ବାଲିଗୁଡ଼ା, ୨୭/୧୦ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବେଲଘର ବନାଞ୍ଚଳର ଧରଣୀମାସ୍କା ଜଙ୍ଗଲରେ ବିଦ୍ୟୁତ୍ ତାର ବିଛାଇ ବନ୍ୟପ୍ରାଣୀ ଶିକାର ଉଦ୍ୟମ କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ରାତ୍ରିକାଳୀନ ପାଟ୍ରୋଲିଂ ସମୟରେ ପାହାନ୍ତିଆରେ ବନ କର୍ମଚାରୀମାନେ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ କାବୁ କରିଥିବା ଜଣାପଡ଼ିଛି।
ଗିରଫ ଅଭିଯୁକ୍ତମାନେ ହେଲେ ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ମାଲିମୁଣ୍ଡା ଗ୍ରାମର ମନସାଇ ବାଛା (୬୬), ମକର ସୁନା (୩୧) ଏବଂ ଡାକାପୋଥା ଗ୍ରାମର ଗଙ୍ଗାଧର ବାଘ (୩୨)। ଘଟଣାସ୍ଥଳରୁ ଗୋଟିଏ ମୃତ କୁଟୁରା, ୨୧୫ ମିଟର ଜିଆଇ ତାର, ଗୋଟିଏ ବାଉଁଶ ଖୁଣ୍ଟ, ୧୩ଟି ବାଉଁଶ କିଳା ଏବଂ ଦୁଇଟି ହେଡ୍ ଟର୍ଚ୍ଚ ଜବତ କରାଯାଇଛି। ଏହି ଘଟଣାରେ ବନ ବିଭାଗ ପକ୍ଷରୁ ବନ୍ୟପ୍ରାଣୀ ସୁରକ୍ଷା ଆଇନ, ୧୯୭୨ର ବିଭିନ୍ନ ଧାରାରେ ଓଆର୍ କେସ୍ ନଂ ୩୨/୨୦୨୬ -୨୭ ରୁଜୁ କରାଯାଇଛି। ଚଢ଼ଉ ଓ ଗିରଫ ଅଭିଯାନରେ ବେଲଘର ସେକ୍ସନ ବନପାଳ ରାଜେଶ୍ୱର ବଡ଼ମାଝୀ, ଗୁମା ସେକ୍ସନ ବନପାଳ ଦୀପକ ପ୍ରଧାନ, ବନରକ୍ଷୀ ଅଜିତ ଦିଗାଳ, ଧୁଡ଼ସି ବନରକ୍ଷୀ ସନ୍ଦୀପ ଦାଶଙ୍କ ସମେତ ବନ ସୁରକ୍ଷା ବାହିନୀର କର୍ମଚାରୀ ମାନେ ସାମିଲ ଥିଲେ। ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ଅବୈଧ ଶିକାର ରୋକିବା ପାଇଁ ବନ ବିଭାଗର ଏହି ଅଭିଯାନ ଜାରି ରହିଛି।
