ଜିଓ ଷ୍ଟୁଡିଓଜ୍ ପକ୍ଷରୁ ଓସ୍କାର ବିଜେତା ଶିକ୍ଷା ଏଣ୍ଟରଟେନମେଣ୍ଟରେ ୫୦.୧ ପ୍ରତିଶତ ଅଂଶଧନ ହାସଲ
- ୧୫୦ କୋଟି ଟଙ୍କାରେ ଚୁକ୍ତି ସମ୍ପୂର୍ଣ୍ଣ - ଭାରତୀୟ କାହାଣୀଗୁଡ଼ିକୁ ବିଶ୍ୱ ସ୍ତରରେ ପହଞ୍ଚାଇବାକୁ ପ୍ରସ୍ତୁତ
ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଆଇଏଲ)ର ସମ୍ପୂର୍ଣ୍ଣ ମାଲିକାନା ରହିଥିବା ସହାୟକ କମ୍ପାନୀ ରିଲାଏନ୍ସ ଷ୍ଟ୍ରାଟେଜିକ୍ ବିଜନେସ୍ ଭେଞ୍ଚର୍ସ ଲିମିଟେଡ୍ (ଆରଏସବିଭିଏଲ) ୧୫୦ କୋଟି ଟଙ୍କାରେ ଶିକ୍ଷା ଏଣ୍ଟରଟେନମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ରେ ୫୦.୧ ପ୍ରତିଶତ ଇକ୍ୱିଟି ଅଂଶଧନ ହାସଲ କରିଛି। ଫେବୃଆରୀ ୨, ୨୦୨୬ ରେ ସମ୍ପୂର୍ଣ୍ଣ ହୋଇଥିବା ଏହି ନିବେଶ ସହିତ ରିଲାଏନ୍ସର ମିଡିଆ ଏବଂ କଣ୍ଟେଣ୍ଟ ସଂସ୍ଥା ଜିଓ ଷ୍ଟୁଡିଓଜ ମନୋରଞ୍ଜନ ଶିଳ୍ପରେ ଏହାର ସ୍ଥିତିକୁ ଆହୁରି ମଜବୁତ କରିଛି।
ଗୁନୀତ ମୋଙ୍ଗା କପୁର ଏବଂ ଅଚିନ୍ ଜୈନଙ୍କ ଦ୍ୱାରା ସ୍ଥାପିତ ଶିକ୍ଷା ଏଣ୍ଟରଟେନମେଣ୍ଟ ଗତ ଦଶନ୍ଧି ମଧ୍ୟରେ ଭାରତୀୟ କାହାଣୀଗୁଡ଼ିକୁ ବିଶ୍ୱ ସ୍ତରରେ ପରିଚିତ କରାଇଛି। ଶିକ୍ଷା ହେଉଛି ଦେଶର ଏକମାତ୍ର ପ୍ରଯୋଜନା କମ୍ପାନୀ ଯିଏ ଓସ୍କାର ପୁରସ୍କାର ଏବଂ ଆହୁରି ଅନେକ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତିଛି। କମ୍ପାନୀକୁ ଓସ୍କାର ପୁରସ୍କାର ପିରିୟଡ଼, ଏଣ୍ଡ ଅଫ ସେଣ୍ଟେନ୍ସ ଏବଂ ଦି ଏଲିଫ୍ୟାଣ୍ଟ ହ୍ୱିସପର୍ସ ପାଇଁ ମିଳିଥିବାବେଳେ ମସାନ, ସୋରାରାଇ ପୋଟ୍ରୁ ଏବଂ କଥଲ ଭଳି ଫିଲ୍ମଗୁଡ଼ିକୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି।
ଜିଓ ଷ୍ଟୁଡିଓଜ ଭାରତୀୟ ମନୋରଞ୍ଜନ ଶିଳ୍ପରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏବଂ ଭାରତୀୟ ଦର୍ଶକଙ୍କୁ ବିଶ୍ୱ ସହିତ ଯୋଡ଼ିଛି। ଧୁରନ୍ଧର, ଲାପତା ଲେଡିଜ୍ ଏବଂ ସ୍ତ୍ରୀ ୨ ଭଳି ସଫଳ ଫିଲ୍ମ ସହିତ, ଜିଓ ଷ୍ଟୁଡିଓଜ ଦେଶର କଣ୍ଟେଣ୍ଟ ଶିଳ୍ପରେ ଏକ ମଜଭୁତ ନାମ ପାଲଟିଛି।
ଏହି ସହଭାଗୀତା ସମ୍ପର୍କରେ ଜିଓ ଷ୍ଟୁଡିଓଜର ଅଧ୍ୟକ୍ଷ ଜ୍ୟୋତି ଦେଶପାଣ୍ଡେ କହିଛନ୍ତି, “ଶିକ୍ଷା ଏଣ୍ଟରଟେନମେଣ୍ଟ ସର୍ବଦା ଏପରି କାହାଣୀ ଉପସ୍ଥାପନ କରିଛି ଯାହା ହୃଦୟରୁ ଭାରତୀୟ ହେବା ସହିତ ବିଶ୍ୱର ଦର୍ଶକଙ୍କ ସହିତ ପ୍ରତିଧ୍ୱନିତ ହୋଇଥାଏ। ଏହି ସହଭାଗୀତା ସୃଜନଶୀଳ ଉତ୍କର୍ଷତା ଏବଂ ସାଂସ୍କୃତିକ ଅଖଣ୍ଡତାକୁ ମହତ୍ତ୍ୱ ଦେଉଥିବା କଣ୍ଟେଣ୍ଟ ନିର୍ମାତାଙ୍କ ସହିତ କାମ କରିବାର ଆମର ଦୀର୍ଘକାଳୀନ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି।”
ଶିକ୍ଷା ଏଣ୍ଟରଟେନମେଣ୍ଟର ପ୍ରତିଷ୍ଠାତା ଗୁନୀତ ମୋଙ୍ଗା କପୁର ଏବଂ ଅଚିନ ଜୈନ କହିଛନ୍ତି, “ଆମେ ସର୍ବଦା ବିଶ୍ୱାସ କରିଆସିଛୁ ଯେ କାହାଣୀଗୁଡିକରେ ସଂସ୍କୃତି, ଭାଷା ଏବଂ ସୀମା ଅତିକ୍ରମ କରି ଲୋକଙ୍କୁ ଯୋଡିବାର ଶକ୍ତି ରହିଛି। ଜିଓ ଷ୍ଟୁଡିଓଜ ସହିତ ଏହି ସହଭାଗୀତା ଆମକୁ ଆମର କାହାଣୀଗୁଡିକୁ ବିଶ୍ୱ ଦର୍ଶକଙ୍କ ନିକଟରେ ପହଞ୍ଚାଇବା ଏବଂ ଦେଶ ସାରା ନୂତନ ପ୍ରତିଭାକୁ ଆଗକୁ ଆଣିବାର ସୁଯୋଗ ଦେବ। ଏହି ସହଭାଗୀତା ଏକ ଆତ୍ମବିଶ୍ୱାସ ଭରା ଉଦୀୟମାନ ଭାରତର ସ୍ୱର ଏବଂ କାହାଣୀଗୁଡ଼ିକୁ ଆହୁରି ମଜବୁତ କରିବ।”