ରଥଯାତ୍ରା ଉତ୍ସବ ସମୟରେ ଯାତ୍ରୀ ସୁରକ୍ଷା ଓ ନିରାପତ୍ତା ବୃଦ୍ଧି ପାଇଁ ପୁରୀ ରେଳ ଷ୍ଟେସନରେ ଏଆଇ ସଞ୍ଚାଳିତ “ଡିଏସ୍ସି ଅର୍ଜୁନ” ମୁତୟନ କଲା ପୂର୍ବ ତଟ ରେଳପଥ ।
ବାହୁଡ଼ା ଯାତ୍ରା, ଏହା ପରେ ପବିତ୍ର ସୁନାବେଶ ଓ ଅଧରପଣା ନୀତି ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ଅଭୂତପୂର୍ବ ଭିଡ଼ ପୁରୀ ରେଳଷ୍ଟେସନରେ ଦେଖିବାକୁ ମିଳୁଛି। ଏହି ଅତ୍ୟାଧିକ ଭିଡ଼ ସମୟରେ ଯାତ୍ରୀ ସୁରକ୍ଷା, ଷ୍ଟେସନ ନିରାପତ୍ତା ଏବଂ ନିରୀକ୍ଷଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ, ଷ୍ଟେସନ ପରିସର ଉପରେ ନଜର ରଖିବା ଏବଂ ତୀର୍ଥଯାତ୍ରୀଙ୍କ ମଧ୍ୟରେ ସୁରକ୍ଷା ସଚେତନତା ସୃଷ୍ଟି କରିବାରେ ରେଳ ସୁରକ୍ଷା ବଳ କର୍ମଚାରୀଙ୍କୁ ସହାୟତା କରିବା ପାଇଁ “ଡିଏସ୍ସି ଅର୍ଜୁନ” କୁ ମୁତୟନ କରାଯାଇଛି।
ଏହି ଏଆଇ-ସଞ୍ଚାଳିତ ରୋବୋର୍ଟ ରେଳ ପ୍ଲାଟଫର୍ମ, ସର୍କୁଲେଟିଂ ଏରିଆ, ୱେଟିଂ ହଲ୍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଯାତ୍ରୀ ଚଳାଚଳ ସ୍ଥାନରେ ନିରନ୍ତର ନିରୀକ୍ଷଣ କରିବା ସହିତ ଏହାର ସଂଯୋଜିତ ସାର୍ବଜନୀନ ସୂଚନା ପ୍ରଣାଳୀ (ପବ୍ଲିକ୍ ଆନାଉନ୍ସମେଣ୍ଟ ସିଷ୍ଟମ୍) ମାଧ୍ୟମରେ ଯାତ୍ରୀମାନଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ବାର୍ତ୍ତା ପ୍ରସାରିତ କରୁଛି। ଯାତ୍ରୀମାନଙ୍କୁ ନିରାପଦ ଭାବେ ଟ୍ରେନରେ ଚଢ଼ିବା ଓ ଓହ୍ଲାଇବା, ନିଜ ସାମଗ୍ରୀ ପ୍ରତି ସତର୍କ ରହିବା, ଅନାଧିକାର ପ୍ରବେଶ ଓ ଅସୁରକ୍ଷିତ କାର୍ଯ୍ୟକଳାପରୁ ନିବୃତ୍ତ ରହିବା, ଶୃଙ୍ଖଳିତ ଯାତାୟାତ ଏବଂ ରେଳ ସୁରକ୍ଷା ନିୟମାବଳୀ ପାଳନ କରିବା ପାଇଁ ମାର୍ଗଦର୍ଶନ କରୁଛି। ଏହି ରିଅଲ୍-ଟାଇମ୍ ଘୋଷଣାଗୁଡ଼ିକ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରିବାରେ ସାହାଯ୍ୟ କରିବା ସହ ରେଳ ସୁରକ୍ଷା ବଳକୁ ଏକ ନିରାପଦ ଓ ସୁରକ୍ଷିତ ପରିବେଶ ବଜାୟ ରଖିବାରେ ସହାୟତା କରୁଛି।
ଉନ୍ନତ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, କମ୍ପ୍ୟୁଟର ଭିଜନ୍, ମେସିନ୍ ଲର୍ନିଂ ଏବଂ ଇଣ୍ଟରନେଟ୍ ଅଫ୍ ଥିଙ୍ଗସ (IoT) ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ, “ଡିଏସ୍ସି ଅର୍ଜୁନ” ରେଳ ସୁରକ୍ଷା ବଳ ପାଇଁ ଏକ ଶକ୍ତି ବର୍ଦ୍ଧକ (ଫୋର୍ସ ମଲ୍ଟିପ୍ଲାୟର୍) ଭାବରେ କାର୍ଯ୍ୟ କରୁଛି। ଏହାର ଉନ୍ନତ କ୍ଷମତା ଗୁଡିକ ମଧ୍ୟରେ ଏଆଇ-ଆଧାରିତ ଚେହେରା ଚିହ୍ନଟ (ଫେସିଆଲ୍ ରେକଗନିସନ୍), ରିଅଲ୍-ଟାଇମ୍ ଭିଡ଼ ବିଶ୍ଲେଷଣ, ଯାତ୍ରୀ ଗଣନା, ଦାବିଦାର ନଥିବା ଲାଗେଜ୍ ଚିହ୍ନଟ, ସନ୍ଦେହଜନକ କାର୍ଯ୍ୟକଳାପ ଚିହ୍ନଟ, ଲାଇଭ୍ ଭିଡିଓ ଷ୍ଟ୍ରିମିଂ, ସାର୍ବଜନୀନ ସୂଚନା ଘୋଷଣା ଏବଂ ତତ୍କ୍ଷଣାତ୍ ସତର୍କ ସୂଚନା ପ୍ରଦାନ ଆଦି ଅନ୍ତର୍ଭୁକ୍ତ। ଏହି ସବୁ ବୈଶିଷ୍ଟ୍ୟ ପରିସ୍ଥିତିଗତ ସଚେତନତା ବୃଦ୍ଧି କରିବା, ଦ୍ରୁତ ନିଷ୍ପତ୍ତି ଗ୍ରହଣରେ ସହାୟତା କରିବା ଏବଂ ପ୍ରତିଷେଧମୂଳକ ତଥା ପ୍ରଯୁକ୍ତିବିଦ୍ୟା ଆଧାରିତ ରେଳ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରୁଛି।
ପୁରୀ ରେଳଷ୍ଟେସନରେ “ଡିଏସ୍ସି ଅର୍ଜୁନ” ର ମୁତୟନ ରେଳ ସୁରକ୍ଷା ବ୍ୟବସ୍ଥାରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ସମନ୍ୱୟ ମାଧ୍ୟମରେ ଅଧିକ ସ୍ମାର୍ଟ, ଦ୍ରୁତ ପ୍ରତିକ୍ରିୟାଶୀଳ ଏବଂ ଯାତ୍ରୀ-କେନ୍ଦ୍ରିତ ସୁରକ୍ଷା ବ୍ୟବସ୍ଥା ଗଠନ ପ୍ରତି ପୂର୍ବତଟ ରେଳପଥର ଦୃଢ଼ ପ୍ରତିବଦ୍ଧତାକୁ ପୁନର୍ବାର ପ୍ରତିଫଳିତ କରୁଛି। ଉନ୍ନତ କୃତ୍ରିମ ବୁଦ୍ଧିମତ୍ତା ପ୍ରଯୁକ୍ତିବିଦ୍ୟାକୁ ରେଳ ସୁରକ୍ଷା ବଳ କର୍ମଚାରୀଙ୍କ ବୃତ୍ତିଗତ ଦକ୍ଷତା ଓ ସତର୍କତା ସହ ସମନ୍ୱୟ କରି, “ଡିଏସ୍ସି ଅର୍ଜୁନ” ନିରାପଦ ରେଳଯାତ୍ରା, ଯାତ୍ରୀଙ୍କ ବିଶ୍ୱାସ ବୃଦ୍ଧି ଏବଂ ଦେଶର ସର୍ବବୃହତ ଧାର୍ମିକ ସମାବେଶମାନଙ୍କ ମଧ୍ୟରୁ ଅନ୍ୟତମ ରଥଯାତ୍ରା ଅବସରରେ ଏକ ସୁରକ୍ଷିତ ରେଳ ପରିବେଶ ସୁନିଶ୍ଚିତ କରିବାରେ ସହାୟକ ହେଉଛି।
