Odisha news

୫ ବର୍ଷ ବିତିଲାଣି କାର୍ଯ୍ୟ ଚାଲିଛି : ବୃହତ୍ ମେଗା ପାନୀୟ ଜଳ ପ୍ରକଳ୍ପରୁ ଶୁଦ୍ଧ ଜଳ ଯୋଗାଣ କେବେ ?

0
ବାଲିଗୁଡା,ତା, ୧୫/୦୫ : (ସଞ୍ଜୟ କୁମାର ପାଣିଗ୍ରାହୀ): ବର୍ତ୍ତମାନ ଗ୍ରୀଷ୍ମର ପ୍ରକୋପ ବଡିବାରେ ଲାଗିଛି । ଗାଁ ଗାଁ ରେ ପାନୀୟ ଜଳ ସମସ୍ୟା ମଧ୍ୟ ଉତ୍କଟ ରୂପ ନେଲାଣି । ପ୍ରତି ବର୍ଷ ଗ୍ରୀଷ୍ମ ରୃତୁରେ ପାନୀୟ ଜଳ ସମସ୍ୟା ଉଦବେଗଜନକ ହୋଇ ପଡିଥାଏ । ଅଧିକାଂଶ ଗ୍ରାମରେ ନଳକୂପ ଗୁଡିକ ଅଚଳ ହୋଇ ପଡିଥିବାରୁ ବିଶେଷ କରି ଗାଁ ର ମହିଳା ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାଲିଗୁଡା ବ୍ଲକ ରେ ବିଗତ ବର୍ଷ କମ ମଞ୍ଜୁର ହୋଇଥିଲା କିନ୍ତୁ ଚଳିତ ବର୍ଷ ଗୋଟିଏ ମଧ୍ୟ ନଳକୂପ ମଞ୍ଜୁର ହୋଇ ନାହିଁ ବୋଲି କହିଛନ୍ତି ବାଲିଗୁଡା ଗ୍ରାମ୍ୟ ଉନ୍ନୟନ ସହକାରୀ ନିର୍ବାହୀ ଯନ୍ତ୍ରୀ ହିଲାରୁଷ ତିର୍କୀ । ପୂର୍ବ ସରକାର ସମୟରେ ପ୍ରଥମ ପର୍ଯ୍ୟାୟ ରେ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ର ୧୪ ପଞ୍ଚାୟତ ର ୧୯୮ ଟି ଗାଁ କୁ ବୃହତ୍ ପାନୀୟଜଳ ପ୍ରକଳ୍ପ ମାଧ୍ୟମରେ ଲୋକଙ୍କୁ ପାଇପ୍ ଯୋଗେ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇଥିବାରୁ ଲୋକେ ଖୁସି ବ୍ୟକ୍ତ କରିବା ସହ ପୂର୍ବ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ l ୧୦୨.୦୭ କୋଟି ଟଙ୍କା ମଞ୍ଜୁର ମଧ୍ୟ ହୋଇଥିଲା । ୨୦୨୧ ରେ କଳ୍ପତରୁ ନାମକ ଏକ ଇଣ୍ଟର ନ୍ୟାସନାଲ ଲିମିଟେଡ ନାମକ ଏକ ଠିକା  କମ୍ପାନୀ କାର୍ଯ୍ୟ ଆରମ୍ଭ କରିଥିଲା । ଲକ୍ଷ୍ୟ ଥିଲା ୨୦୨୪ ମସିହା ଶେଷ ସୁଦ୍ଧା ସଂପୃକ୍ତ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ଶେଷ ହୋଇ ଲୋକଙ୍କୁ ପାଇପ୍ ଯୋଗେ ଶୁଦ୍ଧ ପାଣି ଯୋଗାଇ ଦିଆଯିବ । କିନ୍ତୁ ତାହା ନ ହୋଇ ନୂଆ ସରକାର ଆସିବା ପରେ ଅର୍ଥାତ ୨୦୨୬ ମେ ମାସ ଶେଷ ହେବାକୁ ବସିଲାଣି ଚଳିତ ଖରା ଦିନ ପୂର୍ବ ରୁ ମଧ୍ୟ ପ୍ରକଳ୍ପ କାମ ସରିପାରିଲା ନାହିଁ । ଏଥି ପ୍ରତି ଗ୍ରାମ୍ୟ ଜଳଯୋଗାଣ ବିଭାଗୀୟ ଅଧିକାରୀ ମାନଙ୍କ ନିରିକ୍ଷଣ ନଥିବା ଯୋଗୁଁ ଏହି ପ୍ରକଳ୍ପ ର କାର୍ଯ୍ୟ ମନ୍ଥର ଓ ନିମ୍ନ ମାନର ହେଉଥିବା ଅଭିଯୋଗ ହେଉଛି । କିନ୍ତୁ ନୂଆ ସରକାର ପ୍ରକଳ୍ପ କାର୍ଯ୍ୟ ସାରି ୩୦ ଜୁନ ସୁଧା ହସ୍ତାନ୍ତର କରିବା ପାଇଁ ଧାର୍ଯ୍ୟ କରିଥିବା ଜଣାପଡିଛି । ଲୋକେ ଏବେ ଜଳକଷ୍ଟ ଭୋଗୁଛନ୍ତି ଲୋକେ ପିଉଛନ୍ତି ଗୋଳିଆ ପାଣି ଫଳରେ ଗ୍ରାମାଞ୍ଚଳ ରେ ବ୍ୟାପୁଛି ପେଟ ରୋଗ । ଏହା ପାହାଡିଆ ଅଞ୍ଚଳ ହୋଇଥିବାରୁ ଅଧିକାଂଶ ସ୍ଥାନରେ ଜଳସ୍ତର ବହୁ ତଳେ ରହିଛି। ଫଳରେ ସେହି ସ୍ଥାନରେ ରହିଥିବା ପାନୀୟ ପ୍ରକଳ୍ପଗୁଡ଼ିକ ଅଚଳ ହୋଇପଡ଼ିଛି ତ କେଉଁଠି ପାଣି ଶୁଖି  ଗଲାଣି । କେତେକ ସ୍ଥାନରେ ଫ୍ଲୋରାଇଡ୍‌ଯୁକ୍ତ ପାଣି ପିଇ ଅଧିକାଂଶ ଲୋକ ରୋଗରେ ପଡୁଛନ୍ତି । ମାତ୍ର, ଏବେ ବି ପ୍ରକଳ୍ପ କାମ ସମ୍ପୂର୍ଣ୍ଣ  ହୋଇ ପାରିନାହିଁ। ପ୍ରକଳ୍ପ କାମ କେବେ ସରିବ । ଗାଁ ରେ କେବେ ପାନୀୟ ଜଳ ଯୋଗାଇ  ଦିଆଯିବ, ଏହାକୁ ନେଇ ଅନିଶ୍ଚିତତା ଲାଗିରହିଛି। ଖୁବ ଶିଘ୍ର ସରିବ ବୋଲି କୁହାଯାଉଥିବା ବେଳେ ବର୍ତ୍ତମାନ ୫ବର୍ଷ ବିତିଗଲାଣି ତଥାପି କାମ ସରୁନି । ଗାଁ ଗାଁ ଓ ଘରେ ଘରେ  ସଂଯୋଗ କରାଯାଇ ଥିବା ପାଇପ ଗୁଡିକ ମଧ୍ୟ ନିମ୍ନ ମାନର ହୋଇଥିବା ଯୋଗୁଁ ପ୍ରକଳ୍ପ ଆରମ୍ଭ ପୂର୍ବରୁ କେତେକ ସ୍ଥାନରେ ପାଇପ ଫାଟି ଗଲାଣି । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ବାଲିଗୁଡା ବ୍ଳକର ୧୯୮ ଗାଁ ଉପକୃତ ହେବେ l କିନ୍ତୁ ବର୍ତ୍ତମାନ ସେଥି ମଧ୍ୟରୁ ୩୬ ଗ୍ରାମକୁ ହିଁ ଆଜି ପର୍ଯ୍ୟନ୍ତ ଜଳ ଯୋଗାଣ ହୋଇଛି । ଯେଉଁ ପାଣି ପାଇପ ରେ ଆସୁଛି ତାହା ବର୍ତ୍ତମାନ ଗୋଳିଆ ପାଣି ଆସୁଥିବା ଗ୍ରାମବାସୀ କହିଛନ୍ତି । ତେବେ କୋଟି କୋଟି ଟଙ୍କାର ପ୍ରକଳ୍ପ ରୁ ଗୋଳିଆ ପାଣି କୁ ନେଇ ଉଠିଛି ପ୍ରଶ୍ନ । ତେଣୁ ଅଧିକାଂଶ ଗ୍ରାମବାସୀ ପାଣି ପାଇଁ ନଦୀ, ନାଳ ଓ ଚୁଆ ପାଣିରେ ନିର୍ଭର କରୁଛନ୍ତି । ମେଗା ପ୍ରକଳ୍ପ ନେଇ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କନ୍ଧମାଳ ଜିଲା ନିର୍ବାହ ଯନ୍ତ୍ରୀ ଅଜିତ କୁମାର ବେହେରା କହିଛନ୍ତି ମେଗା ପ୍ରକଳ୍ପ କାମ ଶେଷ ପର୍ଯ୍ୟାୟରେ ପହଞ୍ଚି ଗଲାଣି, ଆଉ ଦୁଇ ମାସ ସମୟ ଲାଗିବ । କିନ୍ତୁ ବାସ୍ତବ ଚିତ୍ର କିଛି ଅଲଗା । ମେଗା ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଅତ୍ୟନ୍ତ ନିମ୍ନ ମାନର କରାଯାଉଥିବା ଅଭିଯୋଗ କରିଛନ୍ତି ଆଞ୍ଚଳିକ ବିକାଶ ପରିଷଦ । ଏଥି ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଇ ନିର୍ମାଣ ହେଉଥିବା ମେଗା ବୃହତ୍ ପାନୀୟଜଳ ପ୍ରକଳ୍ପ ର କାର୍ଯ୍ୟ କିଭଳି ନିମ୍ନ ମାନର ନ ହୋଇ ଦୀର୍ଘ ଦିନ ସ୍ଥାୟିତ୍ଵ ରହିବ ଓ ଗ୍ରାମାଞ୍ଚଳ ଲୋକେ ପ୍ରକଳ୍ପ ମାଧ୍ୟମରେ ଶିଘ୍ର ପାଇପ୍ ଯୋଗେ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ, ସେଥିପ୍ରତି ଦୃଷ୍ଟି ଦେବାକୁ ଦାବୀ କରିଛନ୍ତି ।
Govt
Leave A Reply