* ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପରେ ଦ୍ୱିତୀୟ ସ୍ଥାନ ମିଳିପାରେ
* ଗ୍ରେ ମାର୍କେଟ୍ର ସଙ୍କେତ ଅନୁଯାୟୀ ଜିଓର ମୂଲ୍ୟାୟନ ପ୍ରାୟ ୧୨.୬୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବା ସମ୍ଭାବନା
* ଟାଟାର ଟିସିଏସ ଶୀର୍ଷ ୫ ତାଲିକାରୁ ବାଦ୍ ପଡ଼ିପାରେ
ମୁମ୍ବାଇ, ୨୭ ଅକ୍ଟୋବର, ୨୦୨୬: ବୁଧବାର ଷ୍ଟକ୍ ମାର୍କେଟ୍ ରେ ଲିଷ୍ଟିଂ ହେବା ମାତ୍ରେ ଜିଓ ପ୍ଲାଟଫର୍ମସ୍ ଦେଶର ଦ୍ୱିତୀୟ ସର୍ବାଧିକ ମୂଲ୍ୟବାନ କମ୍ପାନି ହୋଇପାରେ। ଗ୍ରେ ମାର୍କେଟ୍ ରେ ବର୍ତ୍ତମାନ ଥିବା ପ୍ରିମିୟମ୍କୁ ଆଧାର କରି ଜିଓର ବଜାର ପୁଞ୍ଜିକରଣ (ମାର୍କେଟ୍ କ୍ୟାପ୍) ପ୍ରାୟ ୧୨.୬୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବା ସମ୍ଭାବନା ରହିଛି। ଏହା ଭାରତୀ ଏୟାରଟେଲର ବଜାର ପୁଞ୍ଜିକରଣଠାରୁ ପ୍ରାୟ ୨୫,୭୦୦ କୋଟି ଟଙ୍କା ଅଧିକ ହେବ। ଏହା ଫଳରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପରେ ଜିଓ ବଜାର ପୁଞ୍ଜିକରଣ ଦୃଷ୍ଟିରୁ ଦେଶର ଦ୍ୱିତୀୟ ସ୍ଥାନରେ ରହିପାରେ। ଏୟାରଟେଲକୁ ପଛରେ ପକାଇବା ପାଇଁ ଜିଓର ସେୟାର ପ୍ରାୟ ୧,୩୪୨ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟରେ ଲିଷ୍ଟିଂ ହେବା ଆବଶ୍ୟକ।
ଜିଓ ଆଇପିଓର ଇସ୍ୟୁ ମୂଲ୍ୟ ପ୍ରତି ସେୟାର ୧ ଟଙ୍କା ,୧୧୯ ଟଙ୍କା ରହିଛି। ଗ୍ରେ ମାର୍କେଟରେ ଏହା ଉପରେ ପ୍ରାୟ ୨୪୫ ଟଙ୍କାରୁ ୨୫୫ ଟଙ୍କା ପ୍ରିମିୟମ୍ ମିଳିବାର ସଙ୍କେତ ରହିଛି। ହାରାହାରି ୨୫୦ ଟଙ୍କା ପ୍ରିମିୟମ୍ ହିସାବକୁ ନେଲେ ଜିଓର ସମ୍ଭାବ୍ୟ ଲିଷ୍ଟିଂ ମୂଲ୍ୟ ୧,୩୬୯ ଟଙ୍କା ହେବ। ମଙ୍ଗଳବାର ଏନଏସଇରେ ଭାରତୀ ଏୟାରଟେଲର ଶେଷ କାରବାର ମୂଲ୍ୟ ୧,୯୭୮.୮୦ ଟଙ୍କା ରହିଥିଲା। ଏହି ମୂଲ୍ୟ ଅନୁଯାୟୀ କମ୍ପାନିର ବଜାର ପୁଞ୍ଜିକରଣ ପ୍ରାୟ ୧୨.୩୫ ଲକ୍ଷ କୋଟି ଟଙ୍କା ହେଉଛି।
ଗ୍ରେ ମାର୍କେଟ୍ର ସଙ୍କେତ ସତ୍ୟ ପ୍ରମାଣିତ ହେଲେ ଦେଶର ସର୍ବାଧିକ ମୂଲ୍ୟବାନ କମ୍ପାନିଗୁଡ଼ିକର ତାଲିକାରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ପ୍ରାୟ ୧୬.୧୯ ଲକ୍ଷ କୋଟି ଟଙ୍କାର ବଜାର ପୁଞ୍ଜିକରଣ ସହ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପ୍ରଥମ ସ୍ଥାନରେ ଏବଂ ଜିଓ ପ୍ଲାଟଫର୍ମସ୍ ଦ୍ୱିତୀୟ ସ୍ଥାନରେ ରହିପାରେ। ଏହା ପରେ ଭାରତୀ ଏୟାରଟେଲ୍ ୧୨.୩୫ ଲକ୍ଷ କୋଟି ଟଙ୍କା, ଏଚଡ଼ିଏଫସି ବ୍ୟାଙ୍କ ୧୦.୪୯ ଲକ୍ଷ କୋଟି ଟଙ୍କା ଏବଂ ଆଇସିଆଇସିଆଇ ବ୍ୟାଙ୍କ ୯.୯୬ ଲକ୍ଷ କୋଟି ଟଙ୍କାର ବଜାର ପୁଞ୍ଜିକରଣ ସହ ଯଥାକ୍ରମେ ତୃତୀୟ, ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିପାରନ୍ତି।
ସେହିପରି ଶୀର୍ଷ ୫ଟି କମ୍ପାନି ମଧ୍ୟରେ ରିଲାଏନ୍ସର ଦୁଇଟି କମ୍ପାନି ସ୍ଥାନ ପାଇପାରନ୍ତି। ଏହି ସମ୍ଭାବ୍ୟ ତାଲିକାରେ ଟେଲିକମ୍ ଓ ଡିଜିଟାଲ୍ ସେବା କ୍ଷେତ୍ରର ଦୁଇଟି କମ୍ପାନି, ଘରୋଇ କ୍ଷେତ୍ରର ଦୁଇଟି ବ୍ୟାଙ୍କ ଏବଂ ବିଭିନ୍ନ ବ୍ୟବସାୟରେ ସକ୍ରିୟ ଥିବା ଗୋଟିଏ କମ୍ପାନି ସାମିଲ ହେବେ। ଏହା ଦେଶର ଷ୍ଟକ୍ ମାର୍କେଟରେ ଏହି କ୍ଷେତ୍ରଗୁଡ଼ିକର ବଢ଼ୁଥିବା ଗୁରୁତ୍ୱର ଏକ ରୋଚକ ଚିତ୍ର ଉପସ୍ଥାପନ କରିବ।
ଏହି ସମ୍ଭାବ୍ୟ ପରିବର୍ତ୍ତନର ଆଉ ଏକ ବିଶେଷ ଦିଗ ରହିଛି। ଟାଟା ଗ୍ରୁପ୍ର ପ୍ରମୁଖ ଆଇଟି କମ୍ପାନି ଟିସିଏସ, ଯାହା ବର୍ତ୍ତମାନ ଦେଶର ପାଞ୍ଚଟି ସର୍ବାଧିକ ମୂଲ୍ୟବାନ ତାଲିକାଭୁକ୍ତ କମ୍ପାନି ମଧ୍ୟରେ ରହିଛି, ଷଷ୍ଠ ସ୍ଥାନକୁ ଖସିପାରେ। ମଙ୍ଗଳବାରର ସେୟାର ମୂଲ୍ୟ ଅନୁଯାୟୀ ଟିସିଏସର ବଜାର ପୁଞ୍ଜିକରଣ ପ୍ରାୟ ୯.୦୩ ଲକ୍ଷ କୋଟି ଟଙ୍କା ରହିଛି। ଏପରି ହେଲେ ଦେଶର ଶୀର୍ଷ ୫ଟି କମ୍ପାନି ମଧ୍ୟରେ ଟାଟା କିମ୍ବା ଆଦାନୀ ଗ୍ରୁପ୍ର କୌଣସି କମ୍ପାନି ସ୍ଥାନ ପାଇବ ନାହିଁ। ଆଦାନୀ ଗ୍ରୁପ୍ର କୌଣସି କମ୍ପାନି ବର୍ତ୍ତମାନ ମଧ୍ୟ ଏହି ତାଲିକାରେ ନାହିଁ।
ତେବେ ଜିଓର ପ୍ରକୃତ ଲିଷ୍ଟିଂ ମୂଲ୍ୟ ଗ୍ରେ ମାର୍କେଟର ସଙ୍କେତଠାରୁ ଭିନ୍ନ ହୋଇପାରେ। ଗ୍ରେ ମାର୍କେଟ୍ ପ୍ରିମିୟମ୍ ଏକ ଅନୌପଚାରିକ ସୂଚକ ଏବଂ ଏହା ଲିଷ୍ଟିଂର ନିଶ୍ଚିତ ମୂଲ୍ୟ ଜଣାଇ ନଥାଏ। ବୁଧବାର, ୨୮ ଅକ୍ଟୋବରରେ ବିଏସଇ ଓ ଏନଏସଇରେ ଜିଓର ସେୟାର କାରବାର ଆରମ୍ଭ ହେବା ପରେ ହିଁ ସ୍ପଷ୍ଟ ହେବ ଯେ ବଜାର ପୁଞ୍ଜିକରଣ ଦୃଷ୍ଟିରୁ ଜିଓ କେଉଁ ସ୍ଥାନରେ ପହଞ୍ଚୁଛି।
