ଏଜିଆର ଏବଂ ରାଜସ୍ୱ ବଜାର ଅଂଶରେ ଜିଓ ସର୍ବାଗ୍ରେ, ଜାତୀୟ ସ୍ତରରେ ପ୍ରାୟ ୪୩ ପ୍ରତିଶତ ବଜାର ଅଂଶ ହାସଲ
- ଅଇସିଆଇସିଆଇ ସିକ୍ୟୁରିଟିଜ୍ ଏବଂ ସିଏଲଏସଏ ରିପୋର୍ଟ: ଜିଓର ଏଜିଆର ୩୨୧୦୦ କୋଟି ଟଙ୍କା ରହିଥିଲା - ୨୨ ଟି ଟେଲିକମ୍ ସର୍କଲ୍ ମଧ୍ୟରୁ ୧୬ ଟିରେ ଜିଓ ଦୃଢ଼ ସ୍ଥିତିରେ ରହିଛି
ନୂଆଦିଲ୍ଲୀ / ଭୁବନେଶ୍ୱର: ପ୍ରମୁଖ ବିଶ୍ଲେଷକ ସଂସ୍ଥା ଅଇସିଆଇସିଆଇ ସିକ୍ୟୁରିଟିଜ୍ ଏବଂ ସିଏଲଏସଏ ଦ୍ୱାରା ଟେଲିକମ୍ କ୍ଷେତ୍ର ଉପରେ ପ୍ରକାଶ କରାଯାଇଥିବା ସଦ୍ୟତମ ରିପୋର୍ଟରେ ରିଲାଏନ୍ସ ଜିଓର ଅଗ୍ରଣୀ ସ୍ଥିତି ସ୍ପଷ୍ଟ ଭାବରେ ପରିଲକ୍ଷିତ ହୋଇଛି। ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ଜିଓ ଉଭୟ ଆଡ଼ଜଷ୍ଟେଡ ମୋଟ ରାଜସ୍ୱ (ଏଜିଆର) ଏବଂ ରାଜସ୍ୱ ବଜାର ଅଂଶ ଉଭୟରେ ଟେଲିକମ କ୍ଷେତ୍ରରେ ଏହାର ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ବେଶ ପଛରେ ପକାଇ ଦେଇଛି।
ଆଇସିଆଇସିଆଇ ସିକ୍ୟୁରିଟିଜ୍ ଅନୁସାରେ, ତିନି ଘରୋଇ ଅପରେଟର ଜିଓ, ଏୟାରଟେଲ ଏବଂ ଭୋଡାଫୋନ ଆଇଡ଼ିଆ ମିଳିତ ଭାବରେ ତ୍ରୈମାସିକ ହାରରେ ୨.୯ ପ୍ରତିଶତ ଏବଂ ପୂର୍ବ ବର୍ଷ ସମାନ ତ୍ରୈମାସିକ ତୁଳନାରେ ୮.୯ ପ୍ରତିଶତ ବୃଦ୍ଧି ପାଇ ୭୨୦୦୦ କୋଟି ଟଙ୍କା ହୋଇଛି। ଏହି ସମୟ ମଧ୍ୟରେ, ରିଲାଏନ୍ସ ଜିଓର ଏଜିଆର ୩୨୧୦୦ କୋଟି ଟଙ୍କା ରହିଥିଲା, ଯାହା ତ୍ରୈମାସିକ ହାରରେ ୩.୯ ପ୍ରତିଶତ ଏବଂ ବାର୍ଷିକ ହାରରେ ଗତବର୍ଷ ସମାନ ଅବଧି ତୁଳନାରେ ୧୧.୨ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି। ଏହା ସହିତ ଦେଶରେ ଜିଓର ଏଜିଆର ବଜାର ଅଂଶ ୪୩ ପ୍ରତିଶତରେ ପହଞ୍ଚିଛି।
ତୁଳନାତ୍ମକ ଭାବରେ, ଭାରତୀ ଏୟାରଟେଲର ଏଜିଆର ୨୯୯୦୦ କିଟି ଟଙ୍କା ଏବଂ ଏହାର ବଜାର ଅଂଶ ୩୯.୯ ପ୍ରତିଶତ ରହିଥିବା ବେଳେ ଭୋଡାଫୋନ ଆଇଡ଼ିଆର ଏଜିଆର ୯୯୦୦ କୋଟି ଟଙ୍କା ଏବଂ ବଜାର ଅଂଶ ପ୍ରାୟ ୧୩ ପ୍ରତିଶତ ରହିଥିଲା। ରିପୋର୍ଟ ଅନୁଯାୟୀ, ଜିଓ ଏହାର ବଜାର ଅଂଶ ତ୍ରୈମାସିକରେ ୪୧ ବେସିସ୍ ପଏଣ୍ଟ ଏବଂ ବାର୍ଷିକ ଭାବରେ ୧୧୪ ବେସିସ୍ ପଏଣ୍ଟ ବୃଦ୍ଧି କରିଛି।
ଟେଲିକମ ସର୍କଲ୍ ସ୍ତରରେ, ଜିଓର ଏଜିଆର ବଜାର ଅଂଶ ୧୬ ଟି ସର୍କଲରେ ବୃଦ୍ଧି ପାଇଛି, ଯାହା ମଧ୍ୟରେ ଗୁଜରାଟ, ଉତ୍ତର ପ୍ରଦେଶ ପୂର୍ବ ଓ ପଶ୍ଚିମ, କର୍ଣ୍ଣାଟକ, ଓଡିଶା, ଉତ୍ତର-ପୂର୍ବ ରାଜ୍ୟ ସମୂହ ଏବଂ ହିମାଚଳ ପ୍ରଦେଶ ଭଳି ସର୍କଲ ରହିଛନ୍ତି। ମେଟ୍ରୋ ସହରଗୁଡିକ ମଧ୍ୟରେ ଦିଲ୍ଲୀ, ମୁମ୍ବାଇ ଏବଂ କୋଲକାତାରେ ମଧ୍ୟ ଜିଓର ବଜାର ଅଂଶ ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇଛି।
ସିଏଲଏସଏ ରିପୋର୍ଟ ଅନୁଯାୟୀ ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ରୁ ଡିସେମ୍ବର ତୃତୀୟ ତ୍ରୈମାସିକରେ ଜିଓର ରାଜସ୍ୱ ବଜାର ଅଂଶ ୪୨.୫ ପ୍ରତିଶତ ରହିଥିଲା, ଯାହା ୪୭ ବେସିସ୍ ପଏଣ୍ଟର ତ୍ରୈମାସିକ ବୃଦ୍ଧିକୁ ଦର୍ଶାଉଛି। ଉଭୟ ଜିଓ ଏବଂ ଏୟାରଟେଲ ବିଗତ ୧୨ ମାସ ମଧ୍ୟରେ ବଜାର ଅଂଶ ବୃଦ୍ଧି କରିଥିବାବେଳେ ଭୋଡାଫୋନ ଆଇଡ଼ିଆର ବଜାର ଅଂଶ ହ୍ରାସ ପାଇଛି। ବର୍ତ୍ତମାନର ତଥ୍ୟ ଆଧାରରେ, ଜିଓର ଧ୍ୟାନ ରାଜସ୍ୱ ବୃଦ୍ଧି, ସର୍କଲ୍-ସ୍ତରୀୟ ବିସ୍ତାର ଏବଂ ବଜାର ଅଂଶକୁ ସୁଦୃଢ଼ କରିବା ଉପରେ ରହିଛି, ଯାହା ଏହାକୁ ପ୍ରତିସ୍ପର୍ଦ୍ଧାରେ ଅଗ୍ରଣୀ ରଖିଛି।