Odisha news

ଆଦିବାସୀ ମହାବିଦ୍ୟାଳୟରେ ‘ବେଟି ବଚାଓ, ବେଟି ପଢ଼ାଓ’ୟୁଥ୍ କନକ୍ଲେଭ୍ : ବାଳିକାଙ୍କ ସୁରକ୍ଷା, ଶିକ୍ଷା ଓ ସଶକ୍ତୀକରଣ ଉପରେ ଗୁରୁତ୍ୱ

0
ବାଲିଗୁଡ଼ା, ତା,୦୯/୧୦:(ସଞ୍ଜୟ କୁମାର ପାଣିଗ୍ରାହୀ): ବାଳିକାଙ୍କ ସୁରକ୍ଷା, ଶିକ୍ଷା ଓ ସର୍ବାଙ୍ଗୀନ ବିକାଶ ସହ ମହିଳା ସଶକ୍ତୀକରଣ ସମ୍ପର୍କରେ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ‘ବେଟି ବଚାଓ, ବେଟି ପଢ଼ାଓ’ ୟୁଥ୍ କନକ୍ଲେଭ୍ ଅନୁଷ୍ଠିତ ହୋଇଛି। ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ, ବାଲିଗୁଡ଼ା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ସିଡିପିଓ ଇନ୍ଦିରା ପଣ୍ଡାଙ୍କ ତତ୍ତ୍ୱାବଧାନରେ ସମ୍ପନ୍ନ ହୋଇଥିଲା।
କାର୍ଯ୍ୟକ୍ରମରେ ଆଦିବାସୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଭୂତି ଭୂଷଣ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପିକା ସୁଲୋଚନା କହଁର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଳରାମ ବେହେରା ଓ ପଦ୍ମଲୋଚନ ପଣ୍ଡା ଏବଂ ଅତିରିକ୍ତ ତହସିଲଦାର କବିରାଜ ଆର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ବାଳିକାଙ୍କୁ ଶିକ୍ଷାର ସମାନ ସୁଯୋଗ ପ୍ରଦାନ, ବାଲ୍ୟବିବାହ ରୋକିବା, ମହିଳାଙ୍କ ପ୍ରତି ଭେଦଭାବ ଦୂର କରିବା ଏବଂ ସମାଜରେ ଝିଅମାନଙ୍କ ମର୍ଯ୍ୟାଦା ଓ ଅଧିକାରର ସୁରକ୍ଷା ଭଳି ବିଷୟ ଉପରେ ସଚେତନତାର ଗୁରୁତ୍ୱ ରହିଥିଲା। ଝିଅମାନଙ୍କୁ ଶିକ୍ଷିତ କରିବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ ଓ ସଶକ୍ତ କରିବାରେ ଯୁବସମାଜର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଆଲୋଚନାରେ ଗୁରୁତ୍ୱାରୋପ କରାଯାଇଥିଲା।
କାର୍ଯ୍ୟକ୍ରମରେ ସଂଯୋଜକ ଦୀପକ କୁମାର ସାହୁ, ସୁନିତା ପ୍ରଧାନ, ସସ୍ମିତା ପ୍ରଧାନ, ବନବାସୀ ସେବା ସମିତିର କର୍ମକର୍ତ୍ତା, ଆଇସିଡିଏସ୍‌ର ସମସ୍ତ ସୁପରଭାଇଜର ଏବଂ ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବପିଢ଼ିଙ୍କ ମଧ୍ୟରେ ବାଳିକାଙ୍କ ଅଧିକାର, ଶିକ୍ଷା ଓ ସମାନତା ସମ୍ପର୍କିତ ସଚେତନତା ବୃଦ୍ଧି ପାଇବା ସହ ସମାଜରେ ସକାରାତ୍ମକ ପରିବର୍ତ୍ତନର ବାର୍ତ୍ତା ପହଞ୍ଚିବ ବୋଲି ଆଶା ପ୍ରକାଶ ପାଇଛି।
Ad2
Leave A Reply