ଇଂ. ବିଦ୍ୟାଧର ପଣ୍ଡା, ବି.ଟେକ୍. ସିଭିଲ୍, ଏମ୍.ଟେକ୍.(ପରିବେଶ) : ଗୁରୁପୂର୍ଣ୍ଣିମାରେ ମନେପଡେ ବିପଥଗାମୀ ଗୁରୁଚଣ୍ଡାଳଙ୍କ କଥା । ଭାରତୀୟ ଗୁରୁପରଂପରାକୁ କଳୁଷିତ କରି ସାରାବିଶ୍ୱରେ ଭାରତର ସଧକ, ମୁନୁଋଷି ମାନଙ୍କୁ ବଦନାମ୍କରି ଏକ ଭିନ୍ନଯୁଗ ଏମାନେ ସୃଷ୍ଟି କରିଛନ୍ତି । ପ୍ରଥମେ ମନକୁ ଆସେ ବିଶ୍ୱ ବିଖ୍ୟାତ ପ୍ରବଚକ ଆଶାରାମ ବାପୁ, ଯାହାର ୪୨୫ଟି ଆଶ୍ରମ ଏବଂ ୫୦ରୁ ଅଧିକ ଗୁରୁକୁଳ ଆଶ୍ରମ ଭାରତରେ ଅଛି । ଉଣେଇଶ ଶହ ଅନେଶତ ମସିହାରେ ଏ ଅଧମଲେଖକ ବାବାଙ୍କର ଯଶଗୁଣ ଶୁଣି ଅହମଦାବାଦ୍ସ୍ଥିତ ଆଶ୍ରମ ବୁଲିବାକୁ ଯାଇଥିଲା । ଖାଲି ମୁଁ କାହିଁକି କେତେ ମନ୍ତ୍ରୀ, ସନ୍ତ୍ରୀ ଓ ଯନ୍ତ୍ରୀଙ୍କର ଭିଡ ଲାଗୁଥଲା କହିହେବନି । ସେତେବେଳେ ବାପୁ ଆଶ୍ରମ କହିଲେ ଟ୍ୟାକ୍ସିବାଲା ସାବରମତି ସନ୍ଥ ବାପୁଜୀଙ୍କ ଆଶ୍ରମ ବଦଳରେ ଏଇ ଚିକ୍କଣକୁହା ଆଶାରାମ ବାପୁଙ୍କ ଆଶ୍ରମକୁ ନେଇଯାଉଥଲେ ।
ଏଇ ଭଣ୍ଡବାପୁଙ୍କ ବିରୁଦ୍ଧରେ ଅଭିଯୋଗ ଚିଠା ବହୁତ ଲମ୍ବା । କିନ୍ତୁ ମୁଖ୍ୟରୂପରେ ରାଜସ୍ଥାନ ଯୋଧପୁର ଆଶ୍ରମରେ ଜନୈକ ମାଆ ବାହାରେ ଅପେକ୍ଷା କରିଥିବା ବେଳେ, ତା’ର ଷୋଳବର୍ଷର କନ୍ୟାକୁ ଅସଦ୍ବ୍ୟବହାର କରିବା ଅଭିଯୋଗ ହେବାପରେ ପୋଲିସ୍ ତାଙ୍କର ସବୁ ଆଶ୍ରମକୁ ପଶିବାରୁ ଭିନ୍ନଭିନ୍ନ ଗୁପ୍ତତଥ୍ୟ ସାମ୍ନାକୁ ଆସିଲା । ଅଳ୍ପ କିଛିଦିନ ଭିତରେ ତା’ଙ୍କର ପ୍ରକୃତ ମୁଖା ଖୋଲିଗଲା ଏବଂ ତା’ଙ୍କ ପୁଅ ସାଇରାମର ବି କେଳେଙ୍କାରି ସହ ଲମ୍ପଟ ଚରିତ୍ର ବିଷୟରେ ସମସ୍ତେ ଜାଣିଲେ । ଦ୍ୱିତୀୟରେ ବାବା ରାମପାଲ । ଆଶ୍ରମ ନାଁ ସତଲୋକ, କିନ୍ତୁ କାର୍ଯ୍ୟକ୍ରମ ଗୁଡିକ ସବୁ ମିଛ । ନାନାପ୍ରକାର ଅନୈତିକ କାମ ଆଶ୍ରମ ଭିତରେ ଚାଲେ । ତା’ଙ୍କ ଆଶ୍ରମରୁ ବହୁତକିଛି ଅନୈତିକପଦାର୍ଥ ସହ ଲାଠି ବନ୍ଧୁକ ଠାବକରି ପୋଲିସ ଭିତରେ ପୁରେଇଲା । ବାବାଙ୍କ ଗାଧୁଆ କ୍ଷୀରରେ ପ୍ରସାଦ ତିଆରି କରାଯାଇ ଆଶ୍ରମରେ ଭୋଗ ଲଗାଯାଏ ବୋଲି ଜନଶ୍ରୁତୀ ଅଛି । ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ପ୍ରତିଷ୍ଠିତ ଆର୍ଯ୍ୟ ସମାଜର କିଛି ପ୍ରତିନିଧିଙ୍କ ସହ ଝଗଡା ହେବାପରେ ଜଣେବ୍ୟକ୍ତିର ମୃତୁ୍ୟ ହେବାଦିନଠାରୁ ବାବା ରାମପାଲଙ୍କର ପତନ ଆରମ୍ଭହେଲା । ଏଇ ଭଣ୍ଡବାବାଙ୍କ ପାଇଁ ଭକ୍ତମାନେ ପୋଲିସକୁ ଆଶ୍ରମ ଭିତରେ ପଶିବାକୁ ବାରଣ କରିବାରୁ ଧସ୍ତାଧସ୍ତିରେ ଛଅଜଣ ଭକ୍ତଙ୍କ ପ୍ରାଣ ଚାଲିଗଲା । ତୃତୀୟରେ ସ୍ୱାମୀ ନିତ୍ୟାନନ୍ଦ ।
ସିଏ କୁହନ୍ତି ପ୍ରାୟ ଦେଢକୋଟି ଲୋକ ତା’ଙ୍କୁ ଭଲ ପାଆନ୍ତି ଏବଂ ତା’ଙ୍କ ପ୍ରସାରଣ ଦେଖନ୍ତି । ତା’ଙ୍କ ନାଁରେ ଏକାଧିକ ବଳକ୍ରାର ମାମଲା ନ୍ୟାୟାଳୟରେ ଚାଲିଛି ଏବଂ ବାବା ଭିତରେ ଧ୍ୟାନ କରୁଛନ୍ତି । ମୁଖ୍ୟରୂପରେ କହିବାକୁ ଗଲେ ବାବା ଯୁବାବୟସରେ ଆଧ୍ୟାତ୍ମିକ ମାର୍ଗରେ ପଶିଗଲେ । ସୁନ୍ଦରୀଶିଷ୍ୟାଙ୍କ ସଂଖ୍ୟା ବେଶୀ ହେବାରୁ ବାବା ନାରୀ ସମ୍ଭୋଗଗୁଣଟିକୁ ପ୍ରୀତିକରି ପତନକୁ ନିମନ୍ତ୍ରଣ ଦେଲେ । ଚତୁର୍ଥରେ ହିରୋବାବା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ୍ ରାମ୍ ରହିମ୍ । ୟା’ଙ୍କର ନାରୀପ୍ରେମ କୁଆଡେ କୃଷ୍ଣଙ୍କ ସାଙ୍ଗରେ ସମାନ । ଜରାସନ୍ଧ ରାକ୍ଷସରାଜାକୁ କୃଷ୍ଣ ମାରିବା ପରେ ତା’ ରାଜପ୍ରସାଦର ବନ୍ଧିଗୃହରୁ ଷୋଳସହସ୍ର ନାରୀଙ୍କୁ ଭଗବାନ କୃଷ୍ଣ ଉଦ୍ଧାର କଲେ । ସେମାନେ କୃଷ୍ଣଙ୍କୁ ପଚାରିଲେ, ‘ଆମେ ରହିବୁ କୋଉଠି? ଖାଇବୁ କଣ? ପୁରୁଷପ୍ରଧାନ ସମାଜରେ ଯୈ÷ାବନକୁ ରଖି ସମ୍ମାନର ସହ ଚଳିବୁ କେମିତି?’ ତାପରେ କୃଷ୍ଣ ସେ ସମସ୍ତ ବନ୍ଦିନୀମାନଙ୍କୁ ନିଜ ପତ୍ନୀର ମର୍ଯ୍ୟାଦା ଦେଇ ନିଜ ପ୍ରାସାଦରେ ସ୍ଥାନଦେଲେ ।
ସେହିପରି ବାବା ରାମ୍ ରହିମ୍ ଉତ୍ତରାଖଣ୍ଡ ରାଜ୍ୟରେ ଆସିଥିବା ଭୟଙ୍କର ବନ୍ୟା ଏବଂ ଭୁସ୍ଖଳନ ପରେ ବିଧବା ହୋଇ ନିଜର ଆତ୍ମୀୟ ସ୍ୱଜନଙ୍କୁ ହରାଇଥିବା ପ୍ରାୟ ଷୋଳଶହ ନାରୀଙ୍କୁ ବାବା ପତ୍ନୀରୂପରେ ଗ୍ରହଣ କରିବାପାଇଁ ପ୍ରସ୍ତୁତ ହେଉଥିଲେ । ମହାରଣୀ ହନି ପ୍ରୀତ୍ଙ୍କର ତତ୍ତ୍ୱାବଧାନରେ ଏସବୁ ଚାଲିଥିଲା ବେଳେ ସଙ୍କଟ ମାଡି ଆସିଲା । ସବୁଠାରୁ ବଡ ଘଟଣା ହେଲା ଏ କାମୁକ ବାବା ଶିଖମାନଙ୍କର ନବମ ଗୁରୁ ଗୋବିନ୍ଦ ସିଂ ପରେ ସ୍ୱୟଂକୁ ଦଶମ ଗୁରୁରୂପରେ ପୋଷାକପିନ୍ଧି ଆସ୍ଥାନରେ ବସି କାର୍ଯ୍ୟକ୍ରମମାନ କଲାପରେ ପତନର ଅୟଂଆରମ୍ଭ ହେଲା । ଅନେକ କନ୍ୟା ତା’ଙ୍କ ବିରୁଦ୍ଧରେ ଯୈ÷ାନ ଶୋଷଣର ଅଭିଯୋଗ କଲେ । ଖେଳ ସରିଗଲା । ବାବା ଓ ମାତା ଦୁହେଁ ମାମୁଁଘର ଭିତରକୁ ଗଲେ ।
ସବୁ ଜାତୀୟସ୍ତରର ବାବାଙ୍କ କଥାକହି ପ୍ରବନ୍ଧ ସାରିଦେଲେ ଆମରାଜ୍ୟର ସ୍ଥାନୀୟ ଭଣ୍ଡବାବାଙ୍କ ପ୍ରତି ଅନ୍ୟାୟ ହେବ । ଓଡିଶା ବାବାଙ୍କର ପତନ ଆରମ୍ଭହେଲା କେନ୍ଦ୍ରାପଡା କୁରଥୀ ବାବାଙ୍କଠାରୁ । ସବାଖିଆ ସନ୍ତୋଷ ରାଉଳଙ୍କ ପଛେପଛେ ଜନୈକ ବଜ୍ରକୀଳା ସମ୍ବାଦିକପ୍ରତିନିଧି ହାଇଦ୍ରାବାଦ୍ ଉଡାଜାହାଜରେ ଯାଇ ଗୋଲକୁଣ୍ଡାହୋଟେଲ୍ରେ ସୋମରସ ସହ କୁକୁଡାଟାଙ୍କୁ ଖାଇବା ଏବଂ କନ୍ୟାସମ୍ଭୋଗ ଆଦିର ଫଟୋପ୍ରମାଣ ନେଇ ଫେରିଲା ପରେ ବାବାଙ୍କର ଖରାପ ଦିନର ଆରମ୍ଭ ହେଲା । ଧିରେଧିରେ ସବୁ ପଦାକୁ ଆସିଲା । ଗୁରୁପୂଣ୍ଣିମାରେ ବାବା ଶିଷ୍ୟାମାନଙ୍କୁ ଗୋପିଭାବରେ ଗୁରୁଙ୍କୁ ସମର୍ପଣ କରିବାକୁ କୁହନ୍ତି । ନିଜେ କୃଷ୍ଣଙ୍କବେଶରେ ସଜେଇହୋଇ ମୟୁରଚନ୍ଦ୍ରିକା ମୁକୁଟରେ ଖୋସି ଚାରିପଟେ ଯୁବତୀମାନଙ୍କୁ ବସେଇ ମଝିରେ ଆଣ୍ଠୁଆଗୋପାଳ ଖେଳ ଖେଳନ୍ତି । ଯେଉଁ ଆଶ୍ରମରେ ଅଦ୍ଭୁତ ଘଟଣା ଘଟୁଥଲା (ଯଥା- ବାବାଙ୍କ ପାଦରୁ ମହୁ ବାହାରିବା, ସିମେଂଟ୍ ଗାଈ କ୍ଷୀରଦେବା ପରି ଅନେକ), ଏବେ ସେ ଆଶ୍ରମରେ କୁଆ ଉଡୁଛି, ବାବା ସୋନାଗାଛି ପାଖାପାଖି ନୂଆଆଶ୍ରମରେ ରହୁଛନ୍ତି ବୋଲି ଉଡାଖବର ଶୁଣିବାକୁ ମିଳୁଛି । ସତମିଛ କିଏ ଜାଣେ! ବାବା କୁରଥିଙ୍କୁ ଖିଅରକଲା ପରେ ପୋଲିସସ୍କାନରରେ ଆସିଲେ ଝିଇଁଟିଶାସନ ଆଶ୍ରମର ପୋଥି ବାହାରକଲା ବାଲା ଧୁରନ୍ଧର ଗେରୁଆ ବସ୍ତ୍ରଧାରୀ କୃରବାବା ।
ତା’ଙ୍କ ଖେଳ ନିଆରା । ଆଶ୍ରମରେ ଭକ୍ତମାନେ ନମସ୍କାର ନୁହେଁ ସାଷ୍ଟାଙ୍ଗ ପ୍ରଣିପାତ କରିବେ । ନାରୀଖେଳ ବି ରହିଛି, ହେଲେ କୃରତା ସୀମା ଟପିଥିଲା । ଜନୈକ ଅନ୍ତେବାସୀଙ୍କୁ ପିଟିପିଟି ଆଶ୍ରମରେ ମାରିଦେଲେ ବୋଲି ମାଳିଟିଏ ମାନିଥିଲା । ଆଉରି ଅନେକ ସମୟରେ ଆଶ୍ରମ ଭିତରେ କିଛି ନିୟମ ଉଲଙ୍ଘନ କଲେ ବାବାଙ୍କ ନିଦେ୍ର୍ଦଶରେ ଏକ ନିର୍ଦ୍ଧିଷ୍ଟଜାଗାକୁ ଅପରାଧିକୁ ନେଇ ପୋଷାଗୁଣ୍ଡାମାନେ ଗୁହମୂତ ବାହାରିବାଯାଏ ପିଟନ୍ତି । ତା’ପରେ ଅନେକ ଛୋଟଛୋଟ କୁଜି ଭଣ୍ଡବାବାଙ୍କ ଭାଣ୍ଡ ଫୁଟିଲା ସିନା, ହେଲେ ସବୁ ବାହାରିଗଲେ । ଏବେ ବେଶୀ ଭକ୍ତ ନାହାନ୍ତି, ତଥାପି କଳିଯୁଗରେ କଣ ବେହିଆ ମାନଙ୍କର ଅଭାବ ଅଛି । ଏବେ ବି ଲୋକେ ସେ ପାଦରୁ ମହୁ ଚାଟିବାକୁ ଚାହିଁଛନ୍ତି, କିଛି ନାରୀ ବାବାଙ୍କର ଆଣ୍ଠୁଆଗୋପାଳ ଖେଳ ଖେଳିପରୁନଥବାରୁ ମନଦୁଃଖ କରୁଛନ୍ତି ।
ଏମାନେ ଗୁରୁ ନାଁରେ ଗୋଟିଏ ଗୋଟିଏ ଭଣ୍ଡ । ସରଳ ମଣିଷଙ୍କର ଦୟନୀୟ ଅବସ୍ଥାବେଳେ ଶରଣକୁ ନେଇ ଶୋଷଣ କରିବାକୁ ଭଲପାଇ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛନ୍ତି । ଦିନେ ଏ’ମାଟିରେ ଗୁରୁବନ୍ଦନା ଲେଖିବାକୁ ଯାଇ ଗୁରୁଙ୍କୁ ବ୍ରହ୍ମା ବିଷ୍ଣୁ ମହେଶ୍ୱର କହିଲାପରେ ବି ତା’ଙ୍କ ମନ ଶାନ୍ତି ହେଲାନି ବୋଲି ଶେଷରେ ଗୁରୁଙ୍କୁ ସାକ୍ଷାତ ପରଂବ୍ରହ୍ମ ଆଖ୍ୟାଦେଇ ନମନ କରିଥିଲେ । ସନ୍ଥ କବିରଙ୍କ ଭାଷାରେ ଗୋବିନ୍ଦଙ୍କ ତୁଳନାରେ ଗୁରୁ ହିଁ ଶ୍ରେଷ୍ଠ । କାରଣ ଗୁରୁ ହିଁ ଗୋବିନ୍ଧଙ୍କୁ ଚିହ୍ନେଇଥାଏ । ବିନାଗୁରୁରେ କେହିହେଲେ ଗୋବିନ୍ଦଙ୍କୁ ପାଇପାରେନା । କୁହାଯାଏ “ଗୁ”ଅର୍ଥ ଅନ୍ଧକାର ଏବଂ “ରୁୁ”ଅର୍ଥ ଦୂରକରିବା । ଅଜ୍ଞାନ ଅନ୍ଧକାରକୁ ଦୂରକରି ପ୍ରକାଶପଥ ଯିଏ ଦେଖାଏ ସିଏ ହିଁ ପ୍ରକୃତ ଗୁରୁ । ଗୁରୁପୂଣ୍ଣିମାର ଶୁଭଅବସରରେ ସମସ୍ତେ ନିଜନିଜର ପ୍ରକୃତଗୁରୁ ପ୍ରତି କୃତଜ୍ଞତା ଜ୍ଞାପନ କରିବା ଉଚିତ୍ । ଆଜିର ମଣିଷ ଭଷ୍ମାସୁର ପରି ବ୍ୟବହାର କରୁଛି । କୃତଜ୍ଞତା ଧିରେଧିରେ ଲୋପ ପାଇବାରେ ଲାଗିଛି । ଗୁରୁ ଗୁରୁଜନଙ୍କର ସମ୍ମାନ ନାହିଁ । ଏଥିପାଇଁ ସମାଜର ନୈତିକ ଅଧୋପତନ ଘଟି ମାନବସମାଜ ଏକ ଅସହାୟ ଅବସ୍ଥା ଆଡକୁ ଗତିକଲା ପରି ଲାଗୁଛି । ସମାଜର ସର୍ବଙ୍ଗୀନ ଉନ୍ନତି ପାଇଁ ପରଷ୍ପର ପ୍ରତି ସ୍ନେହଁ ଭାଇଚାରା ସହ ଗୁରୁ ଗୁରୁଜନମାନଙ୍କ ପ୍ରତି କୃତଜ୍ଞତା ଭାବର ଏକାନ୍ତ ଆବଶ୍ୟକ । ଶୁଭ ଅବସରରେ ଏହା ହିଁ ହେଉ ଆମର ଏହି ଶୁଭ ଗୁରୁପୂଣ୍ଣିମା ସଙ୍କଳ୍ପ ।