରୁଥିବା ଅଭିଯୋଗ ଆସୁଛି । ପ୍ରତିଦିନ ହଜାରହଜାର ଟଙ୍କା ଜୁଆରେ ହାରିବାପରେ ରାତ୍ରିସମୟରେ ଛୋଟ ଛୋଟ ଚୋରି କରୁଥିବା କୁହାଯାଉଛି । କିଛି ନେତା ଏବଂ ପୁଲିସଙ୍କ ଛତ୍ରଛାୟା ତଳେ ଖେଳ କରାଯାଉଛି । ଏଥିପାଇଁ ମଧ୍ୟ ପ୍ରତିଦିନ ଦୁଇ ଥାନର ଦୁଇ ଜଣ କର୍ମଚାରୀ ୧୦୦୦ ଟଙ୍କା ଲେଖାଏଁ ଆଣୁଥିବା ସୂଚନା ରହିଛି । ଏହାଛଡା ନେତା ମଧ୍ୟ ନେଉଛନ୍ତି ଟଙ୍କା । ଉପରିସ୍ଥ ଅଧିକାରୀଙ୍କ ପାଖକୁ ମାସିକ ବଟି ମଧ୍ୟ ଦିଆଯାଉଛି । ଏଣୁ ସବୁ ଚୁପ । ଏହି ଜୁଆ ଖେଳକୁ ମଂଗଳପୁର ଥାନା ଅଂଚଳର କିଛି ଜୁଆଡି ଏବଂ ବିଂଝାରପୁର ଥାନା ଅଂଚଳର କିଛି ଜୁଆଡି ମିଳିତ ଭାବେ ଖେଳକରାଇ ପ୍ରତିଦିନ ଲକ୍ଷଲକ୍ଷ ଟଙ୍କା ବେଆଇନରେ ରୋଜଗାର କରୁଛନ୍ତି । ପ୍ରତିଦିନ ଶତାଧିକ ଲୋକଙ୍କର ଏଠାରେ ଭିଡ ଜମେ । ଜୁଆରେ ଲାଗେ ଲକ୍ଷଲକ୍ଷ ଟଙ୍କା । କିଏ ସୁନା ବନ୍ଧା ପକାଇ ଖେଳେତ , କିଏ ବାଇକ ବନ୍ଧକ ରଖି ଖେଳୁଛି । ଏଣୁ ପରିବାର ମଧ୍ୟରେ ମଧ୍ୟ ବିଶୃଙ୍ଖଳା ବଢୁଛି । ଏବିଷୟରେ ମଧ୍ୟ ୨ ଥାନାରେ କୌଣସି ଖବର ନଥିବା ଜଣାଯାଇଛି । ଏଣୁ ଏହାକୁ ବନ୍ଦ କରିବାକୁ ଏସପି ଦୃଢ ପଦକ୍ଷପ ନେବାକୁ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଭରତ ଚନ୍ଦ୍ର ପରିଡା, ପୂର୍ବତନ ସମିତି ସଭ୍ୟ ବିମଳ ମଲ୍ଲିକ, ଅନନ୍ତ କୁମାର ଦାସ, ବିଜୟ କୁମାର ବେହେରା, ଗୌତମ ଜେନା, ଚନ୍ଦ୍ର ଶେଖର ସାହୁ ପ୍ରମୁଖ ଦାବୀ ହୋଇଛି ।