ଭୁବନେଶ୍ଵର, ତା ୧୮।୦୩।୨୦୨୬ ରିଖ(Suvendra Pattanaik) : ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ ଲୋକ ଉଦ୍ୟୋଗ, ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ) ପକ୍ଷରୁ ଆଜି ଭୁବନେଶ୍ୱରଠାରେ “ଯୋଗାଣ ଶୃଙ୍ଖଳ ଉତ୍କର୍ଷତା ପାଇଁ ବିକ୍ରେତା ସହଭାଗୀତାକୁ ସୁଦୃଢ଼ କରିବା” ବିଷୟବସ୍ତୁ ଆଧାରିତ ଏକ ସର୍ବଭାରତୀୟ ବିକ୍ରେତା ସମ୍ମିଳନୀ ଆୟୋଜିତ ହୋଇଛି। ଏହି ବୈଠକ କଞ୍ଚାମାଲ, ସ୍ପେୟାର, ଆନୁଷଙ୍ଗିକ ଏବଂ ଉପଯୋଗୀ ସାମଗ୍ରୀ ଏବଂ ଅନ୍ୟାନ୍ୟ ଜରୁରୀ ଇନପୁଟ୍ ଯୋଗାଣରେ ନିୟୋଜିତ ଦେଶବ୍ୟାପୀ ବିକ୍ରେତାମାନଙ୍କୁ ଏକତ୍ରିତ କରିବା ନିମନ୍ତେ ଏକ ସହଯୋଗୀ ପ୍ଲାଟଫର୍ମ ଭାବରେ କାର୍ୟ୍ୟ କରିଥିଲା। ସୁଦୃଢ଼ ସମନ୍ୱୟ, ସ୍ୱଚ୍ଛତା ବୃଦ୍ଧି କରିବା ଏବଂ ଯୋଗାଣ ଶୃଙ୍ଖଳ ଇକୋସିଷ୍ଟମରେ ଦୀର୍ଘକାଳୀନ ସହଭାଗୀତାକୁ ପ୍ରୋତ୍ସାହିତ କରିବା ଏହି କାର୍ୟ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଅଟେ।
ଏହି କାର୍ୟ୍ୟକ୍ରମରେ ଜାତୀୟ ଏସସି-ଏସଟି ହବ୍ (ଏନ.ଏସ.ଏସ.ଏଚ.ଓ), ଏମ.ଏସ.ଏମ.ଇ, ଭାରତୀୟ ପ୍ରାପ୍ୟ ବିନିମୟ ଲିମିଟେଡ୍ (ଆର.ଏକ୍ସ.ଆଇ.ଏଲ), ଏବଂ ସରକାରୀ ଇ-ମାର୍କେଟ ପ୍ଲେସ (ଜି.ଇ.ଏମ) ସମେତ ପ୍ରମୁଖ ଅଂଶୀଦାରମାନଙ୍କୁ ନେଇ ଉପସ୍ଥାପନା ଏବଂ ମତ ବିନିମୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ବିକ୍ରେତା ସହଭାଗୀତାକୁ ସୁଦୃଢ଼ କରିବା, ଏମ.ଏସ.ଏମ.ଇ ସମ୍ବନ୍ଧୀୟ ସଦ୍ୟ ନୀତି , ଟି.ଆର.ଇ.ଡି.ଏସ ମାଧ୍ୟମରେ ସୁଯୋଗ ଏବଂ ଦକ୍ଷ କ୍ରୟ ପାଇଁ ଜି.ଇ.ଏମ ପ୍ଲାଟଫର୍ମକୁ ଉପଯୋଗ କରିବା ଉପରେ ବିସ୍ତ୍ରୁତ ଆଲୋଚନା କରାଯାଇଥିଲା।
ଏହି ବୈଠକରେ ନାଲକୋ ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ ଅଧ୍ୟକ୍ଷତା କରିଥିଲେ। ନାଲକୋର ବରିଷ୍ଠ ନେତୃତ୍ୱବୃନ୍ଦ, ଶ୍ରୀ ପଙ୍କଜ କୁମାର ଶର୍ମା, ନିର୍ଦ୍ଦେଶକ (ଉତ୍ପାଦନ), ଶ୍ରୀ ଅଭୟ କୁମାର ବେହୁରିଆ, ନିର୍ଦ୍ଦେଶକ (ଅର୍ଥ), ଶ୍ରୀ ଅନିଲ କୁମାର ସିଂହ, ନିର୍ଦ୍ଦେଶକ (ବାଣିଜ୍ୟିକ) ଙ୍କ ସମେତ ଶ୍ରୀ ପି. କେ. ଗୁପ୍ତା, ନିର୍ଦ୍ଦେଶକ (ଏମ.ଏସ.ଏମ.ଇ.-ଡି.ଏଫ.ଓ) ପ୍ରମୁଖ ଉପସ୍ଥିତ ରହି ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଏଥି ସହ, ଅଂଶଗ୍ରହଣକାରୀ ସଂସ୍ଥା ଏବଂ ନାଲକୋର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।
ସମାବେଶକୁ ସମ୍ବୋଧିତ କରି ଶ୍ରୀ ସିଂହ କହିଥିଲେ ଯେ, ଆମ ଦେଶ ଶିଳ୍ପ ଏବଂ ଭିତ୍ତିଭୂମି କ୍ଷେତ୍ରରେ ଦ୍ରୁତ ଅଗ୍ରଗତି କରୁଥିବାରୁ, ବିକ୍ରେତାମାନଙ୍କ ପାଇଁ ପ୍ରଯୁକ୍ତିବିଦ୍ୟା ବ୍ୟବହାରର ଆବଶ୍ୟକତା କ୍ରମଶଃ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଏହି ଗୁରୁତ୍ତ୍ୱପୂର୍ଣ୍ଣ ବିଷୟରେ ମତ ବ୍ୟକ୍ତ କରି ସେ କହିଥିଲେ ଯେ, ବିକ୍ରେତାମାନଙ୍କୁ ପ୍ରତିଯୋଗିତାମୂଳକ ଏବଂ ଶିଳ୍ପ ମାନଦଣ୍ଡ ସହିତ ସମନ୍ୱୟ ରଖି ନିଜ କାର୍ୟ୍ୟରେ କୃତ୍ରିମ ବୁଦ୍ଧିମତା, ଅଟୋମେସନ ଏବଂ ଡିଜିଟାଲ୍ ସମାଧାନ ଭଳି ଉନ୍ନତ ପ୍ରଯୁକ୍ତିବିଦ୍ୟାକୁ ଏକୀକୃତ କରିବାକୁ ପଡ଼ିବ। ଏହା କେବଳ ଦକ୍ଷତା ଏବଂ ଗୁଣବତ୍ତା ଉନ୍ନତ କରିବା ପାଇଁ ନୁହେଁ ବରଂ ଯୋଗାଣ ଶୃଙ୍ଖଳ ଇକୋସିଷ୍ଟମରେ ସମୟୋଚିତ ବିତରଣ ଏବଂ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ମଧ୍ୟ ସହାୟକ ହେବ। ନାଲକୋରେ ଚାଲିଥିବା ସମ୍ପ୍ରସାରଣ ଯୋଜନା ଏବଂ ଆଲୁମିନିୟମର ବର୍ଦ୍ଧିତ ଚାହିଦା ବିଷୟରେ ଉଲ୍ଲେଖ କରି, ସେ ଅଧିକ ଉଦ୍ୟୋଗୀଙ୍କୁ ସାମିଲ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ, ବିଶେଷକରି ଏମ.ଏସ.ଏମ.ଇ. ଏବଂ ମହିଳା ଉଦ୍ୟୋଗୀଙ୍କ ଅଂଶଗ୍ରହଣକୁ ସେ ଉତ୍ସାହିତ କରିଥିଲେ।
ଏହି ବୈଠକରେ ୧୦୦ ରୁ ଅଧିକ ବିକ୍ରେତା ଅଂଶଗ୍ରହଣ କରିଥିଲେ ଏବଂ ପାରସ୍ପରିକ ବୁଝାମଣାକୁ ମଜବୁତ କରିବାରେ ନାଲକୋ ର ଏହି ଆୟୋଜନ ତଥା ପଦକ୍ଷେପକୁ ପ୍ରଶଂସା କରିଥିଲେ।