Odisha news

ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା କେରଳରେ ନିର୍ଯାତିତ ଶତାଧିକ ଓଡିଆ ମହିଳା ଶ୍ରମିକଙ୍କୁ ଉଦ୍ଧାର ପାଇଁ କେରଳ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ

0
କେନ୍ଦ୍ରାପଡା, ୦୫।୦୫- ଗଣମାଧ୍ୟମର ପ୍ରକାଶିତ ଏକ ଖବର ଆଧାରରେ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା କେରଳରେ ହଜାରରୁ ଉର୍ଦ୍ଧ୍ବ ନିର୍ଯାତିତ ଓଡିଆ ମହିଳା ଶ୍ରମିକଙ୍କୁ ଉଦ୍ଧାର ପାଇଁ କେରଳ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ, କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକର କଣ୍ଡିରା, କୁରୁଣ୍ଟି, ସାତଭାୟା ପଞ୍ଚାୟତ ଓ ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ପଞ୍ଚାୟତର ଶହ ଶହ ମହିଳା ଓ ଯୁବତୀ କେରଳର ଏର୍ନ୍ନାକୁଲମ୍‌ ଜିଲ୍ଲାର ଏକ ଘରୋଇ କପଡା କମ୍ପାନୀ କିଟେକ୍ସ ଗାର୍ମେଣ୍ଟରେ ଟେଲରିଂ କାର୍ଯ୍ୟ କରନ୍ତି। କରୋନା କଟକଣା ଲାଗୁ ପରେ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ଖାଦ୍ୟପେୟ ନଦେଇ ମାଗଣା କାମ କରାଇବା ସହ ଧମକ ଦେଉଥିବା କିଛି ଯୁବତୀ ଲୁଚି ଛପି ଫୋନ ଯୋଗେ କାନ୍ଦି କାନ୍ଦି ଘର ଲୋକଙ୍କୁ ଜଣାଇଥିଲେ ଏବଂ ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ଗୁହାରି କରିଛନ୍ତି। ସେମାନଙ୍କୁ ଠିକ୍‌ ଭାବେ ଖାଇବାକୁ ଦିଆଯାଉନି କି ପାରିଶ୍ରମିକ ବି ମିଳୁନି।
ମହିଲା ଶ୍ରମିକ ମାନଙ୍କୁ ଟେଲରିଂ ସହ ଘର କାମରେ ନିୟୋଜିତ କରାଯାଉଛି ଏବଂ ବାହାରକୁ ଯିବାକୁ ଅନୁମତି ଦିଆନଯାଇ ନାନା ପ୍ରକାର ଧମକ ଚମକ ଦିଆଯିବା ସହ ପୋଲିସ ଲଗାଇ ଚାପ ପକାଯାଉଥିବା କିଛି ଯୁବତୀ ଅଭିଯୋଗ କରିଛନ୍ତି।
ଏଇ ଖବର ଜାଣିବାପରେ ଶ୍ରୀ ପଣ୍ଡା କେରଳ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ମହିଳା ଶ୍ରମିକ ମାନଙ୍କୁ ଉଦ୍ଧାର କରି ସେମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରିବା ସହ ସେମାନଙ୍କ ଓଡିଶା ଫେରିବା ପାଇଁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇଦେବାକୁ ବିନମ୍ର ଅନୁରୋଧ କରିଛନ୍ତି। ଶ୍ରୀ ପଣ୍ଡା ଗତ ମାସ ୨୫ ତାରିଖରେ, ଫେରିବାକୁ ଥିବା ପ୍ରବାସୀ ଓଡିଆଙ୍କ ପାଇଁ କେନ୍ଦ୍ରାପଡାରେ ନିଜ ସାଂସଦ ପାଣ୍ଠି ନିର୍ମିତ ପ୍ରକଳ୍ପଗୁଡିକୁ ସଙ୍ଗରୋଧ କେନ୍ଦ୍ର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ।
Govt
Leave A Reply