ରଘୁନାଥପୁର : ଚାଷ ଓ ଚାଷୀ ସୁରକ୍ଷା ନିମନ୍ତେ ବିଗତ ଫନୀ ମହାବାତ୍ୟାରେ କ୍ଷତିଗ୍ରସ୍ଥ ଚାଷୀଙ୍କୁ ବିପର୍ଯ୍ୟୟ ସହାୟତା ରାଶି ତୁରନ୍ତ ପ୍ରଦାନ କରିବା ନେଇ ନବ ନିର୍ମାଣ କୃଷକ ସଂଗଠନର ଶତାଧିକ ସଦସ୍ୟ ରଶ୍ମୀ ରଂଜନ ସ୍ୱାଇଁ ଓ ଦେବୀ ପ୍ରସାଦ ମହାରଣାଙ୍କ ନେତୃତ୍ୱରେ ଆଜି ରଘୁନାଥପୁର ତହସିଲ ଅଫିସ ଘେରଉ କରିବା ସହ ଏକ ୧୨ ଦଫା ଦାବୀ ସମ୍ବଳିତ ସ୍ମାରକ ପତ୍ର ଓଡିଶାର ମହାମହିମ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ରଘୁନାଥପୁର ତହସିଲଦାର ଦିପାଲିକା ଦାସଙ୍କୁ ପ୍ରଦାନ କରଛନ୍ତି ।ଫନୀ ମହାବାତ୍ୟାର ୧୩ ମାସ ପୁରି ଯାଇଥିଲେ ମଧ୍ୟ ବିଭାଗୀୟ ଅଧୀକାରି ଓ ସଂପୃକ୍ତ ବ୍ୟାଙ୍କର ଅବହେଳା ଯୋଗୁଁ ଏହି ବାତ୍ୟାର ବିପର୍ଯ୍ୟୟ ସହାୟତା ରାଶି ଚାଷୀମାନେ ପାଇ ପାରି ନାହାଁନ୍ତି ବୋଲି ଏହି ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଛି ।
ଏଥି ସହିତ ଗତ ମାର୍ଚ୍ଚ ୨୩ ତାରିଖରେ ଅଦିନିଆ ଝଡବର୍ଷାରେ ରବି ଫସଲ ସଂପୂର୍ଣ୍ଣ ନଷ୍ଟ ହେବା,୨୦୧୯-୨୦ ଖରିଫ ଧାନ ସଂଗ୍ରହ ବର୍ଷରେ ସଠିକ ସମୟ ଅବଧି ମଧ୍ୟରେ ପଂଜୀକୃତ ଚାଷୀ ମାନଙ୍କର ଧାନ କ୍ରୟ କରା ନଯାଇ ହଠାତ୍ ଧାନ ମଣ୍ଡି ବନ୍ଦ କରି ଦିଆଯିବା,ଚଳିତ ଖରିଫ ଋତୁ ଆରମ୍ଭରୁ ଜଳ ସେଚନ ନିମନ୍ତେ ମୁଖ୍ୟ କେନାଲରେ ପାଣି ନଥିବା ଏବଂ ଶାଖା ନାଳ ଗୁଡିକ ମରାମତି କରା ଯାଇନଥିବା,ଅଣ ଜଳସେଚିତ ଜମି ଗୁଡିକ ପାଇଁ ଉଠା ଜଳସେଚନର ପ୍ରକଳ୍ପ ନକରିବା,ଜଳସେଚନର ବ୍ୟବସ୍ଥା କରା ନଯାଇ ଥିବାରୁ ଜଳକର ଛାଡ କରିବା,ହଜାର ହଜାର ଚାଷ ଜମିକୁ ହଂସୁଆ ନଦୀ ବନ୍ୟା ପ୍ରକୋପରୁ ରକ୍ଷା କରିବା ପାଇଁ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିବା,ଉଦ୍ବୃତ ବନ୍ୟା ଜଳକୁ ନିଷ୍କାସନ ପାଇଁ ନିଷ୍କାସିତ କେନାଲ ଗୁଡିକୁ ମରାମତି କରିବା ଏବଂ ଦଳ ସଫା କରିବା,ମାଙ୍କଡ, ଷଣ୍ଢ ଓ ହରିଣ ଦାଉରୁ ଫସଲ ରକ୍ଷା କରିବା,ଗୋଚାରଣ ଭୂମିକୁ ରକ୍ଷା କରିବା, ସାର ଓ କୀଟ ନାଶକକୁ ସରକାରୀ ଧାର୍ଯ୍ୟ ମୁଲ୍ୟରେ ଚାଷୀଙ୍କୁ ଯୋଗାଇ ଦେବା ପାଇଁ ସୁ ବନେ୍ଦାବସ୍ତ କରିବା ଆଦି ୧୨ ଦଫା ଦାବୀ ଏହି ପତ୍ରରେ ନବ ନିର୍ମାଣ କୃଷକ ସଂଗଠନ ଉଲ୍ଲେଖ କରିଅଛି ।ତେବେ କୃଷକ ସଂଗଠନର ଏହି ଘେରଉ ଦିନ ୧୦ ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବା ପରେ ଏହି ଦାବୀପତ୍ର ତହସିଲଦାରଙ୍କୁ ପ୍ରଦାନ କରାଯାଇ ଥିଲା ।ଦାବୀ ପତ୍ର ପ୍ରଦାନ ବେଳେ ତହସିଲଦାରଙ୍କ ସମେତ ଅତିରିକ୍ତ ତହସିଲଦାର ମାନସ କୁମାର ତ୍ରୀପାଠି,ବ୍ଲକ କୃଷି ଅଧିକାରିଣୀ ରାଜଲକ୍ଷ୍ମୀ ସାହୁ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ରଘୁନାଥପୁର ଥାନା ପୋଲିସ ଆଇନ ଶୃଙ୍ଖଳା ରକ୍ଷା କରିଥିଲେ ।