Odisha news

ନେତୃତ୍ୱର ଅଦମ୍ୟ ଉଦ୍ୟମ ଉତ୍କଳ ଗୈାରବ ମଧୂସୁଦନ ଦାସ

0

Editorial: ୧୮୪୮, ଅପ୍ରେଲ୍ ୨୮ରେ ଓଡିଶାର କଟକ ଜିଲ୍ଲା ଅନ୍ତର୍ଗତ ସତ୍ୟଭାମାପୁର ଗ୍ରାମରେ ଉତ୍କଳ ଗୈାରବ ମଧୂସୁଦନ ଦାସ ଓରଫ୍ ମଧୁବାବୁଙ୍କ ଜନ୍ମ । ବାଲ୍ୟଶିକ୍ଷା ପ୍ରଥମେ ଚାଟଶାଳୀରୁ ଆରମ୍ଭ ହୋଇଥିଲା ତାଙ୍କର । ପରେ ୧୩ ବର୍ଷ ବୟସରେ ସେ କଟକରେ ଥିବା ଏକ ସରକାରୀ ହାଇସ୍କୁଲ୍ରେ ଅଧ୍ୟୟନ କରିଥିଲେ । ସେହି ହାଇସ୍କୁଲ୍ଟି ଏବେ ରେଭେନ୍ସା କଲିଜିଏଟ୍ ସ୍କୁଲ ନାମରେ ପରିଚିତ । ୧୮୬୪ରେ ଏନ୍ଟ୍ରାନ୍ସ୍ ପରୀକ୍ଷାରେ ସେ ସଫଳତାର ସହ କୃତିତ୍ୱ ଅର୍ଜନ କରିବା ସଙ୍ଗେ ସଙ୍ଗେ ଉଚ୍ଚଶିକ୍ଷା ପାଇଁ ଅର୍ଥାଭାବ ଯୋଗୁଁ ବାଧ୍ୟ ହୋଇ ବାଲେଶ୍ୱର ଜିଲ୍ଲା ସ୍କୁଲରେ ୨ବର୍ଷ ଶିକ୍ଷକତା କ୍ରମେ କିଛି ଅର୍ଥ ସଂଚୟ କରି ୧୮୬୬ରେ ସୁଦୂର କଲିକତା ଯାତ୍ରା କରିଥିଲେ ।


କଲିକତାରେ ଅର୍ଥାଭାବ ଯୋଗୁଁ ପାଠ ପଢିବା ସମ୍ଭବପର ହୋଇନପାରିବାରୁ ସେ ଅମ୍ବିକା ପ୍ରସାଦ ହାଜରା ନାମକ ଜଣେ ପାଦ୍ରୀଙ୍କ ସହ ଆଲୋଚନା ଓ ପରାମର୍ଶ କ୍ରମେ ମଧୁବାବୁ ଖ୍ରୀଷ୍ଟିଆନ୍ ଧର୍ମରେ ଦୀକ୍ଷିତ ହୋଇ ନୀୟମାନୁସାରେ ମୂଳନାମ ଗୋବିନ୍ଦବଲ୍ଲଭକୁ ପରିବର୍ତନ କରି ମଧୂସୁଦନ ନାମ ଗ୍ରହଣ କରିଥିଲେ । ପୁନର୍ବାର ଶିକ୍ଷକତା ସମୟ ମଧ୍ୟରେ ସେ ୧୮୭୦ରେ ବି.ଏ ଓ ୧୮୭୩ରେ ଇଂରାଜୀ ସାହିତ୍ୟରେ ଏମ୍.ଏ ପାସ୍ର କିଛି କାଳ ପରେ ମଧ୍ୟ ବି,ଏଲ୍ ପାସ୍ କରି କଲିକତା ହାଇକୋର୍ଟରେ ଓକିଲାତି ଜୀବନ ଆରମ୍ଭ କରିଥିଲେ ଓ ସେଠାରେ ଥିବା ପ୍ରବାସୀ ଓଡିଆ ଶ୍ରମିକମାନଙ୍କ ଉନ୍ନତି ପଥେ ଲାଗିପଡିଥିଲେ ।
୧୮୮୦ରେ ମଧୁବାବୁ ଓଡିଶାକୁ ପ୍ରତ୍ୟାବର୍ତନ କରି କଟକରେ ଓକିଲାତି କରିଥିଲେ । ତାଙ୍କର ବିଚକ୍ଷଣ ବୁଦ୍ଧି ଯୋଗୁଁ ସେ ଓକିଲାତିରେ ବିଶେଷ ପାରଦର୍ଶିତା ଅର୍ଜନ କରିପାରିଥିଲେ । ବାରିଷ୍ଟରୀ ପଢିନଥିଲେ ମଧ୍ୟ ଲୋକେ ତାଙ୍କୁ ସମ୍ମାନର ସହ ମଧୁ ବାରିଷ୍ଟର ବୋଲି ସମ୍ବନ୍ଧନ କରୁଥିଲେ । ତାଙ୍କର ଓଳିଲାତି ଜୀବନ କାଳରେ ସେ ବହୁ ଦୁଃଖୀ ଦରିଦ୍ର ଲୋକମାନଙ୍କ ପାଇଁ ବିନା ଫିସ୍ରେ ଲଢି ସେମାନଙ୍କୁ ଅତ୍ୟାଚାରୀ ଧନିକମାନଙ୍କ ହାତରୁ ରକ୍ଷା କରିଥିଲେ । ସେତେବେଳେ ଇଂରେଜ ସରକାର ଓଡିଶାର ଠାକୁର ରାଜା ପୁରୀ ରାଜାଙ୍କ ହାତରୁ ଜଗନ୍ନାଥ ମନ୍ଦିରର ପରିଚାଳନା ଭାଗ କାଢି ନେବା ପାଇଁ ଆଇନ୍ କରିବାରୁ ମଧୁବାବୁ ଉକ୍ତ ଆଇନ୍ ରଦ୍ଦ ହେଲା ପର୍ଯ୍ୟନ୍ତ ଲଢେଇ କରି ଓଡିଶାର ସମ୍ମାନ ରକ୍ଷା କରିଥିଲେ ।


ସେ ୧୮୮୩ରେ ରେଭେନ୍ସା କଲେଜ୍ରେ ଥିବା ଇ କ୍ଲାସ୍ରେ ଆଇନ୍ ଅଧ୍ୟାପକ ରୂପେ ନିଯୁକ୍ତି ପାଇଥିଲେ । କିଛିକାଳ ପାଇଁ ସେ କଟକ ଜିଲ୍ଲା ବୋର୍ଡର ଚେୟାରମ୍ୟାନ୍ ଓ କଲିକତା ବିଶ୍ୱବିଦ୍ୟାଳୟର ସଭ୍ୟ ରୂପେ ଗୃହିତ ହୋଇଥିଲେ । ୧୮୬୯ରେ ମଧୁବାବୁ ବେଙ୍ଗଲ୍ ଲେଜିସ୍ଲେଟିଭ୍ କାଉନ୍ସିଲ୍କୁ ସଭ୍ୟ ରୂପେ ନିର୍ବାଚିତ ହୋଇଥିଲେ ଏବଂ ପରବର୍ତୀ ନିର୍ବାଚନମାନଙ୍କରେ ଜୟଯୁକ୍ତ ହୋଇ ଏକାଦି କ୍ରମେ ୧୫ବର୍ଷ କାଳ ସଭ୍ୟଭାବେ ରହିଥିଲେ । ତାଙ୍କର ଏହି ଜନହିତକର କାର୍ଯ୍ୟାନୁଷ୍ଠାନରେ ପ୍ରୀତ ହୋଇ ୧୯୦୪ରେ ସରକାର ତାଙ୍କୁ ସି.ଆଇ.ଇ ଉପାଧିରେ ଭୂଷିତ କରିଥିଲେ । ୧୯୧୨ରେ ବିହାର-ଓଡିଶା ପ୍ରଦେଶ ଗଠିତ ହେଲା ପରେ ମଧୁବାବୁ ଏହାର ଲେଜିସ୍ଲେଟିଭ୍ କାଉନସିଲ୍କୁ ନିର୍ବାଚିତ ଓ ପୁନଶ୍ଚ ୧୯୧୪ରେ ଇମ୍ପେରିଆଲ୍ ଲେଜିସ୍ଲେଟିଭ୍ କାଉନସିଲ୍କୁ ସଭ୍ୟ ରୂପେ ମଧ୍ୟ ମନୋନୀତ ହୋଇଥିଲେ । ୧୯୧୯ର ଭାରତ ଶାସନ ଆଇନ୍ ଅନୁସାରେ ନୂତନ ନିର୍ବାଚନରେ ନିର୍ବାଚିତ ହୋଇ ସେ ବିହାର-ଓଡିଶା ଲେଜିସ୍ଲେଟିଭ୍ କାଉନସିଲ୍ର ସଭ୍ୟ ହୋଇଥିଲେ । ୧୯୨୧ରେ ସରକାର ତାଙ୍କୁ ବିହାର-ଓଡିଶା ମନ୍ତ୍ରୀମଣ୍ଡଳରେ ସ୍ଥାନୀୟ ସ୍ୱାୟତ ଶାସନ ବିଭାଗ ଓ ନିର୍ମାଣ ବିଭାଗ ଦେଇ ଜଣେ ଦକ୍ଷ ମନ୍ତ୍ରୀ ରୂପେ ନିଯୁକ୍ତ କରିଥିଲେ । ମଧୁବାବୁ ନିଷ୍ଠାର ସହ ୨ବର୍ଷ କାଳ ମନ୍ତ୍ରୀତ୍ୱ ଦାୟିତ୍ୱ ନିର୍ବହ କରି ବହୁ ଉନ୍ନତ ଆଇନ୍ ଦ୍ୱାରା ଜନସାଧାରଣଙ୍କର ପ୍ରିୟଭାଜନ ହୋଇପାରିଥିଲେ । ମନ୍ତ୍ରୀମାନେ ବିନା ଦରମାରେ ଲୋକମାନଙ୍କୁ ନିସ୍ୱାର୍ଥ ସେବା ଯୋଗାଇଦେବା ଉପରେ ସରକାରଙ୍କୁ ଟିପ୍ପଣୀ ଦେବାରୁ ତଥା ସରକାର ତାଙ୍କ ମତ ଅଗ୍ରାହ୍ୟ କରିବାରୁ ଶେଷରେ ମଧୁବାବୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।


କହିବାକୁ ଗଲେ ସେତେବେଳେ ଓଡିଶା ପ୍ରଦେଶ ବୋଲି କିଛି ନଥିଲା । ଓଡିଶାର କିଛି ଅଂଶ ମାନ୍ଦ୍ରାଜରେ, ମଧ୍ୟପ୍ରଦେଶରେ ଓ ବେଙ୍ଗଲ୍ ପ୍ରେସିଡେନ୍ସିରେ ଯୋଡାହୋଇ ରହିଥିଲା । ଓଡିଶା କହିଲେ କଟକ, ପୁରୀ, ବାଲେଶ୍ୱର ଓ ଅନୁଗୁଳକୁ ବୁଝାଉଥିଲା ଓ ଏହାକୁ ଓଡିଶା ଡିଭିଜନ୍ ବୋଲି କୁହାଯାଉଥିଲା । ଛିନ୍ନବିଛିନ୍ନ ଓଡିଆ ଭାଷା ଅଂଚଳକୁ ଏକ ଶାସନାଧୀନ କରିବା ପାଇଁ ମଧୁବାବୁ ପ୍ରବଳ ଭାବରେ ଉଦ୍ୟମ ଆରମ୍ଭ କରିଥିଲେ । ଏଥି ନିମନ୍ତେ ସେ ୧୯୦୩ରେ ଏକ ଉକ୍ରଳ ସମ୍ମିଳନୀ ପ୍ରତିଷ୍ଠା କରିଥିଲେ । ଏହାର ବିଭିନ୍ନ ଅଧିବେଶନରେ ସେ ତାଙ୍କର ମୂଲ୍ୟବାନ ଅଭିଭାଷଣମାନ ପ୍ରଦାନ କରିଥିଲେ । ୧୯୨୧ରେ ଖଦଡବସ୍ତ୍ର ପରିଧାନ ପାଇଁ ମହାତ୍ମା ଗାନ୍ଧି ଜନସାଧାରଣଙ୍କୁ ଉପଦେଶ ଦେଇଥିଲେ, କିନ୍ତୁ ମଧୁବାବୁ ତାଙ୍କର ବହୁ ପୂର୍ବରୁ ଉକ୍ରଳବାସୀଙ୍କୁ ହାତ କଟା ସୂତାରେ ଲୁଗା ବୁଣି ପିନ୍ଧିିବା ପାଇଁ କହିଥିଲେ । ଏ ଦିଗରେ ସେ ଯଥା ସମ୍ଭବ ପଦକ୍ଷେପ ନେଇଥିବାରୁ ଲୋକେ ଏଭଳି ଲୁଗାକୁ ମଧୁବାବୁ ଲୁଗା ବୋଲି ନାମ ଦେଇଥିଲେ । ସେ ସମୟରେ ମଧୁବାବୁ ଭାରତୀୟ ଜାତୀୟ କଂଗ୍ରେସରେ ଜଣେ ଉଚ୍ଚକୋଟୀର ନେତା ଥିଲେ ଓ କଂଗ୍ରେସରେ ବହୁ ଉପାଦେୟ ପ୍ରସ୍ତାବରେ ତାଙ୍କର ପ୍ରମୁଖ ହାତ ରହିଥିଲା । ଏଥିରେ ରହି ସେ ଓଡିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ କରିବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ଓଡିଶା ପ୍ରତି ଅନ୍ୟମାନଙ୍କର ପୂର୍ଣ୍ଣ ସହାନୁଭୂତି ନଥିବାରୁ ସେମାନେ ମଧୁବାବୁଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ, ସେ କଂଗ୍ରେସକୁ ଚିରଦିନ ପାଇଁ ପରିତ୍ୟାଗ କରି ଓଡିଶାରେ “ଉକ୍ରଳ ସମ୍ମିଳନୀ” ପ୍ରତିଷ୍ଠା କରିଥିଲେ । ଉକ୍ତ ସମ୍ମିଳନୀର ଦୀର୍ଘ ୩୫ ବର୍ଷ ବ୍ୟାପୀ ସଂଗ୍ରାମ ଫଳରେ ୧୯୩୬, ଅପ୍ରେଲ୍ ୧ରେ ଓଡିଶା ଏକ ସ୍ୱତନ୍ତ୍ର ପ୍ରଦେଶ ରୂପେ ଗଠିତ ହୋଇଥିଲା । କିନ୍ତୁ ଦୁଃଖର ବିଷୟ ସେତେବେଳକୁ ମଧୁବାବୁ ଜୀବିତ ନଥିଲେ ।

ଓଡିଶାର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସେ ଉକ୍ରଳ ଟ୍ୟାନେରୀ ଓ ଓଡିଶା ତାରକସି କାମ ନାମରେ ଦୁଇଟି ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କରିଥିଲେ । କିନ୍ତୁ ପରବର୍ତୀ ସମୟରେ ଏ ଦୁଇଟି ଅନୁଷ୍ଠାନ ବ୍ୟବସାୟିକ କୈାଶଳ ଦ୍ୱାରା ପରିଚାଳିତ ନ ହେବାରୁ ବହୁତ କ୍ଷତି ହେବା ଫଳରେ ଏହା କାଳକ୍ରମେ ଲୋପ ପାଇଯାଇଥିଲା । ସେ ଥିଲେ ଜଣେ ଉଚ୍ଚମନା ବ୍ୟକ୍ତି । ଓଡିଆ ଜାତିକୁ ଉଚ୍ଚ କରିବା ପାଇଁ ସେ ତାଙ୍କର କର୍ମମୟ ଜୀବନର ପ୍ରତ୍ୟେକ ମୁହୁର୍ତକୁ ଲଗାଇଥିଲେ । ତାଙ୍କ ପରି ବିରାଟ ବ୍ୟକ୍ତିତ୍ୱ ଇତିହାସରେ କ୍ୱଚିତ୍ ଦେଖିବାକୁ ମିଳେ । କାରଣ ସେ ଥିଲେ ପ୍ରତ୍ୟେକ ଓଡିଆର ଆଦର୍ଶ । ଶେଷରେ ୧୯୩୪, ଫେବୃୟାରୀ ୪ରେ ବାରିଷ୍ଟର ମଧୁବାବୁ ପରଲୋକ ଗମନ କରିଥିଲେ । ତାଙ୍କର ମୃତ୍ୟୁକୁ ଲକ୍ଷ୍ୟକରି ସ୍ୱନାମଧନ୍ୟ କବି ଚନ୍ଦ୍ରଶେଖର ମିଶ୍ର ଅତ୍ୟନ୍ତ ଦୁଃଖରେ ମ୍ରିୟମାଣ ହୋଇ ଲେଖିଥିଲେ –
“ଜୀବନର ଋଣ ଶୁଝି ରଣ ଭୂମେ ଯୁଝି ଯୁଝି,
ପଡିଗଲା ତଳେ ଆଜି ସଂଗ୍ରାମ କେଶରୀ ।
ତାହାର ଜନମ ମାଟି ଯାଇଅଛି ଆଜି ଫାଟି,
ମାଆ କୋଳେ ଶେଷେ ବୀର ନେଇଅଛି ବରି ।

Govt
Leave A Reply