– ସେପ୍ଟେମ୍ବରରେ ଜିଓର ୧୯ ଲକ୍ଷ ଏବଂ ଏୟାରଟେଲ୍ର ୨ ଲକ୍ଷ ମୂଳ ମୋବାଇଲ୍ ଗ୍ରାହକ ବୃଦ୍ଧି
– ଦେଶରେ ମୂଳ ମୋବାଇଲ୍ ଗ୍ରାହକଙ୍କ ମୋଟ ବୃଦ୍ଧିରେ ଜିଓର ଭାଗ ପ୍ରାୟ ୮୬ ପ୍ରତିଶତ, ସକ୍ରିୟ ଉପଭୋକ୍ତା ସଂଖ୍ୟାରେ ମଧ୍ୟ ବୃଦ୍ଧି
– ମୂଳ ମୋବାଇଲ୍ ଗ୍ରାହକ କହିଲେ ମେସିନ୍ ଓ ଉପକରଣରେ ବ୍ୟବହୃତ ମେସିନ୍–ଟୁ–ମେସିନ୍ କନେକ୍ସନ୍ କୁ ବାଦ୍ ଦେଇ ଗଣନା କରାଯାଇଥିବା ମୋବାଇଲ୍ ଗ୍ରାହକ
ନୂଆଦିଲ୍ଲୀ: ଷ୍ଟକ୍ ବଜାରରେ ଦମ୍ଦାର ଲିଷ୍ଟିଂ ପରେ ରିଲାଏନ୍ସ ଜିଓ ପାଇଁ ମୋବାଇଲ୍ ଗ୍ରାହକଙ୍କ କ୍ଷେତ୍ରରୁ ମଧ୍ୟ ଆସିଛି ଖୁସି ଖବର। ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ)ର ସେପ୍ଟେମ୍ବର ମାସର ରିପୋର୍ଟ ଆଧାରରେ ଡିଏଏମ କ୍ୟାପିଟାଲ ଏବଂ ଆଇଆଇଏଫଏଲ କ୍ୟାପିଟାଲର ବିଶ୍ଳେଷଣ ଅନୁଯାୟୀ, ମେସିନ୍-ଟୁ-ମେସିନ୍ (ଏମଟୁଏମ) କନେକ୍ସନ୍କୁ ବାଦ୍ ଦେବା ପରେ ଜିଓର ମୋବାଇଲ୍ ଗ୍ରାହକ ସଂଖ୍ୟାରେ ୧୯ ଲକ୍ଷ ବୃଦ୍ଧି ଘଟିଥିବା ବେଳେ ଏୟାରଟେଲ୍ର ଗ୍ରାହକ ସଂଖ୍ୟାରେ ମାତ୍ର ୨ ଲକ୍ଷ ବୃଦ୍ଧି ହୋଇଛି। ଅର୍ଥାତ୍ ଜିଓ, ଏୟାରଟେଲ୍ ତୁଳନାରେ ପ୍ରାୟ ୧୦ ଗୁଣ ଅଧିକ ମୂଳ (କୋର୍) ମୋବାଇଲ୍ ଗ୍ରାହକ ଯୋଡ଼ିଛି। ଦେଶରେ ଏହି ବର୍ଗର ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୨୨ ଲକ୍ଷ ବୃଦ୍ଧି ପାଇଥିବା ବେଳେ ଏଥିରେ କେବଳ ଜିଓର ଭାଗ ପ୍ରାୟ ୮୬ ପ୍ରତିଶତ ରହିଛି।
ଆକ୍ଟିଭ୍ ମୋବାଇଲ୍ ୟୁଜର୍ସଙ୍କ କ୍ଷେତ୍ରରେ ମଧ୍ୟ ଜିଓ ଦମ୍ଦାର ପ୍ରଦର୍ଶନ କରିଛି। ଡିଏଏମର ରିପୋର୍ଟ ଅନୁଯାୟୀ, ମେସିନ୍-ଟୁ-ମେସିନ୍ କନେକ୍ସନ୍କୁ ବାଦ୍ ଦେଇ ହୋଇଥିବା ଗଣନାରେ ସେପ୍ଟେମ୍ବର ମାସରେ ଜିଓର ସକ୍ରିୟ ଉପଭୋକ୍ତା (ଆକ୍ଟିଭ୍ ୟୁଜର୍ସ) ସଂଖ୍ୟାରେ ୧୩ ଲକ୍ଷ ବୃଦ୍ଧି ହୋଇଛି। ଅନ୍ୟପକ୍ଷରେ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆର ସକ୍ରିୟ ଉପଭୋକ୍ତା ସଂଖ୍ୟା ହ୍ରାସ ପାଇଛି। ଏୟାରଟେଲ୍ର ୨ ଲକ୍ଷ ଏବଂ ଭୋଡାଫୋନ୍ ଆଇଡିଆର ୩ ଲକ୍ଷ ସକ୍ରିୟ ଉପଭୋକ୍ତା ହ୍ରାସ ପାଇଛନ୍ତି। ଏହି ଆଧାରରେ ଦେଶରେ ମୋଟ ସକ୍ରିୟ ମୋବାଇଲ୍ ଉପଭୋକ୍ତା ସଂଖ୍ୟାରେ ୬ ଲକ୍ଷ ବୃଦ୍ଧି ରେକର୍ଡ କରାଯାଇଛି।
ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା କ୍ଷେତ୍ରରେ ମଧ୍ୟ ଜିଓ ନିଜର ଅଗ୍ରଣୀ ସ୍ଥିତି ବଜାୟ ରଖିଛି। ଟ୍ରାଇ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ଶେଷ ସୁଦ୍ଧା ଜିଓର ମୋବାଇଲ୍ ଗ୍ରାହକ ସଂଖ୍ୟା ୫୧.୧୧ କୋଟି ଥିବା ବେଳେ ଏୟାରଟେଲ୍ର ଗ୍ରାହକ ଆଧାର ୪୯.୪୩ କୋଟି ରହିଛି। ସେହିପରି ଭୋଡାଫୋନ୍ ଆଇଡିଆର ୨୦.୦୧ କୋଟି ଏବଂ ବିଏସଏନଏଲର ୯.୪୩ କୋଟି ମୋବାଇଲ୍ ଗ୍ରାହକ ରହିଛନ୍ତି। ତେବେ ଏହି ମୋଟ ଗ୍ରାହକ ସଂଖ୍ୟାରେ ମେସିନ୍-ଟୁ-ମେସିନ୍ କନେକ୍ସନ୍ ମଧ୍ୟ ସାମିଲ ରହିଛି।
