• ତୁରଙ୍ଗ ଅଙ୍ଗନଓ୍ୱାଡ଼ି(ଖ) କେନ୍ଦ୍ର ପରିଦର୍ଶନ ସହ ଶିଶୁ ସୁରକ୍ଷା, ମାତୃ କଲ୍ୟାଣ, ସ୍ୱଚ୍ଛତା ଓ ନିଶା ନିବାରଣ ପାଇଁ ଶପଥ ଗ୍ରହଣ
• ମୋଦୀଜୀ ଜନସେବା ଓ ସୁଶାସନର ୨୫ ବର୍ଷ ପୂରଣ କରିବା ଭାରତୀୟଙ୍କ ପାଇଁ ଗର୍ବର ବିଷୟ
• ମୋଦୀଜୀଙ୍କ ‘ସେବା ଯାତ୍ରା’ ଦେଶକୁ ବିକାଶର ଏକ ନୂଆ ଦିଶା ଦେଖାଇଛି
• ସେବା, ସମର୍ପଣ ଓ ରାଷ୍ଟ୍ରଭକ୍ତିର ‘ସେବା ଜ୍ୟୋତି’ ଆମକୁ ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ ଗଠନ ଦିଗରେ ସର୍ବଦା ପ୍ରେରଣା ଯୋଗାଇବ
• ପ୍ରଧାନମନ୍ତ୍ରୀଙ୍କ ‘ସେବା ମନ୍ତ୍ର’ ଓ ‘ରାଷ୍ଟ୍ର ପ୍ରଥମ’ ଭାବନାକୁ ଆଧାର କରି ୨୦୪୭ ସୁଦ୍ଧା ଏକ ସମୃଦ୍ଧ, ସଶକ୍ତ ଓ ବିକଶିତ ଭାରତ ଗଠନରେ ନିଜ ନିଜର ଯୋଗଦାନ ଦେବାଅନୁଗୋଳ, ୭ ଅକ୍ଟୋବର ୨୦୨୬ – ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନିରନ୍ତର ୨୫ ବର୍ଷର ନିଷ୍ଠାପର ଜନସେବା, ସୁଶାସନ ଓ ବିକାଶ ପୂର୍ତ୍ତି ଅବସରରେ ଅନୁଗୋଳ ଠାରେ ‘ସେବା ଜ୍ୟୋତି ଯାତ୍ରା’ ଓ ‘ସେବା ସଙ୍କଳ୍ପ ଅଭିଯାନ’ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ‘ସେବା ଜ୍ୟୋତି ସ୍ଥାପନା’ ଉଦ୍ଦେଶ୍ୟରେ ଆୟୋଜିତ ବିଶାଳ ପଦଯାତ୍ରାର ନେତୃତ୍ୱ ନେଇଥିଲେ ।
କାର୍ଯ୍ୟକ୍ରମ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ସମଗ୍ର ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ସମ୍ବୋଧନକୁ ଶୁଣିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ, ୨୦୦୧ ମସିହା ଅକ୍ଟୋବର ୭ ତାରିଖରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ମୋଦୀଜୀ ଯେଉଁ ‘ସେବା ଯାତ୍ରା’ ଆରମ୍ଭ କରିଥିଲେ, ତାହା ଆଜି ସାରା ଦେଶକୁ ବିକାଶର ଏକ ନୂଆ ଦିଶା ଦେଖାଇଛି । ଦେଶବାସୀଙ୍କ ବିଶ୍ୱାସ ଓ ନିଷ୍ଠା ହିଁ ପ୍ରଧାନମନ୍ତ୍ରୀଙ୍କ ସବୁଠାରୁ ବଡ଼ ଶକ୍ତି । କେବଳ ବ୍ୟକ୍ତିଗତ ପଦବୀ ନୁହେଁ, ବରଂ ‘ରାଷ୍ଟ୍ର ପ୍ରଥମ’ ଓ ମିଶନ ଭାବନାକୁ ନେଇ କାର୍ଯ୍ୟ କରିବା ଦ୍ୱାରା ହିଁ ଆଜି ଭାରତ ବିଶ୍ୱ ଦରବାରରେ ଏକ ଆତ୍ମନିର୍ଭର ଓ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଉଭା ହୋଇପାରିଛି ।
ମାନନୀୟ ପ୍ରଧାନମନ୍ତ୍ରୀ ଆଜି ଦେଶବାସୀଙ୍କୁ “We Will Do It” ର ନୂଆ ଆତ୍ମବିଶ୍ୱାସ ମନ୍ତ୍ର ଦେଇଛନ୍ତି । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ, ପ୍ରଯୁକ୍ତିବିଦ୍ୟା ଓ ସମସ୍ତ କ୍ଷେତ୍ରରେ ଶ୍ରେଷ୍ଠତା ହାସଲ କରିବା ଆମ ସମସ୍ତଙ୍କର ସାମୂହିକ ସଂକଳ୍ପ । ଏହି ପ୍ରେରଣାଦାୟୀ ବାର୍ତ୍ତା ପ୍ରତ୍ୟେକ ଭାରତୀୟଙ୍କ ମନରେ ନୂତନ ଉତ୍ସାହ ଭରିଛି । ଆଦରଣୀୟ ପ୍ରଧାନମନ୍ତ୍ରୀ ଜନସେବା ଓ ସୁଶାସନର ୨୫ ବର୍ଷ ପୂରଣ କରିବା ଆମ ସମସ୍ତ ଭାରତୀୟଙ୍କ ପାଇଁ ଗର୍ବର ବିଷୟ । ପ୍ରଧାନମନ୍ତ୍ରୀଙ୍କ ‘ସେବା ମନ୍ତ୍ର’ ଓ ‘ସ୍ୱଦେଶୀ’ ଭାବନାକୁ ଆପଣେଇ ଆମକୁ ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ର ସ୍ୱପ୍ନକୁ ସାକାର କରିବାକୁ ହେବ । ଏହି ଅବସରରେ ଶ୍ରୀ ପ୍ରଧାନ ମହାପ୍ରଭୁ ଓ ମାଆ ସମଲେଇଙ୍କ ପାଖରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିଛନ୍ତି ।
ଏହି ଯାତ୍ରାର ଏକ ମୁଖ୍ୟ ଅଂଶ ଭାବେ ଅନୁଗୋଳ ଠାରେ ଆୟୋଜିତ ‘ସେବା ଜ୍ୟୋତି ପ୍ରଜ୍ଜ୍ୱଳନ’ ଏବଂ ‘ସେବା ଜ୍ୟୋତି ସ୍ଥାପନା’ ପଦଯାତ୍ରାରେ ଶ୍ରୀ ପ୍ରଧାନ ଶ୍ରଦ୍ଧା ଓ ଉତ୍ସାହର ସହ ସାମିଲ ହୋଇଥିଲେ । ଏହି ପଦଯାତ୍ରା କେବଳ ଏକ ଚାଲିବା କାର୍ଯ୍ୟକ୍ରମ ନୁହେଁ, ବରଂ ଜନଭାଗୀଦାରୀ ଓ ରାଷ୍ଟ୍ର ନିର୍ମାଣର ଏକ ଶକ୍ତିଶାଳୀ ସଂକଳ୍ପ ବୋଲି ସେ କହିଛନ୍ତି ।
‘ସେବା ସଙ୍କଳ୍ପ ଅଭିଯାନ’ ଅନ୍ତର୍ଗତ ଶ୍ରୀ ପ୍ରଧାନ ଅନୁଗୋଳ ଜିଲ୍ଲା ତୁରଙ୍ଗ ସ୍ଥିତ ଅଙ୍ଗନଓ୍ୱାଡ଼ି(ଖ) କେନ୍ଦ୍ର ପରିଦର୍ଶନ କରିବା ସହ ଶିଶୁ, ଅଙ୍ଗନଓ୍ୱାଡ଼ି, ଆଶା କର୍ମୀ ଏବଂ ହିତାଧିକାରୀଙ୍କ ସହ ସମୟ ଅତିବାହିତ କରିଥିଲେ । ସେଠାରେ ଶିଶୁ ସୁରକ୍ଷା, ମାତୃ କଲ୍ୟାଣ, ସ୍ୱଚ୍ଛତା ଓ ନିଶା ନିବାରଣ ପାଇଁ ସାମୂହିକ ଶପଥ ଗ୍ରହଣ କରାଯାଇଥିଲା। ଶ୍ରୀ ପ୍ରଧାନ କହିଛନ୍ତି ଯେ, ସରକାରୀ ଯୋଜନା ସହ ସମାଜର ଆନ୍ତରିକ ସହଯୋଗ ମିଶିଲେ ହିଁ ଆମ ଶିଶୁମାନଙ୍କ ସଠିକ୍ ପୋଷଣ, ଉତ୍ତମ ଯତ୍ନ ଓ ଉଜ୍ଜ୍ୱଳ ଭବିଷ୍ୟତ ନିଶ୍ଚିତ ହୋଇପାରିବ। ଆମର ଆଗାମୀ ପିଢ଼ି ହିଁ ୨୦୩୬ ‘ବିକଶିତ ଓଡ଼ିଶା’ ଓ ୨୦୪୭ ‘ବିକଶିତ ଭାରତ’ର ପ୍ରକୃତ ମୂଳଦୁଆ। ଡବଲ ଇଞ୍ଜିନ ସରକାର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଶିଶୁଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ମାତୃ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ।
