ଅମ୍ଫାନକୁ ଦୁଇସପ୍ତାହ ବିତିଲା, ଭାଙ୍ଗିଯାଇଥିବା କଲେଜ ଗୃହ ମରାମତି ନୋହିଲା , ବସିକି ପାଠ ପଢ଼ିବାକୁ ନାହିଁ ଶ୍ରେଣୀ କକ୍ଷ ,ଅଫିସ ଗୃହରେ ଦେଖାଯାଉଛନ୍ତି ସୂର୍ଯ୍ୟ, ଚନ୍ଦ୍ର
କୋଣାର୍କ : ଗତ ମାସରେ ହୋଇଥିବା ସାମୁଦ୍ରିକ ବାତ୍ୟା ଅମ୍ଫାନକୁ ଦୁଇ ସପ୍ତାହ ବିତିଛି ।ମାତ୍ର ଅମ୍ଫାନରେ ଶିକ୍ଷାନୁଷ୍ଠାନରେ ହୋଇଥିବା କ୍ଷୟକ୍ଷତିର ଅଦ୍ୟାବଧି ମରାମତି କରାଯାଇନାହିଁ ।ମିଳିଥିବା ସୂଚନା ମୁତାବକ କୋଣାର୍କ- ଭୁବନେଶ୍ବର ରାସ୍ତାର ସାରଡ଼ାଛକରେ ରହିଛି କୋଣାର୍କ ଜୁନିୟର ମହିଳା ମହାବିଦ୍ୟାଳୟ ।ଆଜବେଷ୍ଟସଘରେ ଚାଲିଥିବା ଏହି ମହାବିଦ୍ୟାଳୟର +୨ଶ୍ରେଣୀରେ ପାଞ୍ଚଶହରୁ ଅଧିକ ଛାତ୍ରୀ ମାନେ ଅଧ୍ୟୟନ କରନ୍ତି ।ସଂପ୍ରତି ମହାମାରୀ କରୋନା ପାଇଁ କଲେଜ ବନ୍ଦ ରହିଛି ।
ତେବେ ଗତ ଅମ୍ଫାନ ବାତ୍ୟାରେ କୋଣାର୍କ ଜୁନିୟର ମହିଳା ମହାବିଦ୍ୟାଳୟର ବ୍ୟାପକ କ୍ଷୟକ୍ଷତି ହୋଇଛି ।ଛାତ୍ରୀ ମାନେ ଅଧ୍ୟୟନ କରିବାକୁ ଉଦ୍ଧିଷ୍ଟ ଦୁଇଟି ଶ୍ରେଣୀଗୃହ,ଅଫିସଗୃହ , ଅଫିସରେ ଥିବା ରେକର୍ଡ଼ ପତ୍ର, ସିସି କ୍ୟାମେରା,କମ୍ଫ୍ୟୁଟର , ପ୍ରିଣ୍ଟର ଓ ଇନଭରଟର ଭଳି ସମସ୍ତ ସାମଗ୍ରୀ ବାତ୍ୟା ଅମ୍ଫାନରେ କ୍ଷୟକ୍ଷତି ହୋଇଛି ।ମହାବିଦ୍ୟାଳୟର ଆଜବେଷ୍ଟସ ପବନରେ ଉଡ଼ିଯାଇ ନିକଟସ୍ଥ ଗହୀର ବିଲରେ ଭାଙ୍ଗିରୁଜି ପଡ଼ିଥିବାର ଦେଖାଯାଇଛି ।ଏନେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୋଦ କୁମାର ଦାଶ ଜିଲ୍ଲା ପ୍ରଶାସନ ସହିତ ସ୍ଥାନୀୟ ବ୍ଳକ ପ୍ରଶାସନକୁ ଅବଗତ କରିଛନ୍ତି ।
ମାତ୍ର ଏହି ମହାବିଦ୍ୟାଳୟ ମରାମତି ଦିଗରେ କୌଣସି ପଦକ୍ଷେପ ଅଦ୍ୟାବଧି ନିଆଯାଇନାହିଁ ।ଅନ୍ୟପକ୍ଷରେ ଆଉ କିଛିଦିନ ପରେ କଲେଜ ଖୋଲାଯିବ ବୋଲି ଶୁଣିବାକୁ ମିଳୁଛି ।ମାତ୍ର ଶ୍ରେଣୀଗୃହ କିମ୍ବା କାର୍ଯ୍ୟାଳୟ ନଥିବା ମହାବିଦ୍ୟାଳୟରେ ଛାତ୍ରୀ ମାନେ କିଭଳି ଅଧ୍ୟୟନ କରିବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ଏଦିଗରେ ଜିଲ୍ଲାପାଳ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଅଭିଭାବକ ମହଲରୁ ଦାବି ପ୍ରକାଶ ପାଇଛି ।