ସାମୁଦ୍ରିକ ଝଡ଼ ‘ମୁରାସୁ’ ଆଶଙ୍କା: କନ୍ଧମାଳରେ ୨ ଦିନ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ ରାଜ୍ୟ By Sakala Khabar On Nov 2, 2026 0 Share କନ୍ଧମାଳ, ୦୨/୧୧: (ସଞ୍ଜୟ କୁମାର ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ‘ମୁରାସୁ’ ଓ ଏହାର ପ୍ରଭାବରେ ପ୍ରବଳ ବର୍ଷା ଆଶଙ୍କା କୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ନଭେମ୍ବର ୩ ଓ ୪ ତାରିଖ ଦୁଇଦିନ ପାଇଁ ସମଗ୍ର କନ୍ଧମାଳ ଜିଲ୍ଲାରେ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ପତ୍ର ସଂଖ୍ୟା ୨୮୫/ତାରିଖ ୦୨.୧୧.୨୦୨୬ ମାଧ୍ୟମରେ ଆଦେଶ ଜାରି କରିଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ, ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ବନ୍ଦ ରହିବ। ଏଥିସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ଉକ୍ତ ଦୁଇଦିନ ବନ୍ଦ ରଖାଯିବ। ତେବେ ଶିକ୍ଷାନୁଷ୍ଠାନ ବନ୍ଦ ରହିଲେ ମଧ୍ୟ ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ପାଇଁ ଏହି ନିର୍ଦ୍ଦେଶରେ କୋହଳ କରାଯାଇ ନାହିଁ। ଜନସାଧାରଣଙ୍କ ଆବଶ୍ୟକତା, ଜରୁରୀ ସେବା ଓ ବିପର୍ଯ୍ୟୟ ପରିଚାଳନାକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ନିଜ ନିଜ ବିଦ୍ୟାଳୟରେ ଉପସ୍ଥିତ ରହି ଦାୟିତ୍ୱ ସମ୍ପାଦନ କରିବାକୁ କୁହାଯାଇଛି। ସମ୍ଭାବ୍ୟ ବାତ୍ୟା ଓ ବର୍ଷାଜନିତ ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ଯାତାୟାତକୁ ନେଇ ଯେପରି କୌଣସି ଅସୁବିଧା କିମ୍ବା ଅଘଟଣ ନଘଟେ, ସେଥିପାଇଁ ପ୍ରଶାସନ ଏହି ଆଗୁଆ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। 0 Share