ବାଲିଗୁଡା :(ସଞ୍ଜୟ କୁମାର ପାଣିଗ୍ରାହୀ): ଗୋଟିଏ ପଟେ ରାଜ୍ୟ ସରକାର ସରକାରୀ ସମ୍ପତ୍ତିର ସୁରକ୍ଷା ଓ ଭିତ୍ତିଭୂମିର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଥିବା ବେଳେ, ଅନ୍ୟପଟେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକର ବିଭାଗୀୟ ଉଦାସୀନତାର ଏକ ଚରମ ନମୁନା ଦେଖିବାକୁ ମିଳିଛି । ଟିକାବାଲି ବଜାର ସ୍ଥିତ ଦୁର୍ଗା ମଣ୍ଡପ ନିକଟରେ ଥିବା ପୁରୁଣା ରାଜସ୍ୱ ନିରୀକ୍ଷକ (ଆର.ଆଇ) ଙ୍କ କାର୍ଯ୍ୟାଳୟ ଏବେ ସମ୍ପୂର୍ଣ୍ଣ ପରିତ୍ୟକ୍ତ ଓ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ରକ୍ଷଣବେକ୍ଷଣ ଅଭାବରୁ ଏହି କୋଠାଟି ଏବେ ଅସାମାଜିକ ବ୍ୟକ୍ତିଙ୍କ ପରିସ୍ରାଗାର ସାଜିବା ସହ ଏକ ବଡ଼ ଧରଣର ଆବର୍ଜନା କୁଣ୍ଡରେ ପରିଣତ ହୋଇଛି। ସୂଚନା ଅନୁଯାୟୀ, ଦୀର୍ଘ ବର୍ଷ ଧରି ଏହି କାର୍ଯ୍ୟାଳୟଟି ବ୍ୟବହାର ନହେବା ଫଳରେ ଏହାର ଚତୁପାର୍ଶ୍ୱରେ କୁଢ କୁଢ ପ୍ଲାଷ୍ଟିକ୍ ଗ୍ଲାସ, ପ୍ଲେଟ୍ ଏବଂ ବ୍ୟବହୃତ ଅଳିଆ ଆବର୍ଜନା ଜମା ହୋଇ ରହିଛି। ବିଶେଷ କରି ବଜାର ଅଞ୍ଚଳ ଓ ଦୁର୍ଗା ମଣ୍ଡପ ଭଳି ଏକ ସମ୍ବେଦନଶୀଳ ସ୍ଥାନ ପାଖରେ ଏଭଳି ଅପରିଷ୍କାର ପରିବେଶ ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀଙ୍କ ପାଇଁ ଦୁର୍ଗନ୍ଧର କାରଣ ସାଜିଛି। କୋଠାଟିର କାନ୍ଥଗୁଡ଼ିକ ଏବେ ଦୁର୍ବଳ ହେବା ଆରମ୍ଭ କଲାଣି ଏବଂ ଚାରିପଟେ ଅନାବନା ଗଛଲତା ମାଡ଼ି ଯିବା ଫଳରେ ଏହା ଏକ ଭୂତକୋଠି ଭଳି ଭୟଙ୍କର ଦୃଶ୍ୟ ସୃଷ୍ଟି କରୁଛି। ଜନସାଧାରଣଙ୍କ ଟିକସ ପଇସାରେ ନିର୍ମିତ ଏହି ସରକାରୀ ସମ୍ପତ୍ତିର କୌଣସି ବି ବିକଳ୍ପ ବ୍ୟବହାର କରାଯାଉ ନଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଯଦି ଏହି କୋଠାକୁ ସଂସ୍କାର କରି ଅନ୍ୟ କୌଣସି ସରକାରୀ ବିଭାଗର କାର୍ଯ୍ୟାଳୟ କିମ୍ବା ପାଠାଗାର ଭଳି କାର୍ଯ୍ୟରେ ବ୍ୟବହାର କରାଯାଇ ପାରନ୍ତା, ତେବେ ଏହା ସରକାରଙ୍କ ପାଇଁ ଏକ ସମ୍ପତ୍ତି ଭାବେ ରହି ପାରିବ । ମାତ୍ର ବିଭାଗୀୟ ଉଦାସୀନତା ଯୋଗୁଁ କୋଠାଟି ଦିନକୁ ଦିନ ମାଟିରେ ମିଶିବାକୁ ବସିଲାଣି।ସରକାରୀ ସମ୍ପତ୍ତିକୁ ଏଭଳି ନଷ୍ଟ ନକରି ଏହାକୁ ତୁରନ୍ତ ସଫା କରାଯିବା ସହ ବ୍ୟବହାର ଉପଯୋଗୀ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ବିଭିନ୍ନ ସମୟରେ ଏହି ସ୍ଥାନରେ ଅଳିଆ ପକାଯାଉଥିବାରୁ ପରିବେଶ ପ୍ରଦୂଷିତ ହେଉଛି। ତେଣୁ ରାଜସ୍ୱ ବିଭାଗ ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କୋଠାଟିର ପୁନରୁଦ୍ଧାର ପାଇଁ ପଦକ୍ଷେପ ନେବେ କି ନାହିଁ, ତାହା ଦେଖିବାକୁ ବାକି ରହିଲା। ଅବହେଳିତ ଅବସ୍ଥାରେ ଥିବା ଏହି କାର୍ଯ୍ୟାଳୟଟି କେବେ ପୁଣି ଥରେ କାର୍ଯ୍ୟକ୍ଷମ ହେଉଛି, ତାହା ଏବେ ଟିକାବାଲି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
