Odisha news

କବିତା ସଂକଳନରେ ରହିଛି ଭଗବତ ସମର୍ପଣ ସହ ସାମାଜିକ ସମ୍ବେଦନଶୀଳତାର ସମନ୍ୱୟ – ଧର୍ମେନ୍ଦ୍ର ପ୍ରଧାନ

0

•  ‘କବିତା କୁସୁମାଞ୍ଜଳି’ ପୁସ୍ତକର ପ୍ରଥମ କବିତାଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତର ଏକ ଅଭୁଲା ସ୍ମୃତିକୁ ନେଇ ରଚିତ, ଯାହା ଅବର୍ଣ୍ଣନୀୟ
• ପ୍ରଧାନମନ୍ତ୍ରୀ ଓ କୃଷ୍ଣ ଭାଇଙ୍କ ମଧ୍ୟରେ ବନ୍ଧୁତା ଉଭୟଙ୍କ ପ୍ରତି ଥିବା ସମ୍ମାନ ଓ ଆତ୍ମୀୟତାର ପ୍ରମାଣ
• କୃଷ୍ଣ ଭାଇ ହେଉଛନ୍ତି ଜଣେ ବହୁମୁଖୀ ପ୍ରତିଭା, ଯାହାଙ୍କ ଭିତରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସଂସ୍କାର ଓ ପୁରୀ ମାଟିର ଚେତନା ଭରି ରହିଛି
• ଶ୍ରୀଯୁକ୍ତ କୃଷ୍ଣ ଜଗଦ୍ଦେବଙ୍କ ସହ ଗ୍ରନ୍ଥର ପ୍ରକାଶକଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ପୁରୀ, ୧୬ ମଇ ୨୦୨୬ –  ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ ଅସ୍ମିତାର ପେଣ୍ଠସ୍ଥଳ ପବିତ୍ର ପୁରୀ ମାଟିରେ ଆଜି ପବିତ୍ର ‘ସାବିତ୍ରୀ ଅମାବାସ୍ୟା’ ତିଥିରେ ବିଶିଷ୍ଟ କବି ତଥା ସ୍ତମ୍ଭକାର ଶ୍ରୀଯୁକ୍ତ କୃଷ୍ଣ ଜଗଦ୍ଦେବଙ୍କ ନୂତନ କବିତା ସଂକଳନ ‘କବିତା କୁସୁମାଞ୍ଜଳି’ ଆନୁଷ୍ଠାନିକ ଭାବେ ଲୋକାର୍ପିତ ହୋଇଯାଇଛି । ଏହି ସାରସ୍ୱତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁସ୍ତକଟିକୁ ଉନ୍ମୋଚନ କରିବା ସହ କବି ଓ ପ୍ରକାଶକଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ‘କବିତା କୁସୁମାଞ୍ଜଳି’ କେବଳ କେତୋଟି ଶବ୍ଦର ସମାହାର ନୁହେଁ, ବରଂ ଏହା ଭକ୍ତି, ସମାଜ ଓ ରାଷ୍ଟ୍ରପ୍ରେମର ଏକ ଅପୂର୍ବ ନିଦର୍ଶନ । ଏହି କବିତା ସଂକଳନରେ ଭଗବତ ସମର୍ପଣ ସହ ସାମାଜିକ ସମ୍ବେଦନଶୀଳତାର ଏକ ଅପୂର୍ବ ସମନ୍ୱୟ ରହିଛି । କୃଷ୍ଣ ଭାଇ ହେଉଛନ୍ତି ଜଣେ ବହୁମୁଖୀ ପ୍ରତିଭା, ଯାହାଙ୍କ ଭିତରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସଂସ୍କାର ଓ ପୁରୀ ମାଟିର ଚେତନା ଭରି ରହିଛି । ସେ ସଂଘ ପରିବାରର ଜଣେ ପ୍ରମୁଖ ପ୍ରଚାରକ ଓ ଭାରତୀୟ ଜନତା ପାର୍ଟିର ନିଷ୍ଠାପର କାର୍ଯ୍ୟକର୍ତ୍ତା ଭାବେ ନିଜ ସୁଖ ଅପେକ୍ଷା ସାରା ଜୀବନ ସମାଜର କଲ୍ୟାଣ ପାଇଁ ତପସ୍ୟା କରିଛନ୍ତି । ତାଙ୍କ ଲେଖନୀରେ ସାରଗର୍ଭକ ସ୍ତମ୍ଭମାନ ରଚନା କରି ସେ ସମାଜକୁ ସଦାବେଳେ ପ୍ରଭାବିତ ଓ ଅନୁପ୍ରାଣିତ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ପୁସ୍ତକର ପ୍ରଥମ କବିତାକୁ ନେଇ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଏକ ଅଭୁଲା ସ୍ମୃତି ଚାରଣ କରି କହିଥିଲେ ଯେ, ଦେଶରେ ଜରୁରୀକାଳୀନ ପରିସ୍ଥିତି ସମୟରେ ଇତିହାସ ସଂକଳନ ପାଇଁ ସଂଘ କାର୍ଯ୍ୟକର୍ତ୍ତା ଭାବେ ମୋଦୀଜୀ ଓଡ଼ିଶା ଆସିଥିଲେ । ପୁରୀ ପଥୁରିଆ ସାହି କାର୍ଯ୍ୟାଳୟରେ ତାଲା ପଡ଼ିଥିବା ଯୋଗୁଁ ସେ କୃଷ୍ଣ ଭାଇଙ୍କ ସ୍କୁଟରରେ ବସି ତାଙ୍କ ଗାଁକୁ ଯାଇଥିଲେ । ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ହେବା ପରେ ମଧ୍ୟ ହେଲିକପ୍ଟରରୁ ଓହ୍ଲାଇବା କ୍ଷଣି ଲାଇନ୍‌ଅପ୍‌ରେ ଠିଆ ହୋଇଥିବା ନିଜର ସେହି ପୁରୁଣା ସହଯୋଗୀଙ୍କୁ “ଆରେ କୃଷ୍ଣ ଜଗଦେବ ତୁମ୍ ଖଡ଼େ ହୋ!” କହି ଆଦର କରିବା ଏବଂ କୃଷ୍ଣ ଭାଇଙ୍କ ବିଷୟରେ ଆଲୋଚନା କରିବା ପ୍ରଧାନମନ୍ତ୍ରୀଙ୍କର ତାଙ୍କ ପ୍ରତି ଥିବା ସମ୍ମାନ ଓ ସହୃଦୟତାର ପ୍ରମାଣ ଦିଏ । କୃଷ୍ଣ ଭାଇ ନିଜ ନିଷ୍ଠା ବଳରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ସାମାଜିକ କାର୍ଯ୍ୟକର୍ତ୍ତା ଗଢ଼ିଛନ୍ତି।

ଚଳିତ ୨୦୨୬ ବର୍ଷର ସାଂସ୍କୃତିକ ମହତ୍ତ୍ୱ ଉପରେ ଆଲୋକପାତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆଜିକି ପ୍ରାୟ ୧୦୦୦ ବର୍ଷ ପୂର୍ବେ ଅର୍ଥାତ୍ ୧୦୨୬ରେ ଆକ୍ରାନ୍ତାମାନଙ୍କ ଦ୍ୱାରା ସୋମନାଥ ମନ୍ଦିର ଲୁଣ୍ଠନ ପରେ ଭାରତବର୍ଷ ଯେଉଁ ଆତ୍ମବିଶ୍ୱାସ ହରାଇଥିଲା, ଆଜି ସେହି ୧୦୦୦ ବର୍ଷ ପରେ ପ୍ରଭୁ ସୋମନାଥ ଓ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ଦେଶରେ ସାଂସ୍କୃତିକ ଜାଗରଣର ଏକ ନୂତନ ଅଧ୍ୟାୟ ସୃଷ୍ଟି ହେଉଛି। ଏହି ଆଧାରରେ ଆମେ ଆଜି କେବଳ ଆମର ସାଂସ୍କୃତିକ ଗୌରବକୁ ଫେରାଇ ଆଣୁନାହୁଁ, ବରଂ ଏହି ଜାଗରଣ ହିଁ ଆମର ଆତ୍ମବିଶ୍ୱାସକୁ ଦ୍ୱିଗୁଣିତ କରିଛୁ, ଯାହା ‘ବିକଶିତ ଓଡ଼ିଶା’ ଓ ‘ବିକଶିତ ଭାରତ’ ଗଠନର ମୂଳଦୁଆ ସାଜିଛି। ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି ଏବଂ ଓଡ଼ିଆ ଅସ୍ମିତା ଏହି ବିକାଶ ଯାତ୍ରାର ମୁଖ୍ୟ ସାରଥି ସାଜିବ।

ଏହି ସାରସ୍ୱତ ସମାରୋହ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ କହିଥିଲେ ଯେ, ଉତ୍କଳମଣିଙ୍କ ତ୍ୟାଗ, ସେବା ଓ ସଂସ୍କାର ସର୍ବଦା ଆମ ସମାଜକୁ ଅନୁପ୍ରାଣିତ କରିବ। ସାରସ୍ୱତ କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକମାନଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ପୁସ୍ତକ ଉପହାର ପାଇଁ ସେ ସମସ୍ତଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବା ସହ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ କୃଷ୍ଣ ଭାଇଙ୍କ ଦୀର୍ଘାୟୁ ଏବଂ ‘କବିତା କୁସୁମାଞ୍ଜଳି’ ପୁସ୍ତକର ସର୍ବବ୍ୟାପୀ ସଫଳତା କାମନା କରିଛନ୍ତି।

Govt
Leave A Reply