ଆସାମ ବନ୍ୟା ପ୍ରଭାବିତ ୧୦,୦୦୦ ପରିବାରକୁ ରିଲିଫ୍ ଯୋଗାଇବ ରିଲାଏନ୍ସ ଫାଉଣ୍ଡେସନ; ୪,୦୦୦ ଗୃହପାଳିତ ପଶୁଙ୍କ ଯତ୍ନ ନେବ
– ଶିବସାଗର ଏବଂ ଚରାଇଦେଓ ଜିଲ୍ଲାରେ ୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ
– ଗୃହପାଳିତ ପଶୁଙ୍କ ଯତ୍ନ ପାଇଁ ୩୯ ଜଣିଆ ବନତାରା ଦଳ ନିୟୋଜିତ
ଗୌହାଟି, ୨୮ ଜୁଲାଇ, ୨୦୨୬: ଉପର ଆସାମରେ ପ୍ରବଳ ବର୍ଷା ଏବଂ ବନ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା କରିବା ପାଇଁ ରିଲାଏନ୍ସ ଫାଉଣ୍ଡେସନ ଏକ ରିଲିଫ୍ ଅଭିଯାନ ଆରମ୍ଭ କରିଛି। ଏହି ପଦକ୍ଷେପ ଅଧୀନରେ, ଶିବସାଗର ଏବଂ ଚରାଇଦେଓ ଜିଲ୍ଲାର ଅନ୍ୟୁନ ୧୦,୦୦୦ ପରିବାରକୁ ଖାଦ୍ୟ, ସୁରକ୍ଷିତ ପାନୀୟ ଜଳ, ଗ୍ରସେରୀ ସାମଗ୍ରୀ, ସ୍ୱାସ୍ଥ୍ୟସେବା ସହାୟତା ଏବଂ ଅସ୍ଥାୟୀ ଆଶ୍ରୟ ପ୍ରଦାନ କରାଯିବ। ଏହି ଦୁଇଟି ଜିଲ୍ଲାର ପାଞ୍ଚ ଲକ୍ଷରୁ ଅଧିକ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି।
ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ସଂଗଠନ ସହିତ ସମନ୍ୱୟ ରଖି ପ୍ରଭାବିତ ଅଞ୍ଚଳଗୁଡ଼ିକର ଆକଳନ କରିବା ପରେ ରିଲାଏନ୍ସ ଫାଉଣ୍ଡେସନର ବିପର୍ଯ୍ୟୟ ପରିଚାଳନା ଦଳ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଛି। ବନତାରା, ରିଲାଏନ୍ସ ରିଟେଲ୍ ଏବଂ ଜିଓ ମଧ୍ୟ ଏହି ଅଭିଯାନରେ ସହଯୋଗ କରୁଛନ୍ତି।
ଶୁଖିଲା ରାସନ୍ ପ୍ୟାକେଟ ବଣ୍ଟନ ସହିତ ଖାଦ୍ୟ କିମ୍ବା ରାସନ୍ ନଥିବା ପରିବାରଗୁଡିକ ପାଇଁ ଗୋଷ୍ଠୀଗତ ରୋଷେଇ ଘର ପରିଚାଳିତ ହେଉଛି। ବିସ୍ଥାପିତ ପରିବାର ପାଇଁ ଜରୁରୀକାଳୀନ ଆଶ୍ରୟସ୍ଥଳ କିଟ୍ ବ୍ୟବସ୍ଥା କରାଯାଉଛି, ଯେଉଁଥିରେ ତାରପଲିନ, ଗ୍ରାଉଣ୍ଡ ସିଟ, ମଶାରୀ, ରଶି ଏବଂ ବିଛଣା ଇତ୍ୟାଦି ରହିଛି।
ବନ୍ୟା ଯୋଗୁଁ ସ୍ୱାସ୍ଥ୍ୟସେବା ପ୍ରଭାବିତ ହୋଇଛି। ସେବାଗୁଡ଼ିକୁ ଶୀଘ୍ର ପୁନଃସ୍ଥାପିତ କରିବା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସଫେଇ ଏବଂ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଭାବିତ ପରିବାରଗୁଡ଼ିକୁ ବିଶୁଦ୍ଧ ପାନୀୟ ଜଳ ଏବଂ ଅତ୍ୟାବଶ୍ୟକୀୟ ସ୍ୱଚ୍ଛତା କିଟ୍ ମଧ୍ୟ ଯୋଗାଇ ଦିଆଯାଉଛି।
ଗୃହପାଳିତ ପଶୁମାନଙ୍କ ଉପରେ ପ୍ରଭାବକୁ ଚିହ୍ନଟ କରି, ବନତାରାରୁ ଏକ ୩୯ ଜଣିଆ ଦଳକୁ କ୍ଷେତ୍ର ସ୍ତରରେ ନିୟୋଜିତ କରାଯାଇଛି। ଏହି ଦଳ ପଶୁମାନଙ୍କ ପାଇଁ ଚିକିତ୍ସା ଏବଂ ଯତ୍ନ ପ୍ରଦାନ କରିବ, ସ୍ଥାନୀୟ ସମୁଦାୟର ଅନ୍ୟ ପ୍ରାଣୀମାନଙ୍କୁ ମଧ୍ୟ ସହାୟତା ପ୍ରଦାନ କରିବ। ରିଲାଏନ୍ସ ଫାଉଣ୍ଡେସନ୍ ପ୍ରାୟ ୪,୦୦୦ ପ୍ରଭାବିତ ଗୃହପାଳିତ ପଶୁମାନଙ୍କ ପାଇଁ ଚାରା ଉପଲବ୍ଧ କରାଇବାକୁ ଯୋଜନା ପ୍ରସ୍ତୁତ କରିଛି।
ଆବଶ୍ୟକ ରହିଥିବା ପରିବାରଗୁଡିକ ନିକଟରେ ରିଲିଫ୍ ସାମଗ୍ରୀ ପହଞ୍ଚିବା ସୁନିଶ୍ଚିତ କରିବା ପାଇଁ, ଫାଉଣ୍ଡେସନର ବିଭିନ୍ନ ଦଳ ଜିଲ୍ଲା ପ୍ରଶାସନ, ସରକାରୀ ବିଭାଗ, ସ୍ଥାନୀୟ ସଂସ୍ଥା ଏବଂ ସହଯୋଗୀ ସଂଗଠନଗୁଡ଼ିକ ସହିତ ମିଳିତ ସମନ୍ୱୟରେ କାର୍ଯ୍ୟ କରୁଛନ୍ତି।
