ବାତ୍ୟା ଆସିଲେ ପ୍ରଶାସନ ତତ୍ପର, ବିପତ୍ତି ଟଳିଲେ ସବୁ ନିରବ! ବିପର୍ଯ୍ୟୟ ପରେ ସହାୟତାର ହାତ ବଢ଼ୁଛି, ହେଲେ ଦୁର୍ଗମ ଅଞ୍ଚଳର ଦୁର୍ଦ୍ଦଶାର ସ୍ଥାୟୀ ସମାଧାନ କେବେ ? ବାତ୍ୟା ‘ଅର୍ଣ୍ଣବ’ର କ୍ଷତ ନ ଶୁଖୁଣୁ ପୁଣି ଆଉ ଏକ ବାତ୍ୟାର ଆଶଙ୍କା
(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରକୃତିର କୋପ ଆସିଲେ ଚଳଚଞ୍ଚଳ ହୋଇଉଠେ ପ୍ରଶାସନ। ସତର୍କତା ବୈଠକ ଠାରୁ ଆରମ୍ଭ କରି ଉଦ୍ଧାର କାର୍ଯ୍ୟ, କ୍ଷୟକ୍ଷତି ଆକଳନ, ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ ଏବଂ କ୍ଷତିଗ୍ରସ୍ତଙ୍କୁ ଆର୍ଥିକ ସହାୟତା ପ୍ରଦାନ ପର୍ଯ୍ୟନ୍ତ ସବୁକିଛି ଯୁଦ୍ଧକାଳୀନ ଭିତ୍ତିରେ ଚାଲେ। ହେଲେ ବିପର୍ଯ୍ୟୟର ଭୟ ଟଳିଗଲେ ପୁଣି ସେହି ପୁରୁଣା ଚିତ୍ର। ଭାଙ୍ଗିଥିବା ରାସ୍ତା, ଅସୁରକ୍ଷିତ ଘର, ବିପଦସଂକୁଳ ନଦୀନାଳ, ନଷ୍ଟ ହୋଇଥିବା ଚାଷଜମି ଏବଂ ମୌଳିକ ସୁବିଧାରୁ ବଞ୍ଚିତ ଦୁର୍ଗମ ଅଞ୍ଚଳବାସୀଙ୍କ ଦୁଃଖ ଯେମିତି ସେମିତି ରହିଯାଏ। ପ୍ରଶ୍ନ ଉଠୁଛି, ବିପର୍ଯ୍ୟୟ ପରେ କେବଳ କ୍ଷତିପୂରଣ ଦେବା ହିଁ କ’ଣ ପ୍ରଶାସନର ଦାୟିତ୍ୱ, ନା ବାରମ୍ବାର ଘଟୁଥିବା ଏଭଳି ବିପତ୍ତିର ସ୍ଥାୟୀ ପ୍ରତିକାର କରିବା ମଧ୍ୟ ସରକାରଙ୍କ କର୍ତ୍ତବ୍ୟ ? କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଅଞ୍ଚଳରେ ସାମ୍ପ୍ରତିକ ବାତ୍ୟା ‘ଅର୍ଣ୍ଣବ’ ଯେଉଁ କ୍ଷୟକ୍ଷତି ଘଟାଇଛି, ତାହା ଦୁର୍ଗମ ଅଞ୍ଚଳର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ନେଇ ପୁଣିଥରେ ଅନେକ ପ୍ରଶ୍ନ ଠିଆ କରିଛି। ବର୍ଷା ଓ ପବନରେ ଘରଦ୍ୱାର, ଚାଷଜମି, ରାସ୍ତାଘାଟ ଏବଂ ଜନଜୀବନ ପ୍ରଭାବିତ ହୋଇଛି। କେତେକ ପରିବାର ନିଜର ଆଶ୍ରୟସ୍ଥଳ ହରାଇଛନ୍ତି, ଆଉ କେତେକଙ୍କ ଜୀବିକା ଉପରେ ଗଭୀର ପ୍ରଭାବ ପଡ଼ିଛି। ବିପଦ ସମୟରେ ପ୍ରଶାସନିକ ଅଧିକାରୀ ଅଞ୍ଚଳରେ ପହଞ୍ଚି କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଛନ୍ତି। ସରକାରଙ୍କ ପକ୍ଷରୁ ମଧ୍ୟ କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ଯୋଗାଇ ଦିଆଯାଇଛି। ଏହା ନିଶ୍ଚିତ ଭାବେ ଆଶ୍ୱସ୍ତିକର ପଦକ୍ଷେପ। କିନ୍ତୁ ଏହି ସହାୟତା କ’ଣ ସେମାନଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ କରିପାରିଛି ?
ବାସ୍ତବରେ ରାଇକିଆ ସମେତ ବାଲିଗୁଡ଼ା ଉପଖଣ୍ଡର ଅନେକ ଦୁର୍ଗମ ଅଞ୍ଚଳରେ ବିପର୍ଯ୍ୟୟ କେବଳ ପ୍ରାକୃତିକ ଘଟଣା ନୁହେଁ, ବରଂ ପୂର୍ବରୁ ରହିଥିବା ମୌଳିକ ସମସ୍ୟାକୁ ଆହୁରି ଗମ୍ଭୀର କରିଦେଉଛି। ଅନେକ ସ୍ଥାନରେ ଦୁର୍ବଳ ରାସ୍ତା, ଆବଶ୍ୟକ ସୁରକ୍ଷା ବ୍ୟବସ୍ଥାର ଅଭାବ, ଜଳ ନିଷ୍କାସନ ସମସ୍ୟା, ଦୁର୍ବଳ ଗୃହ ନିର୍ମାଣ ଏବଂ ଜରୁରୀ ସେବା ପହଞ୍ଚିବାରେ ବିଳମ୍ବ ଭଳି ସମସ୍ୟା ରହିଛି। ବର୍ଷା ହେଲେ ଯୋଗାଯୋଗ ବିଚ୍ଛିନ୍ନ, ପବନ ହେଲେ ଗଛ ପଡ଼ି ରାସ୍ତା ଅବରୋଧ ଏବଂ ନଦୀନାଳ ଫୁଲିଲେ ଲୋକଙ୍କ ଯାତାୟାତ ଠପ୍ ହୋଇଯାଉଛି। ଏଭଳି ସ୍ଥିତିରେ ଅସୁସ୍ଥ ରୋଗୀ, ଗର୍ଭବତୀ ମହିଳା, ବୃଦ୍ଧବୃଦ୍ଧା ଓ ଛୋଟ ପିଲାଙ୍କ ଅବସ୍ଥା କେତେ ଦୁର୍ବିଷହ ହେଉଥିବ, ତାହା ସହଜରେ ଅନୁମେୟ। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ବାତ୍ୟା ଓ ବନ୍ୟା ପରେ କ୍ଷତିଗ୍ରସ୍ତଙ୍କୁ କିଛି ଆର୍ଥିକ ସହାୟତା ମିଳିଯାଉଥିଲେ ମଧ୍ୟ ଭବିଷ୍ୟତରେ ସମାନ ବିପଦକୁ ରୋକିବା ପାଇଁ କେତେଦୂର ଯୋଜନାବଦ୍ଧ ପଦକ୍ଷେପ ନିଆଯାଉଛି, ତାହା ଏବେ ବଡ଼ ପ୍ରଶ୍ନ। କ୍ଷତିଗ୍ରସ୍ତ ଘରକୁ ସହାୟତା ଦେବା ସହିତ ସୁରକ୍ଷିତ ଗୃହ ନିର୍ମାଣ, ଭାଙ୍ଗିଥିବା ରାସ୍ତା ଓ ପୋଲର ସ୍ଥାୟୀ ମରାମତି, ଜଳ ନିଷ୍କାସନ ବ୍ୟବସ୍ଥାର ଉନ୍ନତି, ବିପଦସଂକୁଳ ଅଞ୍ଚଳ ଚିହ୍ନଟ ଏବଂ ଆଗୁଆ ସତର୍କତା ବ୍ୟବସ୍ଥାକୁ ମଜବୁତ କରିବା ଜରୁରୀ। କେବଳ ବିପର୍ଯ୍ୟୟ ସମୟରେ ଉପସ୍ଥିତି ଜାହିର କରିବା ନୁହେଁ, ସାଧାରଣ ସମୟରେ ମଧ୍ୟ ଅଧିକାରୀମାନେ ଏହି ଅଞ୍ଚଳର ସମସ୍ୟା ଅନୁଧ୍ୟାନ କରିବା ଆବଶ୍ୟକ। ଇତି ମଧ୍ୟରେ ‘ଅର୍ଣ୍ଣବ’ର କ୍ଷତ ଶୁଖିନଥିବା ବେଳେ ପୁଣି ଏକ ସମ୍ଭାବ୍ୟ ବାତ୍ୟାକୁ ନେଇ ଆଶଙ୍କା ଦେଖାଦେଇଛି। ପ୍ରଶାସନ ପୁଣିଥରେ ସତର୍କ ହୋଇଛି, ବୈଠକ ଚାଲିଛି, ଆଗୁଆ ପଦକ୍ଷେପ ନିଆଯାଉଛି। କିନ୍ତୁ ପ୍ରତ୍ୟେକ ବାତ୍ୟା ପରେ ଯଦି ସମାନ ଅଞ୍ଚଳର ଲୋକଙ୍କୁ ସମାନ ଦୁର୍ଦ୍ଦଶା ଭୋଗିବାକୁ ପଡ଼େ, ତେବେ ପୂର୍ବ ବିପର୍ଯ୍ୟୟରୁ କେଉଁ ଶିକ୍ଷା ନିଆଗଲା ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ। ବୁଦ୍ଧିଜୀବୀ ମହଲରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ସେମାନଙ୍କ ମତରେ, ବିପର୍ଯ୍ୟୟ ପରେ ତତ୍କାଳ ସହାୟତା ଯେତିକି ଆବଶ୍ୟକ, ବିପର୍ଯ୍ୟୟ ପୂର୍ବରୁ ସ୍ଥାୟୀ ପ୍ରସ୍ତୁତି ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ସରକାର ଓ ପ୍ରଶାସନ କେବଳ କ୍ଷତିର ହିସାବ ନ ରଖି କାହିଁକି ବାରମ୍ବାର କ୍ଷତି ଘଟୁଛି, ତାହାର ମୂଳ କାରଣ ଖୋଜିବା ଦରକାର। ଦୁର୍ଗମ ଅଞ୍ଚଳରେ ସ୍ଥାୟୀ ଭିତ୍ତିଭୂମି ନିର୍ମାଣ, ନିୟମିତ ରକ୍ଷଣାବେକ୍ଷଣ ଓ ଜରୁରୀକାଳୀନ ସେବାକୁ ଅଗ୍ରାଧିକାର ଦେବା ଉଚିତ। ଏଠାରେ ପ୍ରଶ୍ନ ସରକାର ସହାୟତା ଦେଉନାହାନ୍ତି ବୋଲି ନୁହେଁ, ପ୍ରଶ୍ନ ହେଉଛି ସହାୟତା ପରେ ମଧ୍ୟ ସମସ୍ୟା କାହିଁକି ରହିଯାଉଛି? ପ୍ରତ୍ୟେକ ବାତ୍ୟା ପରେ ନୂଆ କ୍ଷୟକ୍ଷତି ଆକଳନ ହେବ, ନୂଆ ସହାୟତା ଘୋଷଣା ହେବ ଏବଂ ପୁଣି ଆଉ ଏକ ବିପର୍ଯ୍ୟୟକୁ ଅପେକ୍ଷା କରାଯିବ l ଏହି ଧାରାରେ କେତେଦିନ ଚାଲିବ ଦୁର୍ଗମ ଅଞ୍ଚଳର ଜୀବନ ? ବାତ୍ୟା ଆସିଲେ ତତ୍ପରତା, ବାତ୍ୟା ଚାଲିଗଲେ ନିରବତା, ଏହି ମାନସିକତାରୁ ବାହାରିବାକୁ ପଡ଼ିବ। ଲୋକଙ୍କୁ କେବଳ ବିପଦ ସମୟରେ ସହାୟତା ନୁହେଁ, ବିପଦରୁ ରକ୍ଷା ପାଇବାର ସ୍ଥାୟୀ ବ୍ୟବସ୍ଥା ଦରକାର। ନଚେତ୍ ପ୍ରତ୍ୟେକ ବାତ୍ୟା ପରେ କ୍ଷୟକ୍ଷତିର ତାଲିକା ବଢ଼ିବ, ସହାୟତାର ଘୋଷଣା ହେବ, ହେଲେ ଦୁର୍ଗମ ଅଞ୍ଚଳବାସୀଙ୍କ ଦୁର୍ଦ୍ଦଶାର ଅନ୍ତ ହେବ ନାହିଁ। ଏ ନେଇ ରାଇକିଆ ତହସିଲଦାର ସବ୍ୟସାଚୀ ସାହୁ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏ ଅଞ୍ଚଳ ର ପାହାଡିଆ ସ୍ଥାନ ମାନଙ୍କରେ ନ ରହିବା ପାଇଁ କିନ୍ତୁ ସେମାନଙ୍କ ଏକା ଜିଦ ଆମର ପୂର୍ବ ପୁରୁଷ ମାନେ କାହିଁ କେଉଁ କାଳରୁ ରହି ଆସୁଛନ୍ତି, ତେଣୁ ଆମେ ଏଠାରେ ହିଁ ରହିବୁ ବୋଲି କହୁଛନ୍ତି l ତଥାପି ଆମେ ସରକାରୀ ନିୟମାନୁଯାୟୀ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରି ଆସୁଛୁ, ବର୍ତ୍ତମାନ ପୁଣି ଏକ ବାତ୍ୟା ଆସୁଥିବାରୁ ଆମେ ପୁରା ପୁରି ସତର୍କ ରହିଛୁ l
