ନୟାଗଡ଼,୧୪!୧: ନୟାଗଡ଼ ଜିଲ୍ଲାରେ ଧାନର ଅଭାବି ବିକ୍ରି କଟନୀ ଛଟନୀ ଓ ଚାଷୀଙ୍କୁ କ୍ବିଣ୍ଟାଲ ପିଛା କମ୍ ଟାର୍ଗେଟ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ନବନିର୍ମାଣ କୃଷକ ସଂଗଠନ। ଚାଷୀମାନେ ହାତୀଆଶାଳ ମଠରୁ ଏକ ବାଇକ ଶୋଭାଯାତ୍ରା ଆସି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମୁଖ୍ୟମନ୍ତ୍ରୀଙଅକ ଉଦ୍ଦେଶ୍ୟରେ ଏକ ସ୍ମାରକୀ ପତ୍ର ଦେବା ସହ ମଣ୍ଡି ପୂଜା ହେବାର ୧୫ ଦିନ ପରେ ମଧ୍ୟ ଧାନ ନଉଠିବା ଲଜ୍ଜ୍ୟାଜନକ ବୋଲି କହିଥିଲେ। ଧାନ ଉଠାଇବାକୁ ଆରମ୍ଭ କରିଥିବା ମିଲରମାନେ କ୍ବିଣ୍ଟାଲ ପିଛା ୭ କେଜି ୫୦୦ କାଟ ମାରୁଛନ୍ତି ବୋଲି ଚାଷୀମାନେ ଉପଜିଲ୍ଲାପାଳଙ୍କ ପାଖରେ ଫେରାଦ ହୋଇଥିଲେ। ପ୍ରଥମରୁ ସ୍ମାରକପତ୍ର ଦେବାକୁ ଅଫିସ ଭିତରକୁ ପୋଲିସ ଡାକିବାରୁ ଚାଷୀମାନେ ଆମ ପାଖକୁ ଆସି ଅଫିସରମାନେ ସ୍ମାରକପତ୍ର ନେବାକୁ ଅଡ଼ିବସିଥିଲେ। ପୋଲିସ ଏଥିରେ ଅରାଜି ହେବାରୁ ଚାଷୀମାନେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ପରେ ଉପଜିଲ୍ଲାପାଳ ଆମେ ଆପଣମାନଙ୍କ ଦାବୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପଠାଇଦେବୁ ବୋଲି ପ୍ରତିଶୃତି ଦେଇଥିଲେ। ଚଳିତ ବର୍ଷ ଯଦି ପୂର୍ବ ବର୍ଷ ଭଳି ୭/୧୦ କେଜି କାଟ ପାଇଁ ମିଲରମାନେ ମଣ୍ଡି ଗୁଡ଼ିକରେ ଜିଦ୍ କରନ୍ତି ତେବେ ସେମାନଙ୍କୁ ଧାନ କିଣିବା ପ୍ରକ୍ରିୟାରୁ ବାଦ୍ ଦେବା ସହ ବ୍ଲାକ୍ ଲିଷ୍ଟ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଥିଲେ। ଜିଲ୍ଲା ସଂଯୋଜକ ପ୍ରସନ୍ନ ପ୍ରଧାନଙ୍କ ଆବାହ୍ବତରେ ଆଜିର ସାଂଗଠନିକ ବୈଠକ ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା ବେଳେ ସଂଗଠନର ବରିଷ୍ଠ ନେତା ମହେଶ୍ବର ଜେନା ପ୍ରତି ମଣ୍ଡିରୁ ଚାଷୀଙ୍କୁ ଡାକି ଏହି ମିଲର ଶୋଷଣ ବିରୁଦ୍ଧରେ ଲଢ଼େଇ ଜାରି ରହିବ ବୋଲି କହିଥିଲେ। ଆଜିର ବିକ୍ଷୋଭରେ ଜିଲ୍ଲାର ସମସ୍ତ ବ୍ଲକରୁ ଶତାଧିକ ଚାଷୀ ଯୋଗଦେଇଥିଲେ। ଏକ ସପ୍ତାହ ଭିତରେ ଯଦି କଟନୀ ଛଟନୀ ବନ୍ଦ ପାଇଁ ପ୍ରଶାସନ ମିଲରଙ୍କୁ ନିର୍ଦ୍ଦେଶ ନଦିଏ କିମ୍ବା କମ୍ ହୋଇଥିବା ଟାର୍ଗେଟ ସଂଶୋଧିତ ହୋଇ ନଆସେ ତେବେ ଜିଲ୍ଲାପାଳ ଅଫିସ୍ ଅଚଳ କରିଦିଆଯିବ ବୋଲି ଚାଷୀନେତାମାନେ କହିଥିଲେ। ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫୁଲ ଲେଙ୍କା, ସୁରେନ୍ଦ୍ର ନାୟକ, ରଣପୁର ବ୍ଲକ୍ ସଂଯୋଜକ ଅଜୟ ମହାନ୍ତି, ଭାଗବତ ପ୍ରଧାନ, ନୂଆଗାଁ ବ୍ଲକ୍ ସଂଯୋଜକ ବିପିନ୍ ବାରିକ, ସୁରେନ୍ଦ୍ର ଭଞ୍ଜ, ପୂର୍ବତନ ଜିଲ୍ଲା ସଂଯୋଜକ ବାସୁଦେବ ସାହୁ, ସମରେନ୍ଦ୍ର ନାୟକ, ବାଇନାଥ ସାହୁ, କୁଳମଣି ହାତୀ ପ୍ରମୁଖ ଯୋଗଦେଇଥିଲେ।