Odisha news

ଡିଆରଏମ୍ ରାୟଗଡ଼ାଙ୍କ ବାଚେଲି–ଜୟପୁର ରେଳ ସେକ୍ସନ ପରିଦର୍ଶନ

0

#    ବଦେଆରପୁର, ଜଗଦଲପୁର ଓ ଜୟପୁରରେ ନିର୍ମାଣାଧୀନ ଗୁଡ଼ସ ଶେଡ଼ କାର୍ଯ୍ୟର ଅଗ୍ରଗତି ସମୀକ୍ଷା

#     ଜଗଦଲପୁର ଓ ଜୟପୁର ଷ୍ଟେସନ ପୁନଃ ବିକାଶ ପ୍ରକଳ୍ପର ସମୀକ୍ଷା

#     ଲିମିଟେଡ୍ ହାଇଟ୍ ସବୱେ (ଉପମାର୍ଗ) ସମେତ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ସୁରକ୍ଷା ଯାଞ୍ଚ

ରାୟଗଡ଼ା ରେଳ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ (ଡିଆରଏମ୍) ଶ୍ରୀ ଅମିତାଭ ସିଂଘଲ ବାଚେଲି–ଜୟପୁର ରେଳ ସେକ୍ସନର ବିସ୍ତୃତ ପରିଦର୍ଶନ କରି ବଦେଆରପୁର, ଜଗଦଲପୁର ଏବଂ ଜୟପୁର  ଠାରେ ନିର୍ମାଣାଧୀନ ମାଲଗୋଦାମ (Goods Shed) କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି ।  ସେ ଇଞ୍ଜିନିୟରିଂ, ବାଣିଜ୍ୟିକ ଏବଂ ବିଦ୍ୟୁତ ବିଭାଗର ଅଧିକାରୀମାନଙ୍କୁ ଅବଶିଷ୍ଟ କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରି ଶୀଘ୍ର ସମାପ୍ତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଡିଆରଏମ୍ ଶ୍ରୀ ସିଂଘଲ କହିଛନ୍ତି ଯେ, ଏହି ମାଲଗୋଦାମଗୁଡ଼ିକ କାର୍ଯ୍ୟକ୍ଷମ ହେବା ପରେ ଲୁହାପଥର, ଧାନ, ସାର, ଖାଦ୍ୟଶସ୍ୟ ସମେତ ବିଭିନ୍ନ ପ୍ରକାରର ପଣ୍ୟର ଲୋଡିଂ ଓ ଅନଲୋଡିଂ କାର୍ଯ୍ୟ ଅଧିକ ଦ୍ରୁତ, ସୁଗମ ଏବଂ ଦକ୍ଷତାର ସହିତ ସମ୍ପନ୍ନ ହେବ। ଏହା ଦ୍ୱାରା ସ୍ଥାନୀୟ ବ୍ୟବସାୟୀ ଏବଂ ଶିଳ୍ପ ସଂସ୍ଥାଗୁଡ଼ିକ ବ୍ୟାପକ ଭାବେ ଉପକୃତ ହେବେ।

ସେ ଆହୁରି କହିଛନ୍ତି ଯେ, ନିର୍ମାଣାଧୀନ ମାଲଗୋଦାମ ଗୁଡ଼ିକରେ ଶ୍ରମିକ, ବ୍ୟବସାୟୀ ଏବଂ ଫ୍ରେଟ୍ ଅପରେସନ୍ ଇନଫର୍ମେସନ୍ ସିଷ୍ଟମ୍ (FOIS) ବା ପଣ୍ୟ ପରିଚାଳନା ସୂଚନା ପ୍ରଣାଳୀ ପାଇଁ ପୃଥକ କକ୍ଷ ସହିତ ଭବନ, ଶୌଚାଳୟ, କଂକ୍ରିଟ୍ ହ୍ୱାର୍ଫ, ଟ୍ରକ୍ ପାର୍କିଂ ସୁବିଧା ଏବଂ ସିସିଟିଭି କ୍ୟାମେରା ବ୍ୟବସ୍ଥା ରହିବ। ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ସ୍ପ୍ରିଙ୍କଲର, ଧୂଳି ନିୟନ୍ତ୍ରଣ ପରଦା (Dust Screen) ଏବଂ ସେଡିମେଣ୍ଟେସନ୍ ଟ୍ୟାଙ୍କ ଭଳି ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା ମଧ୍ୟ କରାଯିବ। ଏଥିସହିତ ମାଲ ପରିବହନକୁ ସୁଗମ କରିବା ପାଇଁ ପୃଥକ ପ୍ରବେଶ ଓ ପ୍ରସ୍ଥାନ ସଡ଼କ ନିର୍ମାଣ କରାଯିବ।

ପରିଦର୍ଶନ ସମୟରେ ଡିଆରଏମ୍ ଶ୍ରୀ ସିଂଘଲ ବର୍ଷା ଋତୁରେ ପ୍ରବଳ ବର୍ଷା ଯୋଗୁଁ ରେଳ ଧାରଣା ଉପରେ ଜଳ ଜମିବାକୁ ରୋକିବା ପାଇଁ ସେକ୍ସନର ବିଭିନ୍ନ ସ୍ଥାନରେ କରାଯାଇଥିବା ବ୍ୟବସ୍ଥାର ମଧ୍ୟ ଯାଞ୍ଚ କରିଥିଲେ। ସେ କହିଥିଲେ ଯେ, ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ କ୍ୟାଚ୍ ୱାଟର ଡ୍ରେନ୍, ପାର୍ଶ୍ୱ ଓ ଲଙ୍ଗିଟ୍ୟୁଡିନାଲ୍ ଡ୍ରେନ୍ ସହିତ ରିଟେନିଂ ୱାଲ୍ ନିର୍ମାଣ କରାଯାଇଛି ଏବଂ କେତେକ ସ୍ଥାନରେ ଏହି କାର୍ଯ୍ୟ ଚାଲୁ ରହିଛି ।

ଖଡପା ନିକଟରେ ନିର୍ମାଣାଧୀନ ଲିମିଟେଡ୍ ହାଇଟ୍ ସବୱେ (LHS) ଅଥବା ଉପମାର୍ଗ ର ମଧ୍ୟ ପରିଦର୍ଶନ କରି କାର୍ଯ୍ୟକୁ ପ୍ରାଥମିକତା ଭିତ୍ତିରେ ଶୀଘ୍ର ସମାପ୍ତ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସବୱେ ନିର୍ମାଣ ସମ୍ପୂର୍ଣ୍ଣ ହେବା ପରେ ବର୍ତ୍ତମାନର ମାନବଚାଳିତ ଲେଭେଲ୍ କ୍ରସିଂ ଫାଟକକୁ ହଟାଯାଇପାରିବ ଏବଂ ଆଖପାଖ ଅଞ୍ଚଳର ଲୋକମାନଙ୍କ ପାଇଁ ସୁରକ୍ଷିତ, ସୁଗମ ଓ ନିରବଚ୍ଛିନ୍ନ ଯାତାୟାତ ସୁନିଶ୍ଚିତ ହେବ।

ପରିଦର୍ଶନର ଅଂଶ ସ୍ୱରୂପ ଶ୍ରୀ ସିଂଘଲ ଜଗଦଲପୁର ଏବଂ ଜୟପୁର ରେଳ ଷ୍ଟେସନ ପରିଦର୍ଶନ କରି ନିର୍ମାଣ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଷ୍ଟେସନ ପୁନଃ ବିକାଶ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଥିଲେ।

ଏହି ପରିଦର୍ଶନ ରାୟଗଡ଼ା ରେଳ ମଣ୍ଡଳର ପଣ୍ୟ ପରିବହନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା, ରେଳ ସୁରକ୍ଷା ଓ ଭିତ୍ତିଭୂମିର ବିକାଶକୁ ତ୍ୱରାନ୍ୱିତ କରିବା ସହିତ ସମଗ୍ର ମଣ୍ଡଳରେ ଯାତ୍ରୀ ସେବା ମାନଦଣ୍ଡରେ ଉନ୍ନତି ପ୍ରତି ଏହାର ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

ପରିଦର୍ଶନ ସମୟରେ ମଣ୍ଡଳର ଇଞ୍ଜିନିୟରିଂ, ବାଣିଜ୍ୟିକ, ପରିଚାଳନା (ଅପରେଟିଂ) ଓ ମେକାନିକାଲ୍ ବିଭାଗର ଶାଖା ଅଧିକାରୀମାନେ ଡିଆରଏମ୍ ଙ୍କ ସହ ଉପସ୍ଥିତ ଥିଲେ।

Nalco
Leave A Reply